ୟୁକ୍ରେନରେ ଆକ୍ରମଣ, ଭାରତରେ କମ୍ପନ

war

war

Debendra Prusty
  • Published: Thursday, 10 November 2022
  • Updated: 10 November 2022, 12:14 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ୮ ମାସରୁ ଅଧିକ ହୋଇଗଲାଣି। ଏକ ବିଶ୍ଵଶକ୍ତି ଏତେ ଦିନ ଧରି ଯୁଦ୍ଧରେ ବ୍ୟାପୃତ ରହିବା କାରଣରୁ ସମଗ୍ର ପୃଥିବୀର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଦେଶର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ ହୋଇଚାଲିଥିଲେ ବି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ଯୋଗାଇ ଦେଉଥିବା ଯୁଦ୍ଧାସ୍ତ୍ର ବଳରେ ରୁଷ ଆକ୍ରମଣକୁ ସାମନା କରୁଛି ୟୁକ୍ରେନ। ଏମାନଙ୍କ ଯୁଦ୍ଧ ଫଳରେ କୋଭିଡ-ବିପର୍ଯ୍ୟସ୍ତ ବିଶ୍ୱ, ବିଶେଷ ଭାବେ ଭାରତ ଭଳି ଏକ ବିକାଶଶୀଳ ଦେଶ ସଙ୍କଟରେ।

ଚଳିତ ବର୍ଷ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା। ରୁଷର ଜିଦ ଭାଙ୍ଗିବାକୁ ଆମେରିକା ଓ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ଆର୍ଥିକ ପ୍ରତିବନ୍ଧକ ଲଗାଇଦେଲେ। ଯାହାଫଳରେ ରୁଷ ବାଣିଜ୍ୟିକ କାରବାର ଡଲାର ମାଧ୍ୟମରେ କରିପାରିଲାନି। ପ୍ରତିଶୋଧ ନେବାକୁ ପଡ଼ୋଶୀ ୟୁରୋପୀୟ ରାଷ୍ଟ୍ରମାନଙ୍କୁ ପେଟ୍ରୋଲିୟମ ତୈଳ ଯୋଗାଣ ୮୦ ପ୍ରତିଶତ କମାଇଦେଲା ରୁଷ। ଏବେ ସମଗ୍ର ୟୁରୋପରେ ମୁଦ୍ରାସ୍ଫୀତି ଘଟିଛି, ସାଧାରଣ ଲୋକ ପ୍ରବଳ ଥଣ୍ଡାରେ ହନ୍ତସନ୍ତ ହେଉଛନ୍ତି। ରୁଷ ଓ ୟୁକ୍ରେନରୁ ଗ୍ୟାସ ଯୋଗାଣ ହେଉନଥିବାରୁ ଗୃହ ଅଭ୍ୟନ୍ତରକୁ ଉଷୁମ ରଖିପାରୁନାହାନ୍ତି ଲୋକମାନେ। ପେଟ୍ରୋଲିୟମ ତୈଳ ମୂଲ୍ୟ ବଢୁଛି, ଉତ୍ପାଦନ କମୁଛି; ଯାହାଫଳରେ ବିଭିନ୍ନ ଦେଶର ମୁଦ୍ରାର ବିନିମୟ ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇ ଚାଲିଛି।

ଯୁକ୍ତରାଷ୍ଟ୍ର ଆମେରିକା ପେଟ୍ରୋଲିୟମ ତୈଳକ୍ଷେତ୍ରରେ ଆତ୍ମନିର୍ଭର ହୋଇଥିଲେ ବି ଏହାର ଅନେକ କର୍ପୋରେଟ୍ ସଂସ୍ଥା କ୍ରମଶଃ ଅବନତି ଆଡ଼କୁ ଆଗେଇ ଚାଲିବାର ଦେଖାଯାଉଛି। ଅର୍ଥନୀତିଜ୍ଞମାନେ ଭବିଷ୍ୟବାଣୀ କଲେଣି ଯେ ଆଗାମୀ ୬ରୁ ୯ ମାସ ମଧ୍ୟରେ ଆମେରିକା ଏକ ଭୟଙ୍କର ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ରାଷ୍ଟ୍ର ଏବଂ ଚୀନ ଭଳି ବିକଶିତ ରାଷ୍ଟ୍ରମାନଙ୍କରେ ଅର୍ଥନୀତିର ବେଗ ମନ୍ଥର ହୋଇଯିବା ଫଳରେ କିପରି ସାରା ବିଶ୍ୱରେ ଏହାର ପ୍ରଭାବ ପଡିଛି ତାହାର ବିସ୍ତୃତ ବିବରଣୀ ଆଇଏମଏଫ ପ୍ରଦାନ କରିଛନ୍ତି। ଆମେରିକାରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ଆଣିବାକୁ ସୁଧ ହାର ବଢ଼ାଯାଉଛି। ଋଣ ଉପରେ ସୁଧହାର ବଢୁଥିବାରୁ ଗୃହନିର୍ମାଣ ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ମନ୍ଥରତା ଦେଖା ଯାଇଛି। ଗ୍ୟାସ ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ରୁଷ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ଆସିଥିଲେ। ଏବେ ତାହା କିଣୁଛନ୍ତି ପେଟ୍ରୋଲିୟମ ତୈଳ ଓ ଗ୍ୟାସ ଉତ୍ପାଦନକାରୀ ମଧ୍ୟପ୍ରାଚ୍ୟ ରାଷ୍ଟ୍ରମାନଙ୍କରୁ। ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନେ ଦୈନିକ ୨ ନିୟୁତ ବ୍ୟାରେଲ ଉତ୍ପାଦନ କମେଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଆଗାମୀ ଦିନରେ ତୈଳଦର ଆହୁରି ଅଧିକ ବଢ଼ିଯିବାର ଆଶଙ୍କା କରାଯାଉଛି। ଖାଦ୍ୟ ମୂଲ୍ୟରେ ବୃଦ୍ଧି ଏବଂ ରପ୍ତାନି ଚାହିଦା ହ୍ରାସ ଫଳରେ ପ୍ରାୟ ପ୍ରତ୍ୟେକ ଦେଶରେ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର କମି ଚାଲିଛି। ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଉଛନ୍ତି। ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆମେରିକୀୟ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟ ମାସେ ତଳେ ଏହାର ପ୍ରାୟ ଏକ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରିଥିଲା ଓ ସମାନ କାରଣରୁ 'ମେଟା' ମଧ୍ୟ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଏଥିରୁ, ପାଠକମାନେ ରୁଷ-ୟୁକ୍ରେନ ଯୁଦ୍ଧର ଅର୍ଥନୈତିକ ପ୍ରଭାବକୁ ଅନୁମାନ କରି ପାରୁଥିବେ।

ଆଇଏମଏଫ ପକ୍ଷରୁ ଏହାର ସଦ୍ୟତମ ପୂର୍ବାନୁମାନରେ କୁହାଯାଇଛି ଯେ ବିଶ୍ୱ ଅର୍ଥନୀତି ଚଳିତ ବର୍ଷ ଅର୍ଥାତ ୨୦୨୨ରେ ୩.୨ ପ୍ରତିଶତ ବୃଦ୍ଧି ପାଇଲେ ମଧ୍ୟ ଆସନ୍ତା ୨୦୨୩ ବର୍ଷରେ ୨.୭ ପ୍ରତିଶତକୁ ହ୍ରାସ ପାଇବ। ଏହି  ଆକଳନ ଅନୁସାରେ ୨୦୨୩ରେ ବିଶ୍ୱ ଅର୍ଥନୀତି ସଂକଟଜନକ ରହିବ ଓ ମୁଦ୍ରାସ୍ଫୀତି ହାର ୯.୫ ପ୍ରତିଶତ ରହିବ। ଅର୍ଥନୀତିର ନିୟମ ଅନୁଯାୟୀ ସର୍ବାଧିକ ମୁଦ୍ରାସ୍ଫୀତି ହାର ୨ଠାରୁ ୬ ପ୍ରତିଶତ ମଧ୍ୟରେ ରହିବା ଉଚିତ। ଯଦି ୨୦୨୨ ମସିହା ନସରୁଣୁ ଆମେରିକା ଭଳି ବିକଶିତ ତଥା କ୍ଷମତାଶାଳୀ ରାଷ୍ଟ୍ରର ସ୍ଥିତି ଏଭଳି ଗମ୍ଭୀର ହେବାକୁ ଆରମ୍ଭ କଲାଣି ଭାରତ ଭଳି ଜନବହୁଳ, ବିଭିନ୍ନତା ଭରା ବିକାଶଶୀଳ ଦେଶମାନଙ୍କର ଅବସ୍ଥା ଆଗାମୀ ବର୍ଷ କିଭଳି ଦୟନୀୟ ରହିବ ତାହା ଅନୁମାନ କଲେ ହତାଶା ଭାବ ଆସୁଛି।

ଆମେ ଭାରତରେ ଆଜିର ସ୍ଥିତି ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା। ରୁଷ ଆମର ବହୁଦିନର ବିଶ୍ଵାସନୀୟ ବନ୍ଧୁ। ତଥାପି ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ଭାରତ ସମର୍ଥନ କରେ ନାହିଁ ଓ ଯୁଦ୍ଧ ବନ୍ଦ କରାଯିବା ଚାହେଁ। ଅନ୍ୟପକ୍ଷରେ ରୁଷ ଉପରେ ପାଶ୍ଚାତ୍ୟ ଦେଶଙ୍କ ଆର୍ଥିକ କଟକଣା ଓ ତାଗିଦକୁ ଭୃକ୍ଷେପ ନକରି ଦେଶର ସ୍ୱାର୍ଥରେ ଅପେକ୍ଷାକୃତ କମମୂଲ୍ୟରେ ଡଲାର ବ୍ୟବହାର ନକରି ଭାରତ ରୁଷରୁ ତୈଳ ଆମଦାନୀ କରୁଛି, ବହୁ ପୂର୍ବରୁ ଯୁଦ୍ଧାସ୍ତ୍ର କିଣି ଆଣିଛି ଓ ଏବେ ବି କିଣୁଛି। ସମୟର କଷଟି ପଥରରେ ପରୀକ୍ଷିତ ରୁଷର ବନ୍ଧୁତାକୁ ଭାରତ ହାତଛଡ଼ା ନକରି କିପରି ବିଶ୍ୱ ଦରବାରରେ ପ୍ରତିଷ୍ଠା ପାଇବ, ସେଥିପାଇଁ ପ୍ରଚେଷ୍ଟା ଚଳାଇଛି।

ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିଲେ ୟୁକ୍ରେନ ବିରୁଦ୍ଧରେ ଅଧିକ ଦିନ ଲାଗି ରହିଲେ, ତୈଳ ମୂଲ୍ୟ ଆହୁରି ବଢ଼ିଯିବ, ଆମର ସଞ୍ଚିତ ମୁଦ୍ରାଭଣ୍ଡାର ସଙ୍କୁଚିତ ହେବ ଏବଂ ବାଣିଜ୍ୟିକ ନିଅଣ୍ଟ ଦେଖାଯିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର ଆଉ ଅଧିକ ବଢ଼ାଗଲେ, ଶିଳ୍ପ, ବେପାର, ବଣିଜ ପାଇଁ ବ୍ୟବସାୟିକ ଋଣ ମହାଙ୍ଗା ହେବ ଓ ଦେଶର ମୋଟ ଘରୋଇ ଉତ୍ପାଦରେ ବୃଦ୍ଧି ହେବନାହିଁ। ସେଥିପାଇଁ ଆଇଏମଏଫ ସମସ୍ତ ରାଷ୍ଟ୍ରଙ୍କୁ ସତର୍କ କରି ସାରିଛନ୍ତି। ଏବେ ରିଜର୍ଭ ବ୍ୟାଙ୍କ ରେପୋ ଦରକୁ ୫.୯% ଯାଏଁ ବଢ଼ାଇ ସାରିଛନ୍ତି। ଅନ୍ୟାନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କମାନେ ମଧ୍ୟ ନିଜ ନିଜର ରେପୋ ଦରକୁ ବଢ଼େଇ ଦେବାରୁ ବିଦେଶୀ ପୁଞ୍ଜି ଲଗାଣକାରୀମାନେ ଭାରତୀୟ ପ୍ରକଳ୍ପମାନଙ୍କରେ ଖଟାଇଥିବା ବିଦେଶୀ ମୁଦ୍ରା ଫେରସ୍ତ ନେଇ ଯାଉଛନ୍ତି।

ବିଶ୍ୱର ସବୁଦେଶ ଭଳି ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ହୋଇ ଚାଲିଛି। ଏକ ଡଲାର ବଦଳରେ ଆମେ ଆଜି ୮୨ ଟଙ୍କା ଦେଉଛେ। କେନ୍ଦ୍ର ସରକାର ଭାରତର ଆର୍ଥିକ ମୂଳଦୁଆ ଦୃଢ଼ ଅଛି ବୋଲି କେବଳ ଆଶ୍ୱାସନା ଦେଲେ ହେବନାହିଁ। ବର୍ତ୍ତମାନ ବିଶ୍ଵର ପ୍ରତ୍ୟେକ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ। ଗୋଟିଏ ଦେଶର ଆର୍ଥିକ ମାନ୍ଦାବସ୍ଥା ଅନ୍ୟଦେଶ ଉପରେ ପ୍ରଭାବ ପକାଉଛି। ଆମେରିକା ଓ ୟୁରୋପୀୟ ଦେଶମାନଙ୍କର ଶିଳ୍ପପତିମାନେ ଆମଦେଶରୁ ପୁଞ୍ଜି ପ୍ରତ୍ୟାହାର କଲେ କେବଳ ସେୟାର ବଜାର ଦୋହଲି ଯିବନି, ତାହା ସହ ଆମର ବିଦେଶୀ ମୁଦ୍ରା ଭଣ୍ଡାର ଶୂନ୍ୟ ହୋଇଯିବ।

କୂଟନୈତିକ ଦୃଷ୍ଟିକୋଣରୁ ଦେଖିଲେ ଭାରତର ବିଦେଶ ନୀତି ଏବେ ପରୀକ୍ଷାର ସମ୍ମୁଖୀନ ହୋଇଛି। କଟକଣା ନ ମାନି ରୁଷରୁ ଆମେ ଦେଶ-ସ୍ୱାର୍ଥରେ ତୈଳ ଓ ଯୁଦ୍ଧାସ୍ତ୍ର ଆମଦାନୀ କରୁଥିବାରୁ ୟୁରୋପୀୟ ରାଷ୍ଟ୍ରମାନେ ଆମ ଉପରେ ଅସନ୍ତୁଷ୍ଟ। ପାକ ଅଧିକୃତ କାଶ୍ମୀରକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଭାରତ ବିରୋଧୀ ବକ୍ତବ୍ୟ ଦେଉଥିବାର ଲକ୍ଷ୍ୟ କରାଯାଉଛି। ଜର୍ମାନୀ ଭାରତ ଉପରେ ଏତେ ଅସନ୍ତୁଷ୍ଟ ଯେ, ଆତଙ୍କବାଦର ଏନ୍ତୁଡ଼ିଶାଳ ଥିବା ପାକିସ୍ତାନକୁ ନିନ୍ଦା ନକରି କାଶ୍ମୀର ଉପତ୍ୟକାରେ ଗଣଭୋଟ କରିବାକୁ ଜାତିସଂଘକୁ ପ୍ରସ୍ତାବ ଦେଇଛି। ଭାରତ ପକ୍ଷରୁ ଦୃଢ଼ ବିରୋଧ ସତ୍ତ୍ୱେ ପାକିସ୍ତାନକୁ ଆମେରିକା ସରକାର ଏଫ-୧୬ ଯୁଦ୍ଧ ବିମାନର ଆଧୁନିକୀକରଣ ପାଇଁ ୪୫୦ କୋଟି ଡଲାର ଅର୍ଥ ଦେଇଛନ୍ତି। ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ କଠୋର ହେଉଥିବା ଲକ୍ଷ୍ୟ କରାଯାଉଛି। ଯେହେତୁ ଭାରତ ଜାତିସଂଘରେ ରୁଷ ବିରୋଧରେ ଆଗତ ପ୍ରାୟ ସମସ୍ତ ପ୍ରସ୍ତାବକୁ ସମର୍ଥନ କରିନାହିଁ କିମ୍ବା ଭୋଟ ଦାନରୁ ବିରତ ରହିଛି, ସେଥିପାଇଁ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଙ୍ଘ ଭାରତ ଉପରେ ଖପ୍ପା।

ଭାରତ ଆଗାମୀ ଦିନରେ ନିରାପତ୍ତା ପରିଷଦର ସଦସ୍ୟ ହେବା ଓ ଏକ ମହାଶକ୍ତି ହୋଇ ଠିଆହେବାକୁ ପ୍ରୟାସ କରିବାକୁ କିଛି ରାଷ୍ଟ୍ର ସହି ପାରୁ ନାହାନ୍ତି। ଏଥିରେ ସେମାନଙ୍କ ପ୍ରାଧାନ୍ୟ କ୍ଷୁର୍ଣ୍ଣ ହେବ। ଭାରତ ଆଗାମୀ ୫ ବର୍ଷରେ ୪୦ ହଜାର କୋଟି ଟଙ୍କାର ଯୁଦ୍ଧ ସାମଗ୍ରୀ ରପ୍ତାନୀ କରିବାର ଲକ୍ଷ୍ୟ ସେମାନଙ୍କୁ ବିଚଳିତ କରିବା ଅସ୍ୱାଭାବିକ ନୁହେଁ। ଭାରତ ଏବେ ଦ୍ରୁତ ଗତିରେ ସୌର ଶକ୍ତି ଓ ଅକ୍ଷୟ ଶକ୍ତି ବ୍ୟବହାର କରି ଚାଲିଛି। ଅନ୍ତର୍ଜାତୀୟ ବାଣିଜ୍ୟରେ ଡଲାର ଆଧିପତ୍ୟ କ୍ଷୁର୍ଣ୍ଣ କରିବାକୁ 'ବ୍ରୀକ୍ସ' ରାଷ୍ଟ୍ରମାନେ (ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଏକ ବିକଳ୍ପ ମୁଦ୍ରାର ପରିକଳ୍ପନା କରୁଛନ୍ତି।

ଆଭ୍ୟନ୍ତରୀଣ ରାଜନୀତି ଓ ଶାସନ ବ୍ୟବସ୍ଥା ଦୃଷ୍ଟିକୋଣରୁ ଦେଖିଲେ ଆର୍ଥିକ ମାନ୍ଦାବସ୍ଥା ପ୍ରଭାବରେ, ବିଭିନ୍ନ ଦେଶରେ ସରକାର ବଦଳି ଗଲେଣି। ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ପାକିସ୍ତାନ ଉଦାହରଣ ମାତ୍ର। ଅଥଚ ଭାରତରେ ସରକାର ଲୋକଙ୍କ ଆସ୍ଥାଭାଜନ ହୋଇ ରହିବା ଅନେକଙ୍କୁ ବିବ୍ରତ କରିଛି। ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ' ଯୋଜନାରେ ଘରୋଇ କମ୍ପାନୀଙ୍କ ସହଭାଗିତା, ଅନେକ ଷ୍ଟାର୍ଟଅପଙ୍କ ପକ୍ଷରୁ ଦେଶରେ ଉତ୍ପାଦନ, ଆମଦାନୀ ବଦଳରେ ରପ୍ତାନୀ ଅନେକଙ୍କୁ ଚକିତ କରିଛି।

କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ଦୃଷ୍ଟିକୋଣରୁ ଦେଖିଲେ ସମଗ୍ର ବିଶ୍ୱ ଏହି ଯୁଦ୍ଧ କାରଣରୁ ଆଜି ବିପଦରେ। ୟୁକ୍ରେନକୁ ୟୁରୋପର ଶସ୍ୟଭଣ୍ଡାର କୁହାଯାଏ। ଆଧୁନିକ ଯାନ୍ତ୍ରିକ କୃଷି, ଉପଯୁକ୍ତ ଜଳବାୟୁ ଓ ମୃତ୍ତିକା କାରଣରୁ ୟୁକ୍ରେନରେ ଉତ୍ପାଦିତ ଗହମ, ବାର୍ଲି, ମକା ଓ ସୂର୍ଯ୍ୟମୁଖୀ ରପ୍ତାନୀ କରାଯାଏ; ଯାହା ଏହି ଦେଶର ସମୁଦାୟ ରପ୍ତାନୀର ୪୧ ପ୍ରତିଶତ ଓ ବାର୍ଷିକ ମୂଲ୍ୟ ୨୭୮୦ କୋଟି ଡଲାର। କେବଳ ଖାଦ୍ୟ ଉତ୍ପାଦନ ନୁହେଁ, ବରଂ ଚାଷ ପାଇଁ ଅତି ଦରକାରୀ ପଟାସ ସାର କେବଳ ରୁଷ ଓ ବେଲାରୁଷରୁ ବିଶ୍ୱ ଆବଶ୍ୟକତାର ୪୦ ପ୍ରତିଶତ ଉତ୍ପାଦନ କରାଯାଏ ଓ ଭାରତ ସମେତ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଏ। ଯୁଦ୍ଧ କାରଣରୁ ସେଠାରୁ ପଟାସ ସାର ଆସିପାରୁନଥିବାରୁ ଭାରତ ସମେତ ସମଗ୍ର ବିଶ୍ୱରେ ଖାଦ୍ୟଶସ୍ୟ ଉତ୍ପାଦନ କମିଯିବା ନିଶ୍ଚିତ।

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯେତେ ଶୀଘ୍ର ସମାପ୍ତ ହେବ ତାହା ସମଗ୍ର ମାନବ ଜାତି ପାଇଁ ଶୁଭଙ୍କର ହେବ। ଭାରତ ଭଳି ଜନବହୁଳ ରାଷ୍ଟ୍ର ପାଇଁ ୟୁକ୍ରେନ ଯୁଦ୍ଧରୁ ସୃଷ୍ଟ ସମସ୍ୟା ସମୂହ ଅତ୍ୟନ୍ତ ଚିନ୍ତାଜନକ। ଏହି ସମସ୍ତ ଆହ୍ୱାନ ଗୁଡ଼ିକୁ ମୁକାବିଲା କରିବା, ଲୋକଙ୍କୁ ଖାଦ୍ୟ ସୁରକ୍ଷା ଦେବା ଓ ଦେଶର ଅଭିବୃଦ୍ଧି ହାରକୁ ଆଇଏମଏଫର ଆଶା ଅନୁରୂପ ୬.୧ ପ୍ରତିଶତ କରିବା ପାଇଁ ଦେଶବାସୀଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories