ଭାରତରେ ଡିଜିଟାଲ ମୁଦ୍ରାର ଭବିଷ୍ୟତ

E-Rupee

E-Rupee

Debendra Prusty
  • Published: Wednesday, 30 November 2022
  • Updated: 30 November 2022, 04:56 PM IST

ଜାନକୀଶ ବଡ଼ପଣ୍ଡା

ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ‘ବାହାମା’ରେ ପ୍ରତିଷ୍ଠା ହୋଇଥିବା ୩,୨୦୦ କୋଟି ମାର୍କିନ ଡଲାର ମୂଲ୍ୟର 'କ୍ରିପ୍ଟୋ ଏକ୍ସଚେଞ୍ଜ' କମ୍ପାନୀ ଯେପରି ରାତାରାତି ତାସଘର ଭଳି ଭୁଶୁଡ଼ିଗଲା ସେଥିରୁ ବହୁ ଚର୍ଚ୍ଚିତ ଅଥଚ ବହୁଲୋକଙ୍କ ପାଇଁ ଦୁର୍ବୋଧ୍ୟ କ୍ରିପ୍ଟୋମୁଦ୍ରା ଏବେ ସନ୍ଦେହ ଘେରରେ। ଗୋଟିଏ କ୍ରିପ୍ଟୋମୁଦ୍ରା ଷ୍ଟାର୍ଟ ଅପ୍ କିଭଳି ରାତାରାତି ବ୍ରାହ୍ମଣୀ ବେଙ୍ଗ ପରି ଫୁଲି ଫୁଲି ଶେଷରେ ଫାଟି ଯାଇପାରେ ତାହା ଆମେ ବିସ୍ମିତ ଚକ୍ଷୁରେ ଦେଖିଛେ।

ସାମ ବ୍ୟାଙ୍କମ୍ୟାନ୍-ଫ୍ରାଏଡ ନାମକ ଜଣେ ୩୦ ବର୍ଷୀୟ ମାର୍କିନ ଯୁବୋଦ୍ୟୋଗୀ 'ଆଲାମେଡ଼ା ରିସର୍ଚ୍ଚ' ନାମକ ଏକ ନିବେଶ ପାଣ୍ଠି ଅନୁଷ୍ଠାନ ଓ ଏଫଟିଏକ୍ସ (FTX) ନାମକ କ୍ରିପ୍ଟୋମୁଦ୍ରା କାରବାରର ବିନିମୟ କେନ୍ଦ୍ର ୨୦୧୭ ମସିହାରେ ଗଠନ କରିଥିଲେ। ଭବିଷ୍ୟତ ବିନିମୟ କେନ୍ଦ୍ର ଭାବେ ସେ ତାହାର  ନାମକରଣ କରିଥିଲେ ଫ୍ୟୁଚର ଏକ୍ସଚେଞ୍ଜ; ସଂକ୍ଷେପରେ FTX। ଏହା ମାଧ୍ୟମରେ ଜନସାଧାରଣଙ୍କୁ ଏବଂ କମ୍ପାନୀମାନଙ୍କୁ ଏହି କ୍ରିପ୍ଟୋ-ଡିଜିଟାଲ୍ ମୁଦ୍ରା କ୍ରୟ ଏବଂ ବିକ୍ରୟ କରିବାକୁ ଦିଆଗଲା। କୋଟି କୋଟି ଡଲାର ମୂଲ୍ୟର ଜମାରାଶି 'ଆଲାମେଡ଼ା ରିସର୍ଚ୍ଚ' ନିବେଶ ପାଣ୍ଠିରେ ଜମା କରି ଗ୍ରାହକମାନେ ନିଜର ଜମାରାଶି ଆଧାରରେ ଡିଜିଟାଲ୍ ମୁଦ୍ରା ପାଇଲେ ଯାହାକୁ କୁହାଗଲା କ୍ରିପ୍ଟୋମୁଦ୍ରାI ଏହି କ୍ରିପ୍ଟୋମୁଦ୍ରା ଆନ୍ତର୍ଜାତିକ ମୁଦ୍ରା ଭାବେ ନିଜର ଗ୍ରାହକଙ୍କମଧ୍ୟରେ FTX ମାଧ୍ୟମରେ କ୍ରୟ-ବିକ୍ରି ଦେଣନେଣ ଚଳାଇଲା।

ଫ୍ରାଏଡ଼ ଭାବିଥିଲେ ଯେ ଉଭୟ FTX ଓ ଆଲାମେଡ଼ା ରିସର୍ଚ୍ଚ ନିଜ ନିଜ ବାଟରେ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାବେ ବ୍ୟବସାୟ କରିବେ। କିନ୍ତୁ, ନଭେମ୍ବର ୨୦୨୨ରେ ଆଲାମେଡ଼ା ରିସର୍ଚ୍ଚ FTXକୁ ଦେଇଥିବା କ୍ରିପ୍ଟୋମୁଦ୍ରା ପ୍ରତ୍ୟାହାର କରିନେଲା। ଏହା ଶୁଣିବା ମାତ୍ରେ, ବିଶ୍ୱର ବଡ଼ ବଡ଼ ନିବେଶକାରୀମାନେ ଛାନିଆରେ ଆଲାମେଡ଼ା ପାଖରେ ଜମାରଖିଥିବା ରାଶିକୁ ଉଠାଇ ଆଣିବାକୁ ଲାଗିଲେ। ଏକା ରାତିକେ ଉଭୟ FTX  ଓ  ଆଲାମେଡ଼ା ରିସର୍ଚ୍ଚ ଦେବାଳିଆ ହୋଇଗଲେ। ଫ୍ରାଏଡଙ୍କ ସ୍ୱପ୍ନର ବିକଳ୍ପ ଡିଜିଟାଲ ଅର୍ଥ 'କ୍ରିପ୍ଟୋମୁଦ୍ରା' ତାସ ଘର ପରି ଭୁଶୁଡ଼ି ଗଲା। ଏପରି ହେବାର ତିନୋଟି କାରଣ ଥିବାର କୁହାଯାଉଛି। ପ୍ରଥମଟି ଥିଲା ଯେ, ବିଗତ କୋଭିଡ ମହାମାରୀ ସମୟରେ ମୁଖ୍ୟସ୍ରୋତରେ ଥିବା କ୍ରିପ୍ଟୋମୁଦ୍ରା ଉପରେ ଆଇନ କାନୁନର ନିୟନ୍ତ୍ରଣ ନଥିଲା କିମ୍ବା ନିବେଶକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା। ଦ୍ଵିତୀୟରେ, ବୈଷୟିକ, ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ମାନ୍ଦାବସ୍ଥାକୁ ଏଥିପାଇଁ ଦାୟୀ। ଚଳିତ ବର୍ଷ ବିଶ୍ୱର ବୃହତ ବୈଷୟିକ, ସୂଚନା ପ୍ରଯୁକ୍ତି କମ୍ପାନୀଙ୍କର ଅଂଶଧନ ମୂଲ୍ୟ ଖସି ଯାଇଛି ଓ ନୂଆ ପ୍ରକଳ୍ପରେ ପୁଞ୍ଜି ଲଗାଣ ପାଣ୍ଠି କମିଛି। ମେଟା, ଆମାଜନ ଏବଂ ଟ୍ୱିଟର ଭଳି କମ୍ପାନୀ ସମେତ ପ୍ରାୟ ୮୦୦ କମ୍ପାନୀ ୧୨୦,୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏହି କମ୍ପାନୀମାନଙ୍କର ଅଂଶଧନ ମୂଲ୍ୟ ଓ ଲାଭ କମିଛି; ଯାହାର ପ୍ରଭାବ କ୍ରିପ୍ଟୋମୁଦ୍ରା ବଜାର ଉପରେ ପଡ଼ିଲା। ତୃତୀୟରେ, FTXର କ୍ରିପ୍ଟୋମୁଦ୍ରାରେ ନିବେଶ କରିଥିବା ଦଶ ଲକ୍ଷରୁ ଅଧିକ ଗ୍ରାହକଙ୍କର ମୂଳଧନ ଏବଂ ଷ୍ଟାର୍ଟଅପ୍ ସମ୍ପତ୍ତି ବୁଡ଼ିଯିବାରୁ ସମସ୍ୟା ଗମ୍ଭୀର ହୋଇଗଲା।

କ୍ରିପ୍ଟୋମୁଦ୍ରା ବୁଡ଼ିଗଲା ବେଳକୁ ୨୦୨୨ ନଭେମ୍ବର ପହିଲାରୁ ଭାରତରେ ଆରମ୍ଭ ହୋଇଛି ଡିଜିଟାଲ ମୁଦ୍ରା ଯୁଗ। ଗତ ଏକ ବର୍ଷ ଧରି ଡିଜିଟାଲ୍ ମୁଦ୍ରାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଛି। ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି, ଡିଜିଟାଲ ମୁଦ୍ରା କ’ଣ? ଏହା କ୍ରିପ୍ଟୋମୁଦ୍ରା ପରି ହେବ କି? ଭବିଷ୍ୟତରେ ଏହା କିପରି ପରିଚାଳିତ ହେବ? ରିଜର୍ଭ ବ୍ୟାଙ୍କ ଡିଜିଟାଲ ମୁଦ୍ରା କିପରି ନିୟନ୍ତ୍ରଣ କରିବ? କ୍ରିପ୍ଟୋମୁଦ୍ରା ସହିତ ଏହା ସମାନ କି? ସାଧାରଣ ଲୋକେ ଏହାକୁ କିପରି ବ୍ୟବହାର କରିବାକୁ ସମର୍ଥ ହେବେ? ଏମିତି ଅନେକ ଆଶା ଓ ଆଶଙ୍କାର ପ୍ରଶ୍ନ।

ଗତ କିଛି ବର୍ଷ ହେଲାଣି କ୍ରିପ୍ଟୋ ଭଳି ଅନିୟନ୍ତ୍ରିତ ଡିଜିଟାଲ ମୁଦ୍ରାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ହୋଇଛି। କ୍ରିପ୍ଟୋମୁଦ୍ରା ବ୍ୟବହାର ବୃଦ୍ଧି କାରଣରୁ ବିଶ୍ୱର ଅନେକ ବିକଶିତ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଇଁ ଆହ୍ୱାନ ସୃଷ୍ଟି ହୋଇଛି। ନିଜ ମୁଦ୍ରାର ଅସ୍ତିତ୍ୱକୁ ବଜାୟ ରଖିବା ପାଇଁ ମୁଦ୍ରା ସଙ୍କଟ ଦେଇ ଗତି କରୁଛନ୍ତି ଅନେକ ରାଷ୍ଟ୍ର। ସମସ୍ତେ ବିଭିନ୍ନ ସ୍ତରରେ କ୍ରିପ୍ଟୋମୁଦ୍ରାକୁ ନିୟନ୍ତ୍ରଣ କରିବାର ଚେଷ୍ଟା କରୁଛନ୍ତି। ସେମାନଙ୍କ ଆଶଙ୍କା ଯେ, ଏହା ମାଧ୍ୟମରେ ଆତଙ୍କବାଦ ପାଇଁ ପାଣ୍ଠି ସଂଗ୍ରହ ହେଉନି ତ? କ୍ରିପ୍ଟୋମୁଦ୍ରା ପରିଚାଳନାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଉଛି। ଭାରତୀୟ ବଜେଟରେ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରିବା ପ୍ରସ୍ତାବ ଘୋଷଣାବେଳେ ଏହା ସ୍ପଷ୍ଟ ହୋଇଥିଲା ଯେ ଭାରତ ସରକାର କ୍ରିପ୍ଟୋମୁଦ୍ରା ଉପରେ ୩୦ ପ୍ରତିଶତ ଟିକସ ଲାଗୁ କରି ଏହାକୁ ବିରୋଧ କରୁଛନ୍ତି।

ଆମେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବିଭିନ୍ନ ମୂଲ୍ୟର କାଗଜ ନୋଟ୍ ଏବଂ ବିଭିନ୍ନ ମୂଲ୍ୟର ଧାତବ ମୁଦ୍ରା ବ୍ୟବହାର କରୁଛେ। ଏହାକୁ ଆମେ ଧରି ପାରୁଛେ ଓ ଦେଖି ପାରୁଛେ। ଏହାର ଡିଜିଟାଲ୍ ଅବସ୍ଥାକୁ ଡିଜିଟାଲ୍ ଟଙ୍କା କୁହାଯିବ। ବୈଷୟିକ ଭାଷାରେ ଏହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା (CBDC) କୁହାଯାଇପାରିବ। ଏହା ହେଉଛି ଟଙ୍କାର ବୈଦ୍ୟୁତିକ ଆକାର, ଯାହାକୁ ଆମେ ଦର୍ଶନ ଓ ସ୍ପର୍ଶ ନକରି ମଧ୍ୟ ବ୍ୟବହାର କରିପାରିବା। କ୍ରିପ୍ଟୋମୁଦ୍ରା ଓ ଡିଜିଟାଲ୍ ଟଙ୍କା ମଧ୍ୟରେ ପାର୍ଥକ୍ୟ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା ପ୍ରଚଳନ ଓ ନିୟନ୍ତ୍ରଣ କରନ୍ତି। କିନ୍ତୁ  କ୍ରିପ୍ଟୋମୁଦ୍ରାକୁ କେହି ନିୟନ୍ତ୍ରଣ କରନ୍ତି ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ବ୍ଲକ୍ ଚେନ୍ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳ ଏବଂ କୌଣସି ଦେଶରେ ସରକାରୀ ମୁଦ୍ରା ଭାବରେ ବିବେଚିତ ହୁଏନାହିଁ। କ୍ରିପ୍ଟୋମୁଦ୍ରା ଏକ ଭର୍ଚୁଆଲ ମୁଦ୍ରା, ଯାହାକୁ କେବଳ ଅନ୍‌ଲାଇନ ମାଧ୍ୟମରେ କାରବାର କରିବା ସମ୍ଭବ। କ୍ରିପ୍ଟୋମୁଦ୍ରା, ବିଟ୍‌କଏନ, ଏଥେରମ୍‌ ଭଳି ବିଶ୍ୱ ବଜାରରେ ପ୍ରାୟ ଚାରି ହଜାରରୁ ଊର୍ଦ୍ଧ୍ୱ ଭର୍ଚୁଆଲ ମୁଦ୍ରା ଉପଲବ୍ଧ।

ଭାରତରେ ପ୍ରସ୍ତାବିତ ଡିଜିଟାଲ ଟଙ୍କା ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଫଳରେ ନଗଦ ପରିଚାଳନା, ମୁଦ୍ରଣ, ଲଜିଷ୍ଟିକ୍‌ ମ୍ୟାନେଜମେଣ୍ଟ ବୋଝ ହାଲୁକା ହେବ। ଡିଜିଟାଲ୍ ଟଙ୍କା ପ୍ରଚଳନ ଓ ପରିଚାଳନା ସଂପୂର୍ଣ୍ଣ ରୂପେ ରିଜର୍ଭ ବ୍ୟାଙ୍କ ହାତରେ ରହିବ ଏବଂ ବ୍ୟାଙ୍କଗୁଡ଼ିକ ଏହାକୁ କାର୍ଯ୍ୟକାରୀ କରିବେ। ଡିଜିଟାଲ୍ ଟଙ୍କା ଟୋକେନ୍ ଆଧାରିତ ହେବ ଏବଂ ଆଦାନପ୍ରଦାନ କରିବାବେଳେ ପାସୱାର୍ଡ ଆବଶ୍ୟକ ହେବ। ନଗଦ ଟଙ୍କା (ଭୌତିକ ଟଙ୍କା) କାରବାରରେ ଦାତା ଓ ଗ୍ରହୀତାଙ୍କୁ ଜାଣି ହେଉନଥିଲା ବେଳେ ଡିଜିଟାଲ ଟଙ୍କା କାରବାର ସ୍ୱଚ୍ଛ ରହିବ। ରିଜର୍ଭ ବ୍ୟାଙ୍କ ଡିଜିଟାଲ ଟଙ୍କା କାରବାର ଇଣ୍ଟରନେଟ ସାହାଯ୍ୟ ବିନା କାମ କରୁଥିବାରୁ ସାଧାରଣ ଲୋକଙ୍କ ଆବଶ୍ୟକ ପଡ଼ିଲେ ସେମାନେ ଏହାକୁ ଅଫଲାଇନରେ ମଧ୍ୟ ବ୍ୟବହାର କରିପାରିବେ। ଡିଜିଟାଲ ଟଙ୍କାର ପାଇକାରୀ ଦେଣନେଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୯ଟି ବ୍ୟାଙ୍କକୁ ସାମିଲ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଏବଂ ଏଚଏସବିସି ବ୍ୟାଙ୍କକୁ ଏଥିପାଇଁ ସ୍ୱୀକୃତି ମିଳିଛି।

ଡିଜିଟାଲ ଟଙ୍କା ପ୍ରଚଳିତ ଭୌତିକ ଟଙ୍କାର ପ୍ରତିଦ୍ୱନ୍ଦ୍ୱୀ ନହୋଇ ଏହାର ପରିପୂରକ ହେବ ଓ ଅଦୃଶ୍ୟ ଅନିୟନ୍ତ୍ରିତ ମୁଦ୍ରାକୁ ବହୁମାତ୍ରାରେ ପ୍ରତିହତ କରିବ। ଡିଜିଟାଲ ହୋଇ ଥିବାରୁ ଏହାର ବ୍ୟବହାର ସହଜ, ଶସ୍ତା ଓ କ୍ଷୀପ୍ର ମଧ୍ୟ ହେବ। ଯେ କୌଣସି ମୁଦ୍ରାର ତିନିଟି ବ୍ୟାବହାରିକ ଦିଗ ଥାଏ; ଯଥା (୧) ବିନିମୟର ମାଧ୍ୟମ (୨) ସଂପୂର୍ଣ୍ଣ ବ୍ୟବସ୍ଥିତ ଆୟବ୍ୟୟର ବିବରଣୀ ଓ (୩) ଏହାର ଏକ ଗଚ୍ଛିତ ମୂଲ୍ୟ। ଡିଜିଟାଲ ଟଙ୍କା ଉପରୋକ୍ତ ତିନିଟି କାର୍ଯ୍ୟ ସମ୍ପାଦନ କରିପାରିବ। ଡିଜିଟାଲ ଟଙ୍କା ଉଭୟ ପାଇକାରୀ ଓ ଖୁଚୁରା ଭାବରେ ପ୍ରଚଳିତ ହେବ। ପାଇକାରୀ ବ୍ୟବସ୍ଥାରେ ଏହା ଏକାଉଣ୍ଟ ଭିତ୍ତିକ ଓ ଖୁଚୁରାରେ ଟୋକେନ୍‌ ଭିତ୍ତିକ ହେବ। ଏହା ତିନି ପ୍ରକାର ମଡେଲର, ଯଥା ପ୍ରତ୍ୟକ୍ଷ, ପରୋକ୍ଷ ଅଥବା ହାଇବ୍ରିଡ୍‌ ହୋଇପାରେ। ପ୍ରତ୍ୟକ୍ଷ ବ୍ୟବସ୍ଥାରେ ରିଜର୍ଭ ବ୍ୟାଙ୍କ ପାଖରେ ସମସ୍ତ ହିସାବ ରହିବ, ଯାହାକି ପାଇକାରୀ ବ୍ୟବସ୍ଥାରେ ବାଧ୍ୟତାମୂଳକ। ଏଥିରେ ମୁଳତଃ ବ୍ୟାଙ୍କ, ଆର୍ଥିକ ସଂସ୍ଥାଗୁଡ଼ିକ ବିଶେଷ ଭାଗରେ ଭାଗନେବେ। ପରୋକ୍ଷ ବ୍ୟବସ୍ଥା ଦୁଇଥାକ ବିଶିଷ୍ଟ ହେବ, ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍‌ ମୁଦ୍ରାକୁ କିଛି ବିତ୍ତୀୟ ସଂସ୍ଥା, ବ୍ୟାଙ୍କକୁ ଉପଲବ୍ଧ କରାଇବ ଓ ସେମାନେ ଗ୍ରାହକଙ୍କୁ ବିତରଣ କରିବା ସହ ଗ୍ରାହକଙ୍କ ପାଖରେ ଉତ୍ତରଦାୟୀ ରହିବେ। ଏହା ଊଣା ଅଧିକେ ପ୍ରଚଳିତ ଭୌତିକ ଅର୍ଥ ବ୍ୟବସ୍ଥା ସହ ସମାନ, ଯାହାକି ବ୍ୟାଙ୍କ ଗ୍ରାହକଙ୍କ ସମସ୍ତ ତଥ୍ୟ ରଖିବା ସହ ସରକାରଙ୍କର ସବୁ ନିୟମାବଳୀ ପାଳନ କରିବେ।

ଟୋକେନ୍‌ ଭିତ୍ତିକ ଡିଜିଟାଲ୍‌ ଟଙ୍କା ବ୍ୟାଙ୍କ ନୋଟ୍‌ ଭଳି; ଯାହା ପାଖରେ ରହିବ ତାହା ପାଖରେ ଏହାର ମାଲିକାନା ରହିବ। ରିଜର୍ଭ ବ୍ୟାଙ୍କ ମନିଟାରୀ ପଲିସି ମାଧ୍ୟମରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଆନ୍ତି। ଡିଜିଟାଲ ଟଙ୍କା ବ୍ୟାଙ୍କରେ ଜମା ରଖିଲେ ଯଦି ସୁଧ ମିଳିବନି, ଅନେକେ ବ୍ୟାଙ୍କରେ ଭୌତିକ ଟଙ୍କା କାରବାର କରିବା ପାଇଁ ନିଶ୍ଚୟ ପସନ୍ଦ କରିବେ। ଏବେ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରତିକୂଳ ଆର୍ଥିକ ପରିସ୍ଥିତିରେ ଗତି କରୁଛନ୍ତି। ବିଶେଷ ପରିସ୍ଥିତିରେ ଗ୍ରାହକମାନେ ଚାହିଁଲେ ବ୍ୟାଙ୍କ ଜମା କରିଥିବା ଭୌତିକ ଟଙ୍କାକୁ ଡିଜିଟାଲ ଟଙ୍କାରେ ପରିବର୍ତ୍ତନ କରି ଏକକାଳୀନ ବହୁଳ ପରିମାଣରେ ସ୍ଥାନାନ୍ତରିତ କରିବା ସହଜ ହୋଇଥିବାରୁ ଅର୍ଥନୀତିର ଯୋଗାଣ ଓ ଚାହିଦାରେ ଚାଞ୍ଚଲ୍ୟକର ପରିଣାମ ଆସିବାର ଆଶଙ୍କା ଅଛି। ବ୍ୟାଙ୍କର ଋଣ ଦାନ ସାମର୍ଥ୍ୟ ହ୍ରାସ ପାଇପାରେ। ଡିଜିଟାଲ ଟଙ୍କା ଜମାରାଶି ଉପରେ ଯଦି ସୁଧ ପ୍ରଦାନ କରାଯାଏ, ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଶୀଘ୍ର ଓ ସୁବିଧାରେ କାର୍ଯ୍ୟକାରୀ ହୋଇପାରିବ। ଗ୍ରାହକମାନେ ଡିଜିଟାଲ ଟଙ୍କା ଜମା ରଖିବାକୁ ମଧ୍ୟ ପସନ୍ଦ କରିବେ। ବ୍ୟାଙ୍କରେ ଜମା ଭୌତିକ ଟଙ୍କା ସହ ଡିଜିଟାଲ ଟଙ୍କା ଜମା ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ ଓ ବଜାର ମୂଲ୍ୟ ବୃଦ୍ଧି ପାଇପାରେ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ମାଧ୍ୟମରେ ସଦାବେଳେ ‘ଲିକ୍ୟୁଡିଟି’ ବା 'ତୁରନ୍ତ ଉପଲବ୍ଧ ଧନ' ବଜାୟ ରଖିବାପାଇଁ ଚେଷ୍ଟା କରିଥାଏ; କିନ୍ତୁ ଡିଜିଟାଲ ମୁଦ୍ରା ପ୍ରଚଳନ ପରେ ବ୍ୟବହାରକାରୀ କେଉଁ ମୁଦ୍ରା କେତେ ମାତ୍ରାରେ ଗଚ୍ଛିତ କରିବେ ତାହା ‘ଲିକ୍ୟୁଡିଟି ପରିଚାଳନା ’ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ବର୍ତ୍ତମାନ ଏସବୁକୁ କଳ୍ପନା କରିବା କଷ୍ଟକର।

ଡିଜିଟାଲ୍‌ ଟଙ୍କା ଭାରତର ଆର୍ଥିକ ସ୍ଥାୟିତ୍ୱ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇବ। କାରଣ ବ୍ୟାଙ୍କରୁ ଡିଜିଟାଲ ଟଙ୍କାକୁ ସ୍ଥଳ ବିଶେଷରେ ସ୍ଥାନାନ୍ତରୀକରଣ କରିପାରିବାର ସୁବିଧା ଓ ବ୍ୟାଙ୍କମାନେ ମଧ୍ୟସ୍ଥ ଭାବେ ପାଉଥିବା ଲାଭାଂଶ ବହୁମାତ୍ରାରେ ହ୍ରାସ ପାଇପାରେ। ପ୍ରଚଳିତ ବ୍ୟବସ୍ଥାରେ ଅଭ୍ୟସ୍ତ ଗ୍ରାହକଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ପାଇଁ ନୂତନ ନୀତିକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା ସହ ଆର୍ଥିକ ସ୍ଥିରତା ବଜାୟ ରଖିବା ହିଁ ସରକାରଙ୍କ କର୍ତ୍ତବ୍ୟ। ତାହାଛଡ଼ା ବ୍ୟକ୍ତି ସ୍ୱାଧୀନତା ଯେପରି ଅକ୍ଷୁଣ୍ଣ ରହେ ସେଥିପ୍ରତି ବିଶେଷ ଧ୍ୟାନ ଦେଇ ନୂତନ ଡିଜିଟାଲ୍‌ ଟଙ୍କା ବ୍ୟବସ୍ଥା ଆଣିବାକୁ ସରକାର ଧ୍ୟାନ ଦେବାକୁ ବସ୍ତୁତଃ ବାଧ୍ୟ।

ଯେ କୌଣସି ସାର୍ବଭୌମ ରାଷ୍ଟ୍ରରେ ସେହି ଦେଶରେ ସର୍ବୋଚ୍ଚ ବ୍ୟାଙ୍କ ପ୍ରଚଳନ କରିଥିବା ଉଭୟ ଭୌତିକ ଓ ଡିଜିଟାଲ ମୁଦ୍ରା ବୈଧାନିକ ମାନ୍ୟତା ପାଇଥାଏ। କ୍ରିପ୍ଟୋମୁଦ୍ରାର ନା ଅଛି ବୈଧାନିକ ମାନ୍ୟତା ନା କୌଣସି ଅନ୍ତର୍ନିହିତ ମୂଲ୍ୟ। ଏହା ଏକ ପଣ୍ୟ ମଧ୍ୟ ନୁହେଁ। ଏହା କେବଳ ବ୍ଲକଚେନ୍‌ ଜ୍ଞାନକୌଶଳ ଆଧାରିତ ବିକେନ୍ଦ୍ରୀକରଣ ଭାବରେ ପ୍ରଚଳିତ ଏକ ଅଦୃଶ୍ୟ ମୁଦ୍ରା। ବିଶ୍ୱର ବିଭିନ୍ନ ଦେଶ ଯଦି ନିଜର ସର୍ବୋଚ୍ଚ ବ୍ୟାଙ୍କ ମାଧ୍ୟମରେ ନିଜସ୍ୱ ଡିଜିଟାଲ୍‌ ମୁଦ୍ରା ପ୍ରଚଳନ କରନ୍ତି, କ୍ରିପ୍‌ଟୋର ଆଦର ରହିବନି। ବିଶ୍ୱର ମାତ୍ର ଦଶଟି ଦେଶ ପାଇଲଟ ସ୍ତରରେ ଡିଜିଟାଲ ମୁଦ୍ରା ପ୍ରଚଳନ କରିଛନ୍ତି। ଚୀନ ଓ କୋରିଆ ସମ୍ଭବତଃ ୨୦୨୩ରେ ଡିଜିଟାଲ ମୁଦ୍ରା ପ୍ରଚଳନ କରିପାରନ୍ତି। ବିଭିନ୍ନ ଦେଶରେ ଜିଡିଟାଲ ମୁଦ୍ରା ପ୍ରଚଳନ ହେଲେ ଡଲାରର ପ୍ରାଧାନ୍ୟ ହ୍ରାସ ପାଇବ।

ହଜାର ହଜାର ବର୍ଷରୁ ପ୍ରଚଳିତ ମୁଦ୍ରା ବ୍ୟବସ୍ଥା ବିଭିନ୍ନ ସ୍ତର ଦେଇ ଗତି କରିଛି ଓ ବର୍ତ୍ତମାନ ଡିଜିଟାଲ ଦେଣନେଣ ବହୁଳ ମାତ୍ରାରେ ବୃଦ୍ଧିପାଇବା ସହ ଜନସାଧାରଣଙ୍କର ଆସ୍ଥାଭାଜନ ମଧ୍ୟ ହୋଇପାରିଛି। ଭାରତରେ ନିଜସ୍ୱ ଜ୍ଞାନକୌଶଳ ଆଧାରିତ 'ୟୁପିଆଇ' ଏବଂ 'ରୂପେ କାର୍ଡ' ପୃଥିବୀର ସର୍ବାଧିକ ଡିଜିଟାଲ ଦେଣନେଣ ବ୍ୟବସ୍ଥାର ମାନ୍ୟତା ପାଇଛି ଓ ବିଦେଶରେ ମଧ୍ୟ ଏହା ତାହାର କାୟା ବିସ୍ତାର କରିଚାଲିଛି। ନୂତନ ଜ୍ଞାନକୌଶଳର ପରିସୀମା ବ୍ୟାପ୍ତ ହେଉଥିବା ସମୟରେ ଭବିଷ୍ୟତରେ ଡିଜିଟାଲ ମୁଦ୍ରା ମଧ୍ୟ ବିଶେଷ ଭାବରେ ଆଦୃତ ହେବ ଓ ଦେଶର ଆର୍ଥିକ କାରବାରକୁ ଆହୁରି ସହଜ ସରଳ କରିପାରିବ। ପୃଥିବୀରେ ଏବେ ମଧ୍ୟ ଏହା ପୂର୍ଣ୍ଣମାତ୍ରାରେ ପ୍ରଚଳନ ହୋଇନଥିବାରୁ ଓ ଅଭିଜ୍ଞତା ନ ଥିବାରୁ ସରକାର ସମୟାନୁକ୍ରମେ ଏହାକୁ ଧୀରେଧୀରେ କାର୍ଯ୍ୟକାରୀ କରିବା ବାଞ୍ଛନୀୟ। ତେବେ, ଅନୈତିକ ଉପାୟରେ ବିଦେଶୀ ବ୍ୟାଙ୍କ, ବିଶେଷ ଭାବେ ସ୍ଵିସ ବ୍ୟାଙ୍କରେ କଳାଧନ ଠୁଳ କରି ଧାରା ନପଡ଼ିବାକୁ ପୂର୍ବରୁ ଯେପରି ଲୋକମାନେ ବ୍ୟାକୁଳ ହେଉଥିଲେ। ସେମାନେ ଏବେ ଯେପରି କଳାଧନକୁ କ୍ରିପ୍ଟୋମୁଦ୍ରାରେ ବିନିଯୋଗ ନକରିପାରିବେ, ସେଥିପାଇଁ ବିଶ୍ୱ ସମୁଦାୟ ଚିନ୍ତାକରିବାର ସମୟ ଆସିଛି।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories