/odisha-reporter/media/post_attachments/uploads/2022/11/virat-4.jpg)
virat
ଦୁବାଇ: ଟି-୨୦ ବିଶ୍ୱକପରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ଆଇସିସି ଆଜି ମୋଷ୍ଟ ଭ୍ୟାଲୁଏବୁଲ ଟିମ୍ ଗଠନ କରିଛି। ଏହି ଟିମ୍ରେ ଏକାଧିକ ଦେଶର ଖେଳାଳି ଅଛନ୍ତି। ଚଳିତ ବିଶ୍ୱକପ ଇଂଲଣ୍ଡ ଜିତିଥିବା ବେଳେ ପାକିସ୍ତାନ ଫାଇନାଲରେ ହାରିଛି। ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଆଇସିସି ପ୍ୟାନେଲ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଗୋଟିଏ ଟିମ୍ ଗଠନ କରିଛି। ଏହି ଟିମ୍ରେ ଭାରତର ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ସେହିପରି ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱାଦଶ ଖେଳାଳି ଭାବେ ମନୋନୀତ ହୋଇଛନ୍ତି।
ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ବିରାଟ ୮୨ ରନର ଅପରାଜିତ ଇନିଂସ ଖେଳି ଚଳିତ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲେ। ଏହି ମ୍ୟାଚ୍ରେ ଭାରତ ମଧ୍ୟ ଜିତିଥିଲା। ପ୍ରଥମ ମ୍ୟାଚ୍ରେ ହାସଲ କରିଥିବା ଲୟ ବିରାଟଙ୍କ ଜାରି ରହିଥିଲା। ସେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅପରାଜିତ ୬୨ ରନ, ବାଂଲାଦେଶ ବିପକ୍ଷରେ ଅପରାଜିତ ୬୪ ରନ ଓ ଇଂଲଣ୍ଡ ବିପକ୍ଷ ସେମିରେ ୫୦ ରନର ଇନିଂସ ଖେଳିଥିଲେ। ବିରାଟ ଏହି ଟୁର୍ଣ୍ଣାମେଣ୍ଟରେ ୨୯୬ ରନ କରିଛନ୍ତି।
ଆଇସିସିର ମୋଷ୍ଟ ଭ୍ୟାଲିଏବୁଲ ଟିମ୍ରେ ୪ନଂ ସ୍ଥାନରେ ଭାରତର ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ସେ ଟି-୨୦ ବିଶ୍ୱକପରେ ୨୩୯ ରନ କରି ସର୍ବାଧିକ ରନ ହାସଲକାରୀ ଖେଳାଳିଙ୍କ ତାଲିକାର ୩ନଂ ସ୍ଥାନରେ ରହିଛନ୍ତି। ସୂର୍ଯ୍ୟ କୁମାର ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଅପରାଜିତ ୫୧ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬୮ ଓ ଜିମ୍ବାୱେ ବିପକ୍ଷରେ ୬୧ ରନର ଇନିଂସ ଖେଳିଥିଲେ।
ଟି-୨୦ ବିଶ୍ୱକପର ସୁପର ୧୨କୁ ଯାଇଥିବା ୧୨ ଦଳ ମଧ୍ୟରୁ ୬ଟି ଦଳର ଖେଳାଳି ଆଇସିସିର ମୋଷ୍ଟ ଭ୍ୟାଲୁଏବୁଲ ଟି-୨୦ ଟିମରେ ରହିଛନ୍ତି। ବିଶ୍ୱକପ ଜିତିଥିବା ଇଂଲଣ୍ଡର ଜୋଶ ବଟଲରଙ୍କୁ ଏହି ଟିମ୍ର ଅଧିନାୟକ ପଦ ମିଳିଛି। ଇଂଲଣ୍ଡ ଓ ଭାରତ ବ୍ୟତୀତ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଟିମରେ ସ୍ଥାନ ପାଇଛନ୍ତି।
ଆଇସିସିର ଟିମରେ ବଟଲରଙ୍କ ସହ ଇଂଲଣ୍ଡର ଆଲେକ୍ସ ହେଲ୍ସ ଓପନିଂ କରିବେ। ସେହିପରି ସାମ କୁରାନ ଓ ମାର୍କ ଉଡ ମଧ୍ୟ ଦଳରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର ଗ୍ଲେନ ଫିଲିପ୍ସ, ପାକିସ୍ତାନର ଶାହୀନ ଶାହ ଆଫ୍ରିଦ ଓ ଶଦାବ ଖାନ, ଜିମ୍ବାୱେର ସିକନ୍ଦର ରାଜା ଓ ଦକ୍ଷିଣ ଆଫ୍ରିକାର ଅନରିଚ ନୋର୍ଖିୟାଙ୍କୁ ଆଇସିସି ତା’ର ମୋଷ୍ଟ ଭ୍ୟାଲୁଏବୁଲ ଟି-୨୦ ବିଶ୍ୱକପ ଟିମରେ ସ୍ଥାନ ଦେଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଟିମ୍ର ଦ୍ୱାଦଶ ଖେଳାଳି ଭାବେ ଚୟନ କରାଯାଇଛି।
ମୋଷ୍ଟ ଭ୍ୟାଲୁଏବୁଲ ଟିମ ଅଫ ଟି-୨୦ ବିଶ୍ୱକପ ୨୦୨୨
୧-ଆଲେକ୍ସ ହେଲ୍ସ(ଇଂଲଣ୍ଡ)
୨-ଜୋଶ ବଟଲର(ଅଧିନାୟକ, ୱିକେଟ କିପର)(ଇଂଲଣ୍ଡ)
୩- ବିରାଟ କୋହଲି(ଭାରତ)
୪- ସୂର୍ଯ୍ୟ କୁମାର ଯାଦବ(ଭାରତ)
୫-ଗ୍ଲେନ ଫିଲିପ୍ସ(ନ୍ୟୁଜିଲ୍ୟାଣ୍ଡ)
୬- ସିକନ୍ଦର ରାଜା(ଜିମ୍ବାୱେ)
୭- ଶଦାବ ଖାନ(ପାକିସ୍ତାନ)
୮- ସାମ କୁରାନ(ଇଂଲଣ୍ଡ)
୯-ଅନରିଚ ନୋର୍ଖିୟା(ଦକ୍ଷିଣ ଆଫ୍ରିକା)
୧୦- ମାର୍କ ଉଡ(ଇଂଲଣ୍ଡ)
୧୧-ଶାହୀନ ଶାହ ଆଫ୍ରିଦି(ପାକିସ୍ତାନ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
