ଇସି ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତି : କଡ଼ା ଟିପ୍ପଣୀ ପରେ ଫାଇଲ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ଏଥିସହ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦିଷ୍ଟ ନିଯୁକ୍ତି ସଂକ୍ରାନ୍ତ ଫାଇଲ ମଧ୍ୟ ଦେଖିବାକୁ ମାଗିଛନ୍ତି। ନଭେମ୍ବର ୧୯ରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର(ଇସି) ଭାବେ ନିଯୁକ୍ତି ମିଳିଥିଲା। କେଉଁ ନିୟମ ଓ ପ୍ରକ୍ରିୟା ଆଧାରରେ ଏପରି ନିଯୁକ୍ତି ହୋଇଛି, ସେକଥା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ରକୁ ଫାଇଲ ଦାଖଲ କରିବାକୁ କହିଛନ୍ତି। ଆସନ୍ତାକାଲି ପୁଣି ମାମଲାର ଶୁଣାଣି ହେବ।

ଜଷ୍ଟିସ କେଏମ ଯୋଶେଫଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ କରିଛନ୍ତି, ଇସି ଭାବେ ନିଯୁକ୍ତି ପ୍ରକ୍ରିୟାରେ କିଛି ଆଇନକୁ ଅଣଦେଖା କରାଯାଇଛି କି ନାହିଁ, ସେକଥା ଆମେ ଜାଣିବାକୁ ଚାହୁଁଛୁ। କାରଣ ସେ(ଅରୁଣ ଗୋଏଲ) ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତାଙ୍କୁ ଇସି ଭାବେ ନିଯୁକ୍ତି ମିଳିଥିବାରୁ ଖଣ୍ଡପୀଠ ଏପରି କହିଛନ୍ତି। ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାର ଓ ଏ ସଂକ୍ରାନ୍ତ ଆଇନ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିକଟରେ ଇସି ଭାବେ ନିଯୁକ୍ତି ପାଇଥିବା ଅରୁଣ ଗୋଏଲଙ୍କ କଥା ଉଠାଇଥିଲେ। ଏହାପରେ ସର୍ବୋଚ୍ଚ ଅଦାଲତ ଫାଇଲ ମାଗିଛନ୍ତି।

ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଛନ୍ତି। ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅନୂପ ଚନ୍ଦ୍ର ପାଣ୍ଡେ ଓ ନିକଟରେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଛି। ନିର୍ବାଚନ କମିଶନ ଭାବେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଶୁଣାଣି ଚାଲିଥିବା ବେଳେ ଗତ ସପ୍ତାହରେ ହିଁ ଗୋଏଲଙ୍କୁ ନିଯୁକ୍ତି ମିଳିଥିଲା। ତେଣୁ କେଉଁ ଆଧାରରେ ସରକାର ଏପରି ପଦକ୍ଷେପ ନେଲେ, ସେକଥା ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଓକିଲ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଉଠାଇଥିବା ଆପତ୍ତିକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ସେ କହିଥିଲେ ଯେ “କିଏ କହିଲା ନିର୍ଦ୍ଦିଷ୍ଟ ଘଟଣାରେ ଏପରି ପଦକ୍ଷେପ ନିଆଯାଇ ପାରିବ ନାହିଁ? ମୁଁ ଏହା ଉପରେ ଘୋର ଆପତ୍ତି ଉଠାଉଛି।” ତେବେ ଏହାକୁ କୋର୍ଟ ଗ୍ରହଣ କରି ନାହାନ୍ତି।

ଦୀର୍ଘ ୩୭ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ଗୋଏଲ ସୋମବାର ଇସି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୫ ବ୍ୟାଚ୍‌ ପଞ୍ଜାବ ଆଇଏଏସ କ୍ୟାଡର ଗୋଏଲ ନଭେମ୍ବର ୧୮ରେ କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରଣାଳୟର ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏହା ପରଦିନ ତାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଥିଲା।

ନିର୍ବାଚନ କମିଶନ ଭାବେ ନିଯୁକ୍ତି ପ୍ରକ୍ରିୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି କଡ଼ା ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି, ଆମକୁ ଏମିତି ଜଣେ ସିଇସି ଦରକାର ଯିଏ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିପାରିବେ। ଇସି ଭାବେ ନିଯୁକ୍ତି ଦେବାକୁ କୌଣସି ବ୍ୟବସ୍ଥା ରହିଛି କି? କ’ଣ ସିଇସି ଭାବେ ନିଯୁକ୍ତି ପାଇଁ କୌଣସି ପ୍ରକ୍ରିୟା ଅଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ପ୍ରଚଳିତ ପରମ୍ପରା ଓ ବରିଷ୍ଠତା ଆଧାରରେ କରାଯାଇଥାଏ। ସିଇସି ନିଯୁକ୍ତ ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନାହିଁ। ପ୍ରଥମେ ଜଣେ ଇସି ଭାବେ ନିଯୁକ୍ତି ପାଆନ୍ତି ଓ ବରିଷ୍ଠତା ଆଧାରରେ ତାଙ୍କୁ ସିଇସି କରାଯାଏ।

ଏହା ଶୁଣି ସମ୍ବିଧାନ ବେଞ୍ଚ କହିଛନ୍ତି, ଯେକୌଣସି ସରକାର କେବଳ ତାଙ୍କ କଥାରେ ମୁଣ୍ଡ ହଲାଉଥିବା ଅଧିକାରୀମାନଙ୍କୁ ହିଁ ନିର୍ବାଚନ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିବାକୁ ଚାହାନ୍ତି। ସରକାରଙ୍କୁ ନିଜ ଇଚ୍ଛାରେ ଅଧିକାରୀ ମିଳୁଥିବା ବେଳେ ଅଧିକାରୀଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେଇ ଯାଉଛି। ଏହା ଆଦୌ ଠିକ ଥିଲା ଭଳି ମନେ ହେଉନାହିଁ। ଏପରି ସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯେ ନିର୍ବାଚନ କମିଶନର ନିରପେକ୍ଷତା ଉପରେ ପଡ଼ୁଥିବା ପ୍ରଭାବର କ’ଣ ହେବ? ଏହି ପଦବୀ ସହ ନିରେପକ୍ଷତା ଜଡ଼ିତ ବୋଲି କୋର୍ଟ କହିଛନ୍ତି।

ଆଟର୍ଣ୍ଣି ଜେନେରାଲ୍ ଆର ଭେଙ୍କଟରମଣି କହିଛନ୍ତି ଯେ ୧୯୯୧ ପରଠାରୁ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ଦେଖାଯାଇନି। ସୂଚନା କମିଶନରଙ୍କ ନିଯୁକ୍ତିକୁ ନେଇ ଅଞ୍ଜଳି ଭରଦ୍ୱାଜଙ୍କ ଆବେଦନର ଶୁଣାଣି ବେଳେ ସେଥିରେ ତ୍ରୁଟି ଦେଖିବାକୁ ମିଳିଥିଲା। ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ କୋର୍ଟ ଗାଇଡଲାଇନ ପ୍ରସ୍ତୁତ କରିଥିଲେ। କାରଣ ସେତେବେଳେ ସୂଚନା କମିଶନରେ ଖାଲି ପଦବୀ ଓ ଏକାଧିକ ଆବେଦନ ପଡ଼ି ରହିଥିଲା।

କିନ୍ତୁ ନିର୍ବାଚନ ଆୟୋଗରେ ସେପରି କିଛି ହୋଇନାହିଁ। ସ୍ୱଳ୍ପ କାର୍ଯ୍ୟକାଳ ବ୍ୟବସ୍ଥାକୁ ନେଇ ସରକାର ମଧ୍ୟ କ’ଣ କରିପାରିବେ? କାରଣ ଏହି ପଦରେ ଜଣେ କେବଳ ୬୫ ବର୍ଷ ବୟସ ଯାଏ କାର୍ଯ୍ୟ କରିପାରିବେ। ସରକାର ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ କରିନାହାନ୍ତି।

ଶୁଣାଣି ବେଳେ ଜଷ୍ଟିସ ଯୋଶେଫ ପଚାରିଛନ୍ତି ଯେ ଯେତେବେଳେ ଆପଣ କାହାକୁ ନିର୍ବାଚନ କମିଶନର କରୁଛନ୍ତି ସେତେବେଳେ କେବଳ ସରକାର ଜାଣୁଛନ୍ତି ଯେ କିଏ ଓ କେବେ ସିଇସି ହେବ ଏବଂ ସେ କେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଜଷ୍ଟିସ ଅଜୟ ରାସ୍ତୋଗୀ କହିଛନ୍ତି, କେବଳ ସରକାର ହିଁ ନିର୍ବାଚନ କମିଶନର ନିଯୁକ୍ତ କରନ୍ତି ଓ ସେ ପରବର୍ତ୍ତୀ ଅବସ୍ଥାରେ ମୁଖ୍ୟ କମିଶନର ହୁଅନ୍ତି। ଏଭଳି ପରିସ୍ଥିତିରେ ସେ କିପରି ସରକାରଙ୍କଠାରୁ ଅଲଗା ହୋଇ ରହିବେ ବୋଲି ପ୍ରଶ୍ନ କରି ହେବ। କାରଣ ନିଯୁକ୍ତି ପ୍ରକ୍ରିୟା ସ୍ୱୟଂଶାସିତ ନୁହେଁ। ତେଣୁ ନିଯୁକ୍ତି ପ୍ରକ୍ରିୟାଠାରୁ ହିଁ ନିରପେକ୍ଷତା ଅବଲମ୍ବନ କରାଯିବା ଉଚିତ। ନିର୍ବାଚନ କମିଶନ ଉପରେ ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟର ସାମ୍ବିଧାନ ବେଞ୍ଚ ସରକାରଙ୍କୁ ଏକ ଉଦାହରଣ ଦେଇ କହିଛନ୍ତି ଯେ ଯଦି କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ହୁଏ, ତେବେ ଆୟୋଗ କ’ଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କି? ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାକୁ ଆପଣ ସମ୍ପୂର୍ଣ୍ଣ ଭାବେ ଆମକୁ ବୁଝାନ୍ତୁ। ନିକଟରେ ଆପଣ ଜଣଙ୍କୁ ଇସି ଭାବେ ନିଯୁକ୍ତ କରିଛନ୍ତି। କେଉଁ ପ୍ରକ୍ରିୟାରେ ନିଯୁକ୍ତି ଦେଇଛନ୍ତି, ତା’ର ଫାଇଲ ଆମକୁ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।