ଆଜି କଟକ ମେୟର ନିର୍ବାଚନ: ବିଜେଡି ପ୍ରାର୍ଥୀ ମିନାକ୍ଷୀ ବେହେରାଙ୍କ ନାମାଙ୍କନପତ୍ର ଦାଖଲ

କଟକ: କଟକ ମହାନଗର ନିଗମ ମେୟର ନିର୍ବାଚନ ପାଇଁ ୪୫ ନମ୍ବର ୱାର୍ଡର କର୍ପୋରେଟର ମିନାକ୍ଷୀ ବେହେରା ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଟକର ୩ ବିଧାୟକ ଓ ବିଜେଡି କର୍ପୋରେଟରଙ୍କ ସହ ମିନାକ୍ଷୀ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ।

ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଆଜି ବିଧାୟକ ଦେବାଶିଷ ସାମନ୍ତରାଏଙ୍କ ବାସଭବନରେ ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକ ପରେ ମେୟର ପାଇଁ ମିନାକ୍ଷୀଙ୍କ ନାମ ସ୍ଥିର ହୋଇଥିବା କୁହାଯାଇଥିଲା। ବୈଠକରେ ବିଧାୟକ ପ୍ରଭାତ ବିଶ୍ୱାଳ, ଚନ୍ଦ୍ରସାରଥୀ ବେହେରାଙ୍କ ସମେତ ସମସ୍ତ ବିଜେଡି କର୍ପୋରେଟର ଯୋଗ ଦେଇଥିଲେ।

ମିନାକ୍ଷୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମେୟର ପାଇଁ ତାଙ୍କୁ ବାଛି ଥିବାରୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ସୂଚାରୁରୂପେ ସମ୍ପାଦନ କରିବି। କଟକର ୩ ବିଧାୟକ ଓ ସମସ୍ତ କର୍ପୋରେଟରଙ୍କୁ ନେଇ ମହାନଗର ନିଗମର ଉନ୍ନତି ପାଇଁ କାମ କରିବି।

ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ମେୟର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୩ଜଣଙ୍କ ନାମ ସୁପାରିଶ କରାଯାଇଥିଲା। ଏଥିପାଇଁ ମିନାକ୍ଷୀଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି। ମିନାକ୍ଷୀଙ୍କର ରାସନ କାର୍ଡ ଥିବା ନେଇ ହେଉଥିବା ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି।