Advertisment

ପ୍ରଶ୍ନ ବାଣରେ ମୁଖ୍ୟମନ୍ତ୍ରୀଙ୍କୁ ଘାଇଲା କଲେ କେନ୍ଦ୍ରମନ୍ତ୍ରୀ!

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଗତକାଲି ପରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁରକୁ ଜିଲ୍ଲାର ମାନ୍ୟତା, ରେଳ ପ୍ରକଳ୍ପ, ଦାଦନ ଶ୍ରମିକ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରମୁଖ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଆଉ କହିଛନ୍ତି, ନବୀନ ବାବୁ ଯଦି ପଦ୍ମପୁରର ବିକାଶ ଚାହୁଁଛନ୍ତି, ତାହାହେଲେ ଜିଲ୍ଲା ଘୋଷଣା କରନ୍ତୁ। ଏହାର ଜବାବ ଦେଇଛି ବିଜେଡି। ପଦ୍ମପୁର ବାଦିକଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା […]

author-image
Manoranjan Sial
ଅଦ୍ୟତନ ହୋଇଛି
ପ୍ରଶ୍ନ ବାଣରେ ମୁଖ୍ୟମନ୍ତ୍ରୀଙ୍କୁ ଘାଇଲା କଲେ କେନ୍ଦ୍ରମନ୍ତ୍ରୀ!

BJP

ପଦ୍ମପୁର (ଓଡ଼ିଶା ରିପୋର୍ଟର): ଗତକାଲି ପରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁରକୁ ଜିଲ୍ଲାର ମାନ୍ୟତା, ରେଳ ପ୍ରକଳ୍ପ, ଦାଦନ ଶ୍ରମିକ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରମୁଖ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଆଉ କହିଛନ୍ତି, ନବୀନ ବାବୁ ଯଦି ପଦ୍ମପୁରର ବିକାଶ ଚାହୁଁଛନ୍ତି, ତାହାହେଲେ ଜିଲ୍ଲା ଘୋଷଣା କରନ୍ତୁ। ଏହାର ଜବାବ ଦେଇଛି ବିଜେଡି।

Advertisment

ପଦ୍ମପୁର ବାଦିକଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ସରକାରଙ୍କ ପାଖରେ ସୃଜନଶୀଳତା ନାହିଁ। ନୂଆ କିଛି ଭାବିବାର କଳ୍ପନା ନାହିଁ। ଇଚ୍ଛାଶକ୍ତି ମଧ୍ୟ ନାହିଁ। ଓଡ଼ିଶା ସରକାର ଗୋଟିଏ ପକ୍ଷରେ ଏକପ୍ରକାର ଥକି ପଡ଼ିଲେଣି। ମନ ଭିତରେ ଲମ୍ୱା ସମୟ ଧରି ଶାସନରେ ରହିବାର ଇଏ ଗୋଟିଏ କାରଣ ହୋଇପାରେ। କାରଣ ଗୋଟିଏ ସମୟରେ ସେମାନେ ଭାରତ ସରକାରଙ୍କ ଯୋଜନାକୁ ଏପଟ ସେପଟ କରି ମୁଁ ଦେଉଛି ବୋଲି କହି ଶ୍ରେୟ ନେବାର ଅପଚେଷ୍ଟା ଆରମ୍ଭ କରିଛନ୍ତି। ସେହି ଶୃଙ୍ଖଳାରେ ଗତକାଲି ମହିଳାମାନଙ୍କୁ ୩ରୁ ୫ ଲକ୍ଷ ପର୍ଯ୍ୟନ୍ତ ଦେବାର ଗୋଟିଏ ବଡ଼ ଘୋଷଣା କରିବାର ବାତାବରଣ ତିଆରି କରିଛନ୍ତି। ତାକୁ ଅନୁଧ୍ୟାନ କଲା ପରେ ଜାଣିବାକୁ ପାଇଲି ଯେ, ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ରୁରାଲ୍‌ ଡେଭଲପ୍‌ମେଣ୍ଟ ଡିପାର୍ଟମେଣ୍ଟର ଦୀନଦୟାଲ ଅନ୍ତୋଦୟ ଯୋଜନା ଓ ନ୍ୟାସନାଲ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ମିଶନରେ କେନ୍ଦ୍ର ସରକାର ୭% ସୁଦ୍ଧ ଛାଡ଼ କରିଛନ୍ତି। ରାଜ୍ୟ ସରକାର ଆଉ ଅଳ୍ପ କିଛି ଛାଡ଼ କରି ନିଜେ ଋଣ ଦେଉଛନ୍ତି ବୋଲି କହୁଛନ୍ତି। ପଦ୍ମପୁର ନିର୍ବାଚନକୁ ଆଖି ଆଗରେ ରଖି ଏପରି ଘୋଷଣା କରିବା ନିହାତି ଚଞ୍ଚକତା। ସେହିପରି ଭୁବନେଶ୍ୱରରେ ମେହେର ସମାଜର ଭବନ କରାଯିବ ଓ ପୁରୀରେ କୁଲତା ସମାଜର ଭବନ କରାଯିବ ବୋଲି ଶୁଣିବାକୁ ପାଇଲି। ଏହା ନିଶ୍ଚିତ ଭଲ କଥା। ସେଥିପାଇଁ ଅନେକ ଅନେକ ଧନ୍ୟବାଦ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

https://twitter.com/dpradhanbjp/status/1597893541040357377?s=20&t=-YynqjVp42QbSbzOT-mOMA

Advertisment

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ପଛୁଆ ଜାତିକୁ ସବୁଠାରୁ ଅଣଦେଖା କରାଯାଉଛି। ଚାକିରି ଓ ପାଠ ପଢ଼ିବାରେ ଯେଉଁ ସାମ୍ୱିଧାନିକ ସୁରକ୍ଷା ଓବିସି ବର୍ଗକୁ ମିଳିଛି, ତାହା ଓଡ଼ିଶାରେ ଦିଆଯାଉ ନାହିଁ। ମୋଦି ସରକାର ପାଠ ପଢ଼ା ଓ ଚାକିରିରେ ସବର୍ଣ୍ଣ ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ସରକାର ତାକୁ ମାନିବା ପାଇଁ ରାଜି ନାହାନ୍ତି। ମୁଁ ଭାବୁଛି ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ତାହା ଉପରେ ସ୍ପଷ୍ଟୀକରଣ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

https://twitter.com/dpradhanbjp/status/1597893577438552064?s=20&t=-YynqjVp42QbSbzOT-mOMA

ରେଳ ପ୍ରକଳ୍ପକୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି, ପଦ୍ମପୁର ରେଳ ପ୍ରକଳ୍ପ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ। ଚିଠିର ଉତ୍ତର ରେଳ ମନ୍ତ୍ରୀ ଦେଲେ। ଏପରିକି ରେଳମନ୍ତ୍ରୀ ପଦ୍ମପୁର ଆସି କହିଗଲେ, ଜମି ଦିଅ, ରେଳ ପ୍ରକଳ୍ପ ଆରମ୍ଭ କରାଯିବ। ଓଡ଼ିଶାର ମହତ୍ୱାକାଙ୍‌କ୍ଷୀ ବଲାଙ୍ଗିର-ଖୋର୍ଦ୍ଧା ରୋଡ୍‌ ଓ ବିମଳାଗଡ଼-ତାଳଚେର ରେଳ ଲାଇନ୍‌ କାମ କାହିଁକି ହୋଇପାରୁ ନାହିଁ? ଆଗରୁ ଓଡ଼ିଶାକୁ ୫୦୦ରୁ ୭୦୦ କୋଟି ଟଙ୍କା ଆସୁଥିଲା। ଏବେ ବର୍ଷକୁ ୧୦ ହଜାର କୋଟିରୁ ଅଧିକ ଟଙ୍କା ଆସୁଛି। ଓଡ଼ିଶା ସରକାର ଜମି ପ୍ରଦାନରେ ବିଫଳ ହେଉଛନ୍ତି। ନିଜର ଅପାରଗତାକୁ ଲୁଚାଇବା ପାଇଁ ପଇସା ଅଛି ବୋଲି ବିଜ୍ଞାପନ ଛପାଇ ଗାଳି ଗୁଲଜ କଲେ ଆମେ କ’ଣ କରିବା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି କଥା ଉଠାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଇନ୍ଦିରା ଆବାସ ପ୍ଲସ୍‌ ପୋଟାଲ୍‌ ୨୦୧୮ ମସିହାରେ ଖୋଲାଗଲା। ଓଡ଼ିଶା ସରକାର ନାଁ ଦେଲେନି। ତା’ପରେ ୨୦୧୯ ଫୋନି ବାତ୍ୟା ବେଳେ କିଛି ସମୟ ପାଇଁ ପୋର୍ଟାଲ ଖୋଲାଗଲା। ସେଥିରେ ଫୋନି ପ୍ରଭାବିତ ଅଞ୍ଚଳର ଲୋକଙ୍କ ନାଁ ପଠାଗଲା। ପଶ୍ଚିମ ଓଡ଼ିଶାକୁ ଛାଡ଼ିଦେଲେ। ଏଠାରେ କ’ଣ ଗରିବ ଲୋକ ନଥିଲେ? ନିରାଶ୍ରୟ ଲୋକ କ’ଣ ନଥିଲେ? ବହୁ ଲଢ଼େଇ କଲା ପରେ ସାରା ଓଡ଼ିଶାର ନାଁ ଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଦାଦନକୁ ନେଇ ଶ୍ରୀ ପ୍ରଧାନ କହିଛନ୍ତି, ମୋର ବଡ଼ ଭାଇ ତଥା ବନ୍ଧୁ ନବ ଦାସ ହେଉଛନ୍ତି କୁହାଳିଆ ମନ୍ତ୍ରୀ। ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି, ପ୍ରତିଦିନ ହଜାର ହଜାର ଲୋକ ଝାରସୁଗୁଡ଼ା ଦେଇ ଦାଦନ ଖଟିବାକୁ ଯାଉଛନ୍ତି। ସେ କେମିତି ଜାଣିପାରୁ ନାହାନ୍ତି? ନା ଜାଣି ଅଜଣା ହୋଇ ରହିବାକୁ ଚାହୁଁଛନ୍ତି? ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ। ଏହି ଅଞ୍ଚଳରେ ହାହାକାର ପଡ଼ିଛି। ଅଧା ଜନସାଧାରଣ ଦାଦନ ଖଟିବାକୁ ଯାଉଛନ୍ତି। ଏହାର ଜବାବ ଲୋକେ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲାକୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କି ଅପରାଧ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପରନ୍ତୁ ନାଗଫାଶରେ ଫସିଥିବା ନେତା ମନ୍ତ୍ରୀ ଏଠାରେ ପ୍ରଚାର କରୁଛନ୍ତି। ଯେଉଁଠି ଉପନିର୍ବାଚନ ହୁଏ, ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ କହିଥାନ୍ତି। ବିଜେପୁର ଦାୟିତ୍ୱ ନେବେ କହି କି କାର୍ଯ୍ୟ କରିଛନ୍ତି? ତାହାର ଜବାବ ଦିଅନ୍ତୁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉକ୍ତିକୁ ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଆରୋପ ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନୁହେଁ। ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ରାଜ୍ୟ ଓ ଦେଶ ଋଣ କରିଥାନ୍ତି। ଭାରତ ସରକାର ଋଣ କରିଥାନ୍ତି। ବିଭିନ୍ନ ରାଜ୍ୟ ମଧ୍ୟ ଋଣ କରିଥାନ୍ତି। ଭାରତ ସରକାରଙ୍କ ଋଣ ପରିମାଣ କେତେ? ମୁଣ୍ଡପିଛା କେତେ ପଡ଼ିଲା? ଋଣ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ସର୍ବୋତ୍କୃଷ୍ଟ ବୋଲି RBI କହିଛି। ଗୋଦରୀ ଲୋ ନିଜ ଗୋଡ଼କୁ ଅନା ବୋଲି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ।