ଦେଶର ଶ୍ରେଷ୍ଠ ୧୦୦ ତାଲିକାରେ ନାହିଁ ଓଡ଼ିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଦେଶର ୧୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହିଁ। କେନ୍ଦ୍ର ସରକାର ପ୍ରକାଶ କରିଥିବା ପ୍ରଥମ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରୁ ଏହା ସ୍ପଷ୍ଟ ହୋଇଛି।

ଏହାସହ ପ୍ରଥମ ୧୦୦ ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ଓ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌ ତାଲିକା ପ୍ରକାଶ ପାଇଛି।  ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ NIT ରାଉରକେଲା ୧୯ ତମ ସ୍ଥାନରେ ରହିଥିବା ବେଳେ IIT ଭୁବନେଶ୍ୱର ୨୬ତମ ସ୍ଥାନରେ ରହିଛି। ତେବେ ରାଜ୍ୟର ୨ଟି ଘରୋଇ ବିଶ୍ୱବିଦ୍ୟାଳୟ ଓ ଅନ୍ୟ କିଛି ଇଂଜିନିୟରିଂ କଲେଜ ପ୍ରଥମ ୧୦୦ ମଧ୍ୟରେ ରହିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ୧୦୦ ସ୍ଥାନରେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଦୁଃଖର କଥା। ଏହା ଆମ ସମସ୍ତଙ୍କ ପାଇଁ ଆହ୍ୱାନ।”

ରାଉରକେଲା ଏନ୍‌ଆଇଟି ୧୯ ତମ ସ୍ଥାନରେ ଥିବାରୁ ଆମେ ବହୁତ ଖୁସି ବୋଲି କହିଛନ୍ତି ଏହାର ନିର୍ଦ୍ଦେଶକ ସୁନୀଲ ଷଡ଼ଙ୍ଗୀ। ସେ କହିଛନ୍ତି, “ଆଗାମୀ ଦିନରେ ରାକିଙ୍ଗରେ ଉପରକୁ ଉଠିବାକୁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ।”

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଶ୍ୱବିଦ୍ୟାଳୟ ରାକିଙ୍ଗରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ଏକ ନମ୍ବରରେ ରହିଛି। ମୁମ୍ବାଇର ଇନଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍ନୋଲୋଜି ଦ୍ୱିତୀୟ ଓ ଜେଏନ୍‌ୟୁ ତୃତୀୟ ସ୍ଥାନରେ ରହିଛି। ଇଂଜିନିୟରିଂ ଶିକ୍ଷା ତାଲିକାରେ ଆଇଆଇଟି ମାଡ୍ରାସ ଏକ ନମ୍ବର ସ୍ଥାନରେ ଥିବା ବେଳେ ଆଇଆଇଟି ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଏମ୍‌ ବେଙ୍ଗାଲୁରୁ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ତାଲିକା ଶୀର୍ଷରେ ରହିଥିବା ବେଳେ ଆଇଆଇଏମ୍‌ ଅହମ୍ମଦାବାଦ ଦ୍ୱିତୀୟ ସ୍ଥାନରେ ରହିଛି। ଫାର୍ମାସୀ ଶିକ୍ଷା ପାଇଁ ମନିପାଲ କଲେଜ୍‌ ଅଫ୍‌ ଫାର୍ମାସିଟିକାଲ୍‌ ସାଇନ୍ସେସ ଏକ ନମ୍ବର ଶିକ୍ଷାନୁଷ୍ଠାନ ହେବାର ଗୌରବ ହାସଲ କରିଛି।