ପାଇଖାନାରେ ବିତୁଛି ଜୀବନ

କୋଇଡ଼ା(ସୁନୀଲ ପଣ୍ଡା): ପାଇଖାନାରେ ବିତୁଛି ଦିନ। ମାସେ କି ଦୁଇ ମାସେ ନୁହେଁ, ୨ ବର୍ଷରୁ ଅଧିକ ସମୟ ହେବ ଏମିତି କଟୁଛି ଜୀବନ। ବର୍ଷା ହେଲେ ପାଣି ଛିଞ୍ଚଡ଼ା ପଡ଼ୁଛି। ହେଲେ ନାଚାର, ଏହା ଭିତରେ ଠିଆ ଠିଆ କଟୁଛି ରାତି। ତିନି ହାତ ଚାଖଣ୍ଡକ ଶରୀର ଶୋଇଲେ ଏହା ଭିତରେ ଜାଗା ଧରୁନି। ତଥାପି ଜାକିଜୁକି ହୋଇ ବସି ଯାଉଛନ୍ତି। ମଶା ସାଉଁ ସାଉଁ ହେଉଛନ୍ତି, ଦେହ କାଲୁଆ ପଡ଼ି ଯାଉଛି, ହେଲେ ଆଉ […]

paikhana

paikhana

Niranjan Mishra
  • Published: Friday, 25 November 2022
  • Updated: 25 November 2022, 05:40 PM IST

Sports

Latest News

କୋଇଡ଼ା(ସୁନୀଲ ପଣ୍ଡା): ପାଇଖାନାରେ ବିତୁଛି ଦିନ। ମାସେ କି ଦୁଇ ମାସେ ନୁହେଁ, ୨ ବର୍ଷରୁ ଅଧିକ ସମୟ ହେବ ଏମିତି କଟୁଛି ଜୀବନ। ବର୍ଷା ହେଲେ ପାଣି ଛିଞ୍ଚଡ଼ା ପଡ଼ୁଛି। ହେଲେ ନାଚାର, ଏହା ଭିତରେ ଠିଆ ଠିଆ କଟୁଛି ରାତି। ତିନି ହାତ ଚାଖଣ୍ଡକ ଶରୀର ଶୋଇଲେ ଏହା ଭିତରେ ଜାଗା ଧରୁନି। ତଥାପି ଜାକିଜୁକି ହୋଇ ବସି ଯାଉଛନ୍ତି। ମଶା ସାଉଁ ସାଉଁ ହେଉଛନ୍ତି, ଦେହ କାଲୁଆ ପଡ଼ି ଯାଉଛି, ହେଲେ ଆଉ ଅନ୍ୟ ବାଟ ନାହିଁ। ଏହାରି ଭିତରେ କ୍ଲାନ୍ତ ହୋଇପଡ଼ିଥିବା ଶରୀର ଓ ଆଖିକୁ ବିଶ୍ରାମ ଦେଉଛନ୍ତି। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କଦମଢ଼ି ଗ୍ରାମର ୮୦ ବର୍ଷିୟ ତୁଳସୀ ମୁଣ୍ଡା ବେସାହାରା ହୋଇ ଏଭଳି ଦୁଃଖଦ ଜୀବନ କାଟୁଛନ୍ତି।

ଏନେଇ ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଜାଣିଥିଲେ ହେଁ ପଦକ୍ଷେପ ଶୂନ। ତେଣୁ ଗରିବି ହଟାଇବାକୁ ଓ ଲୋକଙ୍କ ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ଯୋଜନା କରି ସୁରକ୍ଷା ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବା ସରକାରଙ୍କ ଲକ୍ଷ୍ୟ ପୁଣି ଦିଗହୀନ ବୋଲି ପ୍ରମାଣିତ ହୋଇଛି।

ତୁଳସୀ କହିଛନ୍ତି, ସ୍ୱାମୀ ଆର ପାରିକୁ ଚାଲିଯିବା ପରେ ସେ ଏକେଲା ହୋଇଯାଇଛନ୍ତି। ପିଲା ଛୁଆ କେହି ନାହାନ୍ତି। ମାଟି ଘର ଭାଙ୍ଗି ଗଲା। ଏହାକୁ ସଜାଡ଼ିବାକୁ ତାଙ୍କ ପାଖରେ ଆବଶ୍ୟକ ଟଙ୍କା ନାହିଁ। ତେଣୁ ଅନ୍ୟବାଟ ନ ପାଇ ସେହି ଦିନରୁ ସେ ଘର ପଛପଟ ବାଡ଼ିରେ ହୋଇବା ପାଇଖାନା ଘରେ ରହୁଛନ୍ତି। ତାଙ୍କ ପାଖରେ ରାଶନ କାର୍ଡ ରହିଛି। ଏଥିରେ ମାସକୁ ୫ କେଜି ଚାଉଳ ମିଳୁଛି। ଏହାକୁ ଅଳ୍ପ ଅଳ୍ପ ରାନ୍ଧି ଖାଉଛନ୍ତି। ଭତ୍ତା ଯୋଜନାରେ ମିଳୁଥିବା ୫ଶହ ଟଙ୍କାରେ ଆବଶ୍ୟକ ଡାଲି, ତେଲ, ଲୁଣ କିଣୁଛନ୍ତି। ଘର ତୋଳିବାକୁ ଆବଶ୍ୟକ ଅର୍ଥ ନ ଥିବାରୁ ବାଧ୍ୟ ହୋଇ ପାଇଖାନା ଘରେ ଦିନ କାଟୁଛନ୍ତି।

[caption id="attachment_784309" align="alignnone" width="650"] ୮୦ ବର୍ଷିୟ ତୁଳସୀ ମୁଣ୍ଡା[/caption]

ସ୍ଥାନୀୟ ଗ୍ରାମବାସୀ କହିଛନ୍ତି, ପ୍ରାୟ ୭ ବର୍ଷ ତଳେ ଏହି ମହିଳାଙ୍କ ସ୍ୱାମୀ ମାରି ଯାଇଥିଲେ। ସେବେଠାରୁ ସେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତାଙ୍କୁ ଆବଶ୍ୟକ ସମୟରେ ସେମାନେ ଅଳ୍ପ ବହୁତ ସାହାଯ୍ୟ କରୁଛନ୍ତି। ହେଲେ ଘର କରିବାକୁ ଲକ୍ଷାଧିକ ଟଙ୍କା ଆବଶ୍ୟକ। ମହିଳା ଜଣକ ଗରିବ। ତାଙ୍କୁ ସରକାର ପକ୍କାଘର ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେଇପାରନ୍ତେ। ତେବେ ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଉନି। ପକ୍କାଘରଟିଏ ହୋଇପାରିଲେ, ସେ ଜୀବନର ଶେଷ ସମୟତକ ଏହି ଘରେ କାଟି ପାରନ୍ତେ। ଘର ନ ଥିବାରୁ ମହିଳା ଜଣକ ବର୍ଷା, ଶୀତ, ଖରାଦିନେ ଦହଗଞ୍ଜ ହେଉଛନ୍ତି। ପାଇଖାନାରେ ରହୁଛନ୍ତି, ନଚେତ୍ ଲୋକଙ୍କ ବାରଣ୍ଡାରେ ରାତି କାଟୁଛନ୍ତି। ଆବଶ୍ୟକ ଅର୍ଥ ନ ଥିବାରୁ ରୋଗ ହେଲେ ଆବଶ୍ୟକ ଔଷଧ ମଧ୍ୟ କିଣିପାରୁନାହାନ୍ତି। ତାଙ୍କ ଦେଖାରଖା କରିବାକୁ କେହିନାହିଁ। ପ୍ରଶାସନିକ ଅଧିକାରୀ ତୁରନ୍ତ ଏହି ଗରିବ ମହିଳାଙ୍କୁ ସହାୟତା କରିବାକୁ କିମ୍ବା ଉଦ୍ଧାର କରି କୌଣସି ସୁରକ୍ଷିତ ସ୍ଥାନରେ ଥଇଥାନ କରିବାକୁ ପଦକ୍ଷେପ ନେଉ ବୋଲି ଗ୍ରାମବାସୀମାନେ ମତ ପ୍ରକାଶ କରିଛନ୍ତି।

ତେବେ ଏନେଇ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read