/odisha-reporter/media/post_attachments/uploads/2022/10/afridi.jpg)
afridi
ମେଲବର୍ଣ୍ଣ: ଆସନ୍ତାକାଲି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ୨୦୨୧ ଟି-୨୦ ବିଶ୍ୱକପରେ ଭାରତକୁ ହରାଇ ପାକିସ୍ତାନ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଏବେ ଭାରତ ଏହାର ବଦଲା ନେବା ମୁଡରେ ରହିଛି।
ଏସିଆ କପରେ ଅବଶ୍ୟ ଦୁଇ ଦଳ ଦୁଇ ଥର ମୁହାଁମୁହିଁ ହୋଇଥିଲେ। ଗୋଟିଏ ମ୍ୟାଚରେ ଟିମ ଇଣ୍ଡିଆ ଓ ଆଉ ଗୋଟିଏ ମ୍ୟାଚ୍ରେ ପାକିସ୍ତାନ ଜିତିଥିଲା। ତେଣୁ ଆସନ୍ତାକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। ଅବଶ୍ୟ ବର୍ଷା ମ୍ୟାଚ୍ରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି କ୍ରିକେଟ ଫ୍ୟାନ ମ୍ୟାଚ୍ ହେବା ନେଇ ଆଶାବାଦୀ ରହିଛନ୍ତି।
୨୦୨୧ ବିଶ୍ୱକପରେ ପାକିସ୍ତାନ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଦମଦାର ପ୍ରଦର୍ଶନ କରିଥିଲେ। ସେ ନିଜର ଘାତକ ବୋଲିଂ ବଳରେ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ଆଉଟ କରି ଭାରତର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଥିଲେ। ଏସିଆ କପରେ ଆହତ ଯୋଗୁ ସେ ଖେଳି ନଥିଲେ। କିନ୍ତୁ ଟି-୨୦ ବିଶ୍ୱକପ ବେଳକୁ ସେ ଫିଟ ହୋଇ ସାରିଛନ୍ତି। ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ସେ ନିଜର ଜଲୱା ଦେଖାଇଛନ୍ତି। ତେଣୁ ଆଫ୍ରିଦି ଆସନ୍ତାକାଲି ଭାରତକୁ ଅଡ଼ୁଆରେ ପକାଇ ପାରନ୍ତି।
ଆଫ୍ରିଦି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ହେଲେ ଭାରତୀୟ ଖେଳାଳିଙ୍କୁ ଷ୍ଟ୍ରେଟ ବା ସିଧା ଖେଳିବାକୁ ପଡ଼ିବ। ତାଙ୍କୁ ଆଟାକା କରିବା ବେଳେ ମଧ୍ୟ ଏହି ନୀତି ଆପଣାଇବାକୁ ପଡ଼ିବ। ନଚେତ ଏହି ଦକ୍ଷ ଦ୍ରୁତ ବୋଲର ଭାରତର ବିଜୟରେ କାଳ ସାଜି ପାରନ୍ତି ବୋଲି କ୍ରିକେଟ ସମୀକକ୍ଷମାନେ କହିଛନ୍ତି। ଏହାବାଦ ବାବର ଆଜମ ଓ ମହମ୍ମଦ ରିଜୱାନ ଯୋଡ଼ିକୁ ଶୀଘ୍ର ଆଉଟ କରିବା ଭାରତୀୟ ବୋଲରଙ୍କ ପ୍ରମୁଖ କାମ ରହିବ। ରିଜୱାନ ଟି-୨୦ର ୧ନଂ ବ୍ୟାଟର ଓ ବାବର ୩ନଂ ବ୍ୟାଟର। ତେଣୁ ଏହି ଦୁଇ ଖେଳାଳିଙ୍କ ୱିକେଟ ଭାରତ ପାଇଁ ଆସନ୍ତାକାଲି ବେଶ ଗୁରୁତ୍ୱପୂର୍ଣ୍ଣ। ଏସବୁ ଦିଗରେ ଆଜି ଟିମ ମ୍ୟାନେଜମେଣ୍ଟ ମାନସମନ୍ଥନ କରିଛି। ଟିମ କମ୍ବିନେସନ ମଧ୍ୟ ଚିନ୍ତାର କାରଣ। ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମିଙ୍କ ମଧ୍ୟରୁ କାହାକୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ, ସେ ଉପରେ ରୋହିତ ଶର୍ମା ଓ କୋଚ୍ ରାହୁଲ ଡ୍ରାଭିଡ ନିଷ୍ପତ୍ତି ନେବେ।
ରବିବାର ମ୍ୟାଚ୍ ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଭାରତୀୟ କ୍ରିକେଟରଙ୍କୁ ଶାହୀନ ଶାହ ଆଫ୍ରିଦିଙ୍କ ମୁକାବିଲା ପାଇଁ ସମାନ ‘ଷ୍ଟ୍ରେଟ’ ଗୁରୁ ମନ୍ତ୍ରଣା ଦେଇଛନ୍ତି। ଆଫ୍ରିଦିଙ୍କ ଘାତକ ଇନସୁଇଂକୁ ମୁକାବିଲା ପାଇଁ ସଚିନ କ୍ରିଜରେ ଥିଲେ କ’ଣ କରିଥାଆନ୍ତେ ବୋଲି ପ୍ରଶ୍ନ କରାଯାଇଥିଲା। ଲିଟଲ ମାଷ୍ଟର ସ୍ମିତ ହାସ୍ୟ ଦେଇ କହିଛନ୍ତି, “ଏସବୁ କଥାରେ ମୁଁ ମୁଣ୍ଡ ପୂରାଉ ନାହିଁ। କାରଣ ମୁଁ ଜାଣିଛି ଯେ ମୋତେ ଆଫ୍ରିଦିଙ୍କ ବଲ ସାମ୍ନାକୁ କରିବାକୁ ପଡ଼ିବ ନାହିଁ।” କିନ୍ତୁ ଭାରତୀୟ ଟିମ୍ ପାଇଁ ସେ କିଛି ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, “ଶାହୀନ ଜଣେ ଆଟାକିଂ ବୋଲର। ସେ ସବୁବେଳେ ୱିକେଟ ପାଇଁ ଯାଆନ୍ତି। ସେ ଆଗରେ ବଲ ପକାନ୍ତି ଓ ସୁଇଂ ଉପରେ ଅଧିକ ନିର୍ଭର କରନ୍ତି। ବ୍ୟାଟରମାନଙ୍କୁ ଏୟାର ଓ ଅଫ ଦି ପିଚରେ ଚକମା ଦେବାର ଦକ୍ଷତା ତାଙ୍କ ପାଖରେ ରହିଛି। ତାଙ୍କ ପାଖରେ ବେଗ ବି ଅଛି। ତେଣୁ ତାଙ୍କୁ ଖେଳିବା ପାଇଁ ସ୍ୱତନ୍ତ୍ର ରଣନୀତି ଦରକାର। ଜଣେ ବ୍ୟାଟରଙ୍କୁ ଅଧିକ ଷ୍ଟ୍ରେଟ ବା ସିଧା ଖେଳିବାକୁ ପଡ଼ିବ। ‘ଭି’ ମଧ୍ୟରେ ଖେଳିଲେ ଶାହୀନଙ୍କ ମୁକାବିଲା କରାଯାଇ ପାରିବ।”
ଶାହୀନଙ୍କ ସବୁଠାରୁ ବଡ଼ କ୍ଷମତା ହେଲା ସେ ବେଶ ଦ୍ରୁତ ଗତିରେ ରାଇଟ ହ୍ୟାଣ୍ଡର ବ୍ୟାଟରଙ୍କ ବେଳେ ବଲକୁ ଇନ ସୁଇଂ କରିପାରନ୍ତି। ସେହିପରି ପେସ୍ରେ ପରିବର୍ତ୍ତନ ନ କରି ମଧ୍ୟ ସେ ଇନ ଓ ଆଉଟ ମଧ୍ୟ ବଲକୁ କରିପାରୁଛନ୍ତି। ସଚିନ କହିଛନ୍ତି ଯେ ବ୍ୟାଟରଙ୍କୁ ତାଙ୍କ ବଲକୁ ଦେଖି ଯୋଜନା କରିବାକୁ ପଡ଼ିବ। ଯଦି ଜଣେ ଆଗୁଆ ଶଟ ଖେଳିବାକୁ ନିଷ୍ପତ୍ତି ନେଇଯିବେ, ତା’ହେଲେ ଆଉଟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ବଲକୁ ଦେଖି ଶଟ ଚୟନ ଓ ସତର୍କ ରହିବାକୁ ସଚିନ କହିଛନ୍ତି।
ଅନ୍ୟପକ୍ଷରେ ଭାରତ ପାଖରେ ଅକ୍ଷର ପଟେଲ ଓ ଋଷଭ ପନ୍ତଙ୍କ ରୂପରେ ଦୁଇ ଜଣ ବାମହାତୀ ବ୍ୟାଟର ରହିଛନ୍ତି। ଡାହାଣହାତୀ ବ୍ୟାଟରଙ୍କ ବିପକ୍ଷରେ ଆଫ୍ରିଦି ବେଶୀ ସଫଳ। ତେଣୁ ଆସନ୍ତାକାଲି ଆଫ୍ରିଦି ହିଁ ଭାରତ ରାସ୍ତାରେ ବିଜୟ ପାଇଁ କଣ୍ଟା ସାଜି ପାରନ୍ତି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
