ଗଣତାନ୍ତ୍ରିକ କ୍ଷମତା ପାଇଁ ଜନଗଣରେ ବିଭାଜନ!

ଦେବ ରଞ୍ଜନ ଆମେ ଯେହେତୁ ଭୋଟ ଦେଇ ପ୍ରତିନିଧି ବାଛିଥାଉ ତେଣୁ ଆମର ଶାସନ ପଦ୍ଧତି ରାଜତନ୍ତ୍ରଠାରୁ ଭିନ୍ନ। ନିର୍ବାଚନ ଏକ ପଦ୍ଧତି ଯାହା ଦ୍ଵାରା ଗଣତନ୍ତ୍ରରେ ପ୍ରତିନିଧି ବଛାଯାଇଥାଏ। ଭାରତୀୟ ସମ୍ବିଧାନର ପ୍ରଥମ ଦିନରୁ ‘ଜଣେ ନାଗରିକ ଗୋଟିଏ ଭୋଟ’ ନୀତି କାର୍ଯ୍ୟକାରୀ ହୋଇଆସୁଛି। ବ୍ରିଟିଶ ପାର୍ଲାମେଣ୍ଟ ମହିଳାଙ୍କୁ ୧୯୧୮ ମସିହାରେ ଭୋଟ ଦେବାର ଅଧିକାର ବିଲ୍‌ ପାସ କରିଥିଲା, ତାହା ପୁଣି ୮୦୦ ବର୍ଷ କାର୍ଯ୍ୟ କରିବା ପରେ। ଯୁକ୍ତରାଷ୍ଟ୍ର ଆମେରିକା ପାର୍ଲାମେଣ୍ଟ ୧୭୮୯ […]

vote

vote

Debendra Prusty
  • Published: Thursday, 17 November 2022
  • Updated: 17 November 2022, 12:39 PM IST

Sports

Latest News

ଦେବ ରଞ୍ଜନ

ଆମେ ଯେହେତୁ ଭୋଟ ଦେଇ ପ୍ରତିନିଧି ବାଛିଥାଉ ତେଣୁ ଆମର ଶାସନ ପଦ୍ଧତି ରାଜତନ୍ତ୍ରଠାରୁ ଭିନ୍ନ। ନିର୍ବାଚନ ଏକ ପଦ୍ଧତି ଯାହା ଦ୍ଵାରା ଗଣତନ୍ତ୍ରରେ ପ୍ରତିନିଧି ବଛାଯାଇଥାଏ। ଭାରତୀୟ ସମ୍ବିଧାନର ପ୍ରଥମ ଦିନରୁ ‘ଜଣେ ନାଗରିକ ଗୋଟିଏ ଭୋଟ’ ନୀତି କାର୍ଯ୍ୟକାରୀ ହୋଇଆସୁଛି।

ବ୍ରିଟିଶ ପାର୍ଲାମେଣ୍ଟ ମହିଳାଙ୍କୁ ୧୯୧୮ ମସିହାରେ ଭୋଟ ଦେବାର ଅଧିକାର ବିଲ୍‌ ପାସ କରିଥିଲା, ତାହା ପୁଣି ୮୦୦ ବର୍ଷ କାର୍ଯ୍ୟ କରିବା ପରେ। ଯୁକ୍ତରାଷ୍ଟ୍ର ଆମେରିକା ପାର୍ଲାମେଣ୍ଟ ୧୭୮୯ ମସିହାରେ କାର୍ଯ୍ୟକରିବା ଆରମ୍ଭ କରିଥିଲା ଓ ଦୀର୍ଘ ନବେ ବର୍ଷ ପରେ ଏଠାରେ ଆଫ୍ରିକୀୟ-ଆମେରିକୀୟ କଳା ଲୋକଙ୍କୁ ଭୋଟ ଦେବାର ଅଧିକାର ସଂଶୋଧନ ବିଲ ପାସ ହୋଇଥିଲା।

ଉଭୟ ବ୍ରିଟେନ ଓ ଆମେରିକାରେ ମହିଳା ଓ ଆଫ୍ରିକୀୟଙ୍କ ଯେଉଁ ବିରାଟ ଲଢ଼େଇ ହୋଇଥିଲା ତାହାର ସୁଫଳ ଭାରତ ସମେତ ଅନେକ ବିକାଶଶୀଳ ଦେଶ ପାଇଥିଲେ। ସମାଜରେ ସ୍ଵାଧୀନତା, ସମାନତା ଓ ଶାନ୍ତି ପ୍ରତିଷ୍ଠାର ଆଶାରେ ସମସ୍ତ ଦେଶ ‘ଜଣେ ନାଗରିକ ଗୋଟିଏ ଭୋଟ’ ନୀତିକୁ ସେତେଦିନ କାର୍ଯ୍ୟକାରୀ କରିଥିଲେ ଯେତେଦିନ ପର୍ଯ୍ୟନ୍ତ କୌଣସି ଏକ ଦଳ ନିଜକୁ ସ୍ଥାୟୀ ଶାସକ ରୂପେ ପ୍ରତିଷ୍ଠିତ କରିନଥିଲେ ଓ ଭିନ୍ନମତ ରଖୁଥିବା ନିଜ ଦେଶର ନାଗରିକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିନଥିଲେ।

ଭୋଟର ସଂଖ୍ୟାର ବିଭାଜନ 

ଭାରତରେ ମୁଖ୍ୟଧାରାର ରାଜନୈତିକ ଦଳର ସଦସ୍ୟମାନେ ଗଲା କିଛି ଦଶନ୍ଧି ହେଲା ନିଜର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ନିଜର ସହଯୋଗୀ ମନେକରୁନାହାନ୍ତି। ସେମାନେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ବିଭିନ୍ନ ଭାବରେ ବାଣ୍ଟିଦେଇଥା’ନ୍ତି। ପୂର୍ବ ନିର୍ବାଚନରେ ଜିତିଥିବା ପ୍ରତିନିଧିଙ୍କ ଭୋଟ ହିସାବକୁ ନେଇ ଜିତିବା ଲାଗି ଯେତିକି ଭୋଟ ଆବଶ୍ୟକ ସେହି ସଂଖ୍ୟାକୁ ଛୁଇଂବା ଲାଗି ଏହା ଦ୍ଵାରା ସେମାନେ ଚେଷ୍ଟା କରୁଛନ୍ତି।

ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କୁ ଜାତି, ଉପଜାତି, ଧର୍ମ, ବିଶ୍ଵାସ, ଅଞ୍ଚଳ, ପରିବାର ଇତ୍ୟାଦି ଭାଗରେ ବିଭକ୍ତ କରିଦେଇ ଜିତିବା ଲାଗି ଆବଶ୍ୟକୀୟ ଭୋଟ ସେମାନେ ସେଥିରୁ ଏକାଠି କରିନିଅନ୍ତି। ସେହି ସମାନ ଆଧାରରେ ସେମାନେ ବିରୋଧୀ ସଦସ୍ୟଙ୍କ ଭୋଟକୁ ମଧ୍ୟ ଭାଗ ଭାଗ କରିବାକୁ ଚେଷ୍ଟା କରିଥା’ନ୍ତି। ସେମାନେ ଏହା ନିଜର ପୂର୍ବଜ ବ୍ରିଟିଶ ଶାସକଙ୍କ ‘ଭାଗକର ଓ ଶାସନକର’ (‘ଡିଭାଇଡ୍‌ ଆଣ୍ଡ ରୁଲ୍‌) ନୀତିରୁ ଶିଖିଛନ୍ତି।

ନିର୍ବାଚନ ପରେ ମଧ୍ୟ ସେହି ନିର୍ବାଚନ ମଣ୍ଡଳୀରେ ଏହି ବିଭାଜନ କାଏମ ରହୁଛି। ନିର୍ବାଚିତ ସଦସ୍ୟ ଯଦି ଶାସକ ଦଳର ହୋଇଥାନ୍ତି ତେବେ ସର୍ବସାଧାରଣ ଅର୍ଥକୁ ସେ ସେହି ନିର୍ଦ୍ଦିଷ୍ଟ କେତେ ଜଣଙ୍କ ଉପକାର ଲାଗି ବିନିଯୋଗ କରିଥାନ୍ତି। ପଞ୍ଚାୟତ ପିଛା ବଣ୍ଟାଯାଉଥିବା ବିଭିନ୍ନ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସିକ ଗୃହ, ବିଭିନ୍ନ ଠିକା ଓ ସବସିଡ ଯୁକ୍ତ ଋଣ ସୁବିଧା ଯେପରି ‘ନିଜର ଭୋଟର’ ପାଇବେ ସେହିଦିଗରେ ଉଦ୍ୟମ କରିଆସୁଛନ୍ତି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ମଧ୍ୟ ପୂର୍ଣ୍ଣ ସହଯୋଗ କରୁଛି। ଏହି ହେତୁ ମଧ୍ୟ ଗ୍ରାମାଞ୍ଚଳରେ ରାଜନୈତିକ ହିଂସା, ଦ୍ଵେଷ ଓ ବିଭିନ୍ନ ଅପରାଧ ବଢ଼ିବାରେ ଲାଗିଛି। ଏହାର କୌଣସି ନିର୍ଦ୍ଦିଷ୍ଟ ସମାଧାନର ରାସ୍ତା ନାହିଁ। କାରଣ ଏ ଯାହା ହେଉଛି ଗଣତନ୍ତ୍ରର ନାମରେ ହେଉଛି।

ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ବୃହତ ହେବା କାରଣରୁ ନିଜ ଭୋଟରଙ୍କୁ ନିଜ ପାଖରେ ରଖିବା ଲାଗି ଏହାର ସଦସ୍ୟମାନେ ବିପରୀତ ଗୋଷ୍ଠୀ ବିପକ୍ଷରେ ମିଥ୍ୟା ଓ ମନଗଢ଼ା ମନ୍ତବ୍ୟ ଅଧିକ ପ୍ରଚାର କରିଥାନ୍ତି, ଘୃଣା ତିଆରି କରିଥାନ୍ତି। ବହୁ ସମୟରେ ଘୃଣା ମନ୍ତବ୍ୟ ଜାତି, ଧର୍ମ, ଅଞ୍ଚଳ ଓ ଳିଙ୍ଗ ଆଧାରିତ ହୋଇଥାଏ। ନିଜର ସମର୍ଥକମାନେ ଏହାକୁ ଅନ୍ଧ ଭଳି ଗ୍ରହଣ ମଧ୍ୟ କରିନିଅନ୍ତି। ନେତାଙ୍କର ବିରୋଧୀ ଦଳର ସଦସ୍ୟଙ୍କୁ ଜାତି, ଧର୍ମ, ଅଞ୍ଚଳ, ଭାଷା ଓ ପରିବାର ଆଧାରରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ସମାଜର ପାରସ୍ପରିକତାକୁ ନଷ୍ଟ କରିବା ସହିତ ମାନବବାଦଠାରୁ ଅନେକ ଦୂରକୁ ଆଜି ନେଇଯାଉଛି।

ସରକାରୀ ସୁବିଧାର ବିଭାଜନ 

ଦେଶରେ ନେହେରୁ-ମହାଲୋନୋବିଷ ମିଶ୍ର ଅର୍ଥନୀତି, ସବୁଜ ବିପ୍ଲବ, ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଅ, ନରସିଂହ ରାଓ-ମନମୋହନ ସିଂହ ‘ନୂତନ ଅର୍ଥନୀତି’, ବାଜପେୟୀଙ୍କ ସମୟର ‘ଭାରତ ଉଦୟ’ ଓ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ଯୋଜନା ବିଫଳ ହେବାରେ ଲାଗିଛି। ଦେଶରେ କ୍ରମାଗତ ଭାବରେ ବେକାରୀ, କ୍ଷୁଧା ଓ ଗରିବୀ ବଢ଼ିବାରେ ଲାଗିଛି। ଏହା ସହିତ ଶାସନରେ ପ୍ରତିନିଧିତ୍ଵ କରୁଥିବା ପ୍ରକୃତ ବର୍ଗର ସଂଖ୍ୟା କିନ୍ତୁ କମିବାରେ ଲାଗିଛି।

ହୁଏତ ଦିନେ କଂଗ୍ରେସ ରାଜନୀତିରେ ଜମିଦାର ଓ ରାଜାମାନେ ଶାସନର କେନ୍ଦ୍ର ବିନ୍ଦୁରେ ରହିଥିଲେ। ଅକ୍ସଫାମ ରିପୋର୍ଟ ଅନୁସାରେ ଧନୀ ୧୦% ଲୋକଙ୍କ ହାତରେ ଦେଶର ୭୭% ସମ୍ପତ୍ତି ଗଚ୍ଛିତ ରହିଛି। ଆଜି ଏହି ବର୍ଗ ଶାସନର କେନ୍ଦ୍ରରେ ରହିଛନ୍ତି। ତାହା ହୋଇନଥିଲେ କରୋନା ଲକଡାଉନ ସମୟରେ ୮୪% ଭାରତୀୟଙ୍କ ଆୟ କମିଥିଲା ବେଳେ ଠିକ ସେହି ସମୟରେ ଦେଶର ଅରବପତିଙ୍କ ସଂଖ୍ୟା ୧୦୨ରୁ ବୃଦ୍ଧି ଘଟି ୧୪୨ ହୋଇନଥାନ୍ତା।

ଭାରତରେ କମ୍ୟୁନିଷ୍ଟଠାରୁ ବିଜେପି ପର୍ଯ୍ୟନ୍ତ ଏପରିକି ସମସ୍ତ ଆଞ୍ଚଳିକ ରାଜନୈତିକ ଦଳ ଦ୍ଵାରା ଅସମାନ ଅର୍ଥନୀତିକୁ ସରକାରୀ ଅର୍ଥନୀତି ଭାବରେ ସ୍ୱୀକୃତି ଦିଆଯାଇସାରିଛି। ସମସ୍ତେ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଅଧିକ ଉତ୍ପାଦନକୁ ଗୁରୁତ୍ଵ ଦେଉଛନ୍ତି। ସମସ୍ତ ଦଳ ଭାବୁଛନ୍ତି ଯେ ଅଧିକ ଉତ୍ପାଦନ ହେଲେ ଆପେ ଆପେ ତାହା ସମାଜର ଗରିବ ଲୋକଙ୍କ ପାଖରେ (trickle down) ପହଞ୍ଚିବ। ବାସ୍ତବରେ କିନ୍ତୁ ତାହା ହେଉନାହିଁ।

ସରକାରୀ ସ୍ତରରେ ଏହା ମଧ୍ୟ ସ୍ଵୀକାର କରିନିଆଯାଇଛି ଯେ ଦେଶର ବଜେଟରେ ସମସ୍ତ ଦେଶବାସୀଙ୍କୁ ଖୁସି କରାଯାଇପାରିବ ନାହିଁ। ତେଣୁ ନିଜ ନିଜର ଭୋଟ ବ୍ୟାଙ୍କ ତିଆରି କରିବା ଲାଗି ଉଭୟ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଆଜି ବ୍ୟଗ୍ର ହେଉଛନ୍ତି। ସେମାନେ ସରକାରୀ ଅର୍ଥରେ ‘ନିଜର ଲୋକଙ୍କୁ’ ଭତ୍ତା, ଘର, ଋଣ ଓ ଠିକା ଇତ୍ୟାଦି ସରକାରୀ ସୁବିଧା ଯୋଗାଇଦେଉଛନ୍ତି ଯାହା ଦ୍ଵାରା ସେମାନଙ୍କ ଭୋଟ ସଂଖ୍ୟା ବିଗିଡ଼ି ନଯାଏ। ଏଥିରେ ବଳି ପଡ଼ୁଛନ୍ତି ଅନେକ ଛୋଟ ଛୋଟ ଗୋଷ୍ଠୀ ବା ସଂପ୍ରଦାୟ ଯାହାଙ୍କୁ ମିଶାଇଲେ ଏକ ବଡ଼ ସଂଖ୍ୟା ହେବ। ଦେଶର ଏକ ବଡ଼ ସମୁଦାୟ ଏଥିଲାଗି ସରକାରୀ ସୁବିଧାରୁ ବଞ୍ଚିତ ହୋଇଆସୁଛନ୍ତି କାରଣ ସେମାନେ କାହାର ଭୋଟ ବ୍ୟାଙ୍କ ହୋଇପାରୁନାହାନ୍ତି।

ଧର୍ମର ସୁରକ୍ଷା ନାମରେ ବିଭାଜନ 

ଦକ୍ଷିଣପନ୍ଥୀ ଦଳ ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ସମାଜରେ ହିନ୍ଦୁ ଭୋଟ ବ୍ୟାଙ୍କକୁ ଏକାଠି କରିବାକୁ ମନସ୍ଥ କରିଥିଲା। ଏହି କାରଣରୁ ଭାରତର ଅନେକ ଅଲିଖିତ ଧର୍ମବିଶ୍ଵାସକୁ (ଆଦିବାସୀ ହୁଅନ୍ତୁ କି ଗାଁ ଠାକୁରାଣୀ ହୁଅନ୍ତୁ) ହିନ୍ଦୁ ଧର୍ମ ସହିତ ଯୋଡ଼ିବାର ଚେଷ୍ଟା କରାଯାଉଛି। ଆମ ସମାଜରେ ଧର୍ମ ବିଭିନ୍ନତାପୂର୍ଣ୍ଣ। ଆମର ଭାଷା ଯେମିତି ପ୍ରତି ୫୦ କିଲୋମିଟରରେ କିଛି କିଛି ବଦଳି ଚାଲିଥାଏ ସେମିତି ଆମର ଧର୍ମ ବିଶ୍ଵାସ ମଧ୍ୟ ପ୍ରତି ୫୦ରୁ ୧୦୦ କିଲୋମିଟର ପରିଧି ମଧ୍ୟରେ ବଦଳି ଚାଲିଥାଏ।

ପ୍ରତ୍ୟେକ ଅଞ୍ଚଳରେ ନିଜସ୍ଵ ଆରାଧ୍ୟ ଦେବୀ ଦେବତାଙ୍କ ପର୍ବ, ଯାତ୍ରା, ପୂଜାବିଧି ଓ ତାଙ୍କୁ ନେଇ କାହାଣୀ ଅନ୍ୟ ଅଞ୍ଚଳଠାରୁ ଭିନ୍ନ। କେଉଁଠି ଠାକୁରାଣୀଙ୍କ ପାଖରେ ଆମିଷ ଭୋଗ ଲାଗୁଥିଲେ ବା ସଂକ୍ରାନ୍ତିରେ ଆମିଷ ଖାଉଥିଲେ ଅନ୍ୟ କେଉଁଠି ଆମିଷର ପ୍ରବେଶ ନିଷେଧ ରହିଛି। ଗ୍ରାମୀଣ ସ୍ତରରେ ଏହି ସମସ୍ତ ଧର୍ମ ବିଶ୍ୱାସ କେବେ ଲିଖିତ ନହୋଇ ମଧ୍ୟ କାହିଁ କେଉଁ ଆବହମାନ କାଳରୁ ଚାଲିଆସୁଛି। ଏ ସମସ୍ତ ପୀଠର ପୂଜକ ବ୍ରାହ୍ମଣ ନୁହନ୍ତି କିମ୍ବା ଠାକୁରାଣୀ (ସହରର ଧର୍ମପୀଠ ଗୁଡ଼ିକର ଇତିହାସ ଭିନ୍ନ।) ପୀଠ ଗୁଡ଼ିକ ଆଦୌ ବିଶାଳ ମନ୍ଦିର ନୁହେଁ। କିନ୍ତୁ ଆଜି ସମସ୍ତେ ଏକ ଅଜଣା ଭୟର ତଳେ ଏକାଠି ହୋଇଯାଇଛନ୍ତି।

ଏତଦବ୍ୟତୀତ, ଅନ୍ୟ ଧର୍ମ ବିପକ୍ଷରେ ଘୃଣାପୂର୍ଣ ମନ୍ତବ୍ୟ ବାରମ୍ବାର ଗଣମାଧ୍ୟମ, ଧାର୍ମିକ ଟ୍ରଷ୍ଟ ଓ ବିଭିନ୍ନ ସଂସ୍ଥାମାନଙ୍କ ସାହାଯ୍ୟରେ ଦିଆଯିବା ହେତୁ ହିନ୍ଦୁ ଧର୍ମ କ୍ରମଶଃ ଏକ ଭୋଟ ବ୍ୟାଙ୍କରେ ପରିଣତ ହୋଇଯାଇଛି। ଏହା ହିନ୍ଦୁ ଧର୍ମୀୟ ବିଶ୍ଵାସର ଦଳୀୟ (ରାଜନୀତି) କରଣ। ସରକାରୀ ସହଯୋଗରେ ଏହି ସମସ୍ତ ପୀଠର ପରମ୍ପରାର ସୁରକ୍ଷା ଏକ ବଡ଼ ରାଜନୈତିକ କାର୍ଯ୍ୟକ୍ରମ। ଏହି ମାଧ୍ୟମରେ ଭୋଟ ମଧ୍ୟ ସୁରକ୍ଷିତ ହେଉଛି, ଅଣପାରମ୍ପରିକ ଓ ସଂଖ୍ୟାନ୍ୟୁନ ଧର୍ମ ଅନୁଷ୍ଠାନ ନିଜର ଗୁରୁତ୍ଵ ହରାଉଛନ୍ତି।

ନିଜ ପକ୍ଷକୁ ନେବାର ଉଦ୍ୟମ

ତଥାପି ଏ ସମସ୍ତ ବିଭାଜନ ଭୋଟ ରାଜନୀତି ମଧ୍ୟରେ ଯଦି ସୀମିତ ରହିଥାନ୍ତା ତେବେ ବି ଏହାର ପ୍ରତିକାର ସମ୍ପର୍କରେ ଆମେ ଚିନ୍ତା କରିଥାନ୍ତେ। ଆଜି ଆମ ସାମ୍ନାରେ ମୁସଲମାନ, ଖ୍ରୀଷ୍ଟିୟାନ, ଦଳିତ ଓ ଆଦିବାସୀ ବର୍ଗ ଘୃଣା ରାଜନୀତିର ଶିକାର ହେବା ଆମେ ଦେଖୁଛୁ। ଆମେ ଦାବି କରୁଛୁ ଯେ ସେମାନଙ୍କୁ ନ୍ୟାୟ ମିଳୁ। ସେମାନଙ୍କ ନ୍ୟାୟ ତ ମିଳୁ ନାହିଁ ମାତ୍ର ଏହି ଗୋଷ୍ଠୀର ଏକ ବଡ଼ ଅଂଶକୁ ସରକାରୀ ଦଳ ମିଛ ପ୍ରତିଶୃତି ଦେଇ ନିଜ ପକ୍ଷକୁ ନେଇଯାଉଛନ୍ତି। ଏହା ମାଧ୍ୟର୍ମରେ ରାଜନୈତିକ ଦଳମାନେ ନିଜର ଭୋଟ ବ୍ୟାଙ୍କ ତିଆରି କରୁଛନ୍ତି।

ଗୁଜୁରାଟର ବିଲକିସ ବାନୋଙ୍କ ନ୍ୟାୟ-ପାଇଁ-ଉଦ୍ୟମରେ ବାଧା ଆଣୁଥିବା ଶକ୍ତି ତିନି ତଲାକ ଆଇନ ପାସ କରି ମୁସଲିମ ମହିଳାଙ୍କ ପ୍ରତି ଦରଦୀ ଦେଖାଇବା ଭୋଟ ଉଦ୍ଦେଶ୍ୟରେ କରାଯାଉଥିବା ସ୍ପଷ୍ଟ। କନ୍ଧମାଳର ନନଙ୍କ ଉପରେ ହୋଇଥିବା ଅତ୍ୟାଚାର ପରେ ତାଙ୍କୁ ନ୍ୟାୟ ଦେବାରେ ସରକାରୀ ଉଦାସୀନତା କିନ୍ତୁ କନ୍ଧମାଳରେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଅନେକ ନେତାଙ୍କୁ ନିଜ ପକ୍ଷକୁ ନେବା ଓ ସରକାରୀ ସହଯୋଗ ଦେବା ନିଜର ଭୋଟ ବ୍ୟାଙ୍କ ଲାଗି ଉଦ୍ଦିଷ୍ଟ। ଉଭୟ ‘ମୁସଲିମ’ ଓ ‘ଖ୍ରୀଷ୍ଟିୟାନ’ କେବଳ ଏକ ଧାର୍ମିକ ପରିଚୟ ନୁହେଁ। ଏହି ଧର୍ମାବଲମ୍ବୀ ଜଣେ ବ୍ୟକ୍ତି ମଧ୍ୟରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଦିଗ ଯଥା ସ୍ଵାଭିମାନ ଓ ସମ୍ମାନର ସହିତ ଜୀବନ ଧାରଣ କରିବାର ଅଧିକାର, ଜୀବିକା- ଶିକ୍ଷା- ସ୍ୱାସ୍ଥ୍ୟ ଅଧିକାର ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତିସତ୍ତା ମଧ୍ୟ ରହିଛି। ବିଭାଜନ ରାଜନୀତିରେ ତାହାକୁ କୌଣସି ଗୁରୁତ୍ଵ ଦିଆଯାଉନାହିଁ।

ସମାଜରେ ଯେଉଁ ଉଦ୍ଦେଶ୍ୟରେ ଅର୍ଥାତ ସ୍ଵାଧୀନତା, ସମାନତା ଓ ଶାନ୍ତି ପ୍ରତିଷ୍ଠାର ଆଶାରେ ସମସ୍ତ ଦେଶ ‘ଜଣେ ନାଗରିକ ଗୋଟିଏ ଭୋଟ’ ନୀତି ଲାଗୁହୋଇଥିଲା ଭାରତୀୟ ଗଣତନ୍ତ୍ର ଆଜି ଏହାଠାରୁ ଦୂରକୁ ଦୂର ଚାଲିଯାଉଛି। ଦେଶର ଶାସକ ଏକ ଅଳ୍ପ ସଂଖ୍ୟକ ଲୋକଙ୍କୁ କ୍ରମାଗତ ଭାବରେ ନିଜର ଭୋଟ ବ୍ୟାଙ୍କ ରଖିବା ପରେ ଦେଶର ଗଣତନ୍ତ୍ରରେ ଗଣର ସୀମା ସଙ୍କୁଚିତ ହୋଇ ସେହି ନିର୍ଦ୍ଦିଷ୍ଟ ବର୍ଗର ପ୍ରତିନିଧିତ୍ଵ କରିବାରେ ଲାଗିଛି। ଆଜି ଭୋଟକୁ ଛାଡି ଦେଲେ କୌଣସି ବିକଳ୍ପ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଅସମ୍ଭବ ହୋଇଯାଉଛି। ସମସ୍ତ ପ୍ରକାରର ସାମାଜିକ ଓ ଅର୍ଥନୈତିକ ବିଭାଜନକୁ ବିରୋଧ କରିବା ଓ ସହଭାଗିତା-ସମାନତା ଆଡ଼କୁ ଯିବା ବ୍ୟତୀତ ଆଜି ଅନ୍ୟ କିଛି ଦେଖାଯାଉନାହିଁ।

ମୋବାଇଲ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read