ଜେଜେ ଓ ଗହଳ ମାଣ୍ଡିଆ କ୍ଷେତ

Jeje-O-Gahala-Mandia-Kheta-by-Jayanta-Sahu

ମା’ ସକାଳୁ ଫୋନ କରିଥିଲା। ପୁଅରେ- ଏଥର ଛୁଟିରେ ଆସିଲେ ଟିକେ ଅଧିକ ଦିନ ଛୁଟି ଆଣିବୁ। ଗାଁକୁ ଯିବା।

ଅନେକ ଦିନ ପରେ… ଅନେକ ଦିନ ନୁହେଁ, ପ୍ରାୟ ସାତ ଆଠବର୍ଷ ପରେ ମୁଁ ଗାଁକୁ ଯିବା କଥା ଭାବୁଥିଲି। ମା’ର ଫୋନ୍ ମତେ ମନେ ପକାଇ ଦେଉଥିଲା ଗାଁରେ କଟାଇଥିବା ମୋ ପିଲାଦିନର ଅପାଶୋରା କଥାଗୁଡ଼ାକୁ।

ବାପାଙ୍କ ଚାକିରୀ ପାଇଁ ଆମେ ଗାଁ ଛାଡ଼ି ରହୁଥିଲୁ ସହରରେ। ତେଣୁ ଲମ୍ୱା ଛୁଟି ଗୁଡ଼ାକରେ ବିଶେଷ କରି ଖରା ଛୁଟିରେ ଗାଁକୁ ଯିବାରେ ଥାଏ ଏକ ଅଲଗା ମୋହ। ସବୁ ମୋହ ଭିତରେ ମୋ ପାଇଁ ଦି’ଟା ଆକର୍ଷଣ ଥିଲା ଗାଁରେ। ଜେଜେ ଆଉ ଜେଜେଙ୍କ ସାଙ୍ଗରେ ଗାଁଟା ସାରା ଘେରାଏ ବୁଲିବା।

ଜେଜେ ରହନ୍ତି ଗାଁରେ। ଦାଦା, ଖୁଡ଼ୀଙ୍କ ପାଖରେ। ବର୍ଷକେ ଥରେ ଦି’ଥର ଆମେ ଜେଜେଙ୍କ ପାଖକୁ ଆସୁ। ସେଇ କେତେ ଦିନ ମୁଁ ଜେଜେଙ୍କୁ ଛାଡ଼ି କୁଆଡେ଼ ଯାଏନା।

ଗାଁକୁ ଯିବା ଆମ ପାଇଁ ଏକ ପର୍ବ ଭଳି ଲାଗେ। ଗାଁକୁ ଯିବାର କିଛି ଦିନ ପୂର୍ବରୁ ଆମେ କେଉଁ ଦିନ ଗାଁକୁ ଯିବୁ, ସେଥିପାଇଁ ବାପା ଗାଁକୁ ଖବର ପଠେଇ ଦେଇଥାନ୍ତି। ସେଦିନ ଜେଜେ ବଡ଼ି ସକାଳୁ ଆସି ବସ୍ ଷ୍ଟାଣ୍ଡରେ ବସିଥିବେ। ଆମେ ପହଞ୍ଚିଲା ପରେ ବଜାରରେ ଆମକୁ ଜଳଖିଆ ଖୁଆଇବେ। ନିଜ ଗାମୁଛାରେ ଆମ ମୁହଁ ପୋଛିଦେଇ ଘରକୁ ନେବେ। ବାଟରେ ଦେଖା ଯାଉଥିବା ସବୁ ଚିହ୍ନା ପରିଚିତଙ୍କୁ ଆମେ ଗାଁକୁ ଆସିଛୁ ବୋଲି କହି ଚାଲୁଥିବେ।

ଜେଜେଙ୍କ ସାଙ୍ଗରେ ଦିନ ସବୁ କଟେ ସ୍ୱପ୍ନ ରାଇଜରେ ଘୁରିବା ପରି। କେତେବେଳେ କେଉଁଠି ଥାଏ ତାହା ମୁଁ ନିଜେ ବି ଜାଣିନଥାଏ। ସେଠି ଜେଜେ ମୁଖ୍ୟ, ମୁଁ ଗୌଣ। ସେଠି ମୁଁ ମୋର ସତ୍ତା ହଜାଇଲା ଭଳି ଲାଗେ। ଜେଜେଙ୍କ ଦୈନନ୍ଦିନ ଜୀବନରେ ମୁଁ ତାଙ୍କର ଲାଙ୍ଗୁଡ଼ ପରି ଲାଗିଥାଏ। ଜେଜେଙ୍କ ପାଖରେ ଶୁଏ, ଜେଜେଙ୍କ ସାଥିରେ ଖାଏ, ଜେଜେଙ୍କ ସାଥିରେ ଗାଧୋଇବାକୁ ଯାଏ, ବିଲକୁ ଯାଏ। ଜେଜେ ବେଙ୍ଗଳା ପକାଇଲେ ମୁଁ ତାଙ୍କ ପଛରେ ଘୁରୁଥାଏ। ମୁଁ ସେଥିରେ ଖୁସି। ମୋ ଖୁସିରେ ଜେଜେ ଖୁସି। ଘରେ ଥାଏ ବାପାଙ୍କ କଟକଣା। ଜେଜେଙ୍କ ପାଖରେ ମୁକ୍ତ ବିହଙ୍ଗ। ତାଙ୍କ ପାଖରୁ ଥାଏ କୌଣସି ପ୍ରକାରର ଆକଟ ନା ଗାଳି ଶୁଣିବାର ଡର।

ଜେଜେଙ୍କ ନିଦ ଭାଙ୍ଗିଲେ ମୋ ସକାଳ ଆରମ୍ଭ ହୁଏ। ଜେଜେ ବିଛଣା ଛାଡ଼ିଲେ ମୋ ଆଖି ଖୋଲିଯାଏ। ନିଦ ମଳମଳ ଆଖିରେ ଝୁଲିଝୁଲି ଜେଜେଙ୍କ ଆଗରେ ପଛରେ ଦୌଡୁଥାଏ। ମୋତେ ଲାଗେ ଯେତେଦିନ ମୁଁ ଜେଜେଙ୍କ ପାଖରେ ଥାଏ, ସେତେ ଦିନ ତାଙ୍କ ବିନା ମୋ ଅସ୍ତିତ୍ୱର କଳ୍ପନା କରାଯାଇନପାରେ। ତାଙ୍କୁ ଛାଡ଼ି ମୁହୁର୍ତ୍ତେ ବି ରହିପାରିବି ନାହିଁ। ସକାଳେ ନିଜ କାମ ସାରି ଜେଜେ ଦାଦାଙ୍କ ପାଇଁ ବିଲକୁ ଖାଇବାକୁ ନେଇଯାଆନ୍ତି। ବିଲ ବୁଲିବାକୁ ମୁଁ ବାହାରି ଯାଏ ଜେଜେଙ୍କ ସାଥିରେ। ମା’ ନଯିବାକୁ ବାରଣ କଲେ ବି ମୁଁ କଥା ନଶୁଣି ଜେଜେଙ୍କ ସାଥିରେ ଚାଲିଯାଏ। ଆମେ ବିଲରେ ପହଞ୍ଚିଲା ବେଳକୁ ଦାଦା ବିଲରେ ହଳ କରୁଥିବେ। ଆମେ ପହଁଞ୍ଚିଲା ପରେ ଦାଦା ଭାତ ଖାଇବେ। ଆଉ ମୋତେ ବି ଖାଇବାକୁ ଡାକିବେ। ବିଲ ହୁଡ଼ାରେ, ଗଛ ମୂଳରେ ବସି ଖାଇବାକୁ ମୋତେ ମଜା ଲାଗେ। ଦାଦା ଖାଉଥିବା ବେଳେ ଜେଜେ ହଳ କରନ୍ତି। ମୁଁ ଖାଇବା ଜାଗାରୁ ଉଠିଯାଇ ଜେଜେଙ୍କ ପଛରେ ଦୌଡେ଼। ବିଲର ମୁଣ୍ଡା ମୁଣ୍ଡା ମାଟି ଉପରେ ଟଳମଳ ହୋଇ ଚାଲିବା ଦେଖି ଜେଜେ ଆକଟ କରନ୍ତି। ଧୁଳିମାଟି ନହେଇ ବିଲ ହୁଡ଼ାରେ ବସିବାକୁ କହନ୍ତି।

ହେଲେ ମୁଁ କୋଉ ତାଙ୍କ କଥା ଶୁଣେ? ତାଙ୍କ ପଛେପଛେ ବିଲ ସାରା ବୁଲୁଥାଏ।

ଦାଦାଙ୍କ ଖାଇବା ସରେ। ଜେଜେ ଅଇଁଠା ବାସନକୁ ଧୋଇ ସାରି ଗାଁ ପୋଖରୀକୁ ଯାଆନ୍ତି। ସେଠି ମୋତେ ଗାଧୋଇ ଦେଇ ସାରି ନିଜେ ଗାଧାନ୍ତି। ସୂର୍ଯ୍ୟ ପୂଜା କରନ୍ତି। ଆଉ କାନ୍ଧରେ ବସାଇ ଘରକୁ ଆଣନ୍ତି। କାନ୍ଧରେ ବସେଇ ଆଣିବାର ଦେଖିଲେ ମା’ ଚିଡେ଼। ଜେଜେଙ୍କ ଉପରେ ବିରକ୍ତ ହୁଏ। ତାଙ୍କ ଗେହ୍ଲା ପାଇଁ ମୁଁ ଦିନକୁ ଦିନ ଦୁଷ୍ଟାମୀର ସୀମା ଟପିଯାଏ ବୋଲି କହେ।

ଜେଜେ କୁହନ୍ତି- ବିଗିଡ଼ିଯାଉ। ଛୁଆ ବିଗିଡ଼ିବେନି, ଦୁଷ୍ଟାମୀ କରିବେନି ଆଉ କ’ଣ କରିବେ? ଏ ଖରାରେ ତତଲା ମାଟିରେ କ’ଣ ଛୁଆ ଦି’ଟାକୁ ଚଲେଇ ଚଲେଇ ଆଣିବି?

ମା’ ଚୁପ୍ ରହେ।

ଖୁଡ଼ୀ ଜେଜେଙ୍କ ପାଇଁ ଭାତ ବାଢ଼େ । ଆଉ ଜେଜେ ଡାକ ଛାଡ଼ନ୍ତି ଆମକୁ । ଦାଦାଙ୍କ ପିଲାମାନେ, ଆଉ ଆମେ ଭାଇଭଉଣୀ ସବୁ ଏକା ସାଙ୍ଗରେ ପପ୍ତାକଯାକ ତାଙ୍କ ଭାତ ଥାଳିକୁ ବେଢ଼ି ବସୁ । ଆମରି ଭିତରେ ଆରମ୍ଭ ହେଇଯାଏ ମାଡପିଟ୍‌ । ଭାତ ସବୁ ଅଗଣାରେ ବିଞ୍ଚି ହେଇପଡେ଼। ତଥାପି ଜେଜେ କିଛି କହନ୍ତିନି। ବିରକ୍ତି ଭାବ ବି ଦେଖାଯାଏନି ତାଙ୍କ ମୁଁହରୁ। ମା’ କି ଖୁଡ଼ୀ ଆମକୁ ଟାଣିନିଅନ୍ତି। ଏମିତିରେ ସରେ ତାଙ୍କ ଖାଇବା।

ମା’ ଚିଡେ଼…।

ଖୁଡ଼ୀ ଚିଡ଼ନ୍ତି…।

ତାପରେ ଦି’ଜଣଯାକ ମୁହଁକୁ ମୁହଁ ଚାହିଁ ମୁରୁକି ହସନ୍ତି।

ଜେଜେ ଖାଇବା ବେଳେ ଆମ ଭିତରୁ କାହାକୁ ଗୋଟାକୁ କୋଳରେ ବସେଇଥିବେ। ସେତେବେଳେ ଯିଏ କୋଳରେ ବସିଥାଏ, ସେ ଯେମିତି ନୀରବରେ କହିଯାଏ- ଦେଖ, ଜେଜେ ମୋତେ ସବୁଠୁ ଅଧିକା ଭଲପାନ୍ତି। ୟାକୁ ଦେଖି ଅନ୍ୟମାନେ କାନ୍ଦନ୍ତି। ଏକା ବେଳକେ ସବୁ ଛୁଆଙ୍କୁ କାନ୍ଦିବା ଦେଖିଲେ, ଜେଜେ ପପ୍ତାକଯାକୁ ନେଇ କୋଳରେ ବସାଇବେ।

ମୁଁ କିନ୍ତୁ ଅପେକ୍ଷା କରିଥାଏ ରାତିକୁ। ରାତି ଆଠଟା ବେଳକୁ ଗାଁର ଲୋକମାନେ ଖାଇପିଇ ଶୋଇସାରିଥିବେ। ନହେଲେ ସମସ୍ତେ ନିଜ ନିଜ ଘରେ ଗାଁ ଯାକର କଥା ହେଉଥିବେ। କେଉଁଠୁ କେମିତି ରହିରହି ଶୁଭୁଥିବ କୀର୍ତ୍ତନିଆଙ୍କ ଗିନି ମୃଦଙ୍ଗର ଶବ୍ଦ। ଘର ଅଗଣାରେ ଆମର ସମସ୍ତେ ବସି ଦୁନିଆଯାକର କଥା ହେଉଥିବେ। ମୁଁ ଗଡୁଥାଏ ଜେଜେଙ୍କ ସାଥିରେ। ଜେଜେଙ୍କ ସାଙ୍ଗରେ ଦାଦା, ମା’ ଆଉ ଖୁଡ଼ୀ କଥା ହେଉଥିବେ। ହେଲେ ଏମାନଙ୍କ କଥାରେ ଧ୍ୟାନ ନଦେଇ ମୁଁ ଜେଜେଙ୍କ କାନରେ ତୁହାଇ ତୁହାଇ କହିଚାଲିଥିବି- ଜେଜେ, ଗପଟେ କୁହ। ଗୋଟେ ଭଲ ଗପ କୁହ। ଜେଜେ କହିବେ- ରହ, ମୁଁ କଥା ହେଇସାରେ , କହିବି। ଜେଜେଙ୍କ କଥା କେତେବେଳେ ସରେ ମୁଁ ଜାଣେନା। ତା ଭିତରେ ମୁଁ ପରସ୍ତେ ଶୋଇସାରିଥାଏ। ସେମାନଙ୍କ କଥା ସରିବା ପରେ ଜେଜେ ମୋତେ ପଚାରିବେ- କି ଗପ ଶୁଣିବୁ, କହ? ଗପ ଶୁଣି ଖୋଲିଯାଏ ଆଖି। ଭାଙ୍ଗିଯାଏ ନିଦ। ମୁଁ କହେ- ଯୋଉ ଗପ ହେଲେବି ଚଳିବ। ଜେଜେ କହିଚାଲନ୍ତି କେତେ କାହାଣୀ। କେତେବେଳେ ଗପ ଶୁଣୁଶୁଣୁ ମୁଁ ଶୋଇଯାଏ, ଆଉ କେତେବେଳେ କହୁ କହୁ ଶୋଇଯାଆନ୍ତି ଜେଜେ।

ଜେଜେ ଏତେ ଗପ କୋଉଠୁ ଶିଖିଲେ? ତାଙ୍କ ଜେଜେଙ୍କ ଠାରୁ? କେଜାଣି…?

ଜେଜେ ଖୁବ୍ ଭଲପାଆନ୍ତି ମୋତେ। ବାପା କହନ୍ତି। ମା’ ବି କହେ। ଗାଁକୁ ଗଲେ ସାଇ ପଡ଼ିଶା ବି କହନ୍ତି। ଜେଜେଙ୍କ ସହ ବିତାଇଥିବା ପିଲାଦିନ କିଛି କଥା ମନେ ଅଛି। ଆଉ କିଛି ମନରୁ ଲିଭିଯାଇଛି, ଯାହା କେବେ ମନେ ହିଁ ନଥିଲା।

ଦାଦା ଚାଷବାସକୁ ବୁଝିବା ପୂର୍ବରୁ ଘର ପାଖରେ ଖୋଲିଥିଲେ ଏକ ଦୋକାନ। ପ୍ରକୃତରେ ଦାଦା ସେ ଦୋକାନକୁ ଖୋଲି ନଥିଲେ। ତାଙ୍କ ବାଳୁଙ୍ଗାମୀରେ ଅତିଷ୍ଠ ହେଇ ଜେଜେ, ବାପାଙ୍କୁ କୁହାଇ ଦୋକାନରେ ବସାଇଥିଲେ ଦାଦାଙ୍କୁ। ସେତେବେଳେ ସେ ଦୋକାନ ଆମ ଗାଁର ଏକମାତ୍ର ଦୋକାନ ଥିଲା। ଦୋକାନ ଆଗରେ ଥିଲା ପ୍ରଶସ୍ତ ପିଣ୍ଡା। ବେପାର ଅପେକ୍ଷା ତାସ୍ ଖେଳ ଆଉ ଗୁଲିଖଟିର ବଡ଼ ଆସର ଜମୁଥିଲା ସେଠି। ଥରେ ଦାଦା ମୋତେ ଦୋକାନକୁ ନେଇଥିବା ବେଳେ ତାଙ୍କ ଅଲକ୍ଷ୍ୟରେ ମୁଁ ଟାଣିଥିଲି ଚଟାଣରେ ପଡ଼ିଥିବା ଏକ ଖଣ୍ଡିଆ ବିଡ଼ି। ଜେଜେ ଏହା ଜାଣିବା ପରେ ସମସ୍ତଙ୍କ ଆଗରେ ଦାଦାଙ୍କୁ ମାରିଥିଲେ ଏକ ଶକ୍ତ ଚାପୁଡ଼ା। ଏସବୁର କାରଣ ସେ ଦୋକାନ ଭାବି, ଦୋକାନକୁ ବି ଭାଙ୍ଗି ଦେଇଥିଲେ।

ମା’ କହେ କୁଆଡେ଼ ସମସ୍ତଙ୍କ ନଜର ଲାଗିଯାଏ ମୋତେ। ସେଥିପାଇଁ ଘରୁ ବି ବାହାରିବା କମ୍ ଥାଏ ମୋର। ଯଦି ବା କେଉଁ ଦିନ କେହି ମୋତେ ଘରୁ ବାହାରକୁ ନେଇଯାଇଥାଏ, ସେଦିନ ଘରକୁ ଫେରିବା ପରେ ଭୀଷଣ ଭାବରେ ଦେହ ଖରାପ ହୁଏ ମୋର। ସେତେବେଳେ ଖରାପ ନଜର କାଟିବା ପାଇଁ ରାତି ଅଧରେ ଜେଜେ ହିଁ ଯାଇ ମନ୍ତୁରା ଲୁଣ ନେଇ ଆସନ୍ତି। ରାତି ରାତି ଧରି କାନ୍ଦ ବନ୍ଦ ହେବା ଯାଏ ଗାଁ ଦାଣ୍ଡରେ ଏମୁଣ୍ଡରୁ ସେମୁଣ୍ଡ ଯାଏ ବୁଲାଉଥାନ୍ତି।

ଆମକୁ ନେଇ ଚାଲେ ଜେଜେଙ୍କ ଦୁନିଆ ନା ଜେଜେଙ୍କୁ ନେଇ ଚାଲେ ଆମ ଦୁନିଆ?

ମୋଟାମୋଟି ମୋ ପାଇଁ.. ନା ଆମ ସବୁ ଭାଇ ଭଉଣୀଙ୍କ ପାଇଁ ସ୍ନେହ ଆଉ ଗେହ୍ଲାପଣର ଗୋଟେ କୁହୁକମୁଣି ଥିଲେ ଜେଜେ।

ଛୁଟି ସରିଯାଏ ଆମର। ପୁଣି ଆମେ ଫେରିବାକୁ ବାହାରି ପଡୁ ସହରକୁ। ହେଲେ ମନ ନଥାଏ ଜମା ଫେରିବାକୁ। ଜେଜେଙ୍କୁ ନିଜ ପାଖରୁ ଛାଡ଼ିବାକୁ। ତାଙ୍କୁ କହେ ଚାଲ ଆମ ସାଥିରେ ଆମପାଖକୁ। ଜେଜେ ସବୁଥର ଆରଥରକୁ ଯିବି  କହିବେ। ହେଲେ ଆର ଥର କେବେ ଆସେନା। ଯଦିବା କେବେ ଥରେ ଆସିବେ ଦି’ଦିନ ରହି ଫେରିଯିବେ ଗାଁକୁ।

ଜେଜେ କ’ଣ ଗାଁକୁ ଆମ ଅପେକ୍ଷା ବେଶୀ ଭଲପାଆନ୍ତି ? ଜେଜେ କ’ଣ ଗାଁରେ କିଛି ଗୁପ୍ତଧନ ଛାଡ଼ି ଆସିଥାନ୍ତି ଯେ ଦି’ଚାରିଦିନ ପରେ ଗାଁକୁ ଯିବାକୁ ବାହାରି ପଡ଼ନ୍ତି ?

ବାପା, ଦାଦା, ଆମେ ଜନ୍ମ ହେଇଥିବା ଗାଁ କିନ୍ତୁ ଜେଜେଙ୍କ ପ୍ରକୃତ ଗାଁ ନଥିଲା। ଆମେ ଜନ୍ମ ହେଇଥିବା ଗାଁ ଥିଲା ଜେଜେଙ୍କର ଶଶୁର ଘର ଗାଁ। ଜେଜେମା’ ପାଇଁ ଜେଜେ ଚାଲିଆସିଥିଲେ ଏଠାକୁ। ଜେଜେ ତାଙ୍କ ଗାଁରେ ତାଙ୍କର ସବୁ ସମ୍ପତ୍ତି ତାଙ୍କ ଭାଇମାନଙ୍କୁ ଦେଇ ଖାଲି ହାତରେ ଆସିଥିଲା ଏଠକୁ। ପ୍ରଥମେ କିଛିଦିନ ଶଶୁର ଘରେ ରହି ଆରମ୍ଭ କରିଥିଲେ ନିଜର ଦୁନିଆ। ଶଶୁର ଘରର ସହାୟତାରେ ସେ ପୁଣିଥରେ ଆରମ୍ଭ କରିଥିଲେ ଏକ ନୂଆ ଜୀବନ। ମଣିଷ କରିଥିଲେ ନିଜ ପିଲାଛୁଆଙ୍କୁ। ଜେଜେମା’ର ଖୁସି ପାଇଁ ଜେଜେ ଛାଡ଼ିଥିଲେ ତାଙ୍କ ଗାଁ। ପଛ କରିଆସିଥିଲା ଗାଁର ମୋହ, ଭାଇ ଭଗାରୀଙ୍କ ମୁଁହ ଆଉ ପଛରେ ସେ ଛାଡ଼ି ଆସିଥିଲେ ତାଙ୍ଗ ଗାଁରେ ସେ ବିତାଇଥିବା ଦିନଗୁଡ଼ାକର ସ୍ମୃତି। ଯାହା ପାଇଁ ଜେଜେ ନିଜର ସୁଖକୁ ପଛରେ ପକାଇ ଆସିଥିଲେ ସେଇ ଜେଜେମା’ କିନ୍ତୁ ତାଙ୍କୁ ସଂସାରର ଅଧା ରାସ୍ତାରେ ଛାଡ଼ି ଆରପୁରକୁ ଚାଲିଯାଇଥିଲା।

ଜୀବନରେ ସବୁ ହରାଉଥିବା ଜେଜେ ବୋଧହୁଏ ସେଥିପାଇଁ ଆମକୁ ଗାଁରୁ ଛାଡ଼ିବାକୁ ଆଗ୍ରହୀ ନଥିଲେ। ମାତ୍ର ବାପାଙ୍କ ଚାକିରୀ, ଆମର ପାଠପଢ଼ା ପାଇଁ ଜେଜେ ଏଠି ବି ନିଜର ଇଚ୍ଛାକୁ ଚାପି ଦେଇଥିଲେ। ଆମେ ସହର ଆସିବା ପାଇଁ ବାପାଙ୍କ ନିଷ୍ପତ୍ତିରେ ସେ ନୀରବ ରହିଥିଲେ। ହୁଏତ ସେଥିପାଇଁ ସବୁ ସ୍ନେହକୁ ସେ ଅଜାଡ଼ି ଦେଇଥିଲେ ଆମ ଉପରେ।

ଚାଷବାସ ଧନ୍ଦାକୁ ଦାଦା ଦେଖାଦେଖି କରିବା ପରଠାରୁ ଜେଜେ ବିଲବାଡ଼ିକୁ ଯିବା କମାଇ ଦେଇଥିଲେ। ତାପରେ ବି ଜମିରେ ବୁଣାବେଉଷଣ ଠାରୁ ଆରମ୍ଭକରି ଫସଲ କଟା, ବେଙ୍ଗଳା ପକାଇ ଅମଳ କରିବା ଯାଏ ସବୁଥିରେ ତାଙ୍କର ଥାଏ ମୁଖ୍ୟ ଭୂମିକା। ହେଲେ କାମ ଭିତରେ ବି ସେ ଖୋଜିବୁଲନ୍ତି ଆମକୁ। ବାପାଙ୍କ ପାଖକୁ ଖବର ପଠାନ୍ତି। ଦି’ଦିନ ଛୁଟି ହେଉ ପଛେ ଆମକୁ ଟିକେ ଗାଁକୁ ନେଇ ଆସିବାକୁ। ବେଳେବେଳେ ଆମେ ଗାଁକୁ ଆସୁ। ଆଉ କେତେବେଳେ ଜେଜେ ନିଜେ ଚାଲିଆସନ୍ତି ଆମପାଖକୁ।

ମଣିଷ ମାତ୍ରକେ ସ୍ନେହ କାଙ୍ଗାଳ। ସେଇ ସ୍ନେହ ଟିକକ ପାଇଁ ଆମେ ଜେଜେଙ୍କୁ ଦେଖିଲେ ଖୁସିରେ ଫାଟିପଡୁ।  ଆଉ ଜେଜେଙ୍କ ମୁହଁରୁ ଦେଖା ଦିଏ ଉପରକୁ ଦେଖି ହେଉନଥିବା ଏକ ଅଫୁରନ୍ତ ଆନନ୍ଦ। ଯାହାକୁ ଦେଖି ହୁଏନା, ଅନୁଭବ କରିହୁଏ। ଆମେ ଗାଁକୁ ଗଲେ କିଛିଦିନ ରହି ପୁଣି ଫେରିଆସୁ। ଜେଜେ ବି କିଛିଦିନ ଆମ ପାଖରେ ରହିବା ପରେ ଗାଁକୁ ଚାଲିଯାଆନ୍ତି। ହେଲେ ଆମଠୁ ଅଲଗା ହେବା ବେଳେ ସବୁବେଳେ ଜେଜେ ଉଦାସ ଦିଶନ୍ତି। ତାଙ୍କ ଚାରିପାଖର ଦୁନିଆ ଭିତରେ ସମସ୍ତେ ଥାନ୍ତି। ହେଲେ ମୋତେ ଲାଗେ, ସେ ନିସଙ୍ଗବୋଧ କରୁଛନ୍ତି। କିଛିଟା ହରାଇଲା ଭଳି ଲାଗନ୍ତି। ଯାହାକୁ ଖୋଜୁଥାନ୍ତି, ହେଲେ ପାଉନଥାନ୍ତି।

ଜୀବନରେ ସବୁ ହରାଉଥିବା ଲୋକଗୁଡ଼ାକ କ’ଣ ଭାବପ୍ରବଣ? ଜେଜେ ଆବଶ୍ୟକତା ଠାରୁ ଅଧିକ ଭାବପ୍ରବଣ ଥିଲେ। ଯେଉଁ ଦିନ ଆମେ ଗାଁ ଛାଡ଼ିଲୁ, ସେଦିନ ଆମକୁ ଗାଁ ମୁଣ୍ଡକୁ ଛାଡ଼ିବାକୁ ଆସିବା ବେଳେ ଜେଜେଙ୍କ ଲୁହ ଢଳଢଳ ଆଖିକୁ ମୁଁ ଦେଖିଛି। ପ୍ରତିଥର ଗାଁରୁ ଫେରିବା ଦିନଗୁଡ଼ାରେ ବି ସେଇ ଏକା ଦୃଶ୍ୟ। ଆମକୁ ବାଟେଇ ଦେବା ବେଳେ ସବୁବେଳେ କହନ୍ତି- ପୁଅରେ ପଛକୁ ଫେରି ଚାହିଁଚାହିଁଯା। ଯେମିତି ଆରଥରକୁ ଜଲ୍ଦି ଆସିବୁ।

ସେଥର କିନ୍ତୁ ଛୁଟିରୁ ଫେରିବା ପରେ ଆମେ ପୁଣି ଖୁବ୍‌ ଶୀଘ୍ର ଗାଁକୁ ଯାଇଥିଲୁ। ଗାଁରୁ ଫେରିବାର ପ୍ରାୟ ସପ୍ତାହେ ପରେ। ସଂପର୍କୀୟ ଦାଦା ଗାଡ଼ି ନେଇ ଆସି ଆମକୁ ନେବାକୁ ଆସିଥିଲେ। ଆମେ ସେତେବେଳେ ଥିଲୁ ସ୍କୁଲରେ। ବାପା ସ୍କୁଲକୁ ଆସି ସାରଙ୍କ ସାଥିରେ କିଛି କଥା ହେଇ ଆମକୁ ନେଇଗଲେ। କ’ଣ ପାଇଁ ବାପା ଆମକୁ ସ୍କୁଲରୁ ନେଇ ଗଲେ ଆମେ ଜାଣିନଥାଉ। ସମସ୍ତେ ଗାଁକୁ ଗଲୁ। ରାସ୍ତା ସାରା ଗାଡ଼ି ଭିତରେ ଛାଇ ରହିଥିଲା ଅଖଣ୍ଡ ନୀରବତା। ବାପା ମୁହଁ ପୋତି ବସିଥିଲେ। ବୋଧହୁଏ କାନ୍ଦୁଥିଲେ। ମା’ ବି କାନ୍ଦୁଥିଲା। ଆମେ ଭାଇଭଉଣୀ ସବୁ ପରସ୍ପରକୁ ବଲବଲ କରି ଦେଖୁଥିଲୁ। କେତେବେଳେ ଗାଁରେ ପହଞ୍ଚିଗଲୁ ବି ଜାଣିପାରିଲୁନି। ଗାଁ ଆରମ୍ଭରେ ଆମ ଆମ୍ୱ ତୋଟା। ସେଠି ଅଟକିଲା ଆମ ଗାଡ଼ି। ଗାଁର ଲୋକ ସବୁ ରୁଣ୍ଡ ହୋଇଥିଲେ ସେଠାରେ। ତୋଟା ମଝିରେ ଚିତା ସଜ ହୋଇ ରହିଥିଲା।

ଜେଜେ ଶୋଇନଥିଲେ ଘର ବାରଣ୍ଡାରେ ପଡ଼ିଥିବା ତାଙ୍କ ତକ୍ତପୋଷ ଉପରେ। ଯୋଉ ତକ୍ତପୋଷକୁ ବାହାଘର ବେଳେ ଜେଜେଙ୍କୁ ମିଳିଥିଲା। ଯାହା ପେଟରେ କଟିଥିଲା ଆମ ଆଦ୍ୟ ପିଲାଦିନ। ଯାହାର କାଠପଟା ପିଇଯାଇଛି ଘରର ସବୁ ଛୁଆଙ୍କ ମୁତକୁ। ପଟା ଉପର କନ୍ଥାର ମୁତୁରା ଗନ୍ଧରେ ଶୋଇନଥିଲେ ଜେଜେ। ଆମକୁ ଜୀବନଠୁ ଅଧିକ ଭଲ ପାଉଥିବା ଜେଜେ। ଶୋଇଥିଲେ ଖୋଲା ଆକାଶ ତଳେ। ମୋଟା ମୋଟା କାଠଗଡ଼ ଉପରେ। କାଠ ଉପରେ ପଡ଼ିଥିବା ଧଳା ଲୁଗା ଉପରେ। ଭାରି କଷ୍ଟ ହେଉଥିବ ସେତେବେଳେ ଜେଜେଙ୍କ ଅଣ୍ଟାକୁ। ପିଠିକୁ। ଆମେ ପହଞ୍ଚିଲା ପରେ ବ୍ରାହ୍ମଣ ସବୁ ତାର ପୂଜାପାଠ ସାରିଦେଇ ବାପାଙ୍କୁ ମୁଖାଗ୍ନି ଦେବାକୁ କହିଲା। ବାପା ଜେଜେଙ୍କ ମୁହଁରେ ନିଆଁ ଧରାଇ ଏକମୁହାଁ ହୋଇ ଗାଁ ପୋଖରୀକୁ ଚାଲିଗଲେ। ତାଙ୍କ ପଛରେ ଆମକୁ ନେଇ ଚାଲିଲେ ଦାଦା। ପୋଖରୀ ପାଖରୁ ଦେଖା ଯାଉଥିଲା ଆମ୍ୱତୋଟା ଆଡୁ ଚକ୍ରୀବାଣ ପରି ମୋଡ଼ି ମୋଡ଼ି ହୋଇ ଉପରକୁ ଉଠୁଥିବା ଧୁଆଁ। ଗାଧୋଇ ପାଧୋଇ ଆମେ ଘରେ ପହଞ୍ଚିଲା ବେଳକୁ ସଂଧ୍ୟା। ଘର ଆଗରୁ ଯେମିତି ଥିଲା ସେମିତି ହିଁ ଥିଲା। ଖାଲି ନଥିଲେ ଜେଜେ। ଲାଗୁଥିଲା ସେ ଯାଇଛନ୍ତି ଗାଁ କୋଠଘର ଆଡେ଼। ତାସ ଖେଳି ସାରି ଘରକୁ ଫେରିବେ। ଖୁଡ଼ୀ ନାଲିଚା’ ତିଆରି କରି ଜେଜେଙ୍କୁ ଦେବେ। ଜେଜେ ପିଇସାରି ଦାଦାଙ୍କ ସାଥିରେ ବିଲବାଡ଼ି କଥା ହେବେ। ବାଡ଼ି ଖଲାକୁ ଯାଇ ଗଛଗୁଡ଼ାକୁ ଦେଖିବେ। ଅନାବନା ଘାସ ବାଛି ସାରି ପାଣି ଦେବେ। ହେଲେ ଜେଜେ ଆସିଲେନି।

ସେଦିନ ରାତିରେ ସ୍ୱପ୍ନରେ ଜେଜେଙ୍କୁ ଦେଖିଲି। ଘର ଝର୍କା ବାହାରେ ରହି ସେ ଆମକୁ ଦେଖୁଛନ୍ତି ସେ। ହେଲେ ଆମକୁ ଦେଖିବି କିଛି କହୁନାହାନ୍ତି। ହସୁନାହାନ୍ତି। ଆମକୁ ପାଖକୁ ଡାକୁ ନାହାନ୍ତି। ମୁଁ ବିଛଣାରୁ ଉଠିବସିଲି। କହିଲି- କିଛି କୁହ ଜେଜେ। କିଛି ତ’ କୁହ। ଜେଜେ କିଛି କହିଲେନି। ଚାଲିଗଲେ। ଘର ପଛ ପଟ ମାଣ୍ଡିଆ କ୍ଷେତ ଭିତରକୁ ଗଲେ। କୁଆଡେ଼ ଯାଉଥିଲେ କିଛି କହିଲେନି। କିଛି ବାଟ ଯିବା ପରେ ଜେଜେ ଅଦୃଶ୍ୟ ହୋଇଗଲେ।

ଜେଜେଙ୍କ ମିରିବାର ତେରଦିନ ରାତିରେ ମା’ ଆଉ ସାନ ପିଉସୀ ରୋଷେଇ ଘର ଇଶାଣରେ ଚାଉଳଗୁଣ୍ଡର ଚୁନା ଉପରେ ଥାଳି ଘୋଡେ଼ଇ କବାଟ ବନ୍ଦ କରିଦେଲେ। କିଛି ସମୟ ପରେ ଜେଜେଙ୍କ ସାଙ୍ଗ କହିଲେ, ହଇରେ ଭେଣ୍ଡା ଗଲୁ ଦେଖିବୁ- ତୋ ଜେଜେ କୋଉ ରୁପରେ ଆସିଲେ? ଦାଦା ଆଉ ମା’ ଦେଖି ଆସି କହିଲେ, ବାପା ହାତୀ ରୁପରେ ଆସିଲେ।

ସେଠି ବସିଥିବା ମୁରବୀ କହିଲେ ମର୍ଯ୍ୟାଦାବନ୍ତ ଦରଦୀ ମଣିଷ। ହାତୀ ପିଠିରେ ଆସିଲେ। ଜେଜେଙ୍କ ସାଙ୍ଗ ଖୁସି ହେଲେ। ଆମେ ବି ଖୁସିହେଲୁ।

କେବଳ ଜେଜେଙ୍କ ପୁଅବୋହୁ, ନାତିନାତୁଣୀ, ଆତ୍ମୀୟ ତାଙ୍କୁ ଶ୍ରଦ୍ଧା କରୁନଥିଲେ, ବରଂ ଗାଁଟା ଯାକର ଲୋକେ ତାଙ୍କୁ ଖାତିର କରୁଥିଲେ। ଜେଜେ ଗାଁ ଜମିଦାର ନଥିଲେ। ଗାଁ ମୁଖିଆ ନଥିଲେ। ହେଲେ ତାଙ୍କର ସରଳ କଥାବାର୍ତ୍ତା, ଅମାୟିକ ବ୍ୟବହାର ପାଇଁ ତାଙ୍କୁ ସମସ୍ତେ ମାନୁଥିଲେ। ଗୋଟେ ସରଳ ମଣିଷ ପ୍ରତି ତା’ ଚାରିପାଖର ଲୋକଙ୍କର ଯେଉଁ ସମ୍ମାନ ବୋଧଥାଏ, ବଡ଼ ହେବା ପରେ ଦୁନିଆକୁ ଦେଖିଲା ପରେ ଜେଜେଙ୍କ ବ୍ୟକ୍ତିତ୍ୱରୁ ତାକୁ ଜାଣିପାରିଲି।

ଜେଜେଙ୍କ ମରିବା ପରଠାରୁ ଆମର ଗାଁକୁ ଯିବା କମିବାରେ ଲାଗିଲା। ଠିକରେ ମନେ ପଡୁନି। ତେବେ ଜେଜେଙ୍କ ମରିବା ପରଠାରୁ ମୁଁ କେବେ ଗାଁକୁ ଯାଇନି। ସ୍କୁଲ, କଲେଜ ସାରି ଏବେ ଚାକିରୀ ପାଇଁ ମୁଁ ଘର ଠାରୁ ବାହାରେ। ଆଜି ମା’ର ଫୋନ ପୁଣି ମନେପକାଇ ଦେଲା ଗାଁକୁ, ଆଉ ଜେଜେଙ୍କୁ।

ସ୍ଥିର ହୋଇଥିବା ଦିନରେ ଗାଁରେ ଗଲୁ। ହେଲେ ଏଥର ଛୁଟିକାଟିବା ପାଇଁ ନୁହେଁ, ଭିନ୍ନେ ହେବା ପାଇଁ.. ଆମର ଜମି ଭାଗ ବଣ୍ଟା ହେବ। ବପା ଆଉ ଦାଦା ଅଲଗା ହେବେ। ରୋଷେଇ ବି ଦି’ଭାଗ ହେବ। ଜେଜେ ତାଙ୍କ ଗାଁ ଛାଡ଼ିଲା ବେଳେ ତାଙ୍କର ସବୁ ସମ୍ପତ୍ତିକୁ ତାଙ୍କର ସବୁ ଭାଇମାନଙ୍କୁ ଦେଇ ଆସିଥିଲେ। ତେଣୁ ତାଙ୍କ ଜୀବନରେ ଅଲଗା ହେବାର ଦୁଃଖ ନଥିଲା। ହେଲେ ଏବେ ତାଙ୍କର ସମ୍ପତ୍ତି, ଜମିବାଡ଼ି ଦୁଇଭାଗ ହେବ। ଭାଗ ବଣ୍ଟା ପାଇଁ ଆସିଥିଲେ ଗାଁର କିଛି ମୂରବୀ ବ୍ୟକ୍ତି। ସବୁ ବଣ୍ଟା ସରିବା ପରେ ଶେଷରେ ବଣ୍ଟା ହେବା ପାଇଁ ଆସିଲା ଘର ପଛରେ ଥିବା ଜାଗା ଖଣ୍ଡକ।

ଯୋଉ ଜାଗାରେ ଦାଦା ମାଣ୍ଡିଆ ଚାଷ କରନ୍ତି… ଯୋଉ ଗହଳ ମାଣ୍ଡିଆ କ୍ଷେତରେ ଜେଜେ ଆମକୁ କାନ୍ଧରେ ବସାଇ ବୁଲନ୍ତି… ଯୋଉ ମାଣ୍ଡିଆ କ୍ଷେତରେ ଶେଷଥର ପାଇଁ ଜେଜେଙ୍କୁ ମୁଁ ଚାଲିଚାଲି ଯାଉଥିବାର ଦେଖିଥିଲି… ସେଇ ମାଣ୍ଡିଆ କ୍ଷେତ।

ମାଣ୍ଡିଆ କ୍ଷେତ ଦି’ଭାଗ ହେଲେ କ’ଣ ଜେଜେ ବି ଦି’ଭାଗ ହୋଇଯିବେ? ଜେଜେ ପରା ସେ କ୍ଷେତକୁ ଯାଇଛନ୍ତି। ସେ ନଫେରିବା ଯାଏ ତାକୁ କେମିତି ଭାଗ କରି ଦେବେ?

କେହି ଜଣେ ମୂରବୀ କିଛି କହୁଥିଲା। ଘରବାଡ଼ି ସବୁ ଖଣ୍ଡ ଖଣ୍ଡ ହେବା ଦେଖିବା ମୋ ପକ୍ଷରେ ସହଜ ନଥିଲା। ମୁଁ ଉଠିଚାଲିଲି ସେ ମାଣ୍ଡିଆ କ୍ଷେତ ଆଡେ଼। ଜେଜେଙ୍କୁ ଖୋଜିବାକୁ। ତମେ ଚାଲିଆସ ଜେଜେ… ତମେ ଗଢ଼ିଥିବା ସଂସାର ନହେଲେ ଦି’ଭାଗ ହେଇଯିବ।

Previous ArticleNext Article

Send this to a friend