‘ବିଗ୍‌ ବି’ଙ୍କୁ ଜନ୍ମଦିନର ଶୁଭେଚ୍ଛା: ନଜର ପକାନ୍ତୁ ତାଙ୍କ କ୍ୟାରିୟର ଉପରେ

Amitabh-Bachchan

ଆଜି ହେଉଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ। ଆଜି ସେ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା ଅକ୍ଟୋବର ୧୧ ତାରିଖରେ ଉତ୍ତର ପ୍ରଦେଶର ଆଲାହାବାଦରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପାଙ୍କ ନାଁ ହରିବଂଶ ରାୟ ଶ୍ରୀବାସ୍ତବ (ବଚ୍ଚନ)। ତାଙ୍କ ମା’ଙ୍କ ନାଁ ତେଜି ବଚ୍ଚନ।  ହରିବଂଶ ରାୟ ବଚ୍ଚନ ଜଣେ ବିଖ୍ୟାତ ହିନ୍ଦୀ କବି ଥିଲେ।

ଫିଲ୍ମ ଯାତ୍ରା

ଅମିତାଭଙ୍କ ପ୍ରଥମ ଫିଲ୍ମ ଥିଲା ‘ସାତ୍ ହିନ୍ଦୁସ୍ତାନି’। ଏହା ୧୯୭୦ରେ ରିଲିଜ୍ ହୋଇଥିଲା। ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ‘ଆନନ୍ଦ’ (୧୯୭୧)। ଏଥିରେ ସେ ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ସେ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ। ୧୯୭୧ରେ ସେ ‘ପରୱାନା’ ଓ ‘ରେଶମା ଔର ଶେରା’ ଭଳି କିଛି ଫିଲ୍ମରେ ଅଭିନୟ କରିଥିଲେ। ସେହି ବର୍ଷ ସେ ‘ଗୁଡ୍ଡି’ରେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ୧୯୭୨ରେ ସେ ‘ବମ୍ବେ ଟୁ ଗୋଆ’ ଫିଲ୍ମରେ ଅଭିନୟ କରିଥିଲେ। ତେବେ ୧୯୭୩ରେ ରିଲିଜ୍ ହୋଇଥିବା ପ୍ରକାଶ ମେହରାଙ୍କ ଫିଲ୍ମ ‘ଜଞ୍ଜିର’ ତାଙ୍କୁ ଆଣି ଦେଇଥିଲେ ପ୍ରସିଦ୍ଧି। ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପୋଲିସ୍ ଇନ୍ସପେକ୍ଟର ଭୂମିକାରେ ସେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ନାଁ ଥିଲା ବିଜୟ ଖନ୍ନା। ଏହି ଫିଲ୍ମ ପରେ ସେ ବନି ଯାଇଥିଲେ ବଲିଉଡ୍‌ର ‘ଆଙ୍ଗ୍ରି ୟଙ୍ଗ ମ୍ୟାନ୍’। ‘ଜଞ୍ଜିର’ ବକ୍ସ ଅଫିସ୍‌ ବହୁ ସଫଳତା ପାଇଥିଲା। ଆଉ ଅମିତାଭ ବନି ଯାଇଥିଲେ ଷ୍ଟାର।

zanjeer
ଜଞ୍ଜିର

୧୯୭୩ରେ ସେ ଜୟା ଭାଦୁଡ଼ିଙ୍କୁ ବିବାହ କରିଥିଲେ। ଜୟା ବି ‘ଜଞ୍ଜିର’ରେ ଥିଲେ। ତା’ପରେ ଉଭୟ ଏକାଠି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ବିବାହର ପ୍ରାୟ ମାସକ ପରେ ରିଲିଜ୍ ହୋଇଥିଲା ଉଭୟଙ୍କ ଅଭିନୀତ ‘ଅଭିମାନ’। ଏହା ବି ବକ୍ସ ଅଫିସ୍‌ରେ ସଫଳତା ପାଇଥିଲା। ୧୯୭୩ରେ ସେ ରାଜେଶ ଖନ୍ନାଙ୍କ ସହ ‘ନମକ ହରାମ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ଶ୍ରେଷ୍ଠ ସହ ଅଭିନେତା ଭାବେ ଏହା ଥିଲା ତାଙ୍କର ଦ୍ୱିତୀୟ ଫିଲ୍ମ ଫେୟାର ପୁରସ୍କାର। ‘ସୋଲେ’, ‘କଭି କଭି’, ‘ଅମର ଆକବର ଆନ୍ଥୋନୀ’,‘ଡନ୍’, ‘ଦୋସ୍ତାନା’,‘ସିଲ୍‌ସିଲା’, ‘ରାମ ବଲରାମ’,‘ନସୀବ’,‘ଲାୱାରିସ୍’, ‘ସତ୍ତେ ପେ ସତ୍ତା’ ଓ ‘କୁଲି’ ଭଳି ଫିଲ୍ମ କରି ସେ ବେଶ୍ ସଫଳ ହୋଇଥିଲେ। ୧୯୭୭ରେ ଫିଲ୍ମ ‘ଅମର ଆକବର ଆନ୍ଥୋନୀ’ ପାଇଁ ସେ ପ୍ରଥମେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ୧୯୭୮ରେ ‘ଡନ୍’ ପାଇଁ ସେ ପୁଣି ଥରେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଜିତିଥିଲେ। ୧୯୮୨ରେ ‘କୁଲି’ ଫିଲ୍ମର ସୁଟିଂ ବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏପରିକି ସେ ମରୁ ମରୁ ବଞ୍ଚି ଯାଇଥିଲେ ବୋଲି କୁହାଯାଏ।

amitav

ରାଜନୀତିରେ ପ୍ରବେଶ ଓ ଫିଲ୍ମକୁ କମ୍‌ବ୍ୟାକ୍‌

୧୯୮୪ରେ ସେ ଫିଲ୍ମରୁ ବ୍ରେକ୍ ନେଇ ରାଜନୀତିରେ ପଶି ଥିଲେ। ଅଷ୍ଟମ ଲୋକସଭା ନିର୍ବାଚନରେ ସେ ଆଲାହାବାଦ ଆସନରୁ ଛିଡ଼ା ହୋଇ ବିଜୟୀ ହୋଇଥିଲେ। ତେବେ ତିନି ବର୍ଷ ପରେ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ।

୧୯୮୮ରେ ସେ ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବ୍ୟାକ୍ କରିଥିଲେ। ଫିଲ୍ମ ‘ଶେହେନ୍‌ଶାହ’ ଜରିଆରେ ସେ କମ୍‌ବ୍ୟାକ୍ କରିଥିଲେ। ଏହା ବକ୍ସ ଅଫିସ୍‌ରେ ବଡ଼ ହିଟ୍ ହୋଇଥିଲା। ତେବେ କମ୍‌ବ୍ୟାକ୍‌ ପରେ ତାଙ୍କ ଅଭିନୀତ ‘ଯାଦୁଗର’, ‘ତୁଫାନ’ ଓ ‘ମେଁ ଆଜାଦ ହୁଁ’ (ସବୁ ୧୯୮୯ରେ ରିଲିଜ୍ ହୋଇଥିଲା) ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଯାଇଥିଲା। ତେବେ ୧୯୯୦ରେ ରିଲିଜ୍ ହୋଇଥିବା ‘ଅଗ୍ନିପଥ’ ହିଟ୍ ହୋଇଥିଲା। ଏଥିପାଇଁ ସେ ପ୍ରଥମ ଥର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

shehnsha
ଶେହେନ୍‌ଶାହ

୧୯୯୨ରେ ରିଲିଜ୍ ହୋଇଥିଲା ‘ଖୁଦାଗବା’। ଏହା ବି ହିଟ୍ ହୋଇଥିଲା। ତେବେ ଏହା ପରେ ପ୍ରାୟ ୫ ବର୍ଷ ଧରି କୌଣସି ଫିଲ୍ମରେ କାମ କରି ନଥିଲେ। ଅବଶ୍ୟ ୧୯୯୪ରେ ‘ଇନ୍‌ସାନିୟତ’ ରିଲିଜ୍ ହୋଇଥିଲା। କନ୍ତୁ ଏହା ତା’ର ନିର୍ଦ୍ଧାରିତ ତାରିଖଠାରୁ ବହୁବିଳମ୍ବରେ ରିଲିଜ୍ ହୋଇଥିଲା ଓ ଫ୍ଲପ୍ ହୋଇଥିଲା। ୧୯୯୭ରେ ଅମିତାଭ ନିଜ କଂପାନୀ ଏବିସିଏଲ୍‌ ପ୍ରଯୋଜନାରେ ନିର୍ମିତ ଫିଲ୍ମ ‘ମୃତ୍ୟୁଦଣ୍ଡ’ ଜରିଆରେ ପୁଣି କମ୍‌ବ୍ୟାକ୍ କରିଥିଲେ। ତେବେ ଏହା ଫ୍ଲପ୍ ହୋଇଥିଲା। ‘ବଡ଼େ ମିଆଁ ଛୋଟେ ମିଆଁ’ (୧୯୯୮), ‘ସୂର୍ଯ୍ୟବଂଶମ’ (୧୯୯୯) ରେ ତାଙ୍କୁ କିଛି ସଫଳତା ମିଳିଥିଲା। ‘ଲାଲ୍‌ ବାଦ୍‌ଶାହା’ (୧୯୯୯) ଓ ‘ହିନ୍ଦୁସ୍ତାନ କି କସମ’ (୧୯୯୯) ଫ୍ଲପ୍ ହୋଇଥିଲା। ୧୯୯୬ରେ ତାଙ୍କ କଂପାନୀ ବାଙ୍ଗାଲୋରରେ ଅନୁଷ୍ଠିତ ମିସ୍ ୱାର୍ଲ୍ଡର ମୁଖ୍ୟ ସ୍ପୋନ୍‌ସର ଥିଲା। ଏଥିରେ ସେ ବହୁତ କ୍ଷତି ସହିଥିଲେ। ଏହି ସମୟଟି ତାଙ୍କ ପାଇଁ ଭାରି ଖରାପ ଥିଲା।

ମହବତେଁ

୨୦୦୦ ପରେ ପଛକୁ ଚାହିଁ ନାହାନ୍ତି

୨୦୦୦ ମସିହାରେ ରିଲିଜ୍ ହୋଇଥିବା ‘ମହବତେଁ’ ହିଟ୍ ହୋଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ତା’ପରଠୁ ସେ ଆଉ ଆଜି ପର୍ଯ୍ୟନ୍ତ ପଛକୁ ଚାହିଁ ଦେଖି ନାହିଁ। ଗୋଟିଏ ପରେ ଗୋଟିଏ ତାଙ୍କର ପ୍ରାୟ ସବୁ ଫିଲ୍ମ ହିଟ୍ ହୋଇଛି ଏବଂ ଅଭିନେତା ଭାବେ ଅନେକ ପୁରସ୍କାର ବି ଜିତିଛନ୍ତି।

paa
ପା’ରେ ପୁଅ ଅଭିଷେକ ସହ

‘ବାଗବାନ୍’,‘କଭି ଖୁସି କଭି ଗମ୍’,‘ଖାକି’,‘ସରକାର’,‘ବଣ୍ଟି ଔର ବବ୍‌ଲି’,‘କଭି ଅଲ୍ ବିଦା ନା କେହନା’ରେ ନୂଆ ପିଢ଼ିର ଅଭିନେତାଙ୍କ ସହ କାମ କରି ସେ ବେଶ୍‌ ସଫଳତା ପାଇଛନ୍ତି ଓ ତାଙ୍କ ଅଭିନୟର ଏକ ସ୍ୱତନ୍ତ୍ର ଛାପ ରହିଛି ବୋଲି ଅମିତାଭ ବାରମ୍ବାର ପ୍ରମାଣିତ କରିଛନ୍ତି। ‘ପା’, ‘ବ୍ଲାକ୍’ ଓ ‘ପିକୁ’ ଭଳି ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ତାଙ୍କୁ ପ୍ରଶଂସକଙ୍କ ତାଳି ସହିତ ଫିଲ୍ମ ଫେୟାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦେଇଛି। ଗତ ବର୍ଷ ‘ପିଙ୍କ୍’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା।

ଗୀତ ବି ଗାଆନ୍ତି

ଅନେକ ଫିଲ୍ମରେ ସେ ଗୀତ ବି ଗାଇଛନ୍ତି। ଅନେକ ଫିଲ୍ମ ପାଇଁ ସେ ଭଏସ୍ ମଧ୍ୟ ଦେଇଛନ୍ତି। ‘ଲଗାନ୍’ ଓ ’କାହାନୀ’ ଆଦି ଫିଲ୍ମରେ ଆପଣମାନେ ତାଙ୍କ ଭଏସ୍ ଶୁଣିଥିବେ। ଛୋଟ ପରଦାରେ ‘କୌନ ବନେଗା କୋରଡ୍‌ପତି’ରେ ତାଙ୍କର ଉପସ୍ଥାପନା ଶୈଳୀ ବେଶ୍ ନିଆରା। ଏହାକୁ ସମସ୍ତେ ପସନ୍ଦ କରିଛନ୍ତି।

ପୁରସ୍କାର ଓ ସମ୍ମାନ

ଅମିତାଭ ଶ୍ରେଷ୍ଠ ଅଭିନେତା ଭାବେ ଚାରି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଫିଲ୍ମ ‘ଅଗ୍ନିପଥ’, ‘ବ୍ଲାକ୍’, ‘ପା’ ଓ ‘ପିକୁ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସେ ୧୫ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। ୧୯୯୧ରେ ତାଙ୍କୁ ପ୍ରଥମ ଫିଲ୍ମ ଫେୟାର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୦୦ରେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ତାଙ୍କୁ ‘ସୁପର୍‌ଷ୍ଟାର ଅଫ୍ ଦ ମିଲେନିୟମ୍’ ଘୋଷଣା କରାଯାଇଥିଲା। ୧୯୮୪ରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’, ୨୦୦୧ରେ‘ପଦ୍ମଭୂଷଣ’ ଓ ୨୦୧୫ରେ ‘ପଦ୍ମବିଭୂଷଣ’ ପୁରସ୍କାର ପ୍ରଦାନ କରିଛନ୍ତି।

‘ଓଡ଼ିଶା ରିପୋର୍ଟ’ର ତରଫରୁ ଅମିତାଭ ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend