ଭାରତ-ପାକ ୧୯୬୫ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି: ଯୁଦ୍ଧ ସମୟ ଥିଲା ଭାରତର ରାଷ୍ଟ୍ରତ୍ୱ ପରୀକ୍ଷାର ବେଳ

bibhuti pati
bibhuti pati
ବିଭୂତି ପତି

୧୯୬୫ ମସିହା ସେପ୍ଟେମ୍ବରରେ ସଂଗଠିତ ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଭାରତ ସହ ଏକାଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହୋଇ ପରାଜୟର ମୁହଁ ଦେଖିଛି । ହେଲେ ୧୯୬୫ର ଯୁଦ୍ଧ ଭାରତକୁ ତାର ଶକ୍ତି, ଦୁର୍ବଳତା ଚିହ୍ନାଇ ଦେଇଥିଲା । ଭାରତୀୟ ଯବାନଙ୍କ ଅଦମ୍ୟ ସାହସ ଓ ଦେଶବାସୀଙ୍କ ସମର୍ଥନ ଆଣି ଦେଇଥିଲା ଭାରତକୁ ବିଜୟ। ପାକିସ୍ତାନ ଏମିତି ସମୟରେ ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା ଯେତେବେଳେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱ ବିନା ଦେଶରେ ସରକାର ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ୧୯୬୨ ଭାରତ-ଚୀନ ଯୁଦ୍ଧ ବିପର୍ଯ୍ୟୟରୁ ଭାରତ ମୁକୁଳି ପାରି ନ ଥିଲା । ଏହାସହ ବୈଦେଶିକ ମୁଦ୍ରା ବିନିମୟ ସଙ୍କଟ, ଖାଦ୍ୟାଭାବ, ହିନ୍ଦୀକୁ ସରକାରୀ ଭାଷା କରାଯିବାକୁ ନେଇ ଦକ୍ଷିଣ ଭାରତରେ ଲାଗି ରହିଥିଲା ଅରାଜକତା । ଅନ୍ୟପକ୍ଷେ ନାଗା ଆନ୍ଦୋଳନକାରୀଙ୍କ ଯୋଗୁଁ ସେ ଅଞ୍ଚଳର ସ୍ଥିତି ମଧ୍ୟ ଖରାପ ଥିଲା। ଏ ପରିସ୍ଥିତିରେ ପାକିସ୍ତାନ ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରି ଜାମ୍ମୁ-କାଶ୍ମୀରକୁ ନିଜ କବଜାକୁ ନେବାକୁ ହୀନ ଚକ୍ରାନ୍ତ କରିଥିଲା । ଏହି ଯୁଦ୍ଧ ଭାରତକୁ ତାର ନିଜ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ସହ ନିଜ ଭୌଗୋଳିକ ଅଖଣ୍ଡତାକୁ ବଜାୟ ରଖିବାକୁ ଆହ୍ୱାନ ଥିଲା। ଏସବୁ ସତ୍ତ୍ୱେ ପାକିସ୍ତାନର ରାଷ୍ଟ୍ରପତି ଫିଲ୍ଡ ମାର୍ଶାଲ ଆୟୁବ ଖାନ ଭାରତ ସମ୍ପର୍କରେ ତ୍ରୁଟିପୂର୍ଣ୍ଣ ଆକଳନ କରିବା ଭାରତ ବିଜୟ ଲାଗି ସହାୟକ ହୋଇଥିଲା । ପାକିସ୍ତାନ ରାଷ୍ଟ୍ରପତି ବୋଧହୁଏ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଜଣେ ଦୁର୍ବଳ ବ୍ୟକ୍ତି ଏବଂ ତାଙ୍କୁ ସହଜରେ ବାଟରୁ ଆଡେ଼ଇ ଦେଇ ହେବ ବୋଲି ଭାବିବାର ଭୁଲ କରିଥିଲେ। ଆୟୁବ ଖାନ ଏବଂ ପାକିସ୍ତାନ ସେନା ମୁଖ୍ୟମାନେ କଚ୍ଛ ଉପତ୍ୟକାରେ ଆକ୍ରମଣ କରିଥିଲେ। ଭାରତ ଏହି ଆକ୍ରମଣକୁ ଦୃଢତାର ସହ ପ୍ରତିହତ କରିଥିଲା ଏବଂ ଘଟଣାଟି ଆନ୍ତର୍ଜାତିକ ନ୍ୟାୟାଳୟରେ ଉଠିଥିଲା। ଆୟୁବ ଖାନ ଓ ତାଙ୍କର ସହଯୋଗୀମାନେ ସମ୍ଭବତଃ ବ୍ରିଟେନର ଚଞ୍ଚକତାପୂର୍ଣ୍ଣ ବୈଦେଶିକ ନୀତିରେ ଉତ୍ସାହିତ ହୋଇ ଏପରି ଏକ ପଦକ୍ଷେପ ଉଠାଇଥିଲେ। ସେତେବେଳେ ଡନକାନ ସାଣ୍ଡିକଙ୍କ ନେତୃତ୍ୱରେ ବ୍ରିଟେନ ଚୀନ ସମସ୍ୟାକୁ ନେଇ ଭାରତ ବ୍ୟସ୍ତ ଥିବାର ସୁଯୋଗ ନେଇ ପ୍ରାଶ୍ଚାତ୍ୟ ରାଷ୍ଟ୍ରମାନେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଉପରେ ଚାପ ପକାଇବାକୁ କହିଥିଲେ । ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜନ‌.ଏଫ‌. କେନେଡ଼ି ଏପରି ଅଭିପ୍ରାୟ ପାଇଁ  ବ୍ରିଟେନକୁ ସମାଲୋଚନା କରିଥିଲେ। ଅପମାନରେ ଜର୍ଜରିତ ବ୍ରିଟେନ ପାକିସ୍ତାନର ଅପପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ଲାଗିଲା। ସେ ସମୟରେ ଯେ କୌଣସି ମୁହୂର୍ତ୍ତରେ କାଶ୍ମୀରରେ ବିଦ୍ରୋହ ସଂଘଠିତ ହୋଇପାରେ ବୋଲି ପାକିସ୍ତାନ  ପ୍ରଚାର କରୁଥିଲା।

ଯେତେବେଳେ ପାକିସ୍ତାନ ଭାରତକୁ ଏକ ପ୍ରକାରେ କୋଣଠେସା କରିଦେଲା, ସେତେବେଳେ ଲାଲ ବାହାଦୂର ଶାସ୍ତ୍ରୀ ଦୃଢ଼ତାର ସହିତ ପରିସ୍ଥିତିର ମୁକାବିଲା କରିଥିଲେ । ସେ ଭାରତୀୟ ସେନା ବାହିନୀକୁ ପାକିସ୍ତାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ପରେ ଅଗଷ୍ଟ ୧୩ ତାରିଖରେ ରେଡ଼ିଓରେ ବାର୍ତ୍ତା ଦେଇ ପାକିସ୍ତାନ ଉଦ୍ଦେଶ୍ୟରେ କହିଥିଲେ, ‘ମୁଁ ନିର୍ଦ୍ଦିଷ୍ଟ ରୂପେ କହିବାକୁ ଚାହେଁ, ବଳର ଉତ୍ତର ବଳରେ ଦିଆଯିବ ଏବଂ ଆମ ଉପରେ କୌଣସି ଆକ୍ରମଣକୁ ସଫଳ ହେବାକୁ ଦିଆଯିବ ନାହିଁ।’ ଏହାର ଦୁଇଦିନ ପରେ ସ୍ୱାଧୀନତା ଦିବସ ପାଳନ ଅବଶେଷରେ ଲାଲକିଲ୍ଲାରେ ସେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଇଥିଲେ। ଚୀନ ପକ୍ଷରୁ ଦିଆଯାଇଥିବା ଚରମବାଣୀ ଓ ସମୟ ସୀମା ସତ୍ତ୍ୱେ ଶାସ୍ତ୍ରୀଜୀ ଅବିଚଳିତ ରହିଥିଲେ।

୧୯୬୫ର ଭାରତ-ପାକ ଯୁଦ୍ଧ ୪୮ ଦିନ ଧରି ଚାଲିଲା । ପରେ କୂଟନୈତିକ ସ୍ତରରେ ତାସକେଣ୍ଟ ଶାନ୍ତି ଚୁକ୍ତି ପରେ ଯୁଦ୍ଧ ଶେଷ ହୋଇଥିଲା । ତେବେ ଏହି ଯୁଦ୍ଧ ଭାରତ-ପାକ ଲାଗି ଯାହାବି ଲାଭ ଆଉ କ୍ଷତି ଆଣିଥାଉ ଚୀନ ଲାଗି ଆଣିଥିଲା ଦୀର୍ଘକାଳୀନ ବିଜୟ। ଆମେରିକାର ନିରପେକ୍ଷତା ଯୋଗୁଁ ପାକିସ୍ତାନର ତିକ୍ତତାକୁ ଚୀନ ଠିକ ଭାବେ ଆକଳନ କରି ପାରିଥିଲା। ଆମେରିକା-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟରୁ ଚୀନ ଚତୁରତାର ସହ ଫାଇଦା ଉଠାଇଥିଲା। ଯାହା ଏବେ ବି ଭାରତ ପାଇଁ ଚିନ୍ତାର କାରଣ ହୋଇ ରହିଛି। ୧୯୬୫ର ଯୁଦ୍ଧ ଭାରତ ଆରମ୍ଭ କରି ନ ଥିଲେ ବି ଏହା ଦେଶ ଆବଶ୍ୟକ କରୁଥିବା ଏକ ଯୁଦ୍ଧ ବୋଲି ପ୍ରତିପାଦିତ ହୋଇଥିଲା। ଆମ ଦେଶକୁ ବ୍ୟବସ୍ଥିତ କରିବା ପାଇଁ ୧୯୬୫ର ଏହି ଯୁଦ୍ଧ ପ୍ରଥମ ସ୍ଫୁଲିଙ୍ଗର କାର୍ଯ୍ୟ କଲା। ଜଣେ ସମକାଳୀନ ପର୍ଯ୍ୟବେକ୍ଷକଙ୍କ ମତରେ ‘ଯୁଦ୍ଧର ଅଗ୍ନି ଭାରତର ଆତ୍ମାକୁ ଦୋହଲାଇ ଦେଇଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଏକତାର ଦୃଢତା । ହିନ୍ଦୁ, ମୁସଲମାନ‌, ଶିଖ‌, ଖ୍ରୀଷ୍ଟିଆନ, ପାର୍ସୀ ଓ ଆଙ୍ଗ୍ଲୋ ଇଣ୍ଡିଆନମାନଙ୍କର ବୀରତ୍ୱ ଓ ବଳିଦାନ ଏବଂ ଯୁଦ୍ଧ କ୍ଷେତ୍ରରେ ଭାରତୀୟ ସୈନିକମାନଙ୍କ ସାହସ, ଧର୍ମନିରପେକ୍ଷ ଭାରତବର୍ଷର ଅନ୍ତର୍ନିହିତ ସାମର୍ଥ୍ୟକୁ ପ୍ରତିପାଦିତ କରିଥିଲା।

୧୯୬୫ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ଭାରତ-ପାକ ଯୁଦ୍ଧ ଦେଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଲିପିବଦ୍ଧ ହୋଇ ରହିବ। ଭାରତର ସାମରିକ ଇତିହାସରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଥିଲା । ୧୯୬୨ ଚୀନ ସହ ସଂଘଠିତ ଯୁଦ୍ଧରେ ଅପମାନଜନକ ପରାଜୟକୁ ୩ବର୍ଷ ପୂରି ନ ଥିଲା । ଏହି ସମୟରେ ପାକିସ୍ତାନ ଚୀନର ନିକଟତର ହେବା ଆରମ୍ଭ କରିଥିଲା । ଏପରି କି ପାକିସ୍ତାନ ଅଧିକୃତ ଜାମ୍ମୁକାଶ୍ମୀରର ଏକ ଅଂଶ ଚୀନ ହାତରେ ଟେକି ଦେଇଥିଲା। ପୁଣି ମାତ୍ର ୧୦ ମାସ ତଳେ ଅକ୍ଟୋବର ୧୯୬୪ରେ ଚୀନ ଆଣବିକ ବୋମା ପରୀକ୍ଷା କରି ନିଜର ଶକ୍ତି ପ୍ରଦର୍ଶନ କରିସାରିଥିଲା । ପୂର୍ବ ସୀମାରେ ଇଣ୍ଡୋନେସିଆ ଗ୍ରେଟ‌ ନିକୋବର ଦ୍ୱୀପ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥାଏ। ଇଣ୍ଡୋନେସିଆ ଭାରତ ମହାସାଗରକୁ ଇଣ୍ଡୋନେସିଆ ମହାସାଗର ନାମରେ ନାମିତ କରିବା ପାଇଁ ଦାବି କରୁଥାଏ। ପାକିସ୍ତାନ ସେତେବେଳକୁ ଆମେରିକାର ନେତୃତ୍ୱରେ ଗଢ଼ାଯାଇଥିବା ଦକ୍ଷିଣ-ପୂର୍ବ ଏସୀୟ ଚୁକ୍ତି ସେଏଟେ ସଂଘ ଓ ବାଗଦାଦ‌ ଚୁକ୍ତି ସଂଘ ସେଣ୍ଟ୍ରୋର ସଦସ୍ୟ ଥିଲା। ପାକିସ୍ତାନର ସେନା ଆଧୁନିକ ଆମେରିକୀୟ ଯୁଦ୍ଧାସ୍ତ୍ର ଯଥା – ଅତ୍ୟନ୍ତ ଉନ୍ନତ ଶ୍ରେରୀର ଏଫ‌-୧୦୪ ଷ୍ଟାର ଫାଇଟର ଏବଂ ଏଫ‌-୮୬ ସବର ଜେଟ ପରି ଯୁଦ୍ଧ ବିମାନ, ସର୍ବାଧୁନିକ ପେଟନ‌ ଟ୍ୟାଙ୍କ ଓ ଆଧୁନିକ କମାଣରେ ସଜ୍ଜିତ ଥିଲା। ଅପରପକ୍ଷେ ଭାରତୀୟ ସେନା ସେତେବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆଧୁନିକୀକରଣ କରିବା ପ୍ରକ୍ରିୟାରେ ଥିଲା। ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ‌ ୟୁନିୟନଠାରୁ ସୀମିତ ଅସ୍ତ୍ରଶସ୍ତ୍ର ହିଁ କିଣିଥିଲା ସେନା। ସ୍ଥଳସେନା ଏହାର ଡିଭିଜନ ସଂଖ୍ୟାକୁ ୧୦ରୁ ୨୫ କରିବାର ପ୍ରୟାସରେ ଥିଲା। ତେଣୁ ଯେତେବେଳେ ଯୁଦ୍ଧ ଆାରମ୍ଭ ହେଲା ସେତେବେଳେ ପରିସଂଖ୍ୟାନ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ପାଖରେ ଯଥେଷ୍ଟ ସୈନ୍ୟ ବଳ ନ ଥିଲା। ପଶ୍ଚିମ ସୀମାନ୍ତରେ ଥିବା ସ୍ଥଳସେନାର ଅର୍ଦ୍ଧାଧିକ ଡିଭିଜନ ନୂଆ କରି ଗଢ଼ାଯାଇଥିଲା ଏବଂ ସେମାନେ ପୂର୍ଣ୍ଣାଙ୍ଗ ତାଲିମ‌ ମଧ୍ୟ ପାଇ ନ ଥିଲେ। ସୀମା ଆରପଟେ ପାକିସ୍ତାନ ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଯୋଗାଇ ଦିଆଯାଇଥିବା ଶକ୍ତିଶାଳୀ ପେଟନ‌ ଟ୍ୟାଙ୍କ ରହିଥିବାବେଳେ ଭାରତ ନିକଟରେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସେଞ୍ଚୁରିଆନ ଟ୍ୟାଙ୍କ। ଏହାବ୍ୟତୀତ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରିତ୍ୟକ୍ତ ହୋଇଥିବା ସେରମନ ଓ ଏ.ଏମ‌.ଏକ୍ସ. ହାଲୁକା ଟ୍ୟାଙ୍କ ରହିଥିଲା। କଚ୍ଛରେ ପାକିସ୍ତାନର ଅନୁପ୍ରବେଶ କ୍ଷେତ୍ରରେ ଭାରତର ପ୍ରତି ଆକ୍ରମଣ, ଆନ୍ତର୍ଜାତିକ ମଧ୍ୟସ୍ଥତା ପାଇଁ ରାଜି ହୋଇଯିବା ଓ କିଛି ଅଞ୍ଚଳ ପାକିସ୍ତାନକୁ ଛାଡ଼ିବା, ପାକିସ୍ତାନ ଆମେରିକା ଦ୍ୱାରା ଯୋଗାଯାଇଥିବା ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରୁଛି ବୋଲି ଭାରତର ଅଭିଯୋଗକୁ ଆମେରିକା କର୍ଣ୍ଣପାତ ନ କରିବା, ଭାରତ କଚ୍ଛ ସୀମା ଜଗିବା ପାଇଁ କିଛି ସୈନ୍ୟବଳକୁ ନିଯୋଗ କରିବ ବୋଲି ପାକିସ୍ଥାନର ଭୁଲ ଗଣନା ଓ ଶେଖ ଅବଦୁଲ୍ଲାଙ୍କ ଗିରଫଦାରୀ ପରେ କାଶ୍ମୀରରେ ଦେଖାଦେଇଥିବା ବିଶୃଙ୍ଖଳାକୁ ଆଧାର କରି ପାକିସ୍ତାନ ଦୃଢ଼ ନିଶ୍ଚିତ ଥିଲା ଯେ ଏହା ସହଜରେ ଜମ୍ମୁକାଶ୍ଚୀରରେ ଭାରତର ମୁକାବିଲା କରିପାରିବ।

ଯୁଦ୍ଧର ବିବରଣୀରୁ ସ୍ପଷ୍ଟ ହୋଇଛି ଯେ ୧୯୬୫ର ଯୁଦ୍ଧ ଉଭୟ ଭାରତ ଓ ପାକିସ୍ତାନ ପାଇଁ ବେଶ କଷ୍ଟସାଧ୍ୟ ଥିଲା। ଉଭୟଙ୍କ ଭାଗ୍ୟରେ ସଫଳତା ଓ ବିଫଳତା ମିଳିଥିଲେ ମଧ୍ୟ ସାମରିକ ଦୃଷ୍ଟିରୁ ଏହି ଯୁଦ୍ଧ ଅମୀମାଂସୀତ ରହିଥିଲା କାରଣ ସୋଭିଏତ‌ ୟୁନିୟନ ମଧ୍ୟସ୍ଥତାରେ କରାଯାଇଥିବା ତାସକେଣ୍ଟ ଚୁକ୍ତି ଯୋଗୁଁ ଉଭୟ ଦେଶ ଅଗଷ୍ଟ ୫ ପୂର୍ବର ସ୍ଥିତିକୁ ଫେରି ଯାଇଥିଲେ। ତେଣୁ କେଉଁ ବିପକ୍ଷ ଦେଶର କେତେ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଥିଲା ତାହା ଗୁରୁତ୍ୱ ହରାଇଥିଲା। ଅଗଷ୍ଟ ୫ ପୂର୍ବରୁ ଦୁଇଦେଶ ମଧ୍ୟରେ ସୀମାରେଖାକୁ ଅସ୍ତ୍ରବିରତି ରେଖା କୁହାଗଲା, ଯାହା କି ୧୯୭୨ରେ ସିମଳା ରାଜିନାମା ପରେ ନିୟନ୍ତ୍ରଣ ରେଖା ରୂପେ ପରିଚିତ ହେଲା।

ଏହି ଯୁଦ୍ଧ ଭାରତର ବହୁ ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା। ସବୁଠାରୁ ବଡ଼ ଦୁର୍ବଳତା ଥିଲା ସାମରିକ ବାହିନୀ ଓ ଗୋଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ତଥ୍ୟ ସଂଗ୍ରହ। ସଂଗୃହୀତ ତଥ୍ୟ ବହୁ କ୍ଷେତ୍ରରେ ଭରସାଯୋଗ୍ୟ ନ’ଥିଲା । ଆଉ ଏକ ଦୁର୍ବଳତା ଥିଲା ମିଳିତ ପ୍ରାକ‌ ଯୋଜନାର ଅଭାବ । କେବଳ ଯେ ବିଭିନ୍ନ ବାହିନୀ ମିଳିତ ଭାବେ ପୂର୍ବରୁ ଯୋଜନା କରି ନ ଥିଲେ ତାହା ନୁହେଁ, ସ୍ଥଳବାହିନୀ ଓ ବାୟୁସେନା ମଧ୍ୟରେ ଆନ୍ତଃ-ବାହିନୀ ଜରୁରୀକାଳୀନ ଯୋଜନା ପରାମର୍ଶ ବା ଅଭ୍ୟାସ ମଧ୍ୟ କରାଯାଇ ନ ଥିଲା। ଏହି ଦୁଇ ବାହିନୀ ମଧ୍ୟରେ ଯୁଦ୍ଧ ପୂର୍ବରୁ ବା ଯୁଦ୍ଧ ସମୟରେ ମେଳ ପ୍ରାୟ ନ ଥିଲା କହିଲେ ଚଳେ । ଅନ୍ୟପକ୍ଷେ ପାକ‌ ସ୍ଥଳସେନା ଓ ବାୟୁସେନା ନିକଟରେ ଭାରତୀୟ ସେନାବାହିନୀର ଗତିବିଧି ସମ୍ପର୍କରେ ଉନ୍ନତମାନର ଗୋଇନ୍ଦା ତଥ୍ୟ ଥିଲା ଓ ସେମାନେ ପରସ୍ପର ସହ ଉତ୍ତମ ତାଳମେଳ ରଖି ଲଢ଼େଇ କରୁଥିଲେ। ଏହି ଯୁଦ୍ଧର ଆଉ ଏକ ବୈଶିଷ୍ଟ ହେଲା ୧୯୬୨ର ଚୀନ-ଭାରତ ଯୁଦ୍ଧ ପରି ଭାରତର ରାଜନୈତିକ ନେତୃବୃନ୍ଦ ସ୍ଥଳସେନାର ସୈନ୍ୟଚାଳନା ଯୋଜନାରେ ହସ୍ତକ୍ଷେପ କରୁ ନ ଥିଲେ । କେବଳ କଦବା କେମିତି ତତ୍ୱାବଧାନ କରୁଥିଲେ। ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟଶୱନ୍ତ ରାଓ ଚଭନ ଯୁଦ୍ଧ ସମୟରେ ସଶସ୍ତ୍ର ବାହିନୀକୁ ସୈନ୍ୟଚାଳନା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେବାକୁ ପସନ୍ଦ କରିଥିଲେ।

ପୂର୍ବ ପାକିସ୍ତାନ (ବାଂଲାଦେଶ) ପଟେ କୌଣସି ଯୁଦ୍ଧ ହେବ ନାହିଁ କି ଭାରତୀୟ ନୌସେନା ନିଜ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନେବ ନାହିଁ ବୋଲି ରାଜନୈତିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା । ଯାହା ଯୁଦ୍ଧକୁ ବ୍ୟାପକ ହେବାରୁ ରୋକିଥିଲା । ଯୁଦ୍ଧ ସମୟରେ ଭାରତ ଏହାକୁ ଯେତେଦୂର ସମ୍ଭବ ସ୍ଥାନୀୟ ଅଞ୍ଚଳରେ ରଖିବାକୁ ଉଦ୍ୟମ କରିଥିଲା । ୧୯୬୨ର ଭାରତ-ଚୀନ ଯୁଦ୍ଧରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକୁ ଭାଗ ନେବାକୁ ଦିଆଯାଇ ନ ଥିବାବେଳେ ୬୫ ଯୁଦ୍ଧରେ ସରକାର ଏ ଦିଗରେ କୌଣସି କୁଣ୍ଠା ପ୍ରକାଶ କରି ନ ଥିଲେ। ଭାରତ ପାଇଁ ସବୁଠାରୁ ବଳିଷ୍ଠ ଓ ସାହସିକ ପଦକ୍ଷେପ ଥିଲା ଅପରେସନ‌ ଗ୍ରାଣ୍ଡ ସ୍ଲାମ ଆରମ୍ଭ ହେବାର ପରଦିନ ସେପ୍ଟେମ୍ବର ୬ ତାରିଖରେ ପାକିସ୍ତାନ ପଟେ ଥିବା ପଞ୍ଜାବ ଭିତରେ ପଶି ଲାହୋର ଓ ସିଆଲକୋଟ ଅଭିମୁଖେ ସଣ୍ଢୁଆସୀ ଆକ୍ରମଣ। ଏହି ଆକ୍ରମଣ ପାକିସ୍ତାନୀ ସୈନ୍ୟମାନଙ୍କ ଧ୍ୟାନ ଭଙ୍ଗ କରିଦେଇଥିଲା ଓ ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ଅଖନୁର ପୋଲ ଦଖଲ କରିବାରେ ବିଫଳ ହୋଇଯାଇଥିଲା। ଯୁଦ୍ଧର ଆଉ ଏକ ସ୍ମରଣୀୟ ଘଟଣା ଥିଲା ଆର୍ମି ଚିଫ‌ ଜେନେରାଲ ଚୌଧୁରୀ ବେଆସ ନଦୀ ନିକଟକୁ ସୈନ୍ୟଦଳଙ୍କୁ ଫେରାଇ ନେବାକୁ ଦେଇଥିବା ନିର୍ଦ୍ଦେଶ ମାନିବାକୁ ୱେଷ୍ଟର୍ଣ୍ଣ ଆର୍ମି କମାଣ୍ଡ ଚିଫ‌ ଲେଫଟେନାଣ୍ଟ ଜେନେରାଲ ହରବକ୍ସ ସିଂହ ମନା କରିଦେବା। ପଞ୍ଜାବର ଖେମ‌ କରନ‌ ସେକ୍ଟରରେ ପାକିସ୍ତାନ ସାଞ୍ଜୁଆ ବାହିନୀ (ଟ୍ୟାଙ୍କ ସହିତ) ନେଇ ପ୍ରବଳ ଆକ୍ରମଣ କରିବାର ଥିବାରୁ ଏବଂ ଯଥେଷ୍ଟ ସଂଖ୍ୟକ ଭାରତୀୟ ସୈନ୍ୟ ସେଠାରେ ନ ଥିବାରୁ ଜେନେରାଲ ଚୌଧୁରୀ ବେଆସକୁ ପଛଘୁଞ୍ଜା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମୁଖ୍ୟ ସେନାପତିଙ୍କ ନିର୍ଦ୍ଦେଶକୁ ନ ମାନି ଲେଫ‌ଟେନାଣ୍ଟ ଜେନେରାଲ ସିଂହଙ୍କ ନେତୃତ୍ୱରେ ଭାରତୀୟ ସେନା ପାଟନ ‍ଟ୍ୟାଙ୍କର ସମ୍ମୁଖୀନ ହୋଇଥିଲା। ଭାରତୀୟ ଯବାନମାନେ ଖେମ‌ କରନ‌ ସେକ୍ଟରକୁ ପାକିସ୍ତାନର ଅଜେୟ ପାଟନ‌ ଟ୍ୟାଙ୍କର କବରଖାନାରେ ପରିଣତ କରିଦେଇଥିଲେ। ଭାରତୀୟ ନୌସେନାକୁ ମୁଖ୍ୟତଃ ଇଣ୍ଡୋନେସିଆ ତରଫରୁ ଏକ ସମ୍ଭାବିତ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ଅବସ୍ଥାପିତ କରାଯାଇଥିଲା। ନୌସେନାର ଅବଶିଷ୍ଟ ପୋତଗୁଡ଼ିକୁ ପୋର ବନ୍ଦରରେ ରଖାଯାଇଥିଲା। ମାତ୍ର ନୌସେନାର ଏହି ଅଂଶକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନେ ପୋରବନ୍ଦରର ଦ୍ରାଘିମା ଡେଇଁ ଉତ୍ତରକୁ ଆଦୌ ଯିବେ ନାହିଁ। ପାକସ୍ତାନର ନୌସେନା ଏକ ଅସଫଳ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ନୌସେନା ପୋର ବନ୍ଦରର ଉତ୍ତରକୁ ଯାଇ ନଥିଲା।

ତେବେ ପାକିସ୍ତାନ କାଶ୍ମୀରରେ ଭାରତ ବିରୋଧୀ ବିଦ୍ରୋହ ସଂଘଠିତ ହେବ ବୋଲି ଆଶା କରିଥିଲା । ତେବେ ସେପରି କିଛି ହୋଇ ନ ଥିଲା । ସିଏଟେ ଓ ସେଣ୍ଟ୍ରୋର ସଦସ୍ୟ ହୋଇଥିବା ସତ୍ତ୍ୱେ ଆମେରିକା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା। ପାକିସ୍ଥାନୀ ଯୁଦ୍ଧ ଉପକରଣର ହିଂସଭାଗ ଆମେରିକାରୁ ଆମଦାନୀ କରାଯାଇଥିବାରୁ ଏହି ପ୍ରତିବନ୍ଧକ ପାକିସ୍ତାନ ଉପରେ ପ୍ରତିକୂଳ ପ୍ରଭାବ ପକାଇଲା। ଅନ୍ୟପକ୍ଷେ ଭାରତ ପକ୍ଷରୁ ସବୁଠାରୁ ବଡ଼ ଭୁଲ କରିଥିଲେ ଜେନେରାଲ ଜେ.ଏନ‌. ଚୌଧୁରୀ । ସୀମାନ୍ତରେ ବ୍ୟବହୃତ ହେବାକୁ ଥିବା ଗୁଳିଗୋଳା ମଧ୍ୟରୁ ଅଧିକାଂଶ ଶେଷ ହୋଇ ସାରିଥିବା ଓ ସ୍ଥଳସେନାର ବହୁ ଟ୍ୟାଙ୍କ ଧ୍ୱଂସ ହୋଇସାରିଛି ବୋଲି କହି ସେ ଯୁଦ୍ଧ ବିରତି ପ୍ରସ୍ତବକୁ ଗ୍ରହଣ କରିନେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏକଥା ଜଣାଗଲା ଯେ ଭାରତୀୟ ସ୍ଥଳସେନା ନିକଟରେ ସୀମାରେ ବ୍ୟବହାର ପାଇଁ ଗଚ୍ଛିତ ଥିବା ଗୁଳିଗୋଳା ମଧ୍ୟରୁ ମାତ୍ର ୧୪ ପ୍ରତିଶତ ବ୍ୟବହୃତ ହୋଇଥିଲା। ପାକିସ୍ତାନ ନିକଟରେ ଯେତେ ସଂଖକ ଟ୍ୟାଙ୍କ ଥିଲା ଯୁଦ୍ଧବିରତି ପୂର୍ବ ସ୍ଥିତିରେ ଭାରତ ନିକଟରେ ତା’ର ଦୁଇଗୁଣା ଥିଲା। ଅପରପକ୍ଷେ ପାକିସ୍ତାନ ତା’ର ଗୁଳିଗୋଳାର ୮୦ ପ୍ରତିଶତ ଖର୍ଚ୍ଚ କରିସାରିଥିଲା। ଯଦି ଯୁଦ୍ଧ ବିରତି ପ୍ରସ୍ତାବ ଗ୍ରହଣ ନ କରି ଯୁଦ୍ଧ ଜାରି ରଖାଯାଇଥାନ୍ତି ତେବେ ଭାରତ ଇତିହାସକୁ ବଦଳାଇ ଦେଇଥାନ୍ତି ।

ସତକଥା କହିବାକୁ ଗଲେ ପାକିସ୍ତାନ ସହ ଯୁଦ୍ଧ କରିବା ପାଇଁ ଭାରତୀୟ ସେନା ଆଦୌ ପ୍ରସ୍ତୁତ ନ ଥିଲା। ଦୁଇ ଦେଶର ସୈନ୍ୟ ବଳରେ ଆକାଶ ପାତାଳର ତାରତମ୍ୟ ରହିଥିଲା।  ଭାରତୀୟ ସ୍ଥଳସେନା ପାଖରେ ମୋଟ ୬୦୮ଟି ଟ୍ୟାଙ୍କ ଥିଲା। ଏହି ଟ୍ୟାଙ୍କଗୁଡ଼ିକ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ଅତି ପୁରୁଣା ଟ୍ୟାଙ୍କ। ଏହା ବ୍ୟତୀତ ସେନା ପାଖରେ ୬୨୫ଟି କମାଣ ଓ  ପଶ୍ଚିମ ସୀମାନ୍ତ ପାଇଁ ୩୫ଟି ସ୍ଥଳସେନା ବ୍ରିଗେଡ଼ ରହିଥିଲା। ଏହି ୩୫ଟି ବ୍ରିଗେଡ଼ ମଧ୍ୟରୁ ଅନେକ ବ୍ରିଗେଡ଼ କେବଳ ପାର୍ବତ୍ୟ ଅଞ୍ଚଳରେ ଲଢ଼େଇ କରିବାରେ ସକ୍ଷମ ଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ନା ଥିଲା ଯୁଦ୍ଧାସ୍ତ୍ର ନା ସମତଳ ଅଞ୍ଚଳରେ ଯୁଦ୍ଧ କରିବା ପାଇଁ ତାଲିମ । ଏହା ତୁଳନାରେ ପାକିସ୍ତାନୀ ସେନା ନିକଟରେ ୭୬୫ଟି ଟ୍ୟାଙ୍କ‌, ୫୫୨ଟି କମାଣ ଓ ୨୬ଟି ପଦାତିକ ବ୍ରିଗେଡ । ଏହା ବ୍ୟତୀତ ପ୍ରାୟ ୯ହଜାର ଅସ୍ଥାୟୀ ରୂପେ କାର୍ଯ୍ୟ କରୁଥିବା ସୈନ୍ୟବଳ ଅନୁପ୍ରବେଶ ପାଇଁ ପ୍ରସ୍ତୁତ। ଭାରତ ନିକଟରେ ଗୋଟିଏ ମାତ୍ର ସାଞ୍ଜୁଆ ଡ଼ିଭିଜନ ଥିବାବେଳେ ପାକିସ୍ତାନ ପାଖରେ ଦୁଇଟି ସାଞ୍ଜୁଆ ଡିଭିଜନ ଥିଲା। ଅନ୍ୟପକ୍ଷେ ଭାରତୀୟ ଯୁଦ୍ଧ ଯୋଜନା ଥିଲା ବେଶ‌ ସରଳ।

(ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ)

Previous ArticleNext Article

2 Comments

  1. ଚମତ୍କାର ଲେଖା; ବନାନଗତ ତ୍ରୁଟି ଅାଖିକୁ ବାଧୁଛି।

    1. ମତାମତ ପାଇଁ ଧନ୍ୟବାଦ। ଆଗକୁ ଆମେ ବନାନ ସୁଦ୍ଧି ଦିଗରେ ଅଧିକ ସଜାଗ ହେବୁ