କୋଇଲା ଉତ୍ତୋଳନ ବୃଦ୍ଧି ପ୍ରସଙ୍ଗ: କେନ୍ଦ୍ର କୋଇଲା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ

ଭୁବନେଶ୍ୱର: କୋଇଲା ଉତ୍ତୋଳନ ବୃଦ୍ଧି ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଶୁକ୍ରବାର ଭୁବନେଶ୍ୱରରେ ବସିଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଖଣି ଅଧିକାରୀମାନେ ଯୋଗ ଦେଇଛନ୍ତି। କୋଇଲା ଉତ୍ତୋଳନ ବୃଦ୍ଧି, ପରିବହନ ବ୍ୟବସ୍ଥାକୁ ସୁଦୃଢ଼ ଓ କ୍ୟାପଟିଭ୍ କୋଲ୍ ମାଇନର ସ୍ଥିତି ନେଇ ବୈଠକରେ ଆଲୋଚନା କରାଯାଉଛି।  ଏସବୁ ରାଜ୍ୟରେ ବର୍ତ୍ତମାନ କେଉଁ ଉପାୟରେ କୋଇଲା ଉତ୍ତୋଳନ କରାଯାଉଛି, କୋଇଲା ସଚିବ ତା’ର ଅନୁଧ୍ୟାନ କରୁଛନ୍ତି।  ବୈଠକରେ ଓଡ଼ିଶାରୁ ଖଣି ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ଖଣି ନିର୍ଦ୍ଦେଶକ ଏବଂ ଶିଳ୍ପ ସଚିବ ଯୋଗ ଦେଇଛନ୍ତି।

ବୈଠକ ପରେ କୋଇଲା ସଚିବ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଏମସିଏଲର କୋଇଲା ଉତ୍ପାଦନ ବୃଦ୍ଧି ଓ ପବ୍ଲିକ୍ ସେକ୍ଟର କଂପାନୀ ସାଙ୍ଗକୁ ଅନ୍ୟ ପାୱାରପ୍ଲାଣ୍ଟ ଓ ଅନିୟନ୍ତ୍ରିତ କ୍ଷେତ୍ରରେ କଂପାନୀମାନଙ୍କୁ କିପରି ଆବଶ୍ୟକତା ଅନୁସାରେ କୋଇଲା ଯୋଗାଇ ଦିଆଯାଇପାରିବ ସେ ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ପରିବହନ ଭଡ଼ା ହ୍ରାସ ଓ ଟ୍ରେନ୍ ଯୋଗେ ଅଧିକ କୋଇଲା ପରିବହନ ନେଇ ଆଲୋଚନା ହେବ। ସେହିପରି ନୂଆ କୋଲ୍ ବ୍ଲକ୍ ନିଲାମୀ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ସେହିପରି ତାଳଚେର ଓ ସୁନ୍ଦରଗଡ଼ ଅଞ୍ଚଳର କୋଇଲା ଖଣି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକମ ରହିଛି।