ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଗୁରୁବାର ଆଶାୟୀ ଦଳୀୟ ନେତାମାନେ ନାମାଙ୍କନପତ୍ର ଦାଖଲ କରିବେ। ଆଜି ହିଁ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର ହେବ। ଏକାଧିକ ପ୍ରାର୍ଥୀ ରହିଲେ ଜାନୁଆରୀ ୧୫ ତାରିଖରେ (ଶୁକ୍ରବାର) ନିର୍ବାଚନ କରାଯିବ। ଦଳର ଜଣେ ସାଂସଦ ଓ ୧୦ ବିଧାୟକଙ୍କ  ସମେତ ୧୭୮ ଜଣ କର୍ମକର୍ତ୍ତା ଏହି ନିର୍ବାଚନ ପାଇଁ ଭୋଟ୍ ଦେବେ। ବୁଧବାର ଏନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଆଜି ସକାଳ ୯ଟା୩୦ରୁ ୧୦ଟା ୩୦ ମଧ୍ୟରେ ଭୁବନେଶ୍ୱର ସ୍ଥିତ  ଦଳୀୟ କାର୍ଯ୍ୟାଳୟରେ ଏହି ପଦ ପାଇଁ ଦଳର ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ସମୟ ରହିଛି  ଦିନ ୧୧ଟା’ରୁ ଗୋଟାଏ।

ଯଦି ଆବଶ୍ୟକ ହେବ ତା’ହେଲେ ଜାନୁଆରୀ ୧୫ ତାରିଖରେ ବିଜେପି ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବ। ସେହିଦିନ ସକାଳ ୧୦ଟାରୁ ୧ଟା ମଧ୍ୟରେ ଭୁବନେଶ୍ୱର ସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟରେ ଭୋଟ୍ ଗ୍ରହଣ କରାଯିବ। ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ଭୋଟ୍ ଗଣତି କରାଯିବ। ଅପରାହ୍ନ ୨ଟାରେ ଫଳାଫଳ ଘୋଷଣା କରାଯିବ।

ରାଜ୍ୟ ସଭାପତି ନିର୍ବାଚନ ପାଇଁ ବିଜେପି କ୍ୟାମ୍ପରେ ଚାଲିଛି ଜୋରଦାର କସରତ। ସହମତି ଭିତ୍ତିରେ ରାଜ୍ୟ ସଭାପତି ଚୟନ କରିବା ଉପରେ ଗୁରୁତ୍ୱ ଦେଉଛି ଦଳ। ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡାଙ୍କ ନାଁରେ ସହମତି ରହିଥିବା କୁହାଯାଉଛି। ଦଳର ବରିଷ୍ଠ ନେତା ମନମୋହନ ସାମଲ କହିଛନ୍ତି ଯେ ନିର୍ବାଚନର ଆବଶ୍ୟକ ପଡ଼ିବ ନାହିଁ। ସହମତି ଭିତିରେ ହିଁ ଦଳ ଏହାର ରାଜ୍ୟ ସଭାପତି ଚୟନ କରି ନେବ।