ଶସ୍ୟ ବୀମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ନୂତନ ଶସ୍ୟ ବୀମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଚାଷୀଙ୍କ ଉପରେ ବୀମାର ପ୍ରିମିୟମ୍ ରାଶିର ବୋଝ ହାଲୁକା ହେବା ସହ ସମ୍ପୂର୍ଣ୍ଣ ବୀମା ରାଶିର ଶୀଘ୍ର ସେଟେଲମେଣ୍ଟ ହୋଇପାରିବ। ନୂତନ ଯୋଜନା ଅନୁଯାୟୀ, ଖାଦ୍ୟ ଶସ୍ୟ ଏବଂ ତୈଳବୀଜ କ୍ଷେତ୍ରରେ  ପ୍ରିମିୟମ୍ ବୀମାଭୁକ୍ତ ରାଶିର ୨ପ୍ରତିଶତ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ସେହିପରି ଉଦ୍ୟାନ ଏବଂ କପା ଚାଷୀଙ୍କ ପାଇଁ ପ୍ରିମିୟମ୍ ୫ପ୍ରତିଶତ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ବୀମାଭୁକ୍ତ ରାଶିର ୨୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରିମିୟମ୍ ଚାର୍ଜ କରାଯାଉଛି। ଏହାଛଡ଼ା ପ୍ରିମିୟମ ରାଶି ଏବଂ ବୀମାକୃତ ରାଶି ହ୍ରାସ ଉପରେ ସୀମା ନ ରଖିବା ପାଇଁ ମଧ୍ୟ ନୂତନ ଯୋଜନାରେ ପ୍ରସ୍ତାବ ରଖାଯାଇଛି।

ସେହିପରି କ୍ଲେମ୍ କରୁଥିବା ରାଶିର ୨୫ପ୍ରତିଶତ ସିଧା ଚାଷୀଙ୍କ ଆକାଉଣ୍ଟକୁ ଯିବାର ବ୍ୟବସ୍ଥା ଏଥିରେ ରହିଛି। ପ୍ରାଇଭେଟ୍ ଇନସୁରାନ୍ସ କମ୍ପାନୀ ସହ ଏଗ୍ରିକଲଚ‌ର ଇନସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍ ଏହି ଯୋଜନା କାର୍ଯ୍ୟକାରୀ କରିବେ। ଆସନ୍ତା ଖରିଫ ୠତୁରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ରଖାଯାଇଛି। ନୂତନ ଯୋଜନାରେ ଆଗାମୀ ୨ରୁ ୩ବର୍ଷ ଭିତରେ ପ୍ରାୟ ୫୦ ପ୍ରତିଶତ ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।