ଉପନିର୍ବାଚନ ରାଜନୀତିରୁ ତ୍ରାହି ନାହିଁ

ରବି ଦାସ ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେଉଥିବାରୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉଲ୍ଲେଖକରି ଲୋକସଭା ଓ ବିଧାନସଭାଗୁଡ଼ିକ ଗୋଟିଏ ସମୟରେ କରିବା ପାଇଁ ଯୁକ୍ତି ଉପସ୍ଥାପିତ କରିଛନ୍ତି। ଗୋଟିଏ ଦେଶ ଗୋଟିଏ ଟିକସ ପରି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ସ୍ଲୋଗାନ ହୋଇଥିଲା। କିନ୍ତୁ ଏଥିପାଇଁ ସମ୍ବିଧାନ ସଂଶୋଧନର ବ୍ୟାପକ ଆବଶ୍ୟକତା ଥିବାରୁ ଏକ ସହମତି ପ୍ରତିଷ୍ଠିତ ନହେଲେ ଏହି ଲକ୍ଷ୍ୟ ହାସଲ […]

election

election

Debendra Prusty
  • Published: Monday, 03 October 2022
  • Updated: 03 October 2022, 05:53 PM IST

Sports

Latest News

ରବି ଦାସ

ଏକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେଉଥିବାରୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଉଲ୍ଲେଖକରି ଲୋକସଭା ଓ ବିଧାନସଭାଗୁଡ଼ିକ ଗୋଟିଏ ସମୟରେ କରିବା ପାଇଁ ଯୁକ୍ତି ଉପସ୍ଥାପିତ କରିଛନ୍ତି। ଗୋଟିଏ ଦେଶ ଗୋଟିଏ ଟିକସ ପରି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ସ୍ଲୋଗାନ ହୋଇଥିଲା। କିନ୍ତୁ ଏଥିପାଇଁ ସମ୍ବିଧାନ ସଂଶୋଧନର ବ୍ୟାପକ ଆବଶ୍ୟକତା ଥିବାରୁ ଏକ ସହମତି ପ୍ରତିଷ୍ଠିତ ନହେଲେ ଏହି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ବୋଲି ବିଚାର କରି ସେହି ସ୍ଲୋଗାନକୁ ଅନେକ ଭୁଲିଗଲେଣି।

ନିର୍ବାଚନ ଯେତେବେଳେ ହେଉନା କାହିଁକି ବିଧାନସଭା ଓ ଲୋକସଭାର କୌଣସି ଆସନ ସମ୍ପୃକ୍ତ ସଦସ୍ୟଙ୍କର ମୃତ୍ୟୁ ବା ଅନ୍ୟ ସାମ୍ବିଧାନିକ କାରଣରୁ ଖାଲିପଡ଼ିଲେ ନିର୍ବାଚନ କମିଶନର ସପୃକ୍ତ ଆସନ ପାଇଁ ଉପନିର୍ବାଚନ କରିବାକୁ ବାଧ୍ୟ ହୁଅନ୍ତି। ବିଶେଷ ଭାବରେ କୌଣସି ଆସନ ୬ମାସରୁ ଅଧିକ ସମୟ ଖାଲି ନରହିବାର ଥିବା ବ୍ୟବସ୍ଥା ହେତୁ ଖାଲି ଆସନରେ ଉପନିର୍ବାଚନ କରିବା ନିର୍ବାଚନ କମିଶନରଙ୍କର ଏକ ଦାୟିତ୍ୱ। ସେହି ପ୍ରକିୟାରେ ୨୦୧୯ରେ ଓଡ଼ିଶାରେ ଲୋକସଭା ଓ ବିଧାନସଭାର ଯେଉଁ ସାଧାରଣ ନିର୍ବାଚନ ହୋଇଥିଲା ତାହା ପରଠାରୁ କ୍ରମାଗତ ଭାବରେ ଯେପରି ଓଡ଼ିଶାରେ ଉପନିର୍ବାଚନର ସୁଅ ଛୁଟିଛି ସେଥିରେ ରାଜ୍ୟର ଅଧିକାଂଶ ରାଜନୈତିକ କାର୍ଯ୍ୟକଳାପ ଉପନିର୍ବାଚନ ଭିତ୍ତିକ କରାଯାଉଛି।

ସାଧାରଣ ନିର୍ବାଚନ ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଜିତିଥିବାରୁ ଓ ସେ ଗୋଟିଏ ଆସନ ବିଜେପୁରରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ହୋଇଥିଲା। ସାଧାରଣ ନିର୍ବାଚନ ସମୟରେ ପାଟକୁରା ଆସନରେ ଜଣେ ଶାସକ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ଫଳରେ ସେଠାରେ ଉପନିର୍ବାଚନ ହୋଇପାରିନଥିଲା। ପରେ ସେହି ଆସନରେ ନିର୍ବାଚନ ସମୟରେ ବାତ୍ୟା ଯୋଗୁ ବିଳମ୍ବରେ ନିର୍ବାଚନ ହେଲା। ପରେ ବାଲେଶ୍ୱର, ତିର୍ତ୍ତୋଲର ବିଧାୟକ ଯଥାକ୍ରମେ ମଦନମୋହନ ଦତ୍ତ ଓ ବିଷ୍ଣୁ ଦାସଙ୍କ ମୃତ୍ୟୁ ଯୋଗୁ ସେହି ଦୁଇଟି ଆସନରେ ଉପନିର୍ବାଚନ ହେଲା। ପରେ ପିପିଲି ବିଧାୟକ ପ୍ରଦୀମ ମହାରଥୀଙ୍କର ମୃତ୍ୟୁ ପରେ ସେଠାରେ ମଧ୍ୟ ଉପନିର୍ବାଚନ କରାଗଲା। ଠିକ୍ ପରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ସେଠାରେ ଉପ ନିର୍ବାଚନ କରାଯିବା ପରେ ଏବେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ମୃତ୍ୟୁ ପରେ ସେଠାରେ ନଭେମ୍ବର ୩ରେ ଉପନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କିନ୍ତୁ ଏହି ଘୋଷଣା ସହିତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି, ଯେଉଁଠାରେ ଉପନିର୍ବାଚନ କରାଯିବ। ଏଗୁଡ଼ିକ ସହିତ କଟକ ବିଧାୟକ ମହମ୍ମଦ ମୋକିମଙ୍କ ଏକ ଦୁର୍ନୀତି ବିରୋଧୀ ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହେବା ଫଳରେ ଆଇନ ଅନୁସାରେ ସେହି ଆସନରେ ମଧ୍ୟ ଖାଲି ହୋଇଯିବାର ଆଶଙ୍କା ଦେଖାଦେଇଛି। ହାଇକୋର୍ଟଙ୍କ ଆଦେଶ ପରେ ଏହା ହୁଏତ ଅଧିକ ସ୍ପଷ୍ଟ ହେବ। କିନ୍ତୁ ସେଠାରେ ମଧ୍ୟ ଉପନିର୍ବାଚନର ଆବଶ୍ୟକତା ପଡ଼ିବ।

ମୋଟାମୋଟି ଭାବେ ଦେଖାଗଲେ ୨୦୧୯ ପରେ ରାଜ୍ୟରେ ମୋଟ ୯ଟି ଉପନିର୍ବାଚନ ସଂଗଠିତ ହେଉଛି। ସେଥିମଧ୍ୟରୁ ୬ଟି ଉପନିର୍ବାଚନ ଶେଷ ହୋଇଛି। ବାକି ୩ଟିରୁ କେବଳ ଧାମନଗର ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇଛି। ଲକ୍ଷ୍ୟ କରିବାକଥା ଯେ, ରାଜ୍ୟରେ ହେଉଥିବା ୬ଟି ଯାକ ଉପନିର୍ବାଚନ ମଧ୍ୟରୁ କେବଳ ଗୋଟିଏ ଆସନ ବାଲେଶ୍ୱର ବିଜେପି ହାତରେ ଥିଲେ ମଧ୍ୟ ସେହି ଆସନଟି ମଧ୍ୟ ବିଜେଡି ଅକ୍ତିଆର କରିନେଇଛି। ଅର୍ଥାତ ଉପନିର୍ବାଚନଗୁଡ଼ିକରେ ବିଜେଡି ଶତ ପ୍ରତିଶତ ସଫଳତା ହାସଲ କରିଛି, ଯାହାରା ପ୍ରଭାବ ଗତ ପଂଚାୟତ ଓ ପୌର ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇଛି। ରାଜ୍ୟରେ ୨୦୧୯ରେ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ପାଇଥିବା ବିଜେପି ସମସ୍ତ ଉପନିର୍ବାଚନରେ ପରାସ୍ତ ହେବା ଓ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ମୁକାବିଲା କରିବାରେ ସେପରି ସଫଳତା ନପାଇବା ପରେ ଦଳ ଭିତରେ ଯେଉଁ ଭାବନା ସୃଷ୍ଟି ହୋଇଥିଲା ତାହାକୁ ଦୂର କରିବା ପାଇଁ ଗତ ଏକମାସ ଭିତରେ ଦଳ ପକ୍ଷରୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଆସନରେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ଘଟଣାରେ ବିଜେଡି ଭାଗିଦାର ହେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛି। ଏହି ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଆଗମନ ଓ ରାଜ୍ୟରେ ନୂଆ ପ୍ରଭାରୀ ନିଯୁକ୍ତ ସହିତ କେନ୍ଦ୍ର ମନ୍ତ୍ରୀମାନଙ୍କର ଓଡ଼ିଶା ଗସ୍ତ ଓ ଶେଷରେ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୁଇ ଦୁଇଦିନିଆ ଓଡ଼ିଶା ଗସ୍ତରେ ଦଳର କର୍ମୀ ଓ ନେତାମାନଙ୍କୁ ଯେପରି ଉତ୍ସାହିତ କରି ରାଜ୍ୟରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସେହି ପରିପ୍ରେକ୍ଷୀରେ ଆସନ୍ତା ଉପନିର୍ବାଚନଗୁଡ଼ିକୁ ବିଚାର କରାଯିବ।

ବିଜେଡି ସବୁବେଳେ ଉପନିର୍ବାଚନଗୁଡ଼ିକୁ ଦଳ ପାଇଁ ସୁଯୋଗ ଭାବେ ବ୍ୟବହାର କରି ସମସ୍ତ ଶକ୍ତି ଖଟାଇ ଉପନିର୍ବାଚନ ଜିତିବା ପାଇଁ ଏକ ମେସିନାରୀ ପ୍ରସ୍ତୁତ କରିଛି। ଏହି ମେସିନାରୀକୁ ମୁକାବିଲା କରିବା ପାଇଁ ବିଜେପି ବା କଂଗ୍ରେସ କୌଶଳ ସ୍ଥିର କରିପାରୁନାହାନ୍ତି। କାରଣ ବିଜେଡି ଭଲଭାବରେ ଜାଣିଛି ଯେ, ଦଳ ନିକଟରେ ରାଜନୈତିକ ଆଦର୍ଶ ବା ବିଚାର ପ୍ରଚାର ନିମନ୍ତେ ସ୍ଲୋଗାନ ନାହିଁ। ଏହାର ଏକମାତ୍ର ସ୍ଲୋଗାନ ହେଲା ନବୀନଙ୍କ ନେତୃତ୍ୱ ଓ ଲାଭାର୍ଥୀ ସୃଷ୍ଟିକାରୀ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ, ଯାହାକୁ ବିକାଶ ଭାବରେ ଉପସ୍ଥାପିତ କରାଯାଉଛି। ଏ କ୍ଷେତ୍ରରେ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସଶକ୍ତିକରଣ ନାଁରେ ସଂଗଠିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଯାହା କରାଯାଉଛି ତାହାକୁ ନିର୍ବାଚନରେ ମହିଳାମାନଙ୍କ ଭୋଟ ହାସଲ ପାଇ ମୁଖ୍ୟ ମାଧ୍ୟମ ଭାବରେ ବ୍ୟବହାର କରାଯାଉଛି। ଅପରପକ୍ଷରେ ମୋଦୀଙ୍କର ଜାତୀୟ ନେତୃତ୍ୱ ସତ୍ତ୍ୱେ ରାଜ୍ୟ ବିଜେପିରେ ନବୀନଙ୍କ ନେତୃତ୍ୱର ମୁକାବିଲା ପାଇଁ ଦଳ ପକ୍ଷରୁ କୌଣସି ଚେହେରା ବା ନେତୃତ୍ୱ ଉପସ୍ଥାପିତ କରାଯାଉନାହିଁ। ଫଳରେ ନବୀନଙ୍କ କଥା ଉପରେ ବା ଉପନିର୍ବାଚନରେ ତାଙ୍କ ବାର୍ତ୍ତା ଉପରେ ଜନସାଧାରଣ ଅଧିକ ଭରସା କରୁଛନ୍ତି।

ସବୁ ଉପନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ସ୍ଥିତି ସତ୍ତ୍ୱେ ତିର୍ତ୍ତୋଲ ଉପନିର୍ବାଚନରେ ଓ ନିକଟରେ ବ୍ରଜରାନଗର ଉପନିର୍ବାଚନରେ ଦଳ ଯେଉଁ ଭୋଟ ପାଇଛି ସେଥିରେ କିଛି ଆଶା ସେମାନଙ୍କ ଭିତରେ ରହିଛି। ବିଶେଷ ଭାବରେ ବ୍ରଜରାଜନଗରରେ ଏହା ଦ୍ୱିତୀୟ ସ୍ଥାନକୁ ଆସିଯିବା ଫଳରେ ଭବିଷ୍ୟତ ନେଇ କିଛି ସମ୍ଭାବନା ସୃଷ୍ଟି ହୋଇଥିବା ଦାବି କରାଯାଉଛି। କିନ୍ତୁ ଏବେ ମଧ୍ୟ ବିଜେଡି ଓ ବିଜେପିର ମୁକାବିଲା ନିମନ୍ତେ କଂଗ୍ରେସ ସବୁ ଦୃଷ୍ଟିରୁ ସଫଳ ହୋଇନାହିଁ। ଏହି ସମୟରେ ୩୧ ତାରିଖରୁ ଦଳ ପକ୍ଷରୁ ଭାରତ ଯୋଡ଼ କାର୍ଯ୍ୟକ୍ରମର ଅଂଶ ଭାବରେ ଓଡ଼ିଶାରେ ପଦଯାତ୍ରା କାର୍ଯ୍ୟକ୍ରମ ଥିଲେ ମଧ୍ୟ ନଭେମ୍ବର ୩ ଉପନିର୍ବାଚନ ଉପରେ ଏହା ପ୍ରଭାବ ପକାଇବାର ସମ୍ଭାବନା କମ୍। ଅସଲ ଲଢ଼େଇ ବିଜେପି- ବିଜେଡି ମଧ୍ୟରେ ହେବ। କିନ୍ତୁ ଧାମନଗର ଆସନଟି ବିଜେପି ହାତରେ ଥିବାରୁ ଓଡ଼ିଶାରେ ୨୦୨୪ରେ ଏହା ବିଜେଡିର ମୁକାବିଲା କରିପାରିବ ବୋଲି ଏକ ବିଶ୍ୱାସ ସୃଷ୍ଟି ନିମନ୍ତେ ଧାମନଗର ଆସନ ହାସଲ କରିବାକୁ ହେବ। ଏଣୁ ଧାମନଗର ଉପନିର୍ବାଚନ ବିଜେପି ପାଇଁ ଏକ ବଡ଼ ପରୀକ୍ଷା ବା ଚ୍ୟାଲେଞ୍ଜ ଭାବେ ଦେଖାଯିବ।

ଠିକ୍ ସେହିପରି ଯଦି ପଦ୍ମପୁର ଉପନିର୍ବାଚନ ହୁଏ ସେଠାରେ ବିଜେଡି ପାଇଁ ସମାନ ଧରଣର ଆହ୍ୱାନ ସୃଷ୍ଟିହେବ। କାରଣ ପଶ୍ଚିମ ଓଡ଼ିଶାର ଏହି ଆସନରେ ୨୦୧୪ରେ ବିଜେପି ନିର୍ବାଚିତ ହୋଇଥିଲା ଓ ସେଠାକାର ନେତା ପ୍ରଦୀପ ପୁରୋହିତ ଦଳର ଜଣେ ଅଗ୍ରଣୀ ନେତା ଭାବରେ ପରିଚିତ। ଉପକୂଳ ଓଡ଼ିଶାରେ ଧାମନଗର ଓ ପଶ୍ଚିମ ଓଡ଼ିଶାରେ ପଦ୍ମପୁର ଉପନିର୍ବାଚନ ୨୦୨୪ପାଇଁ ସେମିଫାଇନାଲ ବୋଲି ବିବେଚିତ ହେବ।

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos