ସିନ୍ଧୁ ସନ୍ଧିର ସଙ୍କେତ !

bihuti-pati
bihuti-pati
ବିଭୂତି ପତି

ଭାରତ ସହିତ ପାକିସ୍ତାନ ମଧ୍ୟରେ ଯେବେ ଯୁଦ୍ଧର ଘନଘଟା କିମ୍ୱା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୁଏ, ସିନ୍ଧୁ ନଦୀର ସନ୍ଧିକୁ ଭାଙ୍ଗିଦେଇ ଏ ପ୍ରସଙ୍ଗରେ ନୂଆ ଆଭିମୁଖ୍ୟ ପ୍ରଦର୍ଶନ କରିବାକୁ ଭାରତ ଆଗଭର ହୁଏ । ଠିକ ସେହିପରି ଚୀନ ମଧ୍ୟ ଭାରତକୁ ବ୍ରହ୍ମପୁତ୍ର ନଦୀକୁ ନେଇ ଜଳ ଯୁଦ୍ଧ କରିବା ପାଇଁ ସବୁବେଳେ ଧମକ ଦେଇ ଆସେ । ସିନ୍ଧୁ ନଦୀର ଜଳ ବଣ୍ଟନ କ୍ଷେତ୍ରରେ ଭାରତ ଯେପରି ଉଦାରତା ଦେଖାଇଛି, ତାହା ପୃଥିବୀର ଅନ୍ୟ କୌଣସି ଦେଶ କ୍ଷେତ୍ରରେ ସେପରି ଘଟିନାହିଁ। ମାତ୍ର ଏପରି ଉଦାରତା ସତ୍ତ୍ୱେ ଗତ ମାର୍ଚ୍ଚ ମାସରେ ପାକିସ୍ତାନର ସିନେଟ ଏକ ସର୍ବସମ୍ମତ ନିଷ୍ପତ୍ତିରେ ଘୋଷଣା କରିଛି, ଏହି ଗୃହ ଏକଥା ଅନୁମୋଦନ କରୁଛି ଯେ ସରକାର ସିନ୍ଧୁ ଜଳ ଚୁକ୍ତି (ଆଇ.ଡ଼ବ୍ଲ୍ୟୁ.ଟି) ୧୯୬୦ର ପୁନଃ ସମୀକ୍ଷା କରିବା ଆବଶ୍ୟକ ଯାହା ଦ୍ୱାରା ଏହି ଚୁକ୍ତିରେ ଏପରି ସର୍ତ୍ତମାନ ରଖାଯାଇ ପାରିବ ଯେପରି ପାକିସ୍ତାନ ତା’ର ନଦୀଗୁଡ଼ିକ ପାଇଁ ଅଧିକ ଜଳ ପାଇପାରିବ। ହେଲେ ପାକିସ୍ତାନର ପାର୍ଲ୍ୟାମେଣ୍ଟ ସଦସ୍ୟମାନେ ଏକଥା ଜାଣିପାରିଲେ ନାହିଁ ଯେ ଭାରତ ଏକଥା ଶୁଣି ସିନ୍ଧୁ ଚୁକ୍ତିର ପୁନଃ ସମୀକ୍ଷା କରିବ।

ସିନ୍ଧୁ ଜଳ ଚୁକ୍ତିରେ ପାକିସ୍ତାନ ତଳମୁଣ୍ଡର ଦେଶ ଭାବେ ତାକୁ ସିନ୍ଧୁର ୬ଟି ଯାକ ନଦୀର ମୋଟ ଜଳରୁ ୮୦.୫୨% ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି। ସିନ୍ଧୁ ଓ ତା’ର ପାଞ୍ଚଟି ଉପନଦୀରେ ବାର୍ଷିକ ହାରାହାରି ୨୦୭.୬ ବିଲିୟନ ଘନମିଟର ଜଳପ୍ରବାହିତ ହେଉଥିବା ବେଳେ ସେଥିରୁ ପାକିସ୍ତାନକୁ ୧୬୭.୨ ବିଲିୟନ ଘନମିଟର ଜଳବ୍ୟବହାରର ଅଧିକାର ଦିଆଯାଇଛି। ସିନ୍ଧୁ ଜଳ ଚୁକ୍ତି ଦ୍ୱାରା ଏହା ଶାନ୍ତି କିଣୁଛି ବୋଲି ବିଚାର କରି ଅତି ସରଳତାର ସହ ଭାରତ ଏହି ଜଳ ଚୁକ୍ତିରେ ସ୍ୱାକ୍ଷର କରିବା ସଙ୍ଗେ ସଙ୍ଗେ ପାକିସ୍ତାନରେ ନଦୀରେ ବନ୍ଧ ଓ ଅନ୍ୟାନ୍ୟ ଜଳ ପ୍ରକଳ୍ପମାନ ନିର୍ମାଣ କରିବା ପାଇଁ ୧୭.୩୬୩ କୋଟି ଡ଼ଲାର ବା ଏବର ଭାରତୀୟ ମୁଦ୍ରାରେ ପ୍ରାୟ ୧୧୪୬ କୋଟି ଟଙ୍କା (ଏକ ଡ଼ଲାର -୬୬ ଟଙ୍କା ହିସାବରେ) ସହାୟତା ମଧ୍ୟ ପ୍ରଦାନ କରିଥିଲା। ସିନ୍ଧୁ ଜଳ ଚୁକ୍ତିର ପୁନଃ ବିଚାର କରିବା ପାଇଁ ଭାରତ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଏହି ଚୁକ୍ତିରେ ଭାରତର ଅଧିକାର ଓ ଦାୟିତ୍ୱର ତର୍ଜମା କରାଯିବା ସଙ୍ଗେ ସଙ୍ଗେ, ସ୍ଥାୟୀ ସିନ୍ଧୁ କମିଶନକୁ ଭାଙ୍ଗିଦେବା ବିଷୟରେ ମଧ୍ୟ ଅନୁଧ୍ୟାନ କରାଯିବ। ଏହି କମିଶନ ଦୁଇ ଦେଶର ଦୁଇଜଣ କମିଶନଙ୍କ ମଧ୍ୟରେ ନିୟମିତ ବୈଠକମାନ କରିବା ଛଡ଼ା ଅଧିକ କିଛି ଭୂମିକା ତୁଲାଇନାହିଁ।

୨୦୦୧ ମସିହା ଡ଼ିସେମ୍ୱର ମାସରେ ପାଞ୍ଚଜଣ ପାକ‌ ଆତଙ୍କବାଦୀ ପାର୍ଲ୍ୟାମେଣ୍ଟ ଆକ୍ରମଣ କରିବା ପରବର୍ତ୍ତୀ ପରିସ୍ଥିତିରେ ଭାରତ କମିଶନର ସମସ୍ତ ବୈଠକକୁ ରଦ୍ଦ କରିଦେଇଥିଲା। ମାତ୍ର ଏବେ ପ୍ରଥମ ଥର ପାଇଁ ମୋଦି ସରକାର ସିନ୍ଧୁ ଜଳ ଚୁକ୍ତିର ପୁନଃ ସମୀକ୍ଷା କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ଏଥିପାଇଁ ଏକ ଆନ୍ତଃ- ମନ୍ତ୍ରୀମଣ୍ଡଳ ସ୍ତରୀୟ କମିଟି ଗଠନ କରିଛି। ନେହେରୁଙ୍କର ଦୂର ଦୃଷ୍ଟିହୀନତା ଏବଂ ଅପରିପକ୍ୱତା ପାଇଁ ୧୯ ସେପ୍ଟେମ୍ୱର, ୧୯୬୦ରେ ପାକିସ୍ତାନକୁ ସୁହାଇବା ପରି ଏକପାଖିଆ ସିନ୍ଧୁ ନଦୀର ସନ୍ଧିକରି ଭାରତର ଭବିଷ୍ୟତ ପାଇଁ ଏକ ବିପଦ କରିଦେଇଗଲେ । କିନ୍ତୁ ବର୍ତ୍ତମାନ ସମୟରେ ସିନ୍ଧୁ ଚୁକ୍ତି ପରି ଏକ ଏକପାଖିଆ ଚୁକ୍ତିକୁ ଯଦି ବଳବତ୍ତର ରଖାଯାଏ, ତେବେ ପାକିସ୍ତାନ ଭାରତ ସହିତ ସଂପର୍କର ସମସ୍ତ ଦ୍ୱିପାକ୍ଷିକ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇବା ଆବଶ୍ୟକ। ଭାରତ-ପାକ୍‌ ଦ୍ୱିପାକ୍ଷିକ ସଂପର୍କର ରୂପରେଖ ନିର୍ଦ୍ଧାରଣ କରୁଥିବା ସିମଳାଠାରେ ସ୍ୱାକ୍ଷରିତ ୧୯୭୨ ଶାନ୍ତି ଚୁକ୍ତିର ସର୍ତ୍ତାବଳୀର ଖିଲାପ କରି ପାକିସ୍ତାନ ଏହା ଆଶା କରିବା ଉଚିତ ନୁହେଁ ଯେ ଅନାଦି ଅନନ୍ତ କାଳପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ବଳବତ୍ତର ରହିବ। ପାକିସ୍ତାନ, ପରବର୍ତ୍ତୀ ସମୟରେ ଏହାର ସୀମାକୁ ସୀମାପାର ଆତଙ୍କବାଦ ପାଇଁ ବ୍ୟବହୃତ ହେବ ନାହିଁ ବୋଲି ଦେଇଥିବା ପ୍ରତିଶୃତିର ମଧ୍ୟ ଖିଲାପ କରିଛି। ସିମଳା ରାଜିନାମା ପୂର୍ବରୁ ହୋଇଥିବା ସିନ୍ଧୁ ଜଳ ଚୁକ୍ତିର ଅଧିକାର ଓ ଦାୟିତ୍ୱ ସିମଳା ରାଜିନାମାର ସର୍ତ୍ତଗୁଡ଼ିକର ବିରୁଦ୍ଧାଚରଣ କରିପାରିବ ନାହିଁ। ସିମଳା ରାଜିନାମା ସମସ୍ତ ପ୍ରକାରର ଶାନ୍ତିପୂର୍ଣ୍ଣ ସହଯୋଗ ପାଇଁ ଅତ୍ୟାବଶ୍ୟକ ଭିତ୍ତି ଦେଉଛି। ନିୟନ୍ତ୍ରଣ ରେଖାକୁ ଉଲ୍ଲଂଘନ କରାଯାଇ ନପାରିବା ଏବଂ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମସ୍ତ ବିବାଦର ସମାଧାନ କରାଯିବା ଇତ୍ୟାଦି ସର୍ତ୍ତ ଏହି ସିମଳା ରାଜିନାମାରେ ଅନ୍ତଭୁର୍କ୍ତ, ଯାହାକି ପାକିସ୍ତାନ ଆଜି ପର୍ଯ୍ୟନ୍ତ ଥରେ ହେଲେ କରିନାହିଁ ।

ପାକିସ୍ତାନ ଦେଶ ଦେଶ ମଧ୍ୟରେ ବ୍ୟବହାର ପାଇଁ ନିର୍ଦ୍ଧାରିତ ଆନ୍ତର୍ଜାତିକ ନୀତିନିୟମ ଓ ଧାରାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ଏହା ନିଜର ଦାୟିତ୍ୱ ନ’ତୁଲାଇ ଅଧିକାର ଦାବି କରୁଛି। ଆତଙ୍କବାଦ ଦ୍ୱାରା ଭାରତ ବିରୁଦ୍ଧରେ ଆଘୋଷିତ ଯୁଦ୍ଧ ଚଳାଇ ପାକିସ୍ତାନ ଭାରତକୁ ଦୁର୍ବଳ କରିବାକୁ ଉଦ୍ୟମ କରି ନିରୀହ ମଣିଷକୁ ହତ୍ୟା କରୁଛି । ଏହା ସହିତ ପାକିସ୍ତାନ ଏକଥା ମଧ୍ୟ ଆଶା କରୁଛି ଯେ ଭାରତ ଜଳ ବଣ୍ଟନ କ୍ଷେତ୍ରରେ ସର୍ବଦା ବଦାନ୍ୟତା ପ୍ରଦର୍ଶନ କରିବ। ଗୋଟିଏ ଦେଶ ଗତ ୫୬ ବର୍ଷ ଧରି ଭାରତର ବଦାନ୍ୟତା ଯୋଗୁଁ ବିପୁଳ ପରିମାଣର ଜଳ ବ୍ୟବହାର କରିଆସିଛି ବୋଲି ଏହି ବ୍ୟବସ୍ଥା ସବୁଦିନ ପାଇଁ ଚାଲିପାରିବ ନାହିଁ। ବାସ୍ତବରେ ପାକିସ୍ତାନ ଆନ୍ତର୍ଜାତିକ ଆଇନଗୁଡ଼ିକର ମୂଳଦୁଆକୁ ହିଁ ଦୋହଲାଇ ଦେଇଛି। ଯେଉଁ ଦେଶଠାରୁ ଏହା ଜଳ ଗ୍ରହଣ କରୁଛି, ତା’ର ବଦାନ୍ୟତାକୁ ପାକିସ୍ତାନ ସେହି ଦେଶରେ ରକ୍ତ କ୍ଷରଣ କରି ପରିଶୋଧ କରୁଛି। ୱିଲିୟମ୍ ସେକ୍ସପିୟରଙ୍କ ‘ମ୍ୟାକବେଥ’ ନାଟକର ଶ୍ରୀମତୀ ମ୍ୟାକବେଥଙ୍କ ଚରିତ୍ର ପରି ପାକିସ୍ତାନର ଆତଙ୍କବାଦ ରପ୍ତାନୀ କରୁଥିବା ସେନାମୁଖ୍ୟମାନେ ନିଜେ ନିଜକୁ ବର୍ତ୍ତମାନ ପ୍ରଶ୍ନ କରିବା ଉଚିତ୍ ‘ସିନ୍ଧୁ ନଦୀରେ ପ୍ରବାହିତ ସମସ୍ତ ଜଳ ସେମାନଙ୍କ ହାତରୁ ଏହି ରକ୍ତ ଧୋଇ ପାରିବ ତ ?’ ବାସ୍ତବରେ ପାକିସ୍ତାନର ଅମାନବୀୟ ଆଚରଣ ଯୋଗୁଁ ଭାରତ ସିନ୍ଧୁ ଚୁକ୍ତି ସଂପର୍କିତ ଆଇନ ପାଇଁ ଭିଏନା ସମ୍ମେଳନର ଧାରା ୬୨ ବ୍ୟବହାର କରି ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେବା ପାଇଁ ଏକ ଆଇନଗତ ଅସ୍ତ୍ର ହାସଲ କରିଛି। ଯେପର୍ଯ୍ୟନ୍ତ ଚୁକ୍ତି ବାତିଲ ହୋଇନାହିଁ ସେତେବେଳ ପର୍ଯ୍ୟନ୍ତ ଏହି ସିନ୍ଧୁ ଜଳଚୁକ୍ତିକୁ ଭାରତ ‘ବିରାମ’ରେ ରଖିପାରିବ। ଭାରତ ଦ୍ୱାରା ସିନ୍ଧୁ ଜଳଚୁକ୍ତି ସଂପର୍କିତ ଯେକୌଣସି ପଦକ୍ଷେପର ଉଦ୍ଦେଶ୍ୟ ପାକିସ୍ତାନକୁ ଜଳପ୍ରବାହ ବନ୍ଦ କରିବା ଲକ୍ଷ୍ୟ ନୁହେଁ। ନଦୀଗୁଡ଼ିକ ପାହାଡ଼ ପର୍ବତରୁ ମହାସାଗର ବା ହଦ୍ରକୁ ପ୍ରବାହିତ ହୁଏ। କୌଣସି ଦେଶ ପ୍ରକୃତିର ଏହି ନିୟମକୁ ସଂପୂର୍ଣ୍ଣ ବଦଳାଇ ଦେଇପାରିବ ନାହିଁ। ବରଂ ଭାରତ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ଜାମ୍ମୁ କାଶ୍ମୀରରେ ପ୍ରବାହିତ ନଦୀଗୁଡ଼ିକ ଉପରେ ଭାରତର ସାର୍ବଭୌମତ୍ୱର ପୁର୍ନବାହାଲ କରିବା ଉଦ୍ଦେଶ୍ୟରେ ହେବା ଆବଶ୍ୟକ। ଜାମ୍ମୁକାଶ୍ମୀରରେ ପ୍ରବାହିତ ହେଉଥିବା ତିନୋଟି ଛୋଟ ଛୋଟ ନଦୀ ଉପରେ ପାକିସ୍ତାନକୁ ଅଧିକାର ଦେବା ପାଇଁ ଭାରତ ଏହି ନଦୀଗୁଡ଼ିକ ଉପରେ ତା’ର ସାର୍ବଭୌମତ୍ୱକୁ ସୀମିତ କରି ଦେଇଥିଲା। ଆଧୁନିକ କାଳର କୌଣସି ଚୁକ୍ତି ଏପରି ନିର୍ବୋଧ ତଥା ନବ୍ୟ-ଔପନିବେଶବାଦୀ ଢ଼ଙ୍ଗରେ ନଦୀ ଜଳର ଭାଗବାଣ୍ଟ କରିନାହିଁ। ଜାମ୍ମୁକାଶ୍ମୀରର ନଦୀଗୁଡ଼ିକ ଉପରେ ତା’ର ଅଧିକାର ସାବ୍ୟସ୍ତ କରିବା ପରେ ଭାରତ ପାକିସ୍ତାନକୁ ବୁଦ୍ଧି ଶିଖାଇବା ପାଇଁ ଜଳକୁ ଏକ ଅସ୍ତ୍ରରୂପେ ବ୍ୟବହାର କରିପାରିବ। ଭାରତରୁ ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳକୁ କେବଳ ୧୦ ପ୍ରତିଶତ କମାଇଦେଲେ ମଧ୍ୟ ତାହା ପାକିସ୍ତାନର କ୍ଷତି ସାଧନ କରିବ।

ପାକିସ୍ତାନର ଋଣଗ୍ରସ୍ତ ଅର୍ଥନୀତି, କୃଷି ତଥା ଜୀବନଜୀବିକା ଏହାଦ୍ୱାରା ରୁଗଣ ହୋଇ ଶିଳ୍ପ ସାମଗ୍ରୀର ରପ୍ତାନୀ ଉପରେ ଅତିମାତ୍ରାରେ ନିର୍ଭର କରୁଥିବା ପାକିସ୍ତାନ ଏହାଦ୍ୱାରା ଦର୍ବଳ ହୋଇଯିବ ଏବଂ ଅଧିକ ଜଳ ଶୋଷୁଥିବା ପାକିସ୍ତାନ, ମରୁଭୂମିର ମରିଚିକାରେ ହାହାକାର କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଭାରତୀୟମାନଙ୍କ ପାଇଁ ଉପଲବ୍ଧ ମୁଣ୍ଡପିଚ୍ଛା ଜଳ ତୁଳନାରେ ପାକିସ୍ତାନୀମାନଙ୍କ ପାଇଁ ଉପଲବ୍ଧ ଜଳର ପରିମାଣ ୮୦% ଅଧିକ।

ବର୍ତ୍ତମାନ ସିନ୍ଧୁ ଜଳ ସନ୍ଧି ଉପରେ ଆଲୋଚନା କରିବା । ସିନ୍ଧୁ ନଦୀର ଜଳବଣ୍ଟନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯ ସେପ୍ଟେମ୍ୱର, ୧୯୬୦ରେ ସ୍ୱାକ୍ଷରିତ ଏହି ଚୁକ୍ତି ବଳରେ ନେହେରୁଙ୍କ ଭୁଲ ପାଇଁ ପାକିସ୍ତାନ ସିନ୍ଧୁ ନଦୀ ଏବଂ ଏହାର ପଶ୍ଚିମାଭୀମୁଖୀ ଉପନଦୀଗୁଡ଼ିକର ଜଳ ବ୍ୟବହାର ପାଇଁ ଏକଚାଟିଆ ଅଧିକାର ପାଇଛି। ପଶ୍ଚିମାଭିମୁଖୀ ଏହି ଉପନଦୀଗୁଡ଼ିକ ହେଲା ଝେଲମ‌ ଏବଂ ଚେନାବ। ତେବେ ଏହି ଦୁଇ ନଦୀରୁ ଜଳବିଦ୍ୟୁତ‌ ଉତ୍ପାଦନ, ଘରୋଇ ବ୍ୟବହାର ଓ କୃଷି ସକାଶେ ଜାମ୍ମୁକାଶ୍ମୀରକୁ ଅନୁମତି ଦିଆଯାଇଛି। ସିନ୍ଧୁ ଜଳ ଚୁକ୍ତି ଭାରତକୁ ତିନୋଟି ପୂର୍ବପଟର ଉପନଦୀ ବେଆସ‌, ରାବି ଓ ସତଲେଜ ନଦୀ ଉପରେ ଅଧିକାର ଦେଇଛି। ପାକିସ୍ତାନର ନଦୀଗୁଡ଼ିକ ପ୍ରଥମେ ଭାରତରେ ପ୍ରବାହିତ ହେଉଛନ୍ତି, ଏହି ଚୁକ୍ତିରେ ଭାରତକୁ ସେହି ନଦୀଗୁଡ଼ିକର ଜଳକୁ ଜଳସେଚନ, ପରିବହନ ଏବଂ ବିଦ୍ୟୁତ ଉତ୍ପାଦନପାଇଁ ବ୍ୟବହାରର ଅନୁମୋଦନ ଦିଆଯାଇଛି। ତେବେ ଚୁକ୍ତି ଅନୁଯାୟୀ ଏହିସବୁ ନଦୀରେ ଭାରତ ଦ୍ୱାରା ପ୍ରକଳ୍ପ ନିର୍ମାଣକୁ ନିୟନ୍ତ୍ରିତ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ପାକିସ୍ତାନର ଭୟ ଯେ ସିନ୍ଧୁ ଅବବାହିକାର ନଦୀଗୁଡ଼ିକର ଉତ୍ପତ୍ତି ସ୍ଥଳ ଭାରତରେ ହୋଇଥିବାରୁ, ଭାରତଦ୍ୱାରା ପ୍ରକଳ୍ପ ନିର୍ମାଣ କରାଗଲେ ତା’ ଦ୍ୱାରା ପାକିସ୍ତାନରେ ମରୁଡ଼ି ଓ ଦୁର୍ଭିକ୍ଷ ସୃଷ୍ଟି ହୋଇପାରେ। ବିଶେଷ କରି ଯୁଦ୍ଧ ସମୟରେ ଏହା ହୋଇପାରେ।

ସେଣ୍ଟର ଫର୍ ପଲିସି ରିସର୍ଚ୍ଚର ପ୍ରଫେସର‌ ତଥା ବିଶିଷ୍ଟ ଜଳ ପରିଚାଳନା କୁଟନୀତିଜ୍ଞ ବ୍ରହ୍ମ ଚେଲାନେଙ୍କ ମତରେ ‘ସିନ୍ଧୁ ଜଳ ଚୁକ୍ତିରେ ଛଅଟି ନଦୀ ବିଶିଷ୍ଟ ସିନ୍ଧୁ ଅବବାହିକାର ମୋଟ ଜଳର କେବଳ ୧୯.୪୮ ଜଳ ଭାରତକୁ ଦିଆଯାଇଛି। ଅନ୍ୟ ପକ୍ଷରେ ଜାମ୍ମୁ କାଶ୍ମୀରର ମୁଖ୍ୟ ନଦୀଗୁଡ଼ିକ ଯଥା ଚେନାବ, ଝେଲମ ଓ ସିନ୍ଧୁ ନଦୀର ଜଳକୁ ପାକିସ୍ତାନର ବ୍ୟବହାର ପାଇଁ ସଂରକ୍ଷିତ ରଖାଯାଇଛି। ଅଥଚ ଭାରତ ବିନା ପ୍ରତିବାଦରେ ପ୍ରତିବର୍ଷ ପାକିସ୍ତାନକୁ ୫୯୦୦ ଟି.ଏମ‌.ସି. ଫୁଟ‌ ଜଳର ଉପହାର ଦେଇଚାଲିଛି।’ ଚେଲାନିଙ୍କ ମତରେ “ଭାରତ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବ ବୋଲି ଏକ ବିଶ୍ୱାସଯୋଗ୍ୟ ଧମକ ଦେବା ଆବଶ୍ୟକ ଏବଂ ପାକିସ୍ତାନ ସିନ୍ଧୁନଦୀର ଅସୀମ ଜଳରାଶିକୁ ବ୍ୟବହାର କରିବାର ଅଧିକାରକୁ ‘ପଡ଼ୋଶୀକୁ କୌଣସି କ୍ଷତି ନ’ପହଞ୍ଚାଇବାର ଦାୟିତ୍ୱ’ ସହିତ ଯୋଡ଼ିବା ଆବଶ୍ୟକ।” ତାଙ୍କ ମତରେ ପାକିସ୍ତାନ ଭାରତ ବିରୁଦ୍ଧରେ ‘ଯୁଦ୍ଧ ପରି’ କାର୍ଯ୍ୟ କରୁଥିବାରୁ ଏକ ପ୍ରତିଆକ୍ରମଣ ରୂପେ ଭାରତ ପାଇଁ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ସଂପୂର୍ଣ୍ଣ ରୂପେ ନ୍ୟାୟୋଚିତ ହେବ। ଭାରତ ଚୁକ୍ତି ରଦ୍ଦ ନ’କରି ଅନ୍ୟାନ୍ୟ ବିକଳ୍ପର ସନ୍ଧାନ ମଧ୍ୟ କରିପାରିବା ସହିତ ପାକିସ୍ତାନକୁ ଦେବାଳିଆ କରିଦେବ।

ବର୍ତ୍ତମାନ ସମୟରେ ଭାରତ ସିନ୍ଧୁ ସନ୍ଧିର ବିଭିନ୍ନ ସର୍ତ୍ତର ପୁନଃବିଚାର ପାଇଁ କହିପାରେ କିମ୍ୱା ଭାରତ ଦେଇ ପାକିସ୍ତାନରେ ପ୍ରବେଶ କରିବା ପୂର୍ବରୁ ନଦୀଗୁଡ଼ିକରେ କେତେକ ପ୍ରକଳ୍ପ ନିର୍ମାଣ କରିପାରେ।

ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା ସପକ୍ଷରେ ଆଉ ଏକ ଯୁକ୍ତି ହେଲା ଯେ ଏହି ଚୁକ୍ତି ସ୍ୱାକ୍ଷର ହେବା ସମୟ ତୁଳନାରେ ଏବେ ଭାରତର ଜନସଂଖ୍ୟା ଏବଂ ଆବଶ୍ୟକତା ବହୁଗୁଣ ବଢ଼ିଯାଇଛି ଏବଂ ନଦୀଗୁଡ଼ିକର ଉପରମୁଣ୍ଡରେ ପ୍ରକଳ୍ପମାନ ନିର୍ମାଣ କରିବା ସକାଶେ ଅନେକ ସୁଯୋଗ ରହିଛି। ବିଶେଷ କରି ଝେଲମ ଓ ଚେନାବ ନଦୀରେ ଏପରି ପ୍ରକଳ୍ପମାନ ନିର୍ମାଣ କରାଯାଇପାରିବ। ସଂପୂର୍ଣ୍ଣ ରୂପେ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ଚୁକ୍ତିରୁ ଓହରି ଆସିବା ସପକ୍ଷରେ ଯୁକ୍ତି ବାଢ଼ି ଚଣ୍ଡିଗଡ଼ ଭିତ୍ତିକ ଭାକ୍ରା-ବେଆସ ପରିଚାଳନା ବୋର୍ଡ଼ର ଚେୟାରମ୍ୟାନ ଏସ‌.କେ.ଶର୍ମା କହିଛନ୍ତି ଯେ ସିନ୍ଧୁ ଅବବାହିକାର ଛଅଟି ଯାକ ନଦୀକୁ ସଂଯୋଗୀକରଣ କରିବା ସଂପର୍କରେ ଭାରତ ଗୁରୁତ୍ୱର ସହିତ ବିଚାର କରିବା ଆବଶ୍ୟକ। ଆଜି ପାକିସ୍ତାନ କିପରି ଜଳଯୁଦ୍ଧ ଚଳାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇଗଲାଣି । ପାକିସ୍ତାନ ତା’ ଭାଗରେ ଥିବା ସିନ୍ଧୁ ଅବବାହିକାରେ ବୃହତ‌ ଜଳବିଦ୍ୟୁତ ପ୍ରକଳ୍ପମାନ ନିର୍ମାଣ କରୁଛି। ଏଗୁଡ଼ିକ ମଧ୍ୟରୁ କେତୋଟିର ନିର୍ମାଣ ଚୀନ ସହାୟତାରେ ଚାଲିଛି। ପାକିସ୍ତାନ ବେଧଡ଼କ ଭାବେ ଏହି ପ୍ରକଳ୍ପମାନ ନିର୍ମାଣ କରିଚାଲିଛି। ପାକିସ୍ତାନ ସେହି ଦେଶ, ଯିଏ ଉତ୍ତର କାଶ୍ମୀର ଅଞ୍ଚଳରେ ଭାରତ ଦ୍ୱାରା କିଶନଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପ୍ରତିବାଦରେ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟର ଆଶ୍ରୟ ନେଇଥିଲା। ଭାରତ ପ୍ରକଳ୍ପର ଆକାର କମାଇ ଦେବା ସତ୍ତ୍ୱେ ପାକିସ୍ତାନ ସନ୍ତୁଷ୍ଟ ହୋଇ ନ ଥିଲା। ଏବେ ପାକିସ୍ତାନ ନିର୍ମାଣ କରୁଥିବା ନିଲମ-ଝେଲମ ପ୍ରକଳ୍ପ ବିଦ୍ୟୁତ ଉପିାଦନ ଦୃଷ୍ଟିରୁ କିଶନଗଙ୍ଗା ପ୍ରକଳ୍ପର ତିନିଗୁଣା କ୍ଷମତା ବିଶିଷ୍ଟ। ପାକିସ୍ତାନର ଏହି ବେଆଇନ ଏବଂ ଆନ୍ତର୍ଜାତିକ ଆଇନର ଉଲ୍ଲଙ୍ଘନ କାର୍ଯ୍ୟକୁ ଭାରତର ବିଗତ ଦିନର ସରକାର ବିରୋଧ ନକରି ନୀରବରେ ସମର୍ଥନ ଜଣାଇଦେଲେ ।

ଅନ୍ୟପଟେ କାଶ୍ମୀର ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ସକିଲ ଅହମ୍ମଦ ରୋମସୁଙ୍କ ମତରେ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ବୈଷୟିକ ଦୃଷ୍ଟିକୋଣରୁ ସମ୍ଭବ ନୁହେଁ। କାରଣ ଜାମ୍ମୁ କାଶ୍ମୀରରୁ ଅନ୍ୟ ରାଜ୍ୟକୁ ଜଳ ସ୍ଥାନାନ୍ତରଣ ପାଇଁ ଭାରତରେ କୌଣସି ଡ଼ାଇଭର୍ସନ ପ୍ରକଳ୍ପ ବା କେନାଲ ନାହିଁ କିମ୍ୱା ପାକିସ୍ତାନକୁ ଜଳପ୍ରବାହ ବନ୍ଦ କରିବା ପାଇଁ ନଦୀଗୁଡ଼ିକରେ ଜଳ ଗଚ୍ଛିତ କରି ରଖିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଜଳ ଗଚ୍ଛିତ ରଖିବାର କ୍ଷମତା ନ ଥିବା ଯୋଗୁଁ କାଶ୍ମୀର ଉପତ୍ୟକା ଏବଂ ଜାମ୍ମୁରେ ବନ୍ୟା ସୃଷ୍ଟି ହୋଇପାରେ। ଏପରି ହେବାର ସମ୍ଭାବନା ଅଧିକ କାରଣ ଜଳସେଚନ ପାଇଁ କାଶ୍ମୀର ବେଶି ଜଳ ଆବଶ୍ୟକ କରେ ନାହିଁ। ପାକିସ୍ତାନକୁ ଜଳପ୍ରବାହ କମାଇବା ପାଇଁ ଭାରତ ସିନ୍ଧୁ ଏବଂ ଏହାର ଉପନଦୀଗୁଡ଼ିକରେ ବନ୍ଧ ନିର୍ମାଣ କରିବା ପାଇଁ ଚାହିଁଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବା ପାଇଁ ଅନେକ ବର୍ଷ ଲାଗିଯିବ। ଅନ୍ୟ ପକ୍ଷରେ ଆତଙ୍କବାଦୀ ମାନଙ୍କ ଆତଙ୍କବାଦ ପାଇଁ ଏହି ବନ୍ଧଗୁଡ଼ିକ ସହଜ ଲକ୍ଷ୍ୟ ମଧ୍ୟ ହୋଇପାରେ। ଏଥିପ୍ରତି ଭାରତ ଦୂରଦୃଷ୍ଟି ରଖି ନିଜର କାର୍ଯ୍ୟକ୍ରମ ପରିଚାଳନା କରିବା ଦରକାର ।

ଏହାସହିତ ଭାରତ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ସିନ୍ଧୁ ସନ୍ଧି ପ୍ରସଙ୍ଗରେ ଆନ୍ତର୍ଜାତିକ ସମୁଦାୟ ଉପରେ କି’ ପ୍ରଭାବ ପକାଇବ ସେ ସଂପର୍କରେ ଆମର ସ୍ପଷ୍ଟତା ରହିଥିବା ଆବଶ୍ୟକ। ୧୯ କୋଟି ଲୋକଙ୍କୁ ଜଳରୁ ବଞ୍ଚିତ କରିବାର ପ୍ରସ୍ତାବକୁ ଅତ୍ୟନ୍ତ ଅପ୍ରୀତିକର ହେବ ବୋଲି କେତେକ ଜଳ ବିଶେଷଜ୍ଞ ଯୁକ୍ତି ବାଢ଼ି ମତ ଦିଅନ୍ତି ଯେ ଏପରି ଏକ ପଦକ୍ଷେପ ଭାରତର କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ପ୍ରତି ନକାରାତ୍ମକ ଧାରଣା ସୃଷ୍ଟି କରିପାରେ । ଏବେ ପ୍ରଶ୍ନ ଉଠୁଛି ଭାରତ ଯଦି ସିନ୍ଧୁ ସନ୍ଧିକୁ ବାତିଲ କରେ ବା ପରିବର୍ତ୍ତନ କରେ ତେବେ ଚୀନ ବ୍ରହ୍ମପୁତ୍ରକୁ ନେଇ ବର୍ତ୍ତମାନ ଭାରତ ପ୍ରତି ଯେଉଁ ଆଚରଣ ପ୍ରଦର୍ଶନ କରୁଛି ତାହାର ଭବିଷ୍ୟତ କ’ଣ ହେବ? କାରଣ ତୀବବ୍ଦରୁ ବାହାରିଥିବା ନଦୀଗୁଡ଼ିକର ଜଳ ଉପରେ ଭାରତ ଅତିମାତ୍ରାରେ ନିର୍ଭରଶୀଳ । ଚୀନ ତାକୁ ବନ୍ଧ ବାନ୍ଧି ଜଳ ପ୍ରବାହକୁ ରୋକିବା ପରେ ଭାରତ ଏହାକୁ କିପରି ମୁକାବିଲା କରିବ? ପାକିସ୍ତାନରେ ଚୀନ ଝେଲମ ଓ ନିଲମର (ଭାରତରେ କିସନଗଙ୍ଗା ନାମରେ ପରିଚିତ) ସଙ୍ଗମ ସ୍ଥଳରେ ଗୋଟିଏ ବନ୍ଧ ନିର୍ମାଣ କରୁଛି। ପାକିସ୍ତାନ ଉପରୁ ଚାପ ହଟାଇବା ପାଇଁ ଚୀନ ଭାରତ ପ୍ରତି ଏକା ପ୍ରକାରର ଆଚରଣ ପ୍ରଦର୍ଶନ କରିପାରେ।

ଯଦି ଭାରତ ବନ୍ଧ ତିଆରି କରେ ଏବଂ ପାକିସ୍ତାନକୁ ହଇରାଣ କରିବା ପାଇଁ ଏକାଥରକେ ପାଣି ଛାଡେ଼, ତେବେ ଚୀନର ଏହି ଜଳବିଦ୍ୟୁତ ପ୍ରକଳ୍ପର ଜଳଭଣ୍ଡାର ଅତିରିକ୍ତ ଜଳର ଅଧିକାଂଶ ଭାଗ ଧରି ରଖିପାରିବ। ଚୀନରେ ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଅନେକଗୁଡ଼ିଏ ବନ୍ଧ ନିର୍ମାଣ କରାଯାଉଛି ଏବଂ ଭାରତ ଚୀନ / ପାକିସ୍ତାନର ଝେଲମ‌-ନିଲମ ଜଳ ବିଦ୍ୟୁତ ପ୍ରକଳ୍ପର କୌଶଳ ଅନୁକରଣ କରି ଅରୁଣାଚଳ ପ୍ରଦେଶରେ ସୀମାର ଖୁବ ନିକଟରେ କେତୋଟି ବନ୍ଧ ନିର୍ମାଣ କରୁଛି। ଯଦି ସୁଦୂର ଭବିଷ୍ୟତରେ ଚୀନ ବିପୁଳ ପରିମାଣର ଜଳଛାଡେ଼ ତେବେ ଭାରତୀୟ ବନ୍ଧଗୁଡ଼ିକର ଜଳଭଣ୍ଡାର ସେହି ଜଳକୁ ଧରିରଖି ସମ୍ଭାବ୍ୟ ବନ୍ୟାକୁ ରୋକି ପାରିବ ଏବଂ ଚାଷ ଜମିକୁ ବଞ୍ଚାଇ ପାରିବ। ତେଣୁ ଚୀନର ଜଳ ଯୁଦ୍ଧ ଦୀର୍ଘସୂତ୍ରୀ ଭାବେ ଭାରତକୁ ବିଶେଷ କ୍ଷତି ହେବାକୁ ଦେବନି । ଭାରତ ଯେପରି ପାକିସ୍ତାନ ବିରୁଦ୍ଧରେ ତା’ର ଜଳ ଅସ୍ତ୍ର ବ୍ୟବହାର କରିପାରିବ ନାହିଁ ସେଥିପାଇଁ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ପ୍ରତି ଆକ୍ରମଣ ଆରମ୍ଭ କରିଛି । କିନ୍ତୁ ବାସ୍ତବତା ହେଲା ଯେ ସିନ୍ଧୁ ଅବବାହିକାରେ ଚୀନର ବିଶେଷ ପ୍ରଭାବ ନାହିଁ।

ସିନ୍ଧୁର ଛଅଟି ନଦୀ ମଧ୍ୟରୁ ଚାରୋଟି ନଦୀର ଉପିତ୍ତି ଭାରତରେ। ଏମାନଙ୍କ ମଧ୍ୟରେ ପାକିସ୍ତାନକୁ ସବୁଠାରୁ ବେଶି ଜଳ ନେଇ ଯାଉଥିବା ଚେନାବ ଓ ଝେଲମ ନଦୀ ଦୁଇଟି ଅନ୍ତର୍ଭୁକ୍ତ। ଚାରୋଟି ନଦୀ ମଧ୍ୟରୁ ତିନୋଟି ନଦୀ ହିମାଚଳ ପ୍ରଦେଶରୁ ବାହାରିଛନ୍ତି। ମୁଖ୍ୟ ସିନ୍ଧୁ ନଦୀ ଏବଂ ସତଲେଜ ତୀବବ୍ଦରୁ ଛୋଟ ନଦୀ ହୋଇ ବାହାରିଛନ୍ତି ଏବଂ ଏଥିରେ ପ୍ରବାହିତ ଜଳର ମୁଖ୍ୟ ଅଂଶ ଏମାନେ ଭାରତରୁ ହିଁ ସଂଗ୍ରହ କରିଥାଆନ୍ତି। ଚୀନ ଭାବାତ୍ମକ ସ୍ତରରେ ମଧ୍ୟ ଜଳ ବଣ୍ଟନକୁ ଗ୍ରହଣ କରେ ନାହିଁ। ଏକାଧିକ ଦେଶ ଦେଇ ପ୍ରବାହିତ ନଦୀଗୁଡ଼ିକ କ୍ଷେତ୍ରରେ ଚୀନ ଅର୍ନ୍ତଜାତୀୟ ଆଇନର ଉଲ୍ଲଙ୍ଘନ କରିଚାଲିଛି। ବହ୍ମପୁତ୍ର ଏବଂ ଅରୁଣ (କୋଶି) ନଦୀଠାରୁ ଆରମ୍ଭ କରି ମେକଙ୍ଗ ଏବଂ ସାଲୱିନ ନଦୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଚୀନ ମାଳ ମାଳ ବନ୍ଧ ବାନ୍ଧି ଆନ୍ତଜାର୍ତିକ ସୀମାଦେଇ ଯାଉଥିବା ନଦୀର ପ୍ରବାହକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଏହା ଫଳରେ ନଦୀଗୁଡ଼ିକର ତଳମୁଣ୍ଡରେ ଥିବା ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ କ’ଣ ପ୍ରଭାବ ପଡ଼ିବ ତଥା ଆଇନକାନୁନ ପ୍ରତି ଚୀନ ଆଦୌ ଖାତିର କରିନାହିଁ। ତେଣୁ ଚୀନର କାର୍ଯ୍ୟ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ନାହିଁ।

ପାକିସ୍ତାନର ବ୍ୟବହାରରେ ସୁଧାର ଆଣିବା ପାଇଁ ଗୋଟିଏ ଜଳ ଯୁଦ୍ଧ ଲଢ଼ିବା ଅପେକ୍ଷା ଭାରତ ସିନ୍ଧୁ ଉପତ୍ୟକାରେ ଏହାର ସାର୍ବଭୌମତ୍ୱ ଜାହିର କରି ଜଳକୁ ଏକ ଅସ୍ତ୍ରରୂପେ ବ୍ୟବହାର କରିବା ଏକ ବୁଦ୍ଧିମାନ କାର୍ଯ୍ୟ। ଖୁବ‌ ଭଲଭାବରେ ତର୍ଜମା କଲେ ଉଭୟ ତଳମୁଣ୍ଡର ଦେଶଗୁଡ଼ିକ (ବ୍ରହ୍ମପୁତ୍ର କ୍ଷେତ୍ରରେ ଭାରତ ଏବଂ ତିନୋଟି ପଶ୍ଚିମପଟର ନଦୀ କ୍ଷେତ୍ରରେ ପାକିସ୍ତାନ) ପାଇଁ ଏପରି ଆଶଂକା ହୁଏତ ଅଯଥା ହୋଇପାରେ। କାରଣ ବ୍ରହ୍ମପୁତ୍ରର ଜଳଗ୍ରହଣ କ୍ଷେତ୍ରର ଏକ ମୁଖ୍ୟ ଅଂଶ ଭାରତୀୟ ସୀମା ମଧ୍ୟରେ ରହିଛି। ଚୀନ ଯେତେବେଳେ ଜାଙ୍ଗମୁ ବନ୍ଧ ନିର୍ମାଣ କଲା ସେତେବେଳେ ଭାରତରେ ଏହାକୁ ନେଇ ବେଶ ଭୀତି ପ୍ରକାଶ ପାଇଥିଲା। ଏବେ ଜାଙ୍ଗମୁ ନଦୀବନ୍ଧ କାର୍ଯ୍ୟକାରୀ ହୋଇସାରିଛି। ମାତ୍ର ଭାରତ ଓ ଚୀନର ସାମୁହିକ ନଦୀଗୁଡ଼ିକୁ ନେଇ କୌଣସି ନୂଆ ପ୍ରସଙ୍ଗ ଯୋଡ଼ି ହୋଇନାହିଁ। ସିନ୍ଧୁ ନଦୀ ପାଇଁ ମଧ୍ୟ ସେଇ ଏକା କଥା ପ୍ରଯୁଜ୍ୟ।

ଭାରତ ଓ ପାକିସ୍ତାନ ଉଭୟ ଦେଶ ଦେଇ ପ୍ରବାହିତ ସିନ୍ଧୁ ନଦୀ ପାକିସ୍ତାନ ପାଇଁ ସବୁଠାରୁ ବଡ଼ ନଦୀ ଏବଂ ପାକିସ୍ତାନର କୃଷି ପାଇଁ ଏହା ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ। ସିନ୍ଧୁ ନଦୀର ପ୍ରାୟ ୭୦ ପ୍ରତିଶତ ଜଳଧାରଣ କ୍ଷେତ୍ର ପାକିସ୍ତାନରେ ହିଁ ରହିଛି। କାବୁଲ ନଦୀ ଏହା ସହିତ ମିଶିବା ପରେ ସିନ୍ଧୁର କଳେବର ବୃଦ୍ଧି ପାଇଛି। ତେଣୁ ବ୍ରହ୍ମପୁତ୍ର ନଦୀ ହେଉ କି ସିନ୍ଧୁ ଜଳ ସନ୍ଧି ଅନ୍ତଭୁର୍କ୍ତ ନଦୀଗୁଡ଼ିକ ହେଉ, ଥରକରେ ଜଳଭଣ୍ଡାରକୁ ପୂର୍ଣ୍ଣ କରିବାର ପ୍ରୟାସ କେବଳ ସାମୟିକ ଭାବେ ତଳମୁଣ୍ଡରେ ଜଳାଭାବ ସୃଷ୍ଟି କରିପାରେ। ବିଶେଷ କରି ଡ଼ିସେମ୍ୱରରୁ ଜୁଲାଇ ମାସ ମଧ୍ୟରେ ଏହା କରାଗଲେ ଜଳାଭାବ ଦେଖାଦେଇପାରେ କାରଣ ଏହି ସମୟରେ ନଦୀରେ ଜଳ ପ୍ରବାହ ଖୁବ‌ କମ‌ ଥାଏ। ବାଗ୍‌ଲିହାର ବନ୍ଧୁକୁ ପୂର୍ଣ୍ଣ କଲାବେଳେ ଏକଥା ପ୍ରମାଣିତ ହୋଇଯାଇଛି। ଏହାର ପ୍ରଭାବ କେବଳ କେତୋଟି ମାତ୍ର ପାକିସ୍ତାନୀ ଜିଲ୍ଲା ଉପରେ ପଡ଼ିଥିଲା। ପାକିସ୍ତାନକୁ ସବୁଦିନ ପାଇଁ ଆଶଙ୍କାରେ ରଖିବା ପାଇଁ ଭାରତ ପକ୍ଷରୁ ଅନେକଗୁଡ଼ିଏ ନୂଆବନ୍ଧ ନିର୍ମାଣ କରିବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ମଧ୍ୟ ନିଲମ-ଝେଲମ‌ ପ୍ରକଳ୍ପ ପରି, ତା’ ସୀମାଭିତରେ କେତୋଟି ବନ୍ଧକୁ ପ୍ରସ୍ତୁତ କରି ରଖିଲେ ଭାରତ ଦ୍ୱାରା ଅଧିକ ଜଳ ଛଡ଼ାଗଲେ ମଧ୍ୟ ପାକିସ୍ତାନ ଉପରେ ତା’ର କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ। ଭାରତ ପାଇଁ ଅନ୍ୟ ଏକ ବିକଳ୍ପ ହେଲା ପାକିସ୍ତାନରେ ଯେତେବେଳେ ବୁଣା ଋତୁ ପ୍ରାୟ ସେହି ସମୟରେ ଭାରତ ଗୋଟିଏ ନୂଆ ବନ୍ଧକୁ ପ୍ରଥମଥର ପାଇଁ ଭର୍ତ୍ତି କରିବା ଦରକାର। ବାଗ୍‌ଲିହାର କ୍ଷେତ୍ରରେ ଯାହା ଦେଖାଯାଇଛି, ଏହା କେବଳ ଥରଟିଏ କାର୍ଯ୍ୟକରିବା ପରି ରଣ କୌଶଳ।

ଚୀନ ମଧ୍ୟ ଏକଥା ବୁଝିଛି ଯେ ଜଳ ଆତଙ୍କବାଦ ମାଧ୍ୟମରେ ଏହା ଭାରତକୁ ବ୍ଲାକ୍‌ ମେଲିଂ କରିପାରିବ ନାହିଁ। ତେବେ ପାକିସ୍ତାନ ଭାରତକୁ ନେଇ ଯେତେ ଚିନ୍ତିତ, ଭାରତ ଚୀନକୁ ନେଇ ତା’ଠାରୁ ଅଧିକ ଚିନ୍ତିତ ହେବା ଆବଶ୍ୟକ। କାରଣ ସିନ୍ଧୁ ଜଳ ଚୁକ୍ତିରେ ପରସ୍ପରକୁ ଭରସା କରିବା ଏବଂ ମନୋବଳ ଦୃଢ କରିବା ପାଇଁ ଅନେକଗୁଡ଼ିଏ ବ୍ୟବସ୍ଥା ରହିଛି। ଜଣେ ନିରପେକ୍ଷ ବିଶେଷଜ୍ଞ ଏବଂ ଉଦାରତା ଦେଖାଇବା ପାଇଁ ଭାରତର ସମ୍ମତ୍ତିରେ ଏହା ସମ୍ଭବ ହୋଇପାରିଛି।ହେଲେ ଚୀନ ଭାରତକୁ (ଏହା ସଙ୍ଗେ ସଙ୍ଗେ କାଝାକ‌ ସ୍ଥାନ ଓ ଭିଏତନାମକୁ) ଉଭୟ ଦେଶ ଦେଇ ପ୍ରବାହିତ ନଦୀର ପ୍ରବାହ ସଂପର୍କିତ ତଥ୍ୟ ଦେବାରେ ଘୋର କୁଣ୍ଠା ପ୍ରକାଶ କରିଛି। ତେବେ ଭାରତ ମଧ୍ୟ କ’ଣ ଚୀନ ପରି ଉଭୟ ଦେଶରେ ପ୍ରବାହିତ ନଦୀରେ ଜଳପ୍ରବାହ ସଂପର୍କିତ ତଥ୍ୟ ଦେବାରେ ଟାଳଟୁଳ ନୀତି ଅବଲମ୍ୱନ କରିବ ଏବଂ ପାକିସ୍ତାନକୁ ଅନ୍ଧାରରେ ରଖି ପ୍ରକଳ୍ପ ମାନ ନିର୍ମାଣ କରିଚାଲିବ, ଯେତବେଳେ କି ଏହା ଚୀନର ଏତାଦୃଶ କାର୍ଯ୍ୟର ତୀବ୍ର ବିରୋଧ କରୁଛି?

ଏବେ ଅତୀତ ଉପରେ ନଜର ପକାଇବା । ସିନ୍ଧୁ ସନ୍ଧିକୁ ନେଇ ଭାରତ ଅତୀତରେ ଯେଉଁ ପ୍ରସଙ୍ଗ ସୃଷ୍ଟିକରି କାର୍ଯ୍ୟକ୍ରମ ଗ୍ରହଣ କରିଛି, ତାହା କେତେଦୂର ସଫଳ ହୋଇଛି । ଭୌଗୋଳିକ ଗଠନ ଏବଂ ସିନ୍ଧୁ ନଦୀରେ ବନ୍ଧା ଯାଇଥିବା ବନ୍ଧଗୁଡ଼ିକର ସ୍ଥିତି ଏପରି ଯେ ପାକିସ୍ତାନକୁ ଜଳ ପ୍ରବାହ ସଂପୂର୍ଣ୍ଣ ରୋକିବା କିମ୍ୱା ସେଠାରେ ବନ୍ୟା କରାଇବା କ୍ଷେତ୍ରରେ ଭାରତର ସାମର୍ଥ୍ୟ ସୀମିତ। ପ୍ରଥମ ଘଟଣାଟି ଘଟିଥିଲା ସ୍ୱାଧୀନତାର ଠିକ‌ ପରେ ପରେ। ବଳ ପ୍ରୟୋଗ କରି କାଶ୍ମୀର ସମସ୍ୟାର ସମାଧାନ କରିବାକୁ ଚାହୁଁଥିବା ପାକିସ୍ତାନର ଉଦ୍ୟମରେ ବିରକ୍ତ ହୋଇ ଭାରତ ପଶ୍ଚିମ ପଞ୍ଜାବକୁ ପାଣି ନେଉଥିବା କେନାଲଗୁଡ଼ିକର ସ୍ଲୁଇସ ଗେଟଗୁଡ଼ିକୁ ବନ୍ଦ କରିଦେଇଥିଲା। କେନାଲରେ ପାଣିଯିବା ବନ୍ଦ ହୋଇଯିବା ଫଳରେ ଏହା ଜମା ହୋଇ ଭାରତୀୟ ସୀମାରେ ଚାଷଜମିଗୁଡ଼ିକୁ ଜଳପ୍ଲାବିତ କରିଦେଲା। ଆନ୍ତର୍ଜାତିକ ସମୁଦାୟ ଆଶଙ୍କାଗ୍ରସ୍ତ ହୋଇପଡ଼ିଲେ ଏବଂ ଭାରତ ସରକାରଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଲା। ମାତ୍ର ଏହି ଉପକ୍ରମ ଭାରତରୁ ନଦୀଜଳ ପାଇବା ସଂପର୍କରେ ପାକିସ୍ତାନର ଅସୁରକ୍ଷା ଭାବକୁ ବହୁଗୁଣ ବଢ଼ାଇ ଦେଲା। ଫଳ ସ୍ୱରୂପ କେଇ ବର୍ଷ ପରେ ଯେତେବେଳେ ସିନ୍ଧୁ ଜଳ ଚୁକ୍ତି ଚୂଡ଼ାନ୍ତ କରାଗଲା ସେତେବେଳେ ନିରପେକ୍ଷ ମଧ୍ୟସ୍ଥି ଭାରତକୁ ପ୍ରାୟ ୧୫୦୦ କୋଟି ଟଙ୍କା ଦେବାକୁ ବାଧ୍ୟ କଲେ। ପାକିସ୍ତାନରେ ଏକ ସ୍ୱତନ୍ତ୍ର କେନାଲ ବ୍ୟବସ୍ଥା ବିକଶିତ କରିବା ପାଇଁ ଭାରତକୁ ଏତେ ଅର୍ଥ ଦେବାକୁ ପଡ଼ିଲା।

ଦ୍ୱିତୀୟ ଘଟଣାଟି ମାତ୍ର ଛଅ ବର୍ଷ ପୂର୍ବେ ଘଟିଥିଲା। ଦୀର୍ଘଦିନର ପ୍ରତୀକ୍ଷା ପରେ ଭାରତ ଚେନାବ ନଦୀରେ ବଗ୍‌ଲିହାର ଜଳବିଦ୍ୟୁତ ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ସଫଳ ହେଲା। ବର୍ତ୍ତମାନ ପରି ସେତେବେଳେ ମଧ୍ୟ ପାକିସ୍ତାନ ସହ ଆମର ଦ୍ୱିପାକ୍ଷିକ ସଂପର୍କ ଖରାପ ସ୍ଥିତିରେ ଥିଲା। ପ୍ରଥମ ଥର ପାଇଁ ବଗଲିହାର ଜଳଭଣ୍ଡାରକୁ ପୂର୍ଣ୍ଣ କରିବା ପାଇଁ ଯେଉଁ ସମୟ ବଛା ଯାଇଥିଲା, ତାହା ପାକିସ୍ତାନର କୃଷକମାନଙ୍କ ପାଇଁ ବୁଣାବୁଣିର ସମୟ ଥିଲା। ବଗ୍‌ଲିହାର ଜଳଭଣ୍ଡାର ଭର୍ତ୍ତି କରିବା ପାଇଁ ପ୍ରାୟ ମାସଟିଏ ସମୟ ଲାଗିଲା। ତେଣୁ ପାକିସ୍ତାନରେ କେତୋଟି ଜିଲ୍ଲାରେ କୃଷି ପ୍ରଭାବିତ ହେଲା।

ଜଳଯୁଦ୍ଧ ଦ୍ୱାରା ପାକିସ୍ତାନକୁ ଦଣ୍ଡିତ କରିବା ପାଇଁ ପାଞ୍ଚଦଶନ୍ଧି ପୂର୍ବେ ଯେଉଁ ବିକଳ୍ପମାନ ରହିଥିଲା, ଆଜି ମଧ୍ୟ କେବଳ ସେହି ବିକଳ୍ପ ହିଁ ଉପଲବ୍ଧ। କିନ୍ତୁ ଏବେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଛି। ପାରସ୍ପରିକ ବିଶ୍ୱାସର ଅଭାବ ଯୋଗୁଁ ଭାରତର ପୂର୍ବ ସୀମାନ୍ତରେ ଚୀନ ସହିତ ବ୍ରହ୍ମପୁତ୍ର ନଦୀ ଜଳ ବଣ୍ଟନ କ୍ଷେତ୍ରରେ ମଧ୍ୟ ଭାରତର ସ୍ଥିତି ପାକିସ୍ତାନ ପରି ହୋଇପାରେ ବୋଲି କୁହାଯାଉଛି, ଯଦିଓ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ପାକିସ୍ତାନୀ ଗଣମାଧ୍ୟମ ନିୟମିତ ଅନ୍ତରାଳରେ ଭାରତର ଜଳ ଆତଙ୍କବାଦ ପ୍ରସଙ୍ଗ ଉଠାଉଥିବା ବେଳେ ଭାରତରେ ମଧ୍ୟ ଗଣମାଧ୍ୟମମାନେ ଚୀନ ବିରୁଦ୍ଧରେ ସମାନ ଅଭିଯୋଗ ଆଣୁଛନ୍ତି। କିନ୍ତୁ ଯୁକ୍ତି ସିଦ୍ଧଭାବେ ବିଚାର କରିବାର ପ୍ରକ୍ରିୟା ଭାବାବେଗର ଶିକାର ହେବା ପୂର୍ବରୁ ବାସ୍ତବତାକୁ ପରଖିନେବା ଜରୁରୀ। ପାକିସ୍ତାନକୁ ପ୍ରବାହିତ ହେଉଥିବା ଜଳକୁ ଅଟକାଇବାର ଉଦ୍ୟମରେ ଦୁଇଟି ଦୁର୍ବଳତା ରହିଛି। ପ୍ରଥମତଃ, ସିନ୍ଧୁ ନଦୀର ଦ୍ରୁତ ପ୍ରବାହମାନ ଜଳକୁ ଅଟକାଇ ରଖିବାର ଉପାୟ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିନାହିଁ। ଭାରତ କେତେଗୁଡ଼ିଏ ବନ୍ଧ ବାନ୍ଧି ଭାରତୀୟଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଥିବା ଲାଦାଖୀମାନଙ୍କୁ ବଡ଼ ଧରଣର ବିସ୍ଥାପନର କଷ୍ଟ ଭୋଗିବା ପାଇଁ ବାଧ୍ୟ ନ’କରିବା ପର୍ଯ୍ୟନ୍ତ ପାକିସ୍ତାନକୁ ସିନ୍ଧୁ ନଦୀର ଜଳପ୍ରବାହ କମାଇବାର ସମ୍ଭାବନା ନାହିଁ। ଯେଉଁ ଲାଦାଖୀମାନେ କେବେ ହେଲେ କାଶ୍ମୀରରେ ଚାଲିଥିବା ଭାରତ ବିରୋଧୀ ବିକ୍ଷୋଭରେ ସାମିଲ ହୋଇନାହାନ୍ତି, ସେମାନେ କେବଳ ଦଣ୍ଡିତ ହେବେ ନାହିଁ, ସିନ୍ଧୁ ନଦୀ କୂଳରେ ଥିବା ଭାରତୀୟ ସେନାବାହିନୀର ଶିବିରଗୁଡ଼ିକୁ ମଧ୍ୟ ସ୍ଥାନାନ୍ତରିତ କରିବାକୁ ପଡ଼ିବ। ସେଥିପାଇଁ ହୁଏତ ଭାରତର ଯୋଜନା ପ୍ରଣୟନକାରୀମାନେ ସିନ୍ଧୁ ନଦୀରେ ଜଳବିଦ୍ୟୁତ ପ୍ରକଳ୍ପମାନ ସ୍ଥାପନ କରିବା ତ ଦୂରର କଥା ଏପରି ସ୍ୱପ୍ନ ମଧ୍ୟ ଦେଖିନାହାନ୍ତି।

ନଦୀରେ ଜଳପ୍ରବାହ କମ ଥିବା ବେଳେ ବଗ‌ଲିହାର ବନ୍ଧ ପୂରଣ କରି ଭାରତ ଥରଟିଏ ପାକିସ୍ତାନକୁ ଡ଼ରାଇଥିଲା। ଭାରତ ଏହି ବିକଳ୍ପକୁ ଆଉଥରେ ପରୀକ୍ଷା କରିବା ପାଇଁ ପ୍ରଳୁବ୍ଧ ହୋଇପାରେ। ଏମିତି ବି ଭାରତ ଝେଲମ ଏବଂ ଚେନାବ‌ରେ ନଦୀବନ୍ଧର ଧାଡ଼ି ଠିଆ କରାଇବାର ଯୋଜନା କରିଛି। ସୱାଲକୋଟ, ଡ଼ଲ‌ ହସ୍ତି, ପାକୁଲଡ଼ୁଲ, ଜିସ‌ପା ଏବଂ ବରସାର ବନ୍ଧର ପରିକଳ୍ପନା କରାଯାଇଛି। ଯଦି ବଗ୍‌ଲିହାରକୁ ଦୃଷ୍ଟାନ୍ତ ରୂପେ ନିଆଯାଏ ତେବେ ପାକିସ୍ତାନ ଭାରତ ତିଆରି କରୁଥିବା ପ୍ରତ୍ୟେକଟି ନଦୀବନ୍ଧର ଉଚ୍ଚତା, କେତେ ଜଳ ଗଚ୍ଛିତ ହୋଇ ରହିବ ଇତ୍ୟାଦି ନିର୍ମାଣଗତ ମାନକକୁ ନେଇ ଆପତ୍ତି ଉଠାଇପାରିବ ଏବଂ ଆନ୍ତର୍ଜାତିକ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇପାରିବ। ଆଇନଗତ ଲଢ଼େଇ ଯୋଗୁଁ ବନ୍ଧର ନିର୍ମାଣ ପ୍ରକ୍ରିୟା ମନ୍ଥର ହୋଇଯିବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ନିର୍ମାଣ କରାଯାଉଥିବାରୁ ଗୋଟିଏ ବନ୍ଧ ନିର୍ମାଣ କରିବା ପାଇଁ ଭାରତକୁ ବିପୁଳ ସମ୍ୱଳ ବିନିଯୋଗ କରିବାକୁ ପଡ଼ିବ। ଗୋଟିଏ ଗୋଟିଏ ବନ୍ଧର ନିର୍ମାଣ ଶେଷ କରିବାକୁ ଅନ୍ୟୁନ ଦଶବର୍ଷ ସମୟ ଲାଗିବ। ଏଭଳି ଅନେକଗୁଡ଼ିଏ ସମସ୍ୟା ଏବଂ ଭାରତର ଦୀର୍ଘସୂତ୍ରୀ ଯୋଜନା ପାକିସ୍ତାନକୁ ସୁହାଇ ଚାଲୁଛି ।

ପୂର୍ବ ଭାଗର ତିନୋଟି ନଦୀ – ରାବି, ବେଆସ ଓ ଶତଲେଜରୁ ଭାରତ ସର୍ବାଧିକ ପରିମାଣର ଜଳ ଆହରଣ କରିସାରିଛି। ତେଣୁ ଏହି ନଦୀଗୁଡ଼ିକରେ ଅବଶିଷ୍ଟ ଜଳକୁ ନିୟନ୍ତ୍ରିତ କରିବାର ପ୍ରୟାସ ପାକିସ୍ତାନର ମୁଖ୍ୟ କୃଷିକୁ ପ୍ରଭାବିତ କରିବ ଏବଂ ଏହାଦ୍ୱାରା ପାକିସ୍ତାନର ସାଧାରଣ ଲୋକଙ୍କ ମନରେ ଭାରତ ବିରୋଧୀ ସ୍ୱର ତୀବ୍ର ହେବ, ଏହାର ସୁଯୋଗ ଆତଙ୍କବାଦୀମାନେ ଉଠାଇବେ । ସିନ୍ଧୁ ସନ୍ଧିର ସକାରାମିକ ସନ୍ଦେଶ ହେଉଛି ଭାରତ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଜଳ ବିବାଦର ସମସ୍ତ ସମ୍ଭାବ୍ୟ ବିବାଦ ବନ୍ଦ ହୋଇପାରୁଛି । ଜଳର ସୁଷମ ବଣ୍ଟନକୁ ରୂପାୟିତ କରିବା ପାଇଁ ସହଜ ଉପାୟ ଯେପରି ପୂର୍ବଭାଗର ନଦୀଗୁଡ଼ିକ ଭାରତପାଇଁ ଏବଂ ପଶ୍ଚିମ ଭାଗର ନଦୀଗୁଡ଼ିକର ଅଧିକାଂଶ ଜଳ ପାକିସ୍ତାନ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ସହିତ ନଦୀ ପ୍ରବାହ ତଥ୍ୟର ଆଦାନପ୍ରଦାନ ଯୋଗୁଁ ପାକିସ୍ତାନର ଭୟ ଓ ଅସୁରକ୍ଷା ଭାବ ଦୂର ହେଉଛି। ସିନ୍ଧୁ ସନ୍ଧି ପାଇଁ ନିରପେକ୍ଷ ବିଶେଷଜ୍ଞଙ୍କ ଦ୍ୱାରା ବିବଦମାନ ପ୍ରସଙ୍ଗ ଗୁଡ଼ିକର ତୁରନ୍ତ ସମାଧାନ କରି ହେଉଛି। ଉଦାହରଣ ହେଲା ବାଗଲିହାର, ଟୁଲବୁଲ । ସିନ୍ଧୁ ସନ୍ଧି ପାଇଁ ଭାରତ ଓ ଚୀନ ମଧ୍ୟରେରେ ବ୍ରହ୍ମପୁତ୍ର ନଦୀର ଜଳବଣ୍ଟନ ପାଇଁ ଏକ ଆନ୍ତର୍ଜାତିକ ସ୍ତରରେ ଦୃଷ୍ଟାନ୍ତ ହୋଇପାରିବ।

ଅନ୍ୟପଟରେ ସିନ୍ଧୁ ସନ୍ଧିର ନକାରାତ୍ମକ ଦିଗର ସନ୍ଦେଶ ହେଉଛି, ଜଳଚୁକ୍ତିର ଖରାପ ଦିଗ ପଶ୍ଚିମ ଭାଗର ନଦୀଗୁଡ଼ିକର ପ୍ରାୟ ସମସ୍ତ ଜଳର ବ୍ୟବହାର ଅଧିକାର ପାକିସ୍ତାନକୁ ଦେଇ ଭାରତ ମାତ୍ରାଧିକ ଉଦାରତା ଦେଖାଇଛି। ପଶ୍ଚିମ ଭାଗର ନଦୀରେ ‘ଭାରତ ଦ୍ୱାରା ଆହରଣ ନକରି’ ଜଳ ବ୍ୟବହାର କରାଯିବା ସତ୍ତ୍ୱେ ପାକିସ୍ତାନ ବାରମ୍ୱାର ଆପତ୍ତି କରିବା। ୫୬ ବର୍ଷ ପୁରୁଣା ହେଲେ ମଧ୍ୟ ଏହି ଚୁକ୍ତିରେ କୌଣସି ଅଗ୍ରଗତି ହୋଇ ନାହିଁ। କୌଣସି ମିଳିତ ପ୍ରକଳ୍ପ କରାଯାଇନାହିଁ କି’ ମିଳିତ ତଦାରଖ କରାଯାଉନାହିଁ। ପୂର୍ବଭାଗର ନଦୀଗୁଡ଼ିକର ପୂର୍ଣ୍ଣ ବ୍ୟବହାର ପାଇଁ ଭାରତକୁ ଅନୁମତି ମିଳିଥିଲେ ମଧ୍ୟ ପାକିସ୍ତାନ ଏହି ନଦୀଗୁଡ଼ିକରେ ଜଳପ୍ରବାହ କମିଯିବା ନେଇ ବାରମ୍ୱାର ଆପତ୍ତି ଉଠାଉଛି। ଉପରମୁଣ୍ଡର ଦେଶ ହୋଇଥିଲେ ମଧ୍ୟ ଭାରତ ତା’ର ଅଧିକାର ସାବ୍ୟସ୍ତ ନକରିବା ସତ୍ତ୍ୱେ ପାକିସ୍ତାନ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତତ ନୁହେଁ।

ସଫଦରଜଙ୍ଗ ଏନକ୍ଲେଭ‌,

ନୂଆଦିଲ୍ଲୀ

ଫୋନ: ୯୯୧୦୭୪୦୮୩୯

(ଏ ମତାମତ ସଂପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ)

Previous ArticleNext Article

Send this to a friend