‘ଦମନ’ କାହିଁକି ସରକାରଙ୍କର ପ୍ରିୟ ହେଲା?

ଦେବ ରଞ୍ଜନ ବହୁ ଦିନ ପରେ ମାଲକାନଗିରିର ସମସ୍ୟା ବାହାର ଜଗତରେ ଆଲୋଚନା ହେବା ‘ଦମନ’ର ବଡ଼ ସଫଳତା। ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକେ ନିଜର ପ୍ରତିବାଦ, ଧାରଣା, ରାଲି ଓ ଦାବିପତ୍ର ଦେବା ମାଧ୍ୟମରେ ଯେଉଁ ବାର୍ତ୍ତା ବାହାର ଜଗତକୁ ଦେବା ଲାଗି ଚାହୁଁଥିଲେ ତାହା ଫିଲ୍ମ କରିପାରିଛି। କିନ୍ତୁ ସେ ବାର୍ତ୍ତାଟି କ’ଣ? ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଗଣମାଧ୍ୟମ, ସରକାର ସମସ୍ତେ ଏହାକୁ ‘ସତ କାହାଣୀ ଉପରେ ଆଧାରିତ’ କହୁଛନ୍ତି। ଏଠାରେ […]

Daman

Daman

Debendra Prusty
  • Published: Monday, 28 November 2022
  • Updated: 28 November 2022, 06:37 PM IST

Sports

Latest News

  • ଦେବ ରଞ୍ଜନ

ବହୁ ଦିନ ପରେ ମାଲକାନଗିରିର ସମସ୍ୟା ବାହାର ଜଗତରେ ଆଲୋଚନା ହେବା ‘ଦମନ’ର ବଡ଼ ସଫଳତା। ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକେ ନିଜର ପ୍ରତିବାଦ, ଧାରଣା, ରାଲି ଓ ଦାବିପତ୍ର ଦେବା ମାଧ୍ୟମରେ ଯେଉଁ ବାର୍ତ୍ତା ବାହାର ଜଗତକୁ ଦେବା ଲାଗି ଚାହୁଁଥିଲେ ତାହା ଫିଲ୍ମ କରିପାରିଛି। କିନ୍ତୁ ସେ ବାର୍ତ୍ତାଟି କ’ଣ?

ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଗଣମାଧ୍ୟମ, ସରକାର ସମସ୍ତେ ଏହାକୁ ‘ସତ କାହାଣୀ ଉପରେ ଆଧାରିତ’ କହୁଛନ୍ତି। ଏଠାରେ କେଉଁଟି ସତ? ଡାକ୍ତରଙ୍କର ରୋଗୀ ଶୋଇଥିବା ଖଟକୁ ନିଜେ କାନ୍ଧେଇବା ସତ ନା ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ରହିଆସିଥିବା ପ୍ରାୟ ୨୫,୦୦୦ ଲୋକଙ୍କ ଲାଗି ସତୁରୀ ବର୍ଷ ଗଣତାନ୍ତ୍ରିକ ବ୍ୟବସ୍ଥାର ଯେ ସେମାନେ ଅଂଶ ତାହାକୁ ସ୍ଵୀକାର ନକରିବା, ସେହି ଅଞ୍ଚଳର ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ କୌଣସି ବ୍ୟବସ୍ଥା ନକରିବା ସତ?

ସତ୍ୟ ହିଁ ପ୍ରେମ। ସତ୍ୟ ହିଁ ଅହିଂସା। ସତ୍ୟ ହିଁ ଭଗବାନ। ସରକାରୀ ଅନୁଷ୍ଠାନମାନଙ୍କରେ ଏମିତି ଲେଖାଥିବା ଫଳକ ଝୁଲୁଥାଏ। ମାତ୍ର ସତକୁ ଲୁଚାଇବାର କୌଶଳ ସରକାର ନିଶ୍ଚୟ କରିଥାନ୍ତି। କିନ୍ତୁ ‘ଦମନ’?

ଫିଲ୍ମ, ବହି ଇତ୍ୟାଦି ସେହି ସମୟର ସମାଜର ଦର୍ପଣ। ଏହା ଏକ ସୃଜନଶୀଳ କାର୍ଯ୍ୟ। ବହିର ବର୍ଣ୍ଣନା ଭଳି ଫିଲ୍ମ ମଧ୍ୟ ବ୍ୟକ୍ତି, ବ୍ୟକ୍ତିର ପଛପାଖର ଚିତ୍ର ଓ ତାହାର ହାବଭାବ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ପର୍କରେ ସୂଚନା ଦେଇଥାଏ। ‘ଦମନ’ ଏକ ସ୍ଥାନ ବାଛୁଛି ଯେଉଁଠି ‘ବିକାଶ’ର ନଗ୍ନ ଚିତ୍ର ବାଲିମେଳା ଡ୍ୟାମ ଅଛି। ଡ୍ୟାମ ହେତୁ ସୃଷ୍ଟ ବିଚ୍ଛିନ୍ନାଞ୍ଚଳ ଯାହା ଭିତରେ ୨୫,୦୦୦ ଲୋକ ଅଛନ୍ତି। ଅଶି ଦଶକରୁ ମାଓବାଦୀ– ମାର୍କ୍ସବାଦ ଉପରେ ବିଶ୍ଵାସ କରୁଥିବା ଅନେକ ରାଜନୈତିକ ପାର୍ଟି ମଧ୍ୟରୁ ଏକ ପାର୍ଟି ଯେଉଁମାନେ ହିଂସାର ରାସ୍ତାରେ ଶାସନ ଅକ୍ତିଆର କରିବାର କଥା କହିଆସିଛନ୍ତି- ସେମାନେ ଅଛନ୍ତି। ସରକାର ନିଜ ତରଫରୁ ଗଲା ଦଶ ବର୍ଷ ହେଲା ଅର୍ଦ୍ଧସାମରିକ ଯବାନ ନିଯୁକ୍ତ କରିଛନ୍ତି ହିଂସାର ଜବାବ ହିଂସାରେ ଦେବା ଲାଗି ଓ ସେମାନେ ଅଛନ୍ତି। ଯେତେବେଳେ ଫିଲ୍ମର କଥା ଆସୁଛି ସେତେବେଳେ ଏହି ବିବାଦଗୁଡ଼ିକୁ ଏକ ପୃଷ୍ଠଭୂମି ଆକାରରେ ବ୍ୟବହାର କରାହୋଇଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବହୁ ଦିନ ପରେ ଏଭଳି ଏକ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଫିଲ୍ମ କରିବା ଓ ସେ ସମସ୍ତ ବିଷୟକୁ କେବଳ ସୂଚିତ କରିଦେଇ ଛାଡ଼ିଦେବା ଦ୍ଵାରା ଫିଲ୍ମ ନିଜର ସୃଜନଶୀଳତା ହରାଇଛି। ଏହା କେବଳ ଯେ ଉପକୂଳର ଦର୍ଶକଙ୍କ ମନୋରଞ୍ଜନ ପାଇଁ ତିଆରି ହୋଇଛି, ପୁଣି ବ୍ୟାବସାୟିକ ସଫଳତା ଲାଗି ଫିଲ୍ମ ହୋଇଛି ତାହା ସ୍ପଷ୍ଟ ହୋଇଯାଉଛି।

ଫିଲ୍ମର ପୃଷ୍ଠଭୂମି ହେଲା ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ। ପାଞ୍ଚଟି ପଞ୍ଚାୟତ ମଧ୍ୟରେ ରହୁଛନ୍ତି ୨୫,୦୦୦ ଲୋକ। ସମୁଦାୟ ଲୋକଙ୍କ ଭିତରୁ ୮୦ ପ୍ରତିଶତ ଆଦିବାସୀ। ବାଲିମେଳା ଡ୍ୟାମ ତିଆରି ହେବା ପରେ ଏହି ବିଚ୍ଛିନ୍ନାଞ୍ଚଳର ସୃଷ୍ଟି। ଏହାର ଓଡ଼ିଶା ପଟକୁ ଅର୍ଥାତ ମାଲକାନଗିରି ସହର ବା ଚିତ୍ରକୋଣ୍ଡା ବଜାରକୁ ଆସିବାକୁ ହେଲେ ଜଳଭାଗ ରହିଛି। ଏହାର ଗୋଟିଏ ପଟ ଆନ୍ଧ୍ର ପ୍ରଦେଶ ଓ ଅନ୍ୟ ଏକ ଭାଗ ଛତିଶଗଡ଼କୁ ଲାଗିଛି। ସ୍ଥାନୀୟ ଲୋକେ ଏହି ଦୁଇ ପ୍ରଦେଶ ଉପରେ ନିଜର ଆବଶ୍ୟକୀୟ ଜିନିଷ ଲାଗି ଅଧିକ ନିର୍ଭର କାରଣ ଓଡ଼ିଶା ପଟକୁ କୌଣସି ସୁବିଧା କରାଯାଇନାହିଁ। ଆଜି କି ପଚାଶ ବର୍ଷ ହେଲା ଏହି ବିରାଟ ଟାପୁ ଅଞ୍ଚଳରେ ରହିଆସୁଥିବା ଏକ ବିରାଟ ସଂଖ୍ୟକ ଲୋକଙ୍କୁ କେବେ ମଣିଷ ଭଳି ବ୍ୟବହାର ମଧ୍ୟ କରାଯାଇନାହିଁ। ସେମାନଙ୍କ ଦାବିକୁ କେବେ ଶୁଣାଯାଇନାହିଁ। ଏଥିଲାଗି ବିଚ୍ଛିନ୍ନାଞ୍ଚଳର ଲୋକେ ଡ୍ୟାମ ଭିତରେ ରହି ବି ପିଇବା ପାଣି ଲାଗି ଡହକବିକଳ ହୋଇଛନ୍ତି। ଟ୍ୟୁବ ୱେଲ କାମ କରେ ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ସ୍କୁଲ ନଥିବା କାରଣରୁ ସାକ୍ଷରତା ହାର ଦଶ ପ୍ରତିଶତରୁ କମ ହେବ। ସେହି ବିଚ୍ଛିନ୍ନାଞ୍ଚଳ ମଧ୍ୟରେ ଏକ ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଜାନବାଇଠାରେ ଅବସ୍ଥିତ। ଏଠାରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ କେବେ ନିଯୁକ୍ତ ହୋଇଥିଲେ କି ନାହିଁ କାରଣ ଏଠାରେ ସର୍ବଦା ତାଲା ଝୁଲୁଥାଏ। ଏହା ହେଲା ବାସ୍ତବତା।

ଫିଲ୍ମଟି ଯେତେ ନିରପେକ୍ଷ ହେବାକୁ ଚାହିଁଲେ ବି ନିରପେକ୍ଷ ନୁହେଁ। ଏହା ଏକ ପକ୍ଷ ରଖି ନିଜର କଥା ରଖୁଛି। ମ୍ୟାଲେରିଆରୁ ମୁକ୍ତି ଲାଗି ମଶାରୀ ବାଣ୍ଟିବା ସରକାରଙ୍କ ପ୍ରାଥମିକ କାର୍ଯ୍ୟକ୍ରମ ନଥିଲା। ବରଂ ମାଓବାଦୀ ନାମରେ ଗଲା ଦଶ ବର୍ଷ ହେଲା ଲୋକଙ୍କ ଉପରେ ଦମନ କରିବା ଓ ଏହି ମାଧ୍ୟମରେ ନିଜର ସମଗ୍ର ଅବହେଳାକୁ ଲୁଚାଇବା ଉଦ୍ଦେଶ୍ୟ ରହିଆସିଛି। ଯାହା କୁହାଯାଉଛି ମଶାଙ୍କ ଦମନ ନାମରୁ ଫିଲ୍ମ ନିର୍ମାତା ଏହାର ନାମକରଣ ‘ଦମନ’ କରିଛନ୍ତି ସେ ଭଳି ନୁହେଁ। ଏଥିଲାଗି ସେ ଅନ୍ୟ କୌଣସି ସ୍ଥାନ ହୁଏତ ବାଛିପାରିଥାନ୍ତେ। ଓଡ଼ିଶାରେ ଗମନାଗମନ ସୁବିଧା ନଥିବା ସ୍ଥାନର ଅଭାବ ନାହିଁ ଓ ସ୍ୱାସ୍ଥ୍ୟର ଅବହେଳା ହୋଇ ପ୍ରାଣ ଦେବା ଘଟଣା ଅନ୍ୟ ଜିଲ୍ଲାମାନଙ୍କରେ କମ ହେଉନାହିଁ! ଅଥଚ ସେ ଜାନବାଇ କାହିଁକି ବାଛିଲେ? ତେଣୁ ନିଶ୍ଚିତ ରୂପେ ଏକ ପକ୍ଷ ରଖୁଛନ୍ତି। ନିଜର ପକ୍ଷଟି କ’ଣ?

ସତ ହେଲା ଯେ ସେ ସମୟରେ ଡାକ୍ତର ଓମକାର ହୋତା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପପଲୁର ପଞ୍ଚାୟତରେ ଯୋଗଦେଇଥିଲେ। ବିଚ୍ଛିନ୍ନାଞ୍ଚଳ ବାହାରେ ନିଯୁକ୍ତ ହୋଇଥିଲେ, ଫିଲ୍ମର କାହାଣୀ ଅନୁସାରେ ଜାନବାଇଠାରେ (ବିଚ୍ଛିନ୍ନାଞ୍ଚଳ ଭିତରେ) ନୁହେଁ। ପ୍ରକୃତ ଘଟଣା ଘଟିଥିଲା ପପଲୁର ପଞ୍ଚାୟତରେ, ଜାନବାଇଠାରେ ନୁହେଁ। କିନ୍ତୁ ଫିଲ୍ମକୁ ଅଧିକ ରୋଚକ ଓ ଚାଞ୍ଚଲ୍ୟ କରିବା ଉଦ୍ଦେଶ୍ୟରେ ଫିଲ୍ମଟିର ନିର୍ମାତା ନିର୍ଦ୍ଦେଶକ ଜାନବାଇ ସ୍ଥାନକୁ ବାଛିଛନ୍ତି। ଏହା ଏଇଥି ପାଇଁ ଯେ ଏଠାରେ ମାଓବାଦୀ ଓ ସରକାରଙ୍କ ମଧ୍ୟରେ ଏକ ସିଧା ଲଢ଼େଇ ଚାଲିଛି। ଏହି ଲଢ଼େଇରେ ସାମିଲ ନହୋଇ ବି ବିଚ୍ଛିନ୍ନାଞ୍ଚଳର ୨୫,୦୦୦ ଲୋକ ସର୍ବଦା ଭୟ ଓ ଅବିଶ୍ଵାସ ମଧ୍ୟରେ ବଞ୍ଚିଆସିଛନ୍ତି।

ସପ୍ତାହକୁ ଥରେ (ହାଟ ଦିନରେ) ସରକାରଙ୍କ ତରଫରୁ ଚିତ୍ରକୋଣ୍ଡାରୁ ଯାତ୍ରୀବାହୀ ଲଞ୍ଚ ଜାନବାଇ ପର୍ଯ୍ୟନ୍ତ ଯାଏ। ଗମନାଗମନ କହିଲେ ସେତିକି। ଲୋକେ ଅସୁସ୍ଥ ହେଲେ ବାକି ଦିନରେ ଗାଁ ଲୋକେ ଛୋଟ ଡଙ୍ଗାରେ ଚିତ୍ରକୋଣ୍ଡା ଆଣନ୍ତି। ଯଦି ଡାକ୍ତରଖାନା ପହଞ୍ଚିଲା ତ ପହଞ୍ଚିଲା ବାଟରେ ମରିଗଲେ ଗ୍ରାମବାସୀ ସେହି ପାହାଡ଼ରେ ଜାଳିଦେଇ ଚାଲିଯା’ନ୍ତି। ଏହି ପକ୍ଷ ସର୍ବଦା ରାଲି ଓ ଧାରଣା ମାଧ୍ୟମରେ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟାକୁ ସରକାରଙ୍କ ସାମ୍ନାରେ ରଖିଆସିଛନ୍ତି। ନିକଟରେ ଅଗଷ୍ଟ ମାସରେ (୨୦୨୨) ଏପରି ଏକ ରାଲିରେ ଆସି ସେମାନେ ଅଞ୍ଚଳରେ ଡାକ୍ତର, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ଲାଗି ଦାବିପତ୍ର ଦେବା ଖବରକାଗଜରେ ପ୍ରକାଶ ହୁଏ।

ବାସ୍ତବତା ହେଲା ଯେ ଡାକ୍ତର ହୋତା ଚିତ୍ରକୋଣ୍ଡା ନିକଟସ୍ଥ ପପଲୁର ପଞ୍ଚାୟତର ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଲାଗି ତତ୍ପରତା ଦେଖାଇଛନ୍ତି। କିନ୍ତୁ ଅସୁସ୍ଥ ମହିଳା ଜଣକ ଆଦୌ ପୁଲିସ ସୂଚନାଦାତାଙ୍କ ସ୍ତ୍ରୀ ନଥିଲେ ଯାହା ଫିଲ୍ମରେ ଦେଖାଯାଇଛି। ଫିଲ୍ମଟିକୁ ଅଧିକ ରୋଚକ କରିବା ଲାଗି ପପଲୁର ବଦଳରେ ଯେମିତି ଜାନବାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଛାଯାଇଛି ସେମିତି ଗର୍ଭବତୀ ମହିଳାଙ୍କୁ ସୂଚନାଦାତାଙ୍କ ପତ୍ନୀ ଭାବରେ ଦର୍ଶାଯାଇଛି। ଫିଲ୍ମ ନିର୍ମାତା ଏଠାରେ ନିଜକୁ କେବଳ ସରକାରୀ ପକ୍ଷରେ ରଖି ଫିଲ୍ମକୁ ନିର୍ମାଣ କରିଛନ୍ତି।

ଏ କଥା ସତ ଯେ ୩୩ ବର୍ଷୀୟ ଡାକ୍ତର ହୋତା ଖବର ପାଇ ଗାଁକୁ ଯିବା, ସେହି ଭିତରେ ଅନ୍ୟ ଗ୍ରାମବାସୀ ଡାକ୍ତରଖାନାକୁ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆଣୁଥିବା ସମୟରେ ଡାକ୍ତର ନିଜର କାନ୍ଧ ଲଗାଇବା ଘଟଣା ହୋଇଛି। କୌଣସି ଗ୍ରାମବାସୀ ଯେ ମହିଳାଙ୍କୁ ସହଯୋଗ କରିନଥିଲେ, ଫିଲ୍ମ ଅନୁସାରେ, ତାହା ହୋଇନାହିଁ। ମାନବିକତା ପ୍ରତ୍ୟେକ ମଣିଷର ସହଜାତ ଗୁଣ। ଦୁର୍ଦ୍ଦିନ ସମୟରେ ଅନ୍ୟ ମଣିଷକୁ ସାହାଯ୍ୟ କରିବା ଏହା ସବୁ ମଣିଷର ସହଜାତ ପ୍ରବୃତ୍ତି। ଏହା ହିଁ ମାନବିକତା ଯାହା ଡାକ୍ତର ହୋତା ପ୍ରକୃତରେ ସେ ସମୟରେ ଦେଖାଇଛନ୍ତି। ଆମକୁ ଏହା ଅସ୍ଵାଭାବିକ ଲାଗୁଛି କାରଣ ଆମେ ଆମ ଚାରିପାଖରେ ଅନେକ କ୍ଷମତା ରାଜନୀତି କରୁଥିବା ନେତା, ବେଶ କିଛି ଏନଜିଓ କର୍ମୀ, ଧାର୍ମିକ ସଂଗଠକ/ପ୍ରଚାରକ ଓ ବୁଦ୍ଧିଜୀବୀଙ୍କୁ ଦେଖୁଛୁ ଯେଉଁମାନେ ମାନବିକତା ନାମରେ ନିଜର ବ୍ୟବସାୟ କରୁଛନ୍ତି। ଅନୁଷ୍ଠାନଗୁଡ଼ିକ ମଣିଷ ଭିତରେ ରହିଥିବା ସ୍ଵାଭାବିକ ଗୁଣ ଯଥା ଭଲ ପାଇବାକୁ ମାରିଦେଉଥିବା ହେତୁ ଆମେ ଅସ୍ୱାଭାବିକ ମଣିଷମାନଙ୍କୁ ବହୁ ସମୟରେ ଦେଖୁଛୁ। ଉଚ୍ଚ ମଧ୍ୟବିତ୍ତ, ମଧ୍ୟବିତ୍ତ ବର୍ଗ ମଧ୍ୟରେ ସେହି ହୃଦୟପଣ ଆଜି ବିରଳ ହୋଇଯାଉଥିବା ହେତୁ ଆମକୁ ଏହା ଅସ୍ଵାଭାବିକ ଲାଗୁଛି।

ବିଚ୍ଛିନ୍ନାଞ୍ଚଳରେ ରହିଆସୁଥିବା ଜନସାଧାରଣଙ୍କ ପ୍ରତିଦିନର ସକାଳ ଉଭୟ ମାଓବାଦୀ ଓ ବିଏସଏଫ ବାହିନୀର ବନ୍ଧୁକ ମଧ୍ୟରେ ଅନେକ ପ୍ରତିଶୃତି ଓ ମୃତ୍ୟୁର ଭୟ ଭିତରେ ଆରମ୍ଭ ହୁଏ। ଆଜକୁ ପଚାଶ ବର୍ଷ ତଳେ ସେହି ବିଚ୍ଛିନ୍ନାଞ୍ଚଳର ଆଦିବାସୀମାନେ ଡ୍ୟାମ ବିରୁଦ୍ଧରେ ଯେଉଁ ପ୍ରତିବାଦ କରିଥିଲେ ସେତେବେଳେ ସରକାର ସେମାନଙ୍କ ଦାବିକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ଥିଲା। ବିଶେଷକରି ଗଲା ଦଶ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଘଟିଥିବା ଦମନ, ଏନକାଉଣ୍ଟର, ଗିରଫ, ହରଣଚାଳ ଓ ସମସ୍ତ ହତ୍ୟା ବିପକ୍ଷରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦାବି, ପ୍ରତିବାଦ, ରାଲି ପ୍ରତି ସରକାର ଆଦୌ ଗୁରୁତ୍ଵ ଦେଇନାହାନ୍ତି। ସମଗ୍ର ଆଦିବାସୀ ଅଞ୍ଚଳ ଉପନିବେଶ ଭାବରେ ରହିଯାଇଛି। ରାଜ୍ୟ ସରକାର ଫିଲ୍ମକୁ ଟିକସ ଫ୍ରୀ କରିବା ପଛରେ ହୁଏତ ଉଦ୍ଦେଶ୍ୟ ରହିଛି ଯେ ଲୋକେ ଏକ ଭଲ ଫିଲ୍ମ ଦେଖିବାକୁ ସୁଯୋଗ ପା’ନ୍ତୁ ଓ ସମସ୍ତ ସରକାରୀ ଅଫିସର ଉକ୍ତ ଡାକ୍ତରଙ୍କ ମାନବିକତା ଦ୍ଵାରା ପ୍ରଭାବିତ ହୁଅନ୍ତୁ। କିନ୍ତୁ ସେହି ମାନବିକତା ଦ୍ଵାରା ରାଜ୍ୟ ସରକାର ନିଜେ କାହିଁକି ପ୍ରଭାବିତ ହେଲେନାହିଁ?

ଅନେକ ମାନବିକ ଅଧିକାର କର୍ମୀ, ବିଭିନ୍ନ ରାଜନୈତିକ ଦଳର ସଦସ୍ୟ, ଲେଖକ, କବି ଓ ବୃତ୍ତଚିତ୍ର ନିର୍ମାତା ଦୀର୍ଘ ପଚାଶ ବର୍ଷ ହେଲା ବିଚ୍ଛିନ୍ନାଞ୍ଚଳର ଦୁର୍ଦ୍ଦଶା ପ୍ରତି ଧ୍ୟାନ ଦେବା ଲାଗି ବାରମ୍ବାର ସରକାରଙ୍କୁ ଦାବି କରିବା ସତ୍ତ୍ୱେ ପରିସ୍ଥିତିରେ ଉନ୍ନତି ଆସିପାରିନାହିଁ। କିନ୍ତୁ ‘ଦମନ’ ସରକାରଙ୍କ ଦୀର୍ଘ ଅବହେଳା ଅପେକ୍ଷା ଡାକ୍ତରଙ୍କୁ ଏକ ହିରୋ କରିଦେଇଛି। ଅନେକ ମସାଲା, ହସ, ଜୋକ ଭିତରେ ଲୋକଙ୍କ ପ୍ରତି ହୋଇଥିବା ଦୀର୍ଘ ଅବହେଳା ଆଦୌ ଚର୍ଚ୍ଚାରେ ରହୁନାହିଁ। ଗୁଣିଗାରେଡ଼ିକୁ ଫିଲ୍ମ ଯେଉଁଭଳି ଗୁରୁତ୍ଵ ଦେଇଛି ତାହା ପ୍ରକୃତ ସମସ୍ୟା ନୁହେଁ। ଯେହେତୁ ନିକଟରେ ଡାକ୍ତର ନାହାନ୍ତି ତେଣୁ ଲୋକେ ଚେରମୂଳି ଦେଉଥିବା ଡାକ୍ତର ଉପରେ ନିର୍ଭରଶୀଳ। ଚେରମୂଳି ଦ୍ଵାରା କେତେକ ରୋଗ ଭଲ ହୋଇଯାଏ ଓ କେତେକ ରହିଯାଏ। ଗୁଣି ଭଳି ଅନ୍ଧବିଶ୍ଵାସ ଉପକୂଳ ଅଞ୍ଚଳରେ ବି ରହିଛି। ତାହା ନହୋଇଥିଲେ ଠାକୁରାଣୀଙ୍କ ନିକଟରେ ମାନସିକ କରିବା ଓ ବଳି ଦେବା ପ୍ରଥା କେବେଠାରୁ ବନ୍ଦ ହୋଇସାରିଥା’ନ୍ତା। କିନ୍ତୁ ପରିବର୍ତ୍ତନ ଆସୁଛି। ଯେଉଁ ଗତିରେ ଆସିବା କଥା ତାହା ହେଉନାହିଁ। ଏବେ ନୈତିକ ପୁଲିସମାନଙ୍କ ଆବିର୍ଭାବ ପରେ ସେହି ପରିବର୍ତ୍ତନ ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ଉଭୟ ଉପକୂଳ ଓ ଆଦିବାସୀ ଅଞ୍ଚଳରେ ରହିଛି।

ଗଣମାଧ୍ୟାମ ଓ ସରକାରଙ୍କ ଦ୍ଵାରା ବିଚ୍ଛିନ୍ନାଞ୍ଚଳ ସମ୍ପର୍କରେ ଯେଉଁ ବର୍ଣ୍ଣନା ‘ନକ୍ସଲାଇଟ’, ‘ମାଓବାଦୀ’, ‘ହିଂସା’ ସମ୍ପର୍କରେ କରିଆସିଛନ୍ତି ତାହାକୁ ହିଁ ନିଜର ପୃଷ୍ଠଭୂମି କରିଦେଇଛି। ସେହି ପୃଷ୍ଠଭୂମୀରେ ଡାକ୍ତରଙ୍କ ମାନସିକ ପରିବର୍ତ୍ତନ ଓ ମହାନତାକୁ ଦେଖାଇଛି। ସରକାରଙ୍କ ମଶାରୀ ବାଣ୍ଟିବା କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦିଆଯାଇଛି। ଲାଗୁଛି ଯେମିତି ଏହା ହେଉଛି ଲୋକ ସମ୍ପର୍କ ବିଭାଗର ଏକ ଫିଲ୍ମ। ଡାକ୍ତର ହୋତାଙ୍କ ସେହି ସମୟର ମାନବିକତା ଆଜି ଓଡ଼ିଆ ଫିଲ୍ମ ଦମନରେ ‘ନିଖୁଣ ଅଭିନୟ’, ‘ସଠିକ ନିର୍ଦ୍ଦେଶନା’, ‘ଉପଯୁକ୍ତ ପ୍ରଯୋଜନା’ ଓ ‘ଉନ୍ନତ ସଂଳାପ’ ମଧ୍ୟରେ ‘ବକ୍ସ ଅଫିସ ହିଟ’ ଓ ‘ଭଲ ବ୍ୟବସାୟ’ କରିପାରିଥିବାର ସୂଚନା ଦିଆଯାଉଛି।

ଆଜକୁ ପଚାଶ ବର୍ଷ ତଳେ ସେହି ବିଚ୍ଛିନ୍ନାଞ୍ଚଳର ଆଦିବାସୀମାନେ ଡ୍ୟାମ ବିରୁଦ୍ଧରେ ଯେଉଁ ପ୍ରତିବାଦ କରିଥିଲେ ସେତେବେଳେ ସେମାନଙ୍କ ଲାଗି ଅକୁଣ୍ଠ ସମର୍ଥନ ନାଗରିକ ସମାଜଠାରୁ ଆବଶ୍ୟକ ଥିଲା। ବିଶେଷକରି ଗଲା ଦଶ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଘଟିଥିବା ଦମନ, ଏନକାଉଣ୍ଟର, ଗିରଫ, ହରଣଚାଳ ଓ ସମସ୍ତ ହତ୍ୟା ବିପକ୍ଷରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦାବି, ପ୍ରତିବାଦ, ରାଲି, ଧାରଣା ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ ସମୟରେ ନାଗରିକ ସମାଜର ସମର୍ଥନ ଆବଶ୍ୟକ ଥିଲା। ଏହି ନାଗରିକ ସମାଜରେ ମଧ୍ୟ ଆସୁଛନ୍ତି ‘ଦମନ’ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ, ଅଭିନେତା ସମସ୍ତେ। ସେମାନେ ଯେ ବିଚ୍ଛିନ୍ନାଞ୍ଚଳର ସମସ୍ୟା ବିଷୟରେ ପୂର୍ବରୁ ଅବଗତ ନଥିଲେ ନୁହେଁ। ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ସ୍ଵାସ୍ଥ୍ୟଗତ ଅବହେଳା ହିଁ ନିର୍ଦ୍ଦେଶକ-ପ୍ରଯୋଜକଙ୍କୁ ଅଦ୍ଭୁତ ସଫଳତା ଆଣିଦେଇଛି। ଏହା ପ୍ରଯୋଜକଙ୍କ ଲାଗି ଆଉ ପଚାଶ ଫିଲ୍ମ ନିର୍ମାଣର ଅର୍ଥ ଏକାଠି କରିଦେଇପାରେ।

ଅବହେଳା ହିଁ ସତ୍ୟ। ସତ୍ୟରୁ ଲାଭ। ଲାଭ ପାଇଁ ଇଣ୍ଡଷ୍ଟ୍ରି। ଇଣ୍ଡଷ୍ଟ୍ରି କେବେ ମାନବିକତାକୁ ଆଧାର କରି ତିଷ୍ଠି ପାରି ନାହିଁ। ମାନବିକତା ସର୍ବଦା ବାସ୍ତବତାରୁ ଜନ୍ମ ନେଇଥାଏ। ବାସ୍ତବତାକୁ ବ୍ୟାବସାୟିକ ଫିଲ୍ମନିର୍ମାତା ପସନ୍ଦ କରନ୍ତି ନାହିଁ। ଏହା ପୁଣିଥରେ ପ୍ରମାଣିତ ହେଉଛି।

(ଲେଖକ ଜଣେ ପ୍ରାମାଣିକ ଚିତ୍ର ନିର୍ମାତା। ଏହା ତାଙ୍କର ବ୍ୟକ୍ତିଗତ ମତ।)

ଫୋନ: ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read