ବୋଉର ଗୀତଖାତା

ଅଜୟ ସ୍ୱାଇଁ

ଏଇ ଗାଁ ଶେଷରେ ଗୋଟେ ସହର ଅଛି। ବେଶ‌ ବଡ଼ ସହର। ସହରରେ ଅଛି ଚାରିଟା ସିନେମା ହଲ‌। ଫଟୋ ଉଠା ପାଇଁ ତିନିଟା ଷ୍ଟୁଡିଓ। ଗୋଟେ ଆଧୁନିକ ଧାନ ଗବେଷଣା କେନ୍ଦ୍ର ଓ ବହୁ ଦୋକାନ ବଜାର। ଦିଟା ସାପ୍ତାହିକୀ ହାଟ। ଏକଥା ବୋଉକୁ ଜଣା ନଥାଏ। ବୋଉର ସେଇ ସହରରେ କିଛି କାମ ପଡେ଼ ନାହିଁ। ସେ ଦୁଇ ଦାଣ୍ଡି ଘର, ଅଗଣା, ତୁଳସୀ ଚଉରା, ହାଣ୍ଡିଶାଳ, ଶୁଆ ପଞ୍ଜୁରୀ, ଗାଈ ଗୁହାଳ ପାଖେ ପାଖେ ଥାଏ ଓ କ୍ରମଶଃ ବୁଢ଼ୀ ହେଉଥାଏ।

ବୋଉ ବୁଢ଼ୀପରି ଦିଶେନା। ବାରମାସ ତେର ବ୍ରତ କରୁଥାଏ। କାଉ କା’ନ କରୁଣୁ ନଈରେ ଗାଧୁଏ। ମାଣବସା ଗୁରୁବାରରେ ଲକ୍ଷ୍ମୀପାଦ ଚିତା ଆଗ୍ଧେ। ମୁରୁଜ ପକାଏ। ଝୋଟି ଆଗ୍ଧେ। ଛୁଞ୍ଚି ପତର ପିଠା କରେ। ଜେଜେଙ୍କ ଗୋଡ଼ ଘଷେ। ଜେଜେ ମା’ର ପାରାଲିସିସ୍। ହାତରେ ମହାମାସ ତୈଳ ମାଲିସ କରେ। ଗରମ ବାଣ୍ଠ ସେକଦିଏ। ଆମ ପାଇଁ ଆଳୁ ଚଟଣି ଓ ଛୋଟମାଛ ପତ୍ର ପୋଡ଼ା କରେ। କେବେ ଥକେନା, ଥକି ଯାଏନା। ମୁଁ ଯଦି କହେ ଏତେ କାମ ନଇଁ ନଇଁ କରୁଛୁ, ଚଞ୍ଚଳ ଅଣ୍ଟା ଭାଙ୍ଗିଯିବ ଓ ବୁଢ଼ୀ ହେଇଯିବୁ। ବୋଉ ହସେ। କହେ: ତୁ ବାହାହେଲେ ତୋ ବୋହୂ ଆସିଲେ ମୁଁ ଆରାମରେ ବସି ଖାଇବି। ମୋର ତତକକ୍ଷଣାତ୍‌ ବାହାହେବାକୁ ଇଚ୍ଛା ହୁଏ। ଏ କଥା କହିବାରୁ ବୋଉ ହସିହସି କହେ: ବଡ଼ ହ। ଚାକିରି କର। ବୋଉର ଥାଏ ଗୋଟେ ଠାକୁର ଘର। ସେ ଘରେ ପଚାଶରୁ ବେଶୀ ଦେବାଦେବୀ ଚନ୍ଦନ ଚର୍ଚ୍ଚିତ ହୋଇ ଶୋଭା ପାଉଥାନ୍ତି। ବୋଉ ଦିନକୁ ଦୁଇଥର ଫଟୋସବୁ ପୋଛେ। ଫୁଲ ଦିଏ। ଝୁଣା ଗୋଗୁଳ ଧୂପ ଦିଏ। କଣ ସବୁ ଗୁଣୁ ଗୁଣୁ ହୋଇ ମନ୍ତ୍ର ପଢ଼େ ଓ ଢ଼ୁ ଢ଼ୁ କରି ମୁଣ୍ଡ ପିଟେ। ମୁଁ ହସିକି ପଚାରେ: କ’ଣ ମାଗୁଛୁ ଏତେ? ସେ କହେ: ତମମାନଙ୍କର, ସମସ୍ତଙ୍କର ମଙ୍ଗଳ। ବେଳେବେଳେ ବୋଉ ମାନସିକ କରେ। ବାଁ ହାତରେ ଖାଏ। ଆମେ ପଚାରିଲାରୁ କଥା ବାଁରେଇ ଦେଇ କହେ, ଡାହାଣ ହାତରେ ଫୋଟକା ହେଇଛି ତ। ବାପା ହସନ୍ତି। କହନ୍ତି: ବାୟାଣିଟେ। କ’ଣ ତା’ ମନ ହେଇଛି, କରୁଛି।

ଘରର କିଛି ଆପଦ ବିପଦ ପଡ଼ିଲେ ସେ ଠାକୁର ଘରେ ପଶେ ଓ ତା’ ଭାଷାରେ ଠାକୁର ଠାକୁରାଣୀ ମାନଙ୍କୁ ଗୁହାରୀ କରେ। ତା’ର ଯୁକ୍ତି  ହେଲା ଯେ: ମୁଁ ତାରି ପୂଜା ଯୋଗୁଁ ମାଟ୍ରିକ୍‌ ପାସ‌ କଲି। ତା’ରି ପୂଜା ଯୋଗୁଁ ବଡ଼ ଭଉଣୀର ଭଲ ଘରେ ବାହାଘର ହେଲା ଓ ବାପାଙ୍କର ପେଟମରା ଆପେ ଆପେ ଭଲ ହେଇଗଲା।

ସବୁକଥାରେ ଆମଠୁଁ ବେଶୀ ବ୍ୟସ୍ତ ବୋଉ ହିଁ ହୁଏ, ଅଥଚ ଆମେ ବ୍ୟସ୍ତ ହେଲା ବେଳକୁ ତା’ର ବ୍ୟସ୍ତତା ହିଁ ମୋଟେ ନ ଥାଏ। ଆମର ବ୍ୟସ୍ତତା ଦେଖି ସେ ଢ଼ଗ ମେଲେ: ଡର କାହାକୁ…ଭୟ କାହାକୁ… ଠାକୁରେ ଅଛନ୍ତି ଚଉବାହାକୁ…।

ବୋଉର ଏକାନ୍ତ ନିଜସ୍ୱ ଗୋଟେ ଜିନିଷ ଥାଏ। ସେଇଟା ହେଲା ଗୋଟେ ଟିଣ ବାକ୍ସ। ସବୁବେଳେ ସେଥିରେ ଗୋଟେ ଟିପା ତାଲା ପଡ଼ିଥାଏ। ମୁଁ ଥରେ ପଞ୍ଚମରେ ପଢ଼ୁଥିଲା ବେଳେ ସେ ତାଲାଟାକୁ ଲୁଚେଇ ଖୋଲିଲା ବେଳେ ବୋଉ ହାବୁଡେ଼ ପଡ଼ିଥିଲି। ବୋଉ ମୋର କାନକୁ ମୋଡ଼ି ଗୋଟେ ଚଟ‌କଣି ଦେଇ କହିଥିଲା: ଖବରଦାର ଟୋକା, ଏ ବାକ୍ସରେ ହାତ ଦବୁ ତ, ଦେଖିବୁ। ଏଡେ଼ ମେଞ୍ଚଡ଼ ଟୋକା ଖଣ୍ଡେ, ତୋ’ର ଏଠି ସେଠି ହାତ ନମାରିଲେ କଣ ଭାତ ହଜମ ହଉନି?

ମୁଁ କଲେଜ ପଢ଼ିଲା ଯାଏଁ ବି ବୋଉର ଟିଣ ବାକ୍ସଟି ଥିଲା ମୋ ପାଇଁ ରହସ୍ୟମୟ। ମୁଁ ପଢ଼ିବା ପାଇଁ ବାହାରେ ରହିଲି ଓ କ୍ରମଶଃ ବୋଉର ଟିଣ ବାକ୍ସକୁ ଭୁଲିଗଲି। ମଝିରେ ମଝିରେ ଛୁଟିରେ ଯେବେ ଘରକୁ ଆସେ, ଦେଖେ ବୋଉ ସେଇ ବାକ୍ସରୁ ବାହାର କରେ କାକୁଡ଼ି, କଖାରୁ, ଜହ୍ନିମଞ୍ଜି। ଦିନେ ସେଥିରୁ ଗୋଟେ ଡେଉଁରିଆ ବାହାର କରି ମା ହାତରେ ବାନ୍ଧି ମତେ କହିଲା: କେତେ ଖରାରେ ତରାରେ ବାହାରେ ବୁଲୁଚୁ, କେତେ ଡାହାଣୀ, ଚିରୁଗୁଣୀଙ୍କର ନଜର ପଡ଼ିଥିବ, ଏଇଟାକୁ ହାତରେ ସଦାସର୍ବଦା ବାନ୍ଧିଥିବୁ। ହେଲା?

ବୟାଅଶୀ ମସିହା ବନ୍ୟାରେ ଯେବେ ଆମ ଗାଁର ଉପର ମୁଣ୍ଡେ ଘାଈ ଭାଙ୍ଗିବ ଭାଙ୍ଗିବ ହେଲା, ବୋଉ ସେ ଟିଣ ବାକ୍ସଟା ଧରିକି ବସିଲା। ସେଇଦିନ ମୋର ଧାରଣା ହେଲା ଯେ, ବୋଉ ବୋଧେ ତା’ ଭିତରେ ବହୁ ସୁନା, ରୂପା ସାଇତିକି ରଖିଛି।

ଆମର ଜଣେ ବାବାଜୀ ମାମୁ ଥିଲେ। ସେ ଅଠର ବର୍ଷ ବୟସରୁ ବାବାଜୀ ହୋଇଯାଇଥିଲେ। କେତେବେଳେ କାକଟପୁରରେ ତ କେତେବେଳେ ପରୀରେ, କେତେବେଳେ କୋଣାର୍କରେ ସେ ରହୁଥିଲେ। ତାଙ୍କର ସ୍ଥାୟୀ ଆଶ୍ରମ ନଥିଲା। ଆମ ଘରକୁ ସେ ଅନେକ ସମୟରେ ଆସୁଥିଲେ। ଆସିବାବେଳେ ଆଣୁଥିଲେ କାକଟପୁର ପାନ, କୋଣାର୍କ ନଡ଼ିଆ, ପୁରୀ ମଗଜ ଲଡ଼ୁ ସେଥିପାଇଁ ବୋଉ ତାଙ୍କୁ ଭଲ ପାଉଥିଲା। ମୋର ପଢ଼ାଘର ସେଇ ବେଳେ ବାବାଜୀ ମାମୁଙ୍କର ଅସ୍ଥାୟୀ ଆଶ୍ରମ ପାଲଟୁଥିଲା। ବାବାଜୀ ମାମୁ ମୋ ପଢ଼ା ଟେବୁଲ ଉପରେ ଜଗନ୍ନାଥ, ମଙ୍ଗଳାଙ୍କ ଫଟୋ ଥୋଇ ପୂଜା କରୁଥିଲେ। ତାଙ୍କର ପ୍ରିୟ ଚେଲା ଥିଲା ଆମ ଗାଁର ଗଞ୍ଜଡ଼ ମୂଷା ରାଉତ। ସଞ୍ଜବେଳକୁ ଗଣ୍ଢେଇ ଟଣା ହେଉଥିଲା। ମୁଁ ବିରକ୍ତ ହୋଇ ବୋଉକୁ କହିଲେ, ବୋଉ କହୁଥିଲା ସେ ବାବାଜୀ ଲୋକ। ତାଙ୍କର ମୋହ ମାୟା କ’ଣ? ତାଙ୍କର ଗଣ୍ଢେଇ ଭଲ ତ ସେ ଭଲ। ଦେଖୁନୁ ତୋଠୁ ସେ କେତେ କମ୍‌ ପାଠ ପଢ଼ିଚି। ହେଲେ କି ଜ୍ଞାନ ତା’ର।

ବୋଉଟା ବୋକୀ। ଅଜା ଗୋଟେ ବଡ଼ ଜମିରେ ଲଗେଇଥିଲେ ପିଆଜ। ବାବାଜୀ ମାମୁଙ୍କ ଦାୟିତ୍ୱ ଥିଲା ସେଥିରେ ଠିକ୍‌ ସମୟରେ ପାଣି ମଡେ଼ଇବା। ହେଲେ ମାମୁଁ ଗାଁ ଟୋକାଙ୍କ ସାଙ୍ଗେ ଗଣ୍ଢେଇ ଟାଣି, ଯାତ୍ରା ଦେଖି ପାଣି ମଡେ଼ଇବାକୁ ଭୁଲିଗଲେ। ଦିନେ ଅଜା ଦେଖିଲାବେଳକୁ ପିଆଜ ଗଛ ସବୁ ଜଳିଗଲାଣି। ସେଠୁ ମାମୁଙ୍କୁ ଗାଳିକରି, ଘରୁ ବାହାରି ଯା ବୋଲି କହିବାରୁ, ମାମୁଁ କହିଲେ: ଆତ୍ମାକୁ ଦେଖ ବାପା, ଆତ୍ମା ଜଳିଗଲାଣି, କେହି ପଚାରୁନାହାନ୍ତି, ଏ ତ ସାମାନ୍ୟ ପିଆଜ।

ମାମୁଁ ଘର ଛାଡ଼ିଲେ। ବୋଉ ଏ କଥା ଶୁଣି ବାବାଜୀ ମାମୁଁଙ୍କୁ ମନେ ବନେ ବହୁତ ଗାଳିଦେଲା। କହିଲା: ବାବାଜୀ ହେଇ ତ ମଠରେ ରହିବୁ, ଏଣେ ବୁଢ଼ା ବୁଢ଼ୀ ଦି’ଟାଙ୍କୁ ପଚାରିବ କିଏ? ମାତ୍ର ଦୁଇମାସ ପରେ ମାମୁଁ ଆମ ଘରକୁ ଆସିଲେ। ମୁହଁରେ ଦାଢ଼ୀ, ମୁଣ୍ଡବାଳ ନୁଖୁରା। କପାଳରେ ତିଳକ ଓ ସିନ୍ଦୁର। ହାତରେ ତମ୍ୱାବଳା, ବେକରେ ରୁଦ୍ରାକ୍ଷ ମାଳା।

ବୋଉ ପ୍ରଥମେ ବାହୁନିଲା: ହାରେ… ପୁନିଆଁ ତତେ ଏମନ୍ତ ଦଶା କୋଉ ବାଡ଼ିପଶା ଦେଲାରେ? ହେଲେ ମାମୁଁ ସ୍ମିତ ହସି କହିଲେ: ମାୟା…। ଏସବୁ ମାୟାରେ ମୁଁ ଆଉ ନାହିଁଲୋ ଅପା…। ଏସବୁ ମୁଁ ତେଜ୍ୟ କରିସାରିଛି।

ବୋଉ ଲୁହ ପୋଛି ସେଁ ସେଁ ହୋଇ ପଚାରିଲା: ଆଉ ବାହା ଫାହା…?

ମାମୁଁ ଉପରକୁ ହାତ ଟେକି କହିଲେ: ସବୁ ତା’ରି ଇଚ୍ଛା। ଯଦି ସେ ଚାହିଁବ, ମୁଁ ଆଉ ଚାରିମାସ ପରେ ସଂସାର କରିପାରେ। ନ ହେଲେ ହିମାଳୟ ଚାଲିଯାଇପାରେ।

ବୋଉ ତା’ ଟିଣ ବାକ୍ସ ଖୋଲି ଗୋଟେ ନାଲି କନାରେ ବାନ୍ଧିଥିବା କିଛି ଟଙ୍କା ଆଣି ମାମୁଁଙ୍କୁ ଦେଲା ଓ କହିଲା: ନେ ଏଇ ପଇସା ରଖିଥା। କାଳେ ତୋ’ର କଣ ଦରକାର ହବ।

ମୂଷା ରାଉତ ଓ ମାମୁଁ ଗଣ୍ଢେଇ ଟାଣି ସାରିବା ପରେ ଚାଲେ ଭଜନ। ବୋଉ ଲୁହ ଢ଼ଳ ଢ଼ଳ ଆଖିରେ ହାଁ କରି ଚାହିଁଥାଏ। ମାମୁଁଙ୍କ ମୁହଁକୁ। ମାମୁଁ ତନ୍ମୟ ହୋଇ ଗାଉଥାନ୍ତି: ଖଜୁରୀ ଗଛର ରସ… ମତେ ଯଦି ଟିକେ ପିଆଇ ଦିଅନ୍ତୁ… ଛାଡ଼ନ୍ତି ବାବାଜୀ ବେଶ ଲୋ… ଖଜୁରୀ ଗଛର… ରସ…।

ମାମୁଁ ମତେ ଯାହା କହିଲେ ବି ମତେ ହସ ମାଡେ଼। ମୁଁ ଭାବେ ମାମୁଁ ବି ଗୋଟେ ଜୋକର୍‌। ମୋର ମାମୁଁଙ୍କ ପିଆଜ କିଆରୀରେ ପାଣି ମଡ଼ାଇବା କଥା ମନେପଡେ଼। ମାମୁଁ ମତେ ବିଶେଷ କିଛି କହନ୍ତି ନାହିଁ।

ଗଲାବେଳେ ବୋଉକୁ ଡେଉଁରିଆ କି ତାବିଜଟେ ଦେଇ କହନ୍ତି: ଟୋକା ହାତରେ ପିନ୍ଧେଇ ଦେବୁ। ତା’ର ଆଉ ନଅମାସ ନଅ ଦିନ ବଡ଼ ରିଷ୍ଟ ଅଛି। ମାମୁଁ ଚାଲିଯାଆନ୍ତି।

ବୋଉ, ଡେ଼ଉଁରିଆ, ତାବିଜ, ସବୁକୁ ସାଇତି ରଖେ ତା’ ଟିଣ ବାକ୍ସରେ।

ବେଳେ ବେଳେ ବାପା ବୋଉଙ୍କର ଝଗଡ଼ା ହୁଏ। ବିଲ କାହାକୁ ଭାଗ ଦିଆହେବ। ନଡ଼ିଆ ଗଛରୁ ନଡ଼ିଆ ଚୋରି ହେଉଛି, ଗୋଟେ ଗୁଣିଆକୁ ଡକାଯିବ। ପୋଖରୀରେ ଭାକୁଡ଼ କି ରୋହି ମାଛ ଜାଆଁଳ ଛଡ଼ାଯିବ। ଏ ସବୁଥିରେ ବୋଉ ମୁଣ୍ଡ ପୂରାଏ। ବାପାଙ୍କ ସାଙ୍ଗେ କଳି କରେ। ବାପା ଗାଳି ଦିଅନ୍ତି: ସ୍ୱଭାବେ ସ୍ତିରୀଜନ୍ମ ହୋଇ… ତମେ ହ୍ୟାପ ଏସବୁର କଣ ବୁଝ ହେ! ବୋଉ ଅବଶ୍ୟ କିଛି ବେଳ ପରେ ଚୁପ୍‌ ପଡେ଼। ମତେ ଦେଖିଲେ ବିଡ଼‌ ବିଡ଼‌ ହୁଏ: କୁସୁନୀ ସାହୁ ପୁଅ ମୋହରୀର ହୋଇ ଘରେ ଛାତ ପକେଇଲାଣି। ମୂଳି ଗୋସାଇଁ ପୁଅ ମିସ୍ତୀରୀ କାମ କରି ଗାଡ଼ି ଚଲେଇଲାଣି। ଆଇ ତୁ ଏତେ ପାଠ ପଢ଼ି କଣ କଲୁରେ? ବାପ ଯେମନ, ପୁଅ ତେମନ।

ମୁଁ ନିଜ ଅପାରଗତା ଘୋଡ଼ାଇବାକୁ ଯାଇ ବାବାଜୀ ମାମୁଁଙ୍କ ପରି କହେ: ଧନ ଅସାର ଲୋ ବୋଉ। ଜ୍ଞାନ ହେଲା ସାର। ଗୋପବନ୍ଧୁ ଦାସ କି ମହାତ୍ମାଗାନ୍ଧୀ କ’ଣ ଜମି କିଣିଥିଲେ ନା ଘର ଛାତ ପକେଇଥିଲେ? ଆଏଁ

ବୋଉ ଚୁପ୍‌ ହୋଇଯାଏ। ତା’ର ତେତିଶି କୋଟି ଦେବାଦେବୀ ଶୋଭିତ ଠାକୁର ଘରେ ପଶି ସେମାନଙ୍କୁ ଗୁହାରୀ କରେ ଏମାନଙ୍କୁ ମଣିଷ ପରି ମଣିଷ କର।

ବାପାଙ୍କର ମଝିରେ ଅପରେସନ୍‌ ହେବାର ସ୍ଥିର ହେଲା। ମୁଁ ସେତେବେଳକୁ ଗୋଟେ ପ୍ରାଇଭେଟ୍‌ ଫାର୍ମରେ ଚାକିରୀ କରୁଥାଏ। ଦରମା ପାଉଥାଏ ମାସକୁ ହଜାରେ ଟଙ୍କା। ଏଣୁ ନିଜେ ବାପା ହିଁ ତାଙ୍କ ଅପରେସନ୍‌ ପାଇଁ ଟଙ୍କା ଯୋଗାଡ଼ କଲେ। ଅପରେସନ୍‌ ଦିନଠୁଁ ବୋଉ ପ୍ରାୟ ଖାଇବା ଛାଡ଼ିଦେଲା। ଯେତେ ବୁଝେଇଲି ବି ଶୁଣିଲା ନାହିଁ। ବାପା, ନର୍ସିଂ ହୋମ‌ରେ ଥିଲାବେଳେ ଆହୁରି ଟଙ୍କା ଦର୍କାର ପଡ଼ିଲା। ମୁଁ ବହୁ ଚେଷ୍ଟା କରି ବି ଯୋଗାଡ଼ କରିପାରିଲି ନାହିଁ। ଶେଷରେ ବୋଉକୁ କହିଲି। ବୋଉ ଚୁପ୍‌ଚାପ୍‌ ଉଠିଗଲା ଓ ତା’ର ଟିଣ ବାକ୍ସରୁ ତା ସୁନାର ସୁଉକି ମାଳଟା କାଢ଼ିଲା। ସେଇଟା ମତେ ଦେଇ କହିଲା: ଏଥିରୁ ତିନି ଚାରିଟା ପତ୍ର ବିକିଦେବୁ। ବୋହୂ ପାଇଁ ରଖିଥିଲି। ହଉ, ଯାହା ଠାକୁରଙ୍କ ଇଚ୍ଛା। ନେଇଯା।

ମୁଁ ସେଥିରୁ ତିନିଟା ପତ୍ର ବିକିଲି। ଆଉ ଗୋଟେ ପତ୍ରରେ ଗୋଟେ ମୁଦି ତିଆରି କଲି ପ୍ରେମିକା ପାଇଁ। ପ୍ରେମିକାଟି ମୋର ନର୍ସିଂହୋମକୁ ଆସିଥିଲା ବାପାଙ୍କୁ ଦେଖିବା ପାଇଁ। ବାପାଙ୍କ ଶିରାଳ ହାତକୁ ଆଉଁସି କହିଲା: ମୁଁ ଆସିଗଲେ ସବୁ ଠିକ୍‌ ହୋଇଯିବ। ବାପା ହସିଲେ।

ବାପା ସୁସ୍ଥ ହୋଇ ଘରକୁ ଫେରିବାକୁ ଦେଢ଼ମାସ ଲାଗିଥିଲା। ଦିନେ ମୁଁ ପ୍ରେମିକାକୁ ନେଇ ଆସିଲି ଘରକୁ। ସେ ବୋଉକୁ ମୁଣ୍ଡିଆ ମାରିଲା। ବୋଉ ତାକୁ କଲ୍ୟାଣ କଲା। ମତେ ପଚାରିଲା: ଏ କିଏ? ମୁଁ ହସିଲି। ବୋଉ ପୁଣି ପଚାରିଲା: ଜାତି? ମୁଁ କହିଲି ବ୍ରାହ୍ମଣ। ବୋଉର ଆଖି ବଡ଼ ବଡ଼ ହୋଇଗଲା।

ପ୍ରେମିକା ଚାଲିଗଲା। କହିଲି ଗଲା: ଆସିବ ଆଉ ଯିବନି। ସେ ଚାଲିଗଲା ପରେ ବୋଉ ଓ ବାପାଙ୍କ ଭିତରେ ଚାଲିଲା ଯୁକ୍ତିତର୍କ। କଥା କଟାକଟି।

ବାପା କହିଲେ: ଯାହା ଇଚ୍ଛା, କରୁ। ଯେଉଁଠି ବାହା ହବ, ହଉ। ବ୍ରାହ୍ମଣ ଘର ତ, କିଛି ଅସୁବିଧା ନାହିଁ। ବୋଉ କହିଲା: ଆଉ ଆମ ବନ୍ଧୁବାନ୍ଧବ? ଜାତି ଭାଇ? ସାଇ ପଡ଼ିଶା? ଝିଅଜୋଇଁ?

ବାପା କହିଲେ, ଆହେ, ତମେ ସେଥିରୁ କ’ଣ ପାଇବ? ଶାସ୍ତ୍ର କହିନି, ମିଷ୍ଟାନ୍ନ ମିତରେ ଜନା…। ଦି’ଟା ଭଲ ଖାଇବାକୁ ଦେଇଦେଲେ କଥା ସରିଲା।

ବାବାଜୀ ମାମୁଁ ସେ ବେଳକୁ ପ୍ରେମବିବାହ କରିସାରି ଗାଁରେ ରହି ଚାଷବାସ ବୁଝୁଥିଲେ। ଅଜା କିନ୍ତୁ ଏଥିରେ ବିରକ୍ତ ହୋଇ ବୋଉକୁ କହିଲେ: କେତେ ପୁଣ୍ୟ କଲେ ପୁଅ ସନ୍ନ୍ୟାସ ହୁଏ। ଇଏ ପୁଣି ସନ୍ନ୍ୟାସୀରୁ ଗୃହୀ ହୋଇ କୁକୁଡ଼ା ବେକ ମୋଡ଼ିଲାଣି। ଦିନେ ଆଇଁଷ ନ ହେଲେ ବାବୁଙ୍କ ଭାତ ରୁଚୁନି। ଛେ! ମୁଁ ଆଉ ଗାଁ ଲୋକଙ୍କ ଆଗେ ମୁହଁ ଟେକି ଚାଲିପାରୁନି। ପୁଣି କହୁଛି କଣ ନା, ସରପଞ୍ଚରେ ଛିଡ଼ାହେବ। ଏ ଯୋଉ କର୍ମ କରିଚି, ୟାକୁ ଭୋଟ ଦେବ କିଏ?

ବାବାଜୀ ମାମୁଁ ଚଇନିଫିଟ୍‌ ହୋଇ ଦିନେ ଆମ ଘରେ ପହଞ୍ଚିଲେ। ପହଞ୍ଚୁ ପହଞ୍ଚୁ ବୋଉକୁ ବରାଦ କଲେ: ଆଜି ଛୋଟ ମାଛ ମାଛ ସୋରିଷ ରସୁଣ ଦେଇ ପତ୍ର ପୋଡ଼ା କରିବୁ ଅପା। ବୋଉ ମୁହଁମୋଡ଼ି କହିଲା: କଙ୍କଡ଼ାର ଗୋଡ଼ ଅଣ୍ଟଇ ନାଇଁ, ମୋ ପୁଅ ବୁଲୁଥାଇ ବାଆଜୀ ହୋଇ…।

ବାବଜୀ ମାମୁଁ ଗୋଟେ ଅଟହାସ୍ୟ କରି କହିଲେ: ସବୁ ତା’ରି ବରାଦ ଲୋ ଅପା। ଯାହା ଭାଗ୍ୟରେ ଯାହା ଲେଖା ହୋଇଛି, ତା’ ସେ ଅବଶ୍ୟ ଭୋଗିବ।

ରାତିରେ ବାବାଜୀ ମାମୁଁ ମୋ ପଢ଼ାଘରେ ଶୋଇଲେ। ଆଉ ତାଙ୍କର ବୁଜୁଳି ନଥିଲା କି ଠାକୁର ଠାକୁରାଣୀଙ୍କ ଫଟୋ ନଥିଲା, ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ମାମୁଁ ଆଉ ଗଣ୍ଢେଇ ଟାଣୁ ନଥିଲେ। ମୁଁ ପଚାରିବାରୁ କହିଲେ: ତୋ’ ମାଇଁ ବିଗିଡ଼ିଲା, ଛାଡ଼ି ଦେଲି।

ରାତିରେ ମାମୁଁଙ୍କୁ ମୁଁ ମୋ ପ୍ରେମ ପ୍ରସଙ୍ଗ କହିଲି। ଏକଥା ବି କହିଲି ଯେ: ବାପା ରାଜି, ମାତ୍ର ବୋଉ ରାଜି ହଉନି। ମାମୁଁ ଏକଥା ସବୁ ଶୁଣି ଚୁପ‌୍‍ ରହିଲେ। ଖାଲି ଏତିକି କହିଲେ: ବୋଉ ମନ ଯେମିତି ଦୁଃଖ ନହେବ, ସେମିତି କର।

ମୁଁ ମୋ ଚାକିରୀ ଜାଗାରେ ଥିବାବେଳେ ଟେଲିଗ୍ରାମ୍‌ ପାଇଲି: ବୋଉ ଦେହ ଖରାପ। ଆସ ଶୀଘ୍ର, ମୁଁ ଘରେ ପହଞ୍ଚି ବୋଉକୁ ଡାକ୍ତରଖାନା ନେଇ, ପରାମର୍ଶ ପରେ ଜାଣିଲି ଯେ ବୋଉର ୟୁଟ୍ରେସ୍‌ ରିମୁଭ‌ ହେବ। ବୋଉକୁ ଭୀଷଣ ଯନ୍ତ୍ରଣା ହେଉଥାଏ। ତା’ର ଆଡ଼ମିସନ୍‌ କରାଗଲା। ବୋଉ କହିଲା: ମରିବି ପଛେ, ମୋ ଦେହରେ ଛୁରୀ ଲାଗିବ ନାହିଁ। ମୋତେ ତା ପ୍ରିୟ ଟିଣ ବାକ୍ସ ଚାବି ଦେଇ କହିଲା: ଯା, ମୋ ବାକ୍ସରେ ମା ମଙ୍ଗଳାଙ୍କ ପାଦୁକ ଅଛି, ତାକୁ ପାଇଦେଲେ ସବୁ ଭଲ ହୋଇଯିବ।

ମୁଁ ସେ କଥାରେ ଏତେ ଗୁରୁତ୍ୱ ଦେଲି ନାହିଁ। ଅପରେସନ୍‌ ଟେବୁଲ୍‌କୁ ଗଲାବେଳେ ବୋଉ ମତେ ପଚାରିଲା: ଆଣିଲୁ?

ମୁଁ ଘରକୁ ସାଙ୍ଗେ ସାଙ୍ଗେ ବାହାରିଲି। ବୋଉ ବିନା ଘରଟା ଏତେ ନିସଙ୍ଗ, ଖାଁ ଖାଁ ଲାଗିପାରେ, ମୁଁ ସେଇଦିନ ଅନୁଭବ କଲି। ମତେ ଘରଟା ମାଡ଼ିମାଡ଼ି ପଡ଼ିଲା। ବୋଉର ଟିଣ ବାକ୍ସଟା ଆଲମିରା ଉପରୁ ତଳକୁ ଆଣିଲି। ମୋ ହାତ ଥରୁଥାଏ। କାନ୍ଦ ବି ମାଡ଼ୁଥାଏ। ମୁଁ ଥର ଥର ହାତରେ ବାକ୍ସ ଫିଟାଇଲି।

ତା’ ଭିତରେ ଥିଲା ପୁଳେ ଏଣୁତେଣୁ ଲୁଗାପଟା, ବୋଉର ବାହାଘର ପିନ୍ଧା ଲୁଗା, ବାପାଙ୍କ ପିଲାଦିନର ପେଣ୍ଟ ସାର୍ଟ। ମୋ ଭଉଣୀ ଦୁଇଜଣଙ୍କର ଟିକି ବେଳର ଫ୍ରକ୍‌। ମୋର ଏକୋଇଶାକୁ ମାମୁଁଘର ଆସିଥିବା ପେଣ୍ଟ ସାର୍ଟ। ସୁନା ଚୁଡ଼ି ଚାରିପଟ। ରୂପା ପାଉଁଜଳ ଅଣ୍ଟା ସୂତା ଓ ହାତ ଖଡ଼ୁ। ଜହ୍ନି କାକୁଡ଼ି, କଖାରୁ ମଞ୍ଜି। ଭାଗବତ ଦଶମ ସ୍କନ୍ଧ। ଶୁକଦେବ ସାହୁଙ୍କ ଉପନ୍ୟାସ ଦୁଇଖଣ୍ଡ। ଦୁଇଭଉଣୀ ଓ ମୋର ଜାତକ। ବାପାଙ୍କର ପୁରୁଣା ଜଙ୍କ ଲଗା ୱେଷ୍ଟ ଏଣ୍ଡ ହାତ ଘଡ଼ି। ବାପା କିଛିଦିନ ମାଷ୍ଟର ଚାକିରୀ କରୁଥିଲେ, ସେଇ ବେଳର ଗୋଟେ ଛୋଟ ବେତ ବାଡ଼ି। ସାତ ଆଠଟା ଡେଉଁରିଆ, ତାବିଜ, କଉଡ଼ି। ଛୋଟ ବାଇଣ୍ଡିଂ ହୋଇ ମଙ୍ଗଳାଙ୍କ ଫଟୋ। ଠାକୁର ଠାକୁରାଣୀଙ୍କ ଧଣ୍ଡା ମାଳ। ଜେଜେଙ୍କ ପାନକୁଟା ଯନ୍ତ୍ର। ଆୟୁର୍ବେଦିକ ଗୁଲିଥିବା ଗୋଟେ ଡିବା। ଦି’ଟା ଚନ୍ଦନ ପେଡ଼ି ଓ ଦି’ଟା ଚନ୍ଦକାଠ। ପିତଳ ଘଣ୍ଟି।

ପିତଳର ଆଣ୍ଠୁଆ ଗୋପାଳ ମୂର୍ତ୍ତି। ମୋ ବଡ଼ ଭଉଣୀ ନାଲି ଓ ନେଳି ସୂତାରେ ଖଣ୍ଡେ କପଡ଼ାରେ ଏମ୍ୱ୍ରୋଡରୀ କରିଥିବା ସ୍ୱାଗତମ‌ ଲେଖା।

ମୁଁ ଗୋଟେ ପରେ ଗୋଟେ ଜିନିଷ କାଢ଼ୁଥାଏ ଏବଂ ଶେଷରେ ବାହାରିଲା ଗୋଟେ ପୁରୁଣା ଖାତା। ମଇଳା ଓ ବହୁଦିନର ସାଇତା ଗୋଟେ ଖାତା। ତାକୁ ଖୋଲିଲି। ଗୀତଖାତା। କେତେ ଜଣାଣ, ଭଜନ ଲେଖାହେଇଛି। ସୁନ୍ଦର ଅକ୍ଷରରେ। ବହୁ ପୃଷ୍ଠା ଆଉ ପଢ଼ି ହେଉନି। ତା’ ଭିତରୁ ବାହାରିଲା ବାପାଙ୍କର ଗୋଟେ ଚିଠି। ସେତେବେଳେ ବୋଉ ଥିଲା ମାମୁଘରେ। ମୁଁ ଥିଲି ତା’ ପେଟରେ। ଛୁଆର ଦାୟିତ୍ୱ ନେବା, ଠିକ‌୍‍ ସମୟରେ ଖାଇବା ପିଇବା, ଏସବୁ ବିଷୟରେ ବାପା ସବୁ ଉପଦେଶ ଦେଇଥିଲେ ସେ ଚିଠିରେ। ଏବଂ ଆଉ ଗୋଟେ ଚିଠି ଥିଲା ସେଥିରେ। ବୋଉର। ଚିଠି ତ ନୁହେଁ। ଗୀତର ସେ ଲେଖିଥିଲା ସବୁ। କେମିତି ତା’ର ବାପ ଘରେ କଟୁଛି ଦିନ। କେମିତି ସେ ଏକୁଟିଆ ହୋଇଯାଇଛି ସେଠି। ଆକାଶରେ ମେଘ ଉଠେଇଲେ, ଯେତେବେଳେ ତ ବାପଘର ଗାଁ ଆଡ଼ୁ ଚଢ଼େଇମାନେ ଉଡ଼ିଆସନ୍ତି, ବୋଉର କେମିତି ସେ ଚଢ଼େଇମାନଙ୍କର ହାତରେ ଚିଠି ଦେବାକୁ ଇଚ୍ଛା ହୁଏ। (ଚଢ଼େଇମାନଙ୍କର କ’ଣ ହାତ ଥାଏ?) ଇତ୍ୟାଦି ଇତ୍ୟାଦି। ସେ ଚିଠିଟି ବୋଉ ଲେଖି ସାରି ଆଉ ପୋଷ୍ଟ୍‌‍ କରିପାରିନାହିଁ। ସେଇଟା ବୋଧେ ବୋଉର ବାପାଙ୍କୁ ପ୍ରଥମ ଓ ଶେଷ ଚିଠି।

ମୁଁ ଠାକୁରାଣୀଙ୍କ ପାଦୁକ ଓ ବୋଉର ଗୀତଖାତା ଧରି ନର୍ସିଂହୋମ‌ରେ ପହଞ୍ଚିଲାବେଳକୁ ବୋଉର ୟୁଟ୍ରେସ୍‌ ରିମୁଭ ହୋଇସାରିଲାରି। ଯାହା ଭିତରେ ଆମେ ଭାଇଭଉଣୀମାନେ ସୃଷ୍ଟି ହୋଇଥିଲୁ ଉପରେ ଓହ୍ଲେଇ ଦେଇ କହିଥିଲା: ନିଅ! ଏଥର ଏସବୁ ତୁମର।

ମୋ ଆଖି ଲୁହରେ ଭର୍ତ୍ତି ହୋଇଗଲା। ମୁଁ ବୋଉର ବେଡ୍‌ ପାଖକୁ ଗଲି। ସେ ଯାଏଁ ଅନାସ୍ଥେସିଆର ପ୍ରଭାବ କଟି ନଥାଏ ବୋଉଠୁଁ। ମୁଁ ଠାକୁରାଣୀଙ୍କ ପାଦୁକ ରଖିଲି ବୋଉ ମୁଣ୍ଡତଳେ ଓ ତା ଗୀତଖାତା ବି। ବୋଉର କାନ ପାଖେ ଆସ୍ତେ କରି କହିଲି; ବୋଉ ତୋ ମୁଣ୍ଡ ପାଖେ ରଖିଛି ମଙ୍ଗଳାଙ୍କ ପାଦୁକ ଓ ତୋ ଗୀତଖାତା।

ବୋଉ ପେଜୁଆ ଆଖିରେ ମତେ ଚାହିଁଲା ଓ ହସିବ ହସିବ ହେଲା।

ସେତେବେଳକୁ ଆନାସ୍ଥେସିଆର ନିଶା, ତା’ ପ୍ରିୟ ଗୀତଖାତାର ନିଶାଠୁ ବୋଧେ ଅଧିକ ଥିଲା। ମୁଁ ଫେରିଲି। ବୋଉର ପ୍ରଥମ ଓ ଶେଷ ଚିଠିକୁ ବାପାଙ୍କ ଠିକଣାରେ ପୋଷ୍ଟ କରିଦେଲି।

ଫୋନ୍‌:୯୧୭୮୫୫୮୫୦୮

 

Previous ArticleNext Article

Send this to a friend