ଦୁଇ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଟଣାଓଟରା: ସ୍ଥଗିତ ହେଲା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସଂପ୍ରସାରଣ ପାଇଁ ଜନଶୁଣାଣି

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣିକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ। ହଟ୍ ଷ୍ଟ୍ରିପମିଲ୍, ହଟ୍ ପ୍ଲେଟମିଲ୍ ସମ୍ପ୍ରସାରଣ ଲାଗି ଆଜି ଜନଶୁଣାଣି ଥିଲା। ସାରନଗରୀ ଅଞ୍ଚଳରେ ସୁନ୍ଦରଗଡ ଏଡିଏମ୍ ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହେଉଥିଲା। କିନ୍ତୁ ସପକ୍ଷବାଦୀ ବିପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଏଡିଏମ୍। ଏହାକୁ ମାସେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଗୋଟିଏ ପଟେ ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କିଙ୍କ ସମର୍ଥକ ମାନେ ଏହି ପ୍ରକଳ୍ପର ସମ୍ପ୍ରସାରଣର ସପକ୍ଷରେ ଥିବାବେଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ। ସିଏସ୍ଆର୍ କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ ଅର୍ଥ ଖର୍ଚ୍ଚ କରାଗଲା ପରେ ଜନଶୁଣାଣି କରାଯାଉ ବୋଲି ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଦାବି କରିଥିଲେ। ସେ କହିଥିଲେ ଯେ ଯେଉଁ ଅଞ୍ଚଳରେ କଂପାନୀର ସଂପ୍ରସାରଣ କରାଯିବ ସେଠାକାର ଲୋକ ତ ଏହାକୁ ବିରୋଧ କରୁଛନ୍ତି। ତେଣୁ ବାହାର ଲୋକ ଆସି ସଂପ୍ରସାରଣକୁ ସମର୍ଥନ କଲେ କିଛି ଯାଏଆସେ ନାହିଁ।