ମୋ ନା ଦାଉଦ୍‌ ନୁହେଁ: ସମୀର ୱାଙ୍ଖଡ଼େଙ୍କ ବାପା

ମୁମ୍ବାଇ: ମୁମ୍ବାଇ ଡ୍ରଗସ୍‌ ମାମଲାରେ ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ବିବାଦ ପିଛା ଛାଡ଼ୁନି।  ସମୀରଙ୍କ ବିରୋଧରେ ଅଭିଯୋଗର ତାଲିକା ବଢ଼ୁଥିବା ବେଳେ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଅଭିଯୋଗ-ପାଲଟା ଅଭିଯୋଗ ମଧ୍ୟରେ ମାମଲା ଗୋଳିଆ ହେବା ସହ ଧାର୍ମିକ ଆକ୍ଷେପର ରୂପ ନେଲାଣି। ଏହାରି ଭିତରେ ସମୀରଙ୍କ ବାପା ଦ୍ୟାନଦେବ ୱାଙ୍ଖଡ଼େ କହିଛନ୍ତି ମୋ ନା ଦାଉଦ୍‌ ନୁହେଁ। ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ସେପଟେ  ସମୀରଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ।  ଅଭିଯୋଗ ହେଉଛି, ଆର୍ଯ୍ୟନ୍‌ଙ୍କୁ ଛାଡ଼ି ଦେବା ପାଇଁ ୨୫ କୋଟିର ଡିଲ୍ ହୋଇଥିଲା ।  ଯେଉଁଥିରୁ ୮ କୋଟି ଟଙ୍କା ପାଇଥାନ୍ତେ ସମୀର।  ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଟାର୍ଗେଟ କରାଯାଉଥିବା ନେଇ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସମୀର।

ମୁମ୍ବାଇ ଏନ୍‌ସିବିର ଜୋନାଲ ନିର୍ଦ୍ଦେଶକ ତଥା ହାଇପ୍ରୋଫାଇଲ୍ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଥିବା ସମୀରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାମଲାର ସାକ୍ଷୀ ପ୍ରଭାକର ସେଲ୍ ।  କୋର୍ଟରେ ସତ୍ୟପାଠ ଦାଖଲ କରି ପ୍ରଭାକର କହିଛନ୍ତି, କିରଣ ଗୋସାଭୀ ଏବଂ ସାମ୍ ଡିସୁଜା ନାମକ ଦୁଇ ଜଣ ବ୍ୟକ୍ତି କାରରେ ଶାହାରୁଖଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କ ସହ ଏହି ଡିଲ୍ କରିଥିବା ସେ ନିଜେ ଦେଖିଛନ୍ତି। କିରଣ ଗୋସାଭୀ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଆର୍ଯ୍ୟନ୍‌ ଗିରଫ ହୋଇ ଏନ୍ସିବି ହେପାଜତରେ ଥିବା ବେଳେ ତାଙ୍କ ସହ ସେଲ୍ଫି ନେଇଥିଲେ ଏବଂ ସେହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସେପଟେ ତାଙ୍କ ବିରୋଧରେ ଆସିଥିବା ଲାଂଚ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମୀର।  କୋର୍ଟରେ ସତ୍ୟପାଠ ଜରିଆରେ କହିଛନ୍ତି, ତାଙ୍କୁ ଓ ତାଙ୍କ ପରିବାରକୁ ଟାର୍ଗେଟ୍ କରାଯାଉଛି ।  ଏଥିସହ ମୁମ୍ବାଇ ପୁଲିସ କମିଶନରଙ୍କୁ ଚିଠି ଲେଖି ତାଙ୍କୁ ଫସାଇବା ଲାଗି ଷଡ଼ଯନ୍ତ୍ର ହେଉଥିବା ଆଶଙ୍କା କରିଛନ୍ତି ସମୀର  । ଅନୁରୋଧ କରିଛନ୍ତି, ତାଙ୍କୁ ଗିରଫ କରାନଯାଉ।

ଏସବୁ ଭିତରେ ସାମ୍ନାକୁ ଆସିଛି ସମୀର ୱାଙ୍ଖଡେଙ୍କ ବାର୍ଥ ସାର୍ଟିଫିକେଟ୍।   ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ୱାବ ମଲ୍ଲିକ କହିଛନ୍ତି, ଜାଲ୍ ପ୍ରମାଣପତ୍ର ତିଆରି କରି ସରକାରୀ ଚାକିରି ପାଇଛନ୍ତି ସମୀର।  ଖାଲି ସେତିକି ନୁହେଁ, ଟ୍ୱିଟରରେ ଫଟୋ ସେୟାର କରି ସମୀର ଦୁଇ ଦୁଇଟି ବିବାହ କରିଥିବା ବି ଦର୍ଶାଇଛନ୍ତି । ନୱାବଙ୍କ ଜବାବରେ ସମୀର କହିଛନ୍ତି, ତାଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍ କରାଯାଉଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।