ବିଶ୍ୱକପ୍ ହକି: ଭିତ୍ତିଭୂମି ନିର୍ମାଣ ଖର୍ଚ୍ଚ ବର୍ଷକରେ ୨ଗୁଣ ବଢ଼ି ୮୭୬ କୋଟିକୁ ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୩ ବିଶ୍ୱକପ୍ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ବଜେଟ ବର୍ଷକ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି । କଳିଙ୍ଗ ଷ୍ଟାଡ଼ିୟମରେ କ୍ରୀଡ଼ା ଭିତ୍ତିଭୂମି ସୁବିଧା ନିର୍ମାଣ ଓ ବିଶ୍ୱକପ୍ ହକି ପାଇଁ ରାଉରକେଲାଠାରେ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣକୁ ଅଧିକ ଉନ୍ନତମାନର କରିବା ନିମନ୍ତେ ରାଜ୍ୟ ସରକାର ୨୦୨୧ ମେ’ମାସରେ ଧାର୍ଯ୍ୟ କରିଥିବା ୪୩୨.୪୫ କୋଟି ଟଙ୍କାର ବ୍ୟୟବରାଦକୁ ଅଚାନକ ୮୭୫.୭୮କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ମାତ୍ରାଧିକ […]

kalinga-stadium

kalinga-stadium

Ordigital Desk
  • Published: Thursday, 22 September 2022
  • Updated: 22 September 2022, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୩ ବିଶ୍ୱକପ୍ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ବଜେଟ ବର୍ଷକ ମଧ୍ୟରେ ୨ଗୁଣ ବୃଦ୍ଧି ପାଇଛି । କଳିଙ୍ଗ ଷ୍ଟାଡ଼ିୟମରେ କ୍ରୀଡ଼ା ଭିତ୍ତିଭୂମି ସୁବିଧା ନିର୍ମାଣ ଓ ବିଶ୍ୱକପ୍ ହକି ପାଇଁ ରାଉରକେଲାଠାରେ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣକୁ ଅଧିକ ଉନ୍ନତମାନର କରିବା ନିମନ୍ତେ ରାଜ୍ୟ ସରକାର ୨୦୨୧ ମେ’ମାସରେ ଧାର୍ଯ୍ୟ କରିଥିବା ୪୩୨.୪୫ କୋଟି ଟଙ୍କାର ବ୍ୟୟବରାଦକୁ ଅଚାନକ ୮୭୫.୭୮କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ଏହି ମାତ୍ରାଧିକ ବ୍ୟୟବରାଦକୁ ମଧ୍ୟ ଆଜି ଅନୁମୋଦନ କରିଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ବଜେଟ ପରିମାଣ ଅଚାନକ ବର୍ଷକ ମଧ୍ୟରେ ଦ୍ୱିଗୁଣରୁ ଅଧିକ ବୃଦ୍ଧି ପାଇବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପାଇଁ ସଂଶୋଧିତ ମୂଲ୍ୟକୁ ମଞ୍ଜୁରୀ ମିଳିଛି । ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ହକି ଷ୍ଟାଡ଼ିୟମର ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ଏହି ଭିତ୍ତିଭୂମି ବିକାଶ ବାବଦରେ ମୋଟ ୪୩୨.୪୫୪କୋଟି ଟଙ୍କା ବ୍ୟୟବରାଦକୁ ୨୦୨୧ ମେ’ ୮ତାରିଖରେ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିଲେ । ଏହି ବଜେଟରେ ସମସ୍ତ ଟିକସ ଓ ଇଡକୋ ଦେୟ ସାମିଲ ଥିଲା ।

କିନ୍ତୁ ଆଜି ପୁଣିଥରେ କ୍ୟାବିନେଟକୁ ଏହି ସଂଶୋଧିତ ପଠାଇ ରାଜ୍ୟ କ୍ରୀଡ଼ା ବିଭାଗ ସମାନ ପ୍ରକଳ୍ପ ନିମନ୍ତେ ୮୭୫.୭୮କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ କରାଇ ନେଇଛି । କ୍ରୀଡ଼ା ବିଭାଗ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି ଯେ, ଆଇଆଇଟି ବମ୍ବେ ଓ ଜାତୀୟ-ଆନ୍ତର୍ଜାତିକ ମହାସଂଘଗୁଡ଼ିକର ଷ୍ଟାଡ଼ିୟମ ବିଶେଷଜ୍ଞମାନେ ଦେଇଥିବା ମତାମତକୁ ଆଧାର କରି କଳିଙ୍ଗ ଓ ରାଉରକେଲା ହକି ଷ୍ଟାଡ଼ିୟମକୁ ବିପର୍ଯ୍ୟୟ ମୁକାବିଲା ପାଇଁ ଡିଜାଇନ୍ ଓ ସୁରକ୍ଷା ପାରାମିଟରର ନବୀକରଣ କରାଯାଇଛି ।

ଏହି ନବୀକରଣର ପ୍ରଭାବ ଖର୍ଚ୍ଚ ଉପରେ ପଡ଼ିଛି । ଇସ୍ପାତ, ପିଓଏଲ, ଆଲୁମିନିୟମ ଇତ୍ୟାଦିର ମୂଲ୍ୟବୃଦ୍ଧି ମଧ୍ୟ ମୋଟ ପ୍ରକଳ୍ପ ମୂଲ୍ୟକୁ ବୃଦ୍ଧି କରିଛି । ଏହାସହିତ ଜିଏସଟି ହାର ୧୨ରୁ ୧୮% ବୃଦ୍ଧି ଅନ୍ୟ ଏକ କାରଣ ହୋଇଥିବାରୁ ସମସ୍ତ ଦିଗକୁ ବିଚାରକୁ ନେଇ କ୍ୟାବିନେଟ୍ ଆଜି ୮୭୫.୭୫କୋଟି ଟଙ୍କାର ସଂଶୋଧିତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ବିଶ୍ୱକପ୍ କହି ମ୍ୟାଚ୍ ଆୟୋଜନରେ କେତେ ଅର୍ଥ ଖର୍ଚ୍ଚ ହୋଇଥିଲା, ତା’ର ସଠିକ୍ ତଥ୍ୟ ସେତେବେଳେ କ୍ରୀଡ଼ା ବିଭାଗ ପକ୍ଷରୁ ଦିଆଯାଇନଥିଲା । ବହୁ ବାଦବିବାଦ ପରେ କ୍ରୀଡ଼ା ବିଭାଗ ଦ୍ୱାରା ଯେଉଁ ତଥ୍ୟ ବିଧାନସଭା ଓ ସୂଚନା ଅଧିକାର ଆଇନରେ ଦିଆଗଲା ତାହା ମଧ୍ୟ ସନ୍ଦେହଘେରରେ ରହିଲା । ଏପରିକି କ୍ରୀଡ଼ା ବିଭାଗର ଏହି ଖର୍ଚ୍ଚର ସମୀକ୍ଷା ସେତେବେଳେ ସିଏଜି କରିବାକୁ ଚାହିଁଥିଲେ ମଧ୍ୟ ବିଭାଗର ତତକାଳୀନ ସଚିବ ବିଭିନ୍ନ ଆଳ ଦେଖାଇ ଏହା କରାଇ ଦେଇନଥିଲେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos