ପଦ୍ମପୁରରେ ପ୍ରଚାର: ନବୀନଙ୍କୁ ବାଜି ଲଗାଇବ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ନିଜର ଷ୍ଟାର ପ୍ରଚାରକ ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଲାଗି ରହିଛି । ପଦ୍ମପୁରରେ ଅନେକ ସ୍ଥାନୀୟ ପ୍ରସଙ୍ଗକୁ ନେଇ ପୂର୍ବରୁ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଥିବାବେଳେ ଏବେ ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଓ ବଳ କଷାକଷି ଚରମସୀମାରେ […]

cmo

cmo

Ordigital Desk
  • Published: Tuesday, 29 November 2022
  • Updated: 29 November 2022, 11:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ନିଜର ଷ୍ଟାର ପ୍ରଚାରକ ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଲାଗି ରହିଛି । ପଦ୍ମପୁରରେ ଅନେକ ସ୍ଥାନୀୟ ପ୍ରସଙ୍ଗକୁ ନେଇ ପୂର୍ବରୁ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଥିବାବେଳେ ଏବେ ଉପନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ଓ ବଳ କଷାକଷି ଚରମସୀମାରେ ପହଂଚିଛି । ଆଉ ଏସବୁ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଡିସେମ୍ବର ୨ ତାରିଖରେ ପଦ୍ମପୁରରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚାର ପାଇଁ ଓହ୍ଲାଇବାକୁ ବିଜେଡି ନିଷ୍ପତ୍ତି ନେଇଛି । ତେବେ ପଦ୍ମପୁରରେ ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିବାରୁ ଦଳର ଏକମାତ୍ର ଟ୍ରମ୍ପ କାର୍ଡ ‘ନବୀନ’ଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରଚାର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସବୁପ୍ରକାରର ଅଙ୍କ କଷୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଆଜିଠୁ କ୍ରମାଗତ ୩ଦିନ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ଓ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ପକ୍ଷରୁ ୨କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ନେଇ ଜୋରଦାର ଢଙ୍ଗରେ ନିର୍ବାଚନୀ ପ୍ରଚାର ଚାଲିଥିବାବେଳେ ବିଜେଡି ନିଜର ୧୫ ମନ୍ତ୍ରୀ ଓ ପ୍ରାୟ ୪୦ରୁ ଅଧିକ ବିଧାୟକଙ୍କ ସମେତ ଶତାଧିକ ରାଜ୍ୟସ୍ତରୀୟ ନେତାଙ୍କୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛି । ତଥାପି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଅନ୍ୟ ଜାତିରେ ବିବାହ କରିବାକୁ ନେଇ ତାଙ୍କ ନିଜ ଜାତି ‘ବିଂଝାର ସମାଜ’ରେ ଅସନ୍ତୋଷ ବଳବତ୍ତର ଥିବା, ଉପକୂଳ ଓଡ଼ିଶାରେ ବିବାହ କରିଥିବାରୁ ତାଙ୍କୁ ବିଦେଶିନୀ ବୋଲି ଅଭିହିତ କରାଯିବା ଆଦି ପ୍ରସଙ୍ଗ ସମେତ ଚାଷୀ ଆନ୍ଦୋଳନ ଓ ଜିଲ୍ଲା ଦାବି ପ୍ରସଙ୍ଗକୁ ନେଇ ସାଧାରଣ ଲୋକେ ଏବେବି ଶାସକ ବିଜେଡିକୁ ଭରସାକୁ ନେଇପାରୁନଥିବା ଜଣାପଡ଼ିଛି । ଆଉ ଏସବୁ ଭିତରେ ବିଜେଡି ନିଜର ଟ୍ରମ୍ପ କାର୍ଡ ‘ନବୀନ’ଙ୍କୁ ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିବା ଦଳ ପାଇଁ ବିଶେଷ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି । ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନବୀନ ଆସନ୍ତା ୨ତାରିଖରେ ପଦ୍ମପୁରରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ । ପଦମପୁର, ପାଇକମାଳ ଓ ଝାରବନ୍ଧରେ ତାଙ୍କର ନିର୍ବାଚନୀ ସଭା ଓ ରୋଡ୍ ଶୋ’ର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ନବୀନଙ୍କ ରୋଡ୍ ଶୋ’ ରେ ଉପଯୋଗ ହେଉଥିବା ସ୍ୱତନ୍ତ୍ର ବସ୍ ଆସନ୍ତାକାଲି ସୁଦ୍ଧା ବରଗଡ଼ରେ ପହଂଚିବ ବୋଲି ସୂଚନା ମିଳିଛି । ତେବେ ନବୀନଙ୍କୁ ୨୦୧୯ ଅକ୍ଟୋବର ବିଜେପୁର ଉପନିର୍ବାଚନ ପରଠୁ ପ୍ରତ୍ୟକ୍ଷ ପ୍ରଚାରରେ ଓହ୍ଲାଉ ନଥିବା ବିଜେଡି କାହିଁକି ପଦ୍ମପୁରରେ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବ ତାକୁ ନେଇ ଦଳ ଭିତରେ ବିଭେଦ ଲାଗି ରହିଥିବା ଜଣାପଡ଼ିଛି।

୧- ଯଦି ନବୀନଙ୍କୁ ବିଜେଡି ପଦ୍ମପୁର ଉପନିର୍ବାଚନରେ ପ୍ରଚାରକୁ ଓହ୍ଲାଇବ, ତା’ହେଲେ ସେ ପ୍ରାୟ ୩ବର୍ଷ ପରେ କୌଣସି ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ପ୍ରଚାରକୁ ଓହ୍ଲାଇବେ ।

୨- ବିଜେଡିର ଏକମାତ୍ର ଭରସା ଓ ଚେହେରା ହେଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କୁ ଦଳ ପଦ୍ମପୁର ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇ ଯଦି ଦଳୀୟ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନକୁ ଅତିକମରେ ୧୦ରୁ ୧୫ହଜାର ମଧ୍ୟରେ ନରଖି ପାରିଲା,ତେବେ ତା’ର ଦୂରଗାମୀ ପ୍ରତିକୂଳ ପ୍ରଭାବ ଦଳ ଉପରେ ପଡ଼ିପାରେ ।

୩- ପଦ୍ମପୁରର ନିର୍ବାଚନୀ ଇତିହାସ କହୁଛି ଯେ, ୨୦୦୦ ମସିହା ପରଠୁ କୌଣସି ଗୋଟିଏ ଦଳ କ୍ରମାଗତ ଭାବେ ନିର୍ବାଚନ ଜିତିବାରେ ସକ୍ଷମ ହୋଇନି । ୩ ଦଳ ଯଥା-କଂଗ୍ରେସ,ବିଜେପି ଓ ବିଜେଡିକୁ ୨୦୦୦ ମସିହା ପରଠୁ ପଦ୍ମପୁରବାସୀ ନିର୍ବାଚିତ କରିବାର ସୁଯୋଗ ଦେଇଛନ୍ତି ।

୪- ନବୀନଙ୍କୁ ଓହ୍ଲାଇ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଚାହୁଁଥିବା ବିଜେଡି ଏବେ ନବୀନଙ୍କୁ ବାଜି ଲଗାଇ ଦେଇଛି । ଯଦିଓ ଏହି ଉପନିର୍ବାଚନର ଫଳାଫଳ, ଯାହାବି ହେବ ତାକୁ ମ୍ୟାନେଜ କରିବାର ସୁଯୋଗ ବିଜେଡି ପାଖରେ ରହିଛି । ତଥାପି ଦଳ ନିଜର ଟ୍ରମ୍ପ କାର୍ଡ ନବୀନଙ୍କୁ ବାଜି ଲଗାଇବାକୁ ପଛାଉ ନାହିଁ ।

୫- ଯଦି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିଜୟ ହୁଏ ଅବା ବିଜେଡି ପ୍ରାର୍ଥୀ ବର୍ଷା ସର୍ବାଧିକ ୫ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୁଅନ୍ତି, ତା’ହେଲେ ନବୀନଙ୍କ ଲୋକପ୍ରିୟତା ଛବି ଉପରେ ଏକ କଳାଦାଗ ଲାଗିବାର ସମ୍ଭାବନା ରହିଛି । କାରଣ ନବୀନଙ୍କ ବିନା ଓ ଶାସକ ଦଳର ୧୫ ମନ୍ତ୍ରୀ ଓ ୪୦ ବିଧାୟକଙ୍କ ଦିନରାତି ପରିଶ୍ରମ ବିନା ବି ସେଠାରେ ପୂର୍ବରୁ ବିଜେଡି ପ୍ରାର୍ଥୀ ପ୍ରାୟ ୬ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହେବାର ରେକର୍ଡ ରହିଛି ।

୬- ନବୀନଙ୍କ ପ୍ରଚାର ସତ୍ତ୍ୱେ ବିଜୟୀ ଭୋଟ୍ ବ୍ୟବଧାନ କମ୍ ରହିଲେ ତା’ର ପ୍ରତିକୂଳ ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବ । ଆଉ ବିଜେଡି ପାଇଁ ଏହା ସବୁଠୁ ବେଶୀ ମହଙ୍ଗା ସାବ୍ୟସ୍ତ ହେବ ତଥା ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍ ନିମ୍ନାଭିମୁଖୀର ପ୍ରମାଣ ବି ବିରୋଧୀ ଦଳକୁ ମିଳିଯିବ ।

୭- ଆଉ ଏଇ ସୁଯୋଗରେ ବିଜେଡିରେ ଅସନ୍ତୁଷ୍ଟ ଥିବା ନେତାମାନେ ବି ଧୀରେଧୀରେ ସ୍ୱର ଉଠାଇ ଦଳୀୟ ନେତୃତ୍ୱଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ପଛାଇବେ ନାହିଁ ।

୮- ନବୀନ ପୂର୍ବରୁ ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଓ ଧାମନଗରରେ ଭର୍ଚୁଆଲରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିବାରୁ ଦଳ କାହିଁକି ତାଙ୍କୁ ପ୍ରାୟ ୩ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବା ଭଳି ରିସ୍କ ନେଉଛି ତାକୁ ନେଇ ଦଳରେ ନାନାଦି ଚର୍ଚ୍ଚା ଲାଗି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos