ଗୁପତି ଘର

Gupati-Ghara-Short-Story

ସିପୁ, ରାଜ ମହାକୁଡ଼ର ପୁଅ। ବୟସ ସ୍କୁଲ କାଗଜପତ୍ରରେ ଦଶ କିନ୍ତୁ ପ୍ରକୃତରେ ସିପୁକୁ ବାର ବର୍ଷ ପୂରିଲାଣି। ଗାଁରେ ଥିବା ଦଣ୍ଡମୁକ୍ତ, ଭୟମୁକ୍ତ,  ଅଣ୍ଡାଯୁକ୍ତ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼େ। ରାଜ ମହାକୁଡ଼ର ଗୋଟିଏ ବୋଲି ପୁଅ ସେଥିପାଇଁ ବଡ ଗେଲ ବସର। ମା’ ବାପା ଦୁହେଁ ସିପୁକୁ ମୁଣ୍ଡରେ ବସେଇ ରଖିଛନ୍ତି।

ସିପୁ ତା ଇଚ୍ଛାରେ ଖାଏ, ତା ଇଚ୍ଛାରେ ଶୁଏ। ଇଛାରେ ଖେଳରୁ ସମୟ ହେଲେ ସ୍କୁଲ ଯାଏ। ମାଷ୍ଟରମାନେ କେହି କିଛି କହନ୍ତି ନାହିଁ। କିଏ କହିବ? କାନ୍ଥରେ ଟୋଲଫ୍ରି ନମ୍ବର ଦେଖିଦେଲେ ମାଷ୍ଟର ଛାନିଆ।

ସିପୁ ସବୁଦିନ ସକାଳେ ଉଠିବା ଆଗରୁ ରାଜ କାମକୁ ଚାଲିଯାଇଥାଏ। ରାଜର ସ୍ତ୍ରୀ ରେବ ଘର ଦୁଆର ପାଇଟିରେ ଲାଗିଥାଏ। ରାଜର ମା, ମାନେ ସିପୁର ଜେଜେମା ବାଡ଼ିରେ ବସି କାହାକୁ ନା କାହାକୁ ସଂପୁଥାଏ। ସମସ୍ତେ ତାକୁ ରାଜମା ବୋଲି ଡାକନ୍ତି। ରାଜମାଙ୍କୁ ଗାଁ ସାରା ଲୋକଙ୍କ ଡର। ରାଜମା’ର କାହାକୁ ଡର ଭୟ ନାହିଁ। ରାଜମା ଧରାରେ କିରଣ ପଡିବା ଆଗରୁ ଉଠି ବାଡ଼ି ସାରା ବୁଲି ଆସେ। କିଏ ତା କଖାରୁ ନେଇଗଲା କି ? କିଏ ପିଜୁଳି ନେଲାକି? ଶାଗ ବାଡ଼ି, ବାଇଗଣ ବାଡ଼ି ସବୁରେ ଆଖି ପକେଇ ଆସେ। କୋଉଠି ଷଣ୍ଢ ପଶିଲା କି ? କୋଉଠି  ଛେଳି ଖାଇଗଲା କି ? ଯଦି ଓଲମବିଲମ କିଛି ଦେଖେ ସେଦିନ ଆଉ କାହାର ନିସ୍ତାର ନାହିଁ। କାହା ନାଁ ନଧରି ଶୋଧିବ। ଶୋଧି ଚାଲିଥିବା ଦିନ ସାରା। କେହି ଯଦି କିଛି କହିଦେଲା ତେବେ କଥା ସରିଲା। ଏବେ ପବନ ଗଛପତ୍ରକୁ ଗାଳି ଦେଉଥିବା ରାଜମା ସେହି ଲୋକର ନାଁ ନେଇ ଶୋଧିବ। ସେଥିପାଇଁ କେହି ତା ସହିତ ଲାଗନ୍ତି ନାହିଁ।

ରାଜମା’ର ବୟସ ତାକୁ ନିଜକୁ ବି ମାଲୁମ ନାହିଁ। କେବଳ ସେ ଏତିକି ଜାଣିଚି, ମହାତ୍ମା ଗାନ୍ଧୀ ଯେବେ ଭଣ୍ଡାରିପୋଖରୀ  ଆସିଥିଲେ ସେହିଦିନ ତା ଜନ୍ମ। ଆଉ ମହାତ୍ମାଗାନ୍ଧୀଙ୍କୁ ଯୋଉଦିନ ହତ୍ୟା କରାଗଲା ତାହାର ଦୁଇଦିନ ପୂର୍ବରୁ ତା ବାହାଘର। ସତରେ ଏମିତି ହେଇଥିଲା କି ସେ ବଢ଼େଇ ଚଢେଇ କହେ ସେକଥା କେବଳ ରାଜମା ଜାଣିଥିବ। ତା ବୟସର ଲୋକ ଗାଁରେ ଆଉ ଦୁଇତିନି ଜଣ  ଅଛନ୍ତି କିନ୍ତୁ ସେମାନେ କୋଉ ସବୁକଥା ମନେ ରଖିଛନ୍ତି ?

ସିପୁ ଛୋଟ ଥିଲାବେଳେ ତା ଜେଜେମା ପାଖେ ଶୁଏ। ରାଜମା ତାକୁ ଗପ କୁହେ। ରାଜାରାଣୀ ଗପ, କୁହୁକ ପେଡ଼ିଗପ, ଅସୁରାଣୀ ଗପ, କୃଷ୍ଣଜନ୍ମ ଗପ, କୃଷ୍ଣ ଜନ୍ମ ଗପ କହିବା ବେଳେ ଯେତେବେଳେ ସେ ବ୍ୟାଖ୍ୟା କରେ କଂସ କେମିତି ଦେଵକୀର ଗୋଟି ଗୋଟି ସବୁ ସନ୍ତାନକୁ ହତ୍ୟା କରୁଛି। ସେତେବେଳେ ଗପ କହୁକହୁ ରାଜମା ଆଖି ଲୁହରେ ଭରିଯାଏ। ପାଟି ଖନୀମାରେ। ରାଜମା ନିଜେ ଦେବକୀ ହେଇଯାଏ କି ଆଉ?

ସିପୁକୁ ବେଶୀ ଭଲ ଲାଗେ ଗୁପ୍ତ ଧନ ଗପ। ଜଙ୍ଗଲ ଭିତରେ ଥିଲା ଗୁପ୍ତଧନ। ରାଜା ପଡୋଶୀ ରାଜାର ଆକ୍ରମଣକୁ ସହ୍ୟ ନକରି ପାରି ପଛଘୁଞ୍ଚା  ଦେଲାବେଳେ ରାଜଦରବାରର ସବୁ ଧନ ରତ୍ନକୁ ଲୁଚେଇ ଦିଅନ୍ତି ଜଙ୍ଗଲରେ। ନକ୍ସାଟିଏ ଆଙ୍କି, ବଡ଼ଶଙ୍ଖ ଭିତରେ ପୂରେଇ ମୁହଁ ବନ୍ଧ କରି, ସମୁଦ୍ରକୁ ଫିଙ୍ଗି ଦିଅନ୍ତି। ଠାକୁରଙ୍କୁ ଡାକନ୍ତି  ଏହି ନକ୍ସା , ଏହି ଧନ ତା ପରବର୍ତୀ ଦାୟାଦ ପାଆନ୍ତୁ | ଗପ ଶୁଣୁ ଶୁଣୁ  ଆଖି ଲାଗିଯାଏ ସିପୁର।

ରାଜମା ଶୋଉଥିବା ଘରେ ଥିଲା ସେମିତି ଏକ ଗୁପତି ଘର। ମାଟି କାନ୍ଥ ଘରେ ବାଉଁଶ ଓ ତାଳ ଦଣ୍ଡାରେ ତିଆରି କୋଠା ଉପରକୁ ଯିବା ପାଇଁ ଥାଏ ମାଟି  ତିଆରି ପାହାଚ। ପାହାଚଟି ଥାଏ ରାଜ ଶୋଉଥିବା ଘର ଓ ରାଜମା ଶୋଉଥିବା ଘର ମଝିରେ। ପାହାଚ ତଳେ ଥିବା ଫାଙ୍କା ଏରିଆ ରାଜମା ଶୋଉଥିବା ଘର ପଟକୁ ଖୋଲା ଥିଲା। ସେହି ଘରେ ଗୋଟେ ଛୁଟିଆ କବାଟ ଲାଗିଥିଲା। କବାଟରେ ଥିଲା ଇଂରେଜ ଅମଳର ତାଲା। ସେ ତାଲା କେବେ ଖୋଲାଯାଏ ନାହିଁ। ସେହି ଘରକୁ ସମସ୍ତେ କୁହନ୍ତି ଗୁପତି ଘର।

ରାଜ ବି ହେତୁ ହେଲାଦିନୁ ଦେଖୁଚି ସେ କବାଟରେ ତାଲା। ସେ ଘରେ କ’ଣ ଅଛି ସେ ବି କେବେ ଦେଖିନି କି କେବେ ତା ମା’ କୁ ପଚାରିନି।

ସିପୁ କିନ୍ତୁ ଭାରି ଚତୁର। ସିପୁ ଭାବୁଥିଲା ସେହି ଘରଟି ହିଁ ସେ ଶୁଣିଥିବା ଗପର ଗୁପ୍ତ ଘର। ସେ ଘରେ ଜେଜେମା ବି ସାଇତି ରଖିଛି ବହୁତ ଧନ ସମ୍ପତ୍ତି। ହୀରା, ଲୀଳା, ମୋତି ସବୁ ଅଛି ସେହି ଘରେ। ନହେଲେ ଅଷ୍ଟଧାତୁ ମୂର୍ତି କିମ୍ବା ହନୁମାନ ପଇସା, ଯାହାର ମୂଲ୍ୟ କୋଟିରେ ହେବ। କିନ୍ତୁ ଦେଖିବ କେମିତି ? ରାଜମା ସେ ତାଲାର ଚାବି ନିଜ ଅଣ୍ଟାରେ ବାନ୍ଧି ବୁଲେ। କାହାକୁ ଛୁଇଁବାକୁ ଦିଏ ନାହିଁ। ରହସ୍ୟ, ରହସ୍ୟ ହୋଇ ରହେ।

ସିପୁ ଯେତେ ବଡ଼ ହେଉଥାଏ ସେ ରହସ୍ୟ ସେତେ ବସା ବାନ୍ଧୁଥାଏ ତା ମନରେ। ସେ ଭାବେ ହୁଏତ ତା ଭିତରେ କୁହୁକ ପେଡ଼ି ଥିବ। ସେ ପେଡ଼ିରେ ଥିବ ଜେଜେମାଆର ଜୀବନ। ନହେଲେ ବୁଢ଼ୀ ଏତେ ବୟସ ହେଲାଣି ମରୁନି କେମିତି ?

ଦିନେ ସିପୁ ସ୍କୁଲରୁ ଜଲ୍‌ଦି ପଳେଇ ଆସିଥିଲା। ଦେଖିଲା ଘରେ କେହି ନାହାନ୍ତି। ଜେଜେମା ଘରେ ତାଲା ପଡିଛି। ତାଲା ଭାଙ୍ଗିଲେ ସମସ୍ତେ ଜାଣିବେ। କ’ଣ କରିବ ଚିନ୍ତାକରି, ଗୋଟିଏ କୋଦାଳ ନେଇ ବାପା ମା’ ଶୋଉଥିବା ଘର ପଟୁ ଗୁପତି ଘର ଭିତରକୁ କାନ୍ଥ ଖୋଳିଲା। ଠିକ୍‌ ବେଳକୁ ରାଜର ସ୍ତ୍ରୀ ରେବ ଆସିଗଲା ଆଉ ସିପୁ ବହେ ଛେଚା ଖାଇଲା।

ସେହିଦିନ ରାଜ ବିଲରୁ ଆସିଲା ପରେ କଥା ବଡ଼ ହେଲା। ରାଜକୁ ରେବ ଶିଖେଇଲା,“କହୁନ ମା’ କ’ଣ ରଖିଛନ୍ତି ତା ଭିତରେ ଦେଖେଇ ଦେବେ। ପିଲାଟା ଆସି ଦଶ ବାର ବର୍ଷର ହେଲାଣି ତା ମୁଣ୍ଡରେ ସେଇ ଗୁପତି ଘର ବସାବାନ୍ଧିଚି। ରାତିରେ ସପନ ଦେଖୁଚି। ମା’ ଏମିତି କ’ଣ ରଖିଛନ୍ତି କି ସେଠି ?”

ସ୍ତ୍ରୀ କଥାରେ ରାଜ ସାହସ କରି ପଚାରିଲା ମା’କୁ- ମା , ସେ ଘରେ କ’ଣ ଅଛି ଦେଖେଇ ଦେଉନୁ ଟିକେ ? ପିଲାଟା କେତେ ଜିଦି କରୁଛି।”

ରାଜମା ମନା କରିଦେଲା- “ସେଠି  ଯାହା ଜିନିଷ ଅଛି କେହି ଦେଖିବାକୁ କେବେ ଚେଷ୍ଟା କରିବନି। ମୁଁ ମଲାପରେ ବି ସେ ଜିନିଷ ଖୋଲିବନି।”

କଥା ଆଗକୁ ନ ବଢ଼େଇ ପୁଅକୁ ବୁଝେଇ ଦେଲା ରାଜ।

ସୂର୍ଯ୍ୟ ଉଇଁବ ଉଇଁବ ହେଉଛି। ଆକାଶର ଗୋଟିଏ କୋଣରେ କେହି ଜଣେ ଡିବିରୀ ଆଲୁଅଟିଏ ଜାଳିଥିବା ପରି ଦେଖାଯାଉଛି। ସେହି ଆଲୁଅରେ ଫରଚା ମୁହଁ ଦିଶିଲାଣି। ଏବର୍ଷର ସବୁଠୁ ଅଧିକ ଶୀତୁଆ ରାତି ପାହିଗଲା।  ଆକାଶରେ ମେଘନାହିଁ, କିଛି ଚଢ଼େଇ କିଚିରି ମିଚିରି କରି ଉଡି ଯାଉଛନ୍ତି। ଝରକା ଫାଙ୍କରୁ ସେ ଚଢ଼େଇ ମାନଙ୍କୁ ଦେଖୁଥିଲା ସିପୁ।  ସିପୁ ବୁଝିପାରିନି ଏ ଚଢେଇମାନେ ଏତେ କଥା କଣ ହୁଅନ୍ତି ? ନା ତାଙ୍କର ବାପାଙ୍କ ପରି ଚାଷ ଟେନ୍ସନ ଅଛି ନା ମା’ ପରି ରୋଷେଇ ଟେନ୍ସନ ? ନା ରୋଜଗାର ଅଛି ନା ଖର୍ଚ ଅଛି। ତେବେ ସେମାନେ କ’ଣ କଥା ହୁଅନ୍ତି ? ସବୁ ବେଳେ କିଚିରି ମିଚିରି ହେଉଥିବେ ଯେ ହେଉଥିବେ। ଏମିତିକି କେହି ଚଢେଇ ଏକୁଟିଆ ବସିଥିଲେ ବି କାଁ କାଁ … କେଁ କେଁ .. କୁଁ କୁଁ ହେଉଥିବ। ଏକୁଟିଆ ବି ଗପୁଥିବ ନିଜ ସହ। ସିପୁ ଭାବେ ଯଦି ମୁଁ ଏମାନଙ୍କ କଥା ବୁଝି ପାରନ୍ତି ତେବେ ପଚାରନ୍ତି, “ସକାଳୁ ସକାଳୁ କିଛି କାମ ନାହିଁକି ତୁମର ଖାଲି ଆମକୁ ନିଦରୁ ଉଠେଇବା କାମ ଛଡା ?”

ସବୁଦିନ ପରି ରାଜ ବିଲକୁ ଗଲାଣି। ରାଜ ସ୍ତ୍ରୀ ଘର ପାଇଟି କରୁଛି। ସିପୁ ନିଦରୁ  ଉଠି ଆକାଶକୁ ଚାହିଁଛି। କିନ୍ତୁ ଶୁଭୁନାହିଁ ରାଜମା’ର କର୍କଶ ସ୍ୱର, ତା ଅଶ୍ଳୀଳ ଗାଳି। ସିପୁ ଦେଖିଲା ରାଜମା’ର କବାଟ ଭିତରୁ ବନ୍ଦ  ଅଛି। କବାଟ ବାଡେଇ ଡାକିଲା କିଛି ଉତ୍ତର ନାହିଁ।

ଗାଁ ସାହି ଭାଇ ଠୁଳ ହେଲେ, ରାଜ ବିଲରୁ ଆସିଲା। କବାଟ ତାଡି ରାଜମା’ର ମୃତ ଦେହ ବାହାର କାରଗାଲା। ରାଜ ସ୍ତ୍ରୀକୁ କାନ୍ଦ ମାଡ଼ୁନଥିଲେ ବି କାନ୍ଧବାକୁ ପଢ଼ିଲା। ନହେଲେ ଲୋକ କ’ଣ କହିବେ !

କେହି ଜଣେ କହୁଥିଲେ,“ବୁଢ଼ୀଟା ଥିଲା ବୋଲି ଘରଟା  ଘର ଭଳିଆ ଲାଗୁଥିଲା, ଏବେ ଘର ଖାଁ ଖାଁ ଲାଗିବ। ସିପୁ କିନ୍ତୁ ଦେଖୁଥିଲା ରାଜମା ଅଣ୍ଟାରେ ବନ୍ଧା ଗୁପତି ଘରର ଚାବିକୁ। ସେଇଟା ପାଇଗଲେ ସେ ଦେଖିବ ଜେଜେମା କଣ ରଖିଛି।

ବୁଢ଼ୀର କୋକେଇ ବନ୍ଧା ହେଲା | ବୁଢ଼ୀ ଘରୁ ତା ବିଛଣା, ଶାଢ଼ି, ମଶାରି, ଛତା, ସବୁ ବାହାର କରି ବୁଢ଼ୀ ସହ ଦିଆଗଲା। କେହି ଜଣେ କହିଲେ,“ ସେ ଛୋଟିଆ  ଘର ଭିତରେ ବୁଢ଼ୀ କଣ ରଖିଛି ବାହାର କର। ଯଦି କିଛି ବୁଢ଼ୀ ସହ ଦେଲା ଭଳି ଜିନିଷ ଥିବ ଦେବ।”

ରାଜ ଅନେଇଲା ତା ସ୍ତ୍ରୀ କୁ।  ଆଖିରେ ଆଖିରେ କଥା ହେଲେ। ରାଜ କହିଲା,“ ନା ସେଠି ସେମିତି କିଛି ନାହିଁ। ସେଠି ଫାଳ, ଶାବଳ, କୋଦାଳ, ଗଇଁଟି, ଦା’ ଏହି ସବୁ ଜିନିଷ ଅଛି।  ରେବ କହିଲା,“ମା’ଙ୍କର ଗୋଟେ ଚିହ୍ନ ମୁଁ ରଖିବି। ସେଇଟାକୁ ଠାକୁର ଘରେ ରଖି ପୂଜିବି। ମତେ ଏତେ ଭଲ ପାଉଥିଲେ, ତାଙ୍କ ସନ୍ତକ ଟିକେ ନରଖିଲେ ମୁଁ ପୋଡ଼ାମୁହିଁ କାହାକୁ ଝୁରିବି ?” କାହାକୁ କିଛି ନପଚାରି ଅଣ୍ଟାରୁ ସୁତାଟା କାଟିନେଲା। ତା ସହ ଚାବିଟା ବି।

ଶବ ଉଠିଲା। ରାଜମା ରହୁଥିବା ଘରେ ଗୋବରପାଣି ପଡିଲା। ସେ ଇଂରେଜ ଅମଳ ତାଲା ଝୁଲୁଥିଲା ଗୁପତି ଘର କବାଟରେ। ରାଜର ସ୍ତ୍ରୀ ଭାବୁଥିଲା,“ଆଉ ତୁ କଣ ଏ ଗୁପତି ଘରକୁ ସୁରକ୍ଷା ଦେଇପାରିବୁ ? ଏବେ ଭିତରେ ଯାହା ଅଛି ସବୁ ମୋର।”

ସନ୍ଧ୍ୟା ପର୍ଯ୍ୟନ୍ତ ଗହଳ ଲାଗିରହିଲା। ରାତିରେ ଦାଣ୍ଡ କବାଟରେ ତାଲା ଦେଇ ତିନିଜଣ ଆସିଲେ ଗୁପତି ଘର ଖୋଲିବାକୁ। ତାଲା ଖୋଲା ହେଲା। ଟର୍ଚ ମାରି ଗୋଟିଗୋଟି ଜିନିଷ ବାହାର କଲା ରାଜ। ରାଜାର ସ୍ତ୍ରୀ ସେ ପାଖକୁ ଯାଉ ନଥାଏ। କାଳେ ସାପ ଥିବ କି ବୁଢ଼ୀର ଆତ୍ମା ଥିବ କି  !

ସେ ଘରୁ ବାହାରିଲା ବହୁତ ଛୋଟ ଛୋଟ  ଡବା | ସେଥିରେ ଥିଲା  ଦେଶୀ ବୋଇତାଳୁମଞ୍ଜି , ଦେଶୀ କଲରା ମଞ୍ଜି, ଦେଶୀ କାକୁଡିମଞ୍ଜି ଏମିତି କେତେ ମଞ୍ଜି | ଚାଳିଶ କି ପଚାଶ ପ୍ରକାର ଦେଶୀ ଧାନର ବିହନ। ତିନୋଟି ଡବାରେ ପୁରୁଣା ପଇସା। ଯାହାର ମୂଲ୍ୟ ଏବେ କିଛି ନାହିଁ। ପଛପଟକୁ ଥିଲା ଗୋଟେ କାଠ  ବାକ୍ସ। ସେଥିରେ ପଡିଥିଲା ତାଲା।

ରାଜର ସ୍ତ୍ରୀ ଭାବିଲା ଏଥିରେ ନିଶ୍ଚିତ ଗୁପ୍ତଧନ କିଛି ଥିବ। ତାଲା ଭଙ୍ଗା  ହେଲା। ଆଉ ସେଥିରୁ ଯାହା ବାହାରିଲା ତାକୁ ଦେଖି ରାଜ କୋହ ସମ୍ଭାଳି ପାରିଲାନି। କାନ୍ଦି  କାନ୍ଦି  ଗଡ଼ିଗଲା। ରାଜର ସ୍ତ୍ରୀ ପଚାରିଲା କଣ ହେଲା ? କାନ୍ଦୁଛ କିଆଁ ? କ’ଣ ବାହାରିଲା ତା ଭିତରୁ ? ରାଜ ଦେଖେଇଲା, ପାଞ୍ଚଟି ପୁରୁଣା କପଡା। ସେ କପଡାରେ ଲେଖା ଥିଲା ପାଞ୍ଚଟି ନାଁ। କାଳୀ, ମାଳ, ରାଧା, ମୀରା ଓ  ସର। ସିପୁ ଓ ତା ମା’ କିଛି ବୁଝି ପାରୁ ନଥିଲେ। ସେ ବାକ୍ସରେ ଆହୁରି ଥିଲା ଗୋଟିଏ ଧୋତି ଆଉ ଗୋଟେ ହଳଦିଆ ରଙ୍ଗର ସୁତା ଶାଢ଼ି।

ରାଜ କହିଲା, ଏହି ଧୋତି ଆଉ ଏ ଶାଢ଼ି ମୋ ବାପା’ମାଙ୍କ ପ୍ରଥମ ସ୍ମୃତି, ଯାହାକୁ ସେ ସାଇତି ରଖିଥିଲା ଏତେ ଯତ୍ନରେ। ଆଉ ଏହି ଚିରା କପଡା ସବୁ ମୋ ଭଉଣୀ ମାନଙ୍କର। ମୁଁ ଜନ୍ମ ହେବା ଆଗରୁ ପାଞ୍ଚଟି ଝିଅ ମରିଥିଲେ ଜନ୍ମ ହେବାର କିଛି ଦିନ ଭିତରେ। ତାଙ୍କ ଘୁଅ ଲୁଗାକୁ ସାଇତି ରଖିଥିଲା ମୋ ମା’। ସେମାନଙ୍କୁ ଭୁଲିପାରୁ ନଥିଲା ବୋଲି।

ଏତିକି ତା ସମ୍ପତ୍ତି ଏହି ସ୍ନେହ ଟିକକ। ନେଇପାରିବ? ସମ୍ଭାଳି ପାରିବ ତା ସମ୍ପତ୍ତିକୁ? ସାଇତି ପାରିବ ତା ସ୍ମୃତିକୁ ? ଏତିକି କହି ରାଜ ମହାକୁଡ଼ ସେ ବାକ୍ସରେ ସବୁ ଜିନିଷ ଭରିଲା ଆଉ ସେ ବାକ୍ସକୁ  ନିଜ ଘର ଆଲମାରୀରେ ନେଇ ରଖିଲା।

କ୍ଷୀରୋଦ ବିହାରୀ ବିଶ୍ୱାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସୁବର୍ଣ୍ଣପୁର, ମୋ: ୯୪୩୯୯୮୭୬୭୫

Previous ArticleNext Article

Send this to a friend