ଛାଇ ଖୋଜୁଛି ଛାଇ

ରାତି  ଆଉ ଭଲ ଲାଗୁନି। ଅନ୍ଧାର ଆଉ ଭଲ ଲାଗୁନି। ଏବେ ଚାରିଆଡେ ଚହଟୁଛି ସୂର୍ଯ୍ୟାଲୋକ। ଅପର୍ଯ୍ୟାପ୍ତ ଧୁ ଧୁ ଖରା। ଏବେ ସେ ଛାଇ ହବ… ଘୂରି ବୁଲିବ ବେଧଡ଼କ, ବିନ୍ଦା‍ସ। ସବୁ ଅନ୍ଧାରକୁ ପଛରେ ପକାଇ ସେ ଖାଲି ଦେଖିବ ଆଲୋକ ଆଉ ଆଲୋକ। ହେଲେ ଏବେ ସିଏ ଛାଇ ହେବ କାହାର?

ରାଜରାସ୍ତାରେ ଘୂରି ବୁଲୁଥିଲା ଛାଇ।

ଛାଇ ଚାହିଁଲା। ଟାଉଁ ଟାଉଁ ଖରାରେ ଠିଆ ହେଇଚି ରତନା ମଳିକ। ଝୁଡିରେ ଝୁଡିଏ ଫଳ ଧରି ଆଗନ୍ତୁକ ଗ୍ରାହକଙ୍କୁ ଚାତକ ପରି ଅପେକ୍ଷା କରିଚି। ଏତକ ବିକିଦେଲେ ସେ ହୁଏତ ଘରକୁ ଯିବ। ରତନାଟା ଝାଳନାଳରେ ଗାଧୋଇ ଗଲାଣି। ୟାର ଛାଇ ହେଲେ କେମିତି ହୁଅନ୍ତା?

ଛାଇ ଧାଇଁଲା ରତନା ଆଡେ। ଆଉ ଜଣେ କିଏ ଧାଇଁ ଧାଇଁ ଆସୁଛି। ଅଟକି ଗଲା ଛାଇ। ଓ ହୋ ଜଣେ ଗ୍ରାହକ। ରୋଗିଣା ସ୍ତ୍ରୀ ଘରେ ପଡିଚି। ପାଟିକୁ ରୁଚୁନି। ଫଳ ଖାଇବାକୁ ମନ କରିଚି। ସେଥିପାଇଁ ଧାଇଁ ଆସିଛି ଗ୍ରାହକ। ଭାରି ବ୍ୟସ୍ତ ଜଣାପଡୁଛି। ଠିକ‌ ଠଉରାଇ ପାରିଲା ରତନା। କଳା ପଲିଥିନ୍‌ରେ ଫଟାଫଟ ଭରିଦେଲା ଦିଇ କିଲ ଫଳ। ଗ୍ରାହକ ଅଦୃଶ୍ୟ ହେଇଗଲା। ହେଲେ ଅଟକିଗଲା ଛାଇ।

ରତନା! ତୁ ଏମିତି କରିପାରିଲୁ? ତୁଚ୍ଛା ପଚା ଫଳଗୁଡା ଫିସାଦ କରି ପଲିଥିନ୍‌ରେ ଭରିଦେଲୁ! ଏ ଫଳଗୁଡା କ’ଣ ସେ ରୋଗିଣାର ପାଟିକୁ ରୁଚିବ, ଯିଏ ରୋଗ ବିଛଣାରେ ପଡି ଛଟପଟ ହଉଚି?

‘କାହାକୁ ରୁଚିଲା କେତେ ନ ରୁଚିଲା କେତେ! ମୁଁ ବେପାର କରିବା ଲୋକ, ବେପାର କଲି। ଆଉ କ’ଣ ହାତରୁ ଖାଇ ବେପାର କରନ୍ତି!

ଛାଇର କଥା ଶୁଣିପାରିଲା ବୋଧେ ରତନା। ବଡ ବେଖାତିର ଉତ୍ତର ଦେଲା।

ରତନା ଆଉ କ’ଣ କହିଥାନ୍ତା କି କ’ଣ, ତା ଫୋନ ବାଜି ଉଠିଲା। ଆଁ… ରତନା ଝିଅ ଦେହ ହଠାତ ଖରାପ ହେଇଗଲା। ସେ ଏବେ ଡାକ୍ତରଖାନାରେ ! ରତନା ଚାଲିଲା ଡାକ୍ତରଖାନା। ଆଉ ଛାଇ ବି।

ଡାକ୍ତରଖାନା ବେଡ୍‌ରେ ଶୋଇଥିଲା ଝିଅ। ଡାକ୍ତର ବାବୁ କ’ଣ ସବୁ ପ୍ରେସ୍କ୍ରିପ୍‌ସନ୍ ଲେଖି ଚାଲିଥିଲେ। ଭାରି ଲମ୍ୱା ଚଉଡ଼ା।

‘ଦେଖ ରତନା! ତୁମ ଝିଅ ଦେହ ଭାରି ଖରାପ। ଏଇ ଟେଷ୍ଟଗୁଡା କରେଇ ନିଅ। ତା ପରେ ଦେଖିବା।’

ସାର୍! କେତେ ଟଙ୍କା ଲାଗିବ? ବିକଳ ଦିଶୁଥିଲା ରତନାର ମୁହଁ।

ଏମିତି ପ୍ରଶ୍ନ ବୋଧେ ଆଶା କରୁଥିଲେ ଡାକ୍ତର ବାବୁ। ମୁହଁରେ ଗାରେ ହସ ଖେଳାଇ କହିଲେ- ‘ହଁ ପାଞ୍ଚ ହାଜର ଖଣ୍ଡେ ଲାଗିବ। ବ୍ୟସ୍ତ ହୁଅନି, ମୁଁ କିଛି ଡିସ୍‌କାଉଣ୍ଟ କରିଦେବି।’ ହତାଶ ଦିଶୁଥିବା ରତନା ମୁହଁରେ ଏଇ କଥାଟା ବୋଧେ ଆଶ୍ୱାସନା ଭରିଦେଲା। ପ୍ରେସ୍କିପ୍‌ସନ୍ ଧରି ସେ ଅଦୃଶ ହୋଇଗଲା। ହେଲେ ଆଶ୍ୱସ୍ତ ହୋଇପାରିଲାନି ଛାଇ। ରତନା ଝିଅକୁ ତୁଛା ଥଣ୍ଡା ଜ୍ୱର! ଏକଥା ଭଲ ଭାବେ ଜାଣି ବି ଡାକ୍ତର ବାବୁ ତାଳୁରୁ ତଳିବା ଯାଏ ପରୀକ୍ଷା କରିବାକୁ ଲେଖିଦେଲେ, ଯାହା ନିହାତି ଅନାବଶ୍ୟକ!

ଛାଇର କଥା ବୋଧେ ଶୁଣି ପାରିଲେ ଡାକ୍ତର ବାବୁ। ଗଳାଟାକୁ ଚଢାକରି କହିଲେ- ‘ମତେ ଆଉ ପାଠ ପଢାନା ହୋ! ପାଠ ପଢି ପଢି ମୁଁ ଏଡେ ବଡ଼ ଡାକ୍ତର। ମୁଁ ଯଦି ଖାଲି ଜ୍ୱର ଥଣ୍ଡା ଔଷଧ ଦେଇ ରୋଗୀଙ୍କୁ ଛାଡିଦେବି, ଲକ୍ଷ ଲକ୍ଷ ଟଙ୍କା ଦେଇ ମୁଁ ଯୋଉ ମେସିନ ପକେଇଛି, ସେଗୁଡା କ’ଣ ହବ! କବାଡି ବାଲାଙ୍କୁ ବିକିବି?

ଡାକ୍ତର ବାବୁ ଆଉ କ’ଣ କହିଥାନ୍ତେ, ତାଙ୍କ ଫୋନ୍‌‍ଟା ବାଜି ଉଠିଲା। ଅବଶ୍ୟ ଆଉ କାହା ଫୋନ୍‌ ହେଇଥିଲେ, ଡାକ୍ତରବାବୁ କାଟି ଦେଇଥାନ୍ତେ। ଫୋନ୍‌ଟା ଖୋଦ୍‌ ଥାନାବାବୁ କରିଥିଲେ।

‘ନାଇଁ ଆଜ୍ଞା! ଏମିତି ତ ହେଇ ନ ଥିବ! ଏ ସବୁ କାମ ତ ଆମ କ୍ଲିନିକ୍‌ରେ ହୁଏନି! କିଏ ବୋଧେ ମତେ ବଦନାମ କରିବାକୁ ଏମିତି କରିଛି। ହଉ ଠିକ୍ ଅଛି। ମୁଁ ଥାନାରେ ପହଞ୍ଚୁଛି।’ କଥାଟା ସରିବା ବେଳକୁ ଏସି ରୁମ୍‌ରେ ବି ଡାକ୍ତରବାବୁଙ୍କ ଦେହରୁ ଝାଳ ବୋହି ଚାଲିଥିଲା। ତରବର ହୋଇ ଡାକ୍ତରବାବୁ ଥାନାକୁ ବାହାରିଲେ। ଲାଗୁଥିଲା ଡାକ୍ତର ବାବୁଙ୍କ ନାଁରେ ଗୋଟେ ଗୁରୁତର ଅଭିଯୋଗ ଆସିଛି। ଶୁଣିବାକୁ ଛାଇ ବି ବାହାରିଗଲା ଥାନାକୁ।

ଥାନାବାବୁ ଧରିଥିଲେ ଗୋଟେ ଜବର ଫାଇଲ। ସେଥିରେ ଭର୍ତ୍ତି ଥିଲା ଅଭିଯୋଗର ଲମ୍ୱା ଫର୍ଦ୍ଦ। ଡାକ୍ତର ବାବୁ ତାଙ୍କ କ୍ଲିନିକ୍‌‍ରେ ଅବୈଧ ଗର୍ଭପାତ କରାଉଛନ୍ତି। ଏମିତି ଅଭିଯୋଗ ଫାଇଲ୍‌‍ରେ କୁଆଡେ ଗୁନ୍ଥା ଥିଲା। ଡାକ୍ତରବାବୁ ବି ଜାଣି ପାରୁ ନଥିଲେ ଏମିତି କାମ ସେ କେବେ ଓ କେମିତି କଲେ? ଥାନାବାବୁଙ୍କ ବଳିଷ୍ଠ ପ୍ରମାଣର ଦାବି ଆଗରେ ତାଙ୍କ ଦମ୍ଭୋକ୍ତି ବରଫ ପରି ତରଳିଗଲା। ପଚାଶ ହଜାର ଟଙ୍କାରେ କେସ୍‌ ଦଫାରଫା ହୋଇଗଲା।

ଡାକ୍ତର ବାବୁ ଫେରିଗଲେ, ଖାଲି ବ୍ରିଫକେସଟା ଧରି। ହେଲେ ଭରି ହେଇଗଲା ଛାଇ ଛାତିରେ ଯନ୍ତ୍ରଣା। ଜଣେ ନିରପରାଧିକୁ ଏମିତି ଅପରାଧୀ କରିଦେବା କେଉଁ ଆଇନରେ ଲେଖା ଅଛି? ଥାନାବାବୁ ଫାଇଲ୍‌ରେ ଯେଉଁ ଅଭିଯୋଗପତ୍ର ଗୁନ୍ଥିଚନ୍ତି, ତାହା ସବୁ ଥିଲା ତାଙ୍କ ବାଆଁ ଡାହାଣ ଆଙ୍ଗୁଳିର କରାମତି! ମିଛ ଦସ୍ତଖତ!

ଛାଇ ମନର କଥା ବୋଧେ ଭେଦିଗଲା ଥାନାବାବୁଙ୍କ ମରମରେ। ପୁଲିସିଆ ଠାଣିରେ ଠୋ ଠୋ ହାସିଉଠି କହିଲେ- ‘ଡାକ୍ତରଟା ବହୁତ ରଙ୍ଗ ଦେଖାଥିଲା। ମୁଁ ଜାଣିଛି, ସିଧା ଆଙ୍ଗୁଠିରେ ଘିଅ ବାହାରିବନି। ହଇହୋ ଭାଇ! ମୋ ଏରିଆରେ କ୍ଲିନିକ୍ କରି ଲକ୍ଷ ଲକ୍ଷ ଟଙ୍କା କମେଇବ। ଆଉ ଆମ ବାଣ୍ଟ ବେଳକୁ ଶୂନ! ଆମେ ପୁଣି ଇଲିସି ଖାଇବୁ କେମିତି?

ଥାନାବାବୁ ବୋଧେ ଆଉ ଟିକେ ସେମିତି ପୁଲିସିଆ ଠାଣିରେ ହସିଥାନ୍ତେ, ହଠାତ୍ ତାଙ୍କ ଫୋନ୍‌ଟା ବାଜି ଉଠିଲା। ଶୁନ୍‌ଶାନ୍‌‍ ଥାନାରେ ବି ସେ ସାବଧାନ ପୋଜିସନ୍‌ରେ ଥିଲେ। ଆଉ ପାଟିରୁ ଖାଲି ଗୋଟିଏ ଶବ୍ଦ ବାରମ୍ୱାର ଅନର୍ଗଳ ଗଳି ଚାଲିଥିଲା- ସାର୍‌‍…ସାର୍‌‍…ସାର୍…।

ଏଇ ଫୋନ୍‌ଟା ବୋଧେ ଭାରି ଆଜେଣ୍ଟିଆ ଥିଲା। ନିଜେ ଜିପ୍ ଷ୍ଟାର୍ଟ କରି ପବନ ହେଇଗଲେ ଥାନାବାବୁ। ଛାଇ ବି ପିଛା କଲା ଥାନାବାବୁଙ୍କୁ, ପବନରେ ଉଡି ଉଡି।

ମନ୍ତ୍ରୀ ବସିଥିଲେ ଗମ୍ଭୀର ଠାଣିରେ। ଲାଗୁଥିଲା କିଛି ଘଟିଛି ବା ଘଟିବାକୁ ଯାଉଚି..। ଥାନା ବାବୁ କାକୁସ୍ଥ ହୋଇ ଠିଆ ହୋଇଥିଲେ ସେଇ ଶବ୍ଦତକ ଶୁଣିବାକୁ। ‘ହଁ ରଣାବାବୁ! ତମର ମାଲକାନଗିରି ଟ୍ରାନ୍ସଫର ହେଇଯାଇଛି।’ ଥାନା ବାବୁଙ୍କ ମୁହଁଟା କାନ୍ଦ କାନ୍ଦ ଦିଶିଲା। କାନ୍ଦି ପକାଇଥାନ୍ତେ ବୋଧେ। କଥାଟା ଧରିନେଲେ ମନ୍ତ୍ରୀ ମହୋଦୟ। ‘ଆରେ ନା ନା, ବ୍ୟସ୍ତ ହୁଅନା। ଫାଇଲଟା ମୋ ପାଖକୁ ଆସିଛି। ଖାଲି ଟ୍ରାନ୍ସଫର କ୍ୟାନସଲ ହବନି, ପ୍ରମୋସନ ବି ହବ। ହେଲେ ଗୋଟିଏ କାମ..।’ ଅଧାରୁ ଅଟକିଗଲେ ମନ୍ତ୍ରୀ…।

ଆର ଅଧକ ବୋଧେ ଥାନାବାବୁଙ୍କ ପାଇଁ ଛାଡିଦେଲେ।

‘ଆପଣ କହିବେ, ମୁଁ ପୁଣି କରିବିନି। ଖାଲି ହୁକୁମ୍‌ ଦିଅନ୍ତୁ ସାର।’

ଥାନାବାବୁ ବୋଧେ ପାଦ ଧରିଥିଲେ ନା କଣ!

‘ସେ ସମାଜସେବୀ ଟୋକାଟା ମୋ ବିରୁଦ୍ଧରେ ବହୁତ ଫଟର ଫଟର ହଉଛି। କେସ୍‌ଟେ ପକେଇ ତାକୁ ଅନ୍ଦର କର। ହଁ ଦଫାଟା ମଡର କେସ୍‌ ଭଳି ହବା ଦରକାର।’ ଏକ ନିଃଶ୍ୱାସରେ ଏତକ କହି ଥୁ କି ପାନ ଛେପ ପକେଇଲେ ମନ୍ତ୍ରୀ।

‘କାଲି ସକାଳେ ପୁଅ ମାମୁଘର ଦେଖିବ।’

ଆନୁଗତ୍ୟ ଜାହିର କରି ଥାନାବାବୁ ବାହାରିଗଲେ ଖୁବ୍‌‍ ଆତ୍ମସନ୍ତୋଷରେ। ହେଲେ ହତାଶ ଦିଶିଲା ଛାଇ। ମନ୍ତ୍ରୀ ଧରିଥିବା ଫାଇଲଟାରେ ଥାନାବାବୁଙ୍କ ପ୍ରମୋସନ ଲେଟର ଥିଲା। ଟ୍ରାନ୍ସଫରର ‘ଟ’ ଅକ୍ଷର ବି ସେଥିରେ ଲେଖା ନ ଥିଲା।

ମନ୍ତ୍ରୀ ବି ମିଛ କହିଲେ! ପୁଣି ସତ୍ୟର ପ୍ରତୀକ ଗାନ୍ଧିଙ୍କ ଫଟୋ ସମ୍ନାରେ!

ଛାଇର ଭାବନାରେ ପୂର୍ଣ୍ଣଚ୍ଛେଦ ପଡିଲା। ମନ୍ତ୍ରୀଙ୍କ ଚାମ୍ୱରକୁ କେହି ଜଣେ ଧସେଇ ପଶିଲା। ଓ’ ହୋ ସାମ୍ୱାଦିକ। ମନ୍ତ୍ରୀଙ୍କ ଗୋରା ମୁହଁଟା ଟିକେ ସେତା ପଡିଗଲା। ସେ ହସୁଥିଲେ ବି ସେଇ ହସଟା ଲାଗୁଥିଲା ଅତ୍ୟନ୍ତ ଅସହାୟ। ଡୋର୍‌ଟା ଭିତର ପଟୁ ଦେଇ କଥା ଆରମ୍ଭ କଲେ ସାମ୍ୱାଦିକ। ବୋଧହୁଏ ଖୁବ କମ ସମୟ ଥିଲା ତାଙ୍କ ପାଖରେ।

‘ଭିଡିଓଟା ମୋର ଅତି ବିଶ୍ୱସ୍ତ ପିଲା ପାଖରେ ଅଛି। ହେଲେ ନ୍ୟୁଜ୍‌ ଏଡିଟର ଜାଣିଲେ କଥାଟା ମୋ ହାତରୁ ପଳେଇବ।’ ସାମ୍ୱାଦିକ ଖୁବ ଗମ୍ଭୀର ଜଣାପଡିଲେ।

‘କିନ୍ତୁ ମୁଁ କେଉଁ ଝିଅ ସାଙ୍ଗରେ ଏମିତି କରିଛି, ମୋର ତ କାଇଁ…।

‘ଆପଣ ନିଶାରେ ଚୁର୍‌ ଥିଲେ, କିଛି ଜାଣିପାରିନାହାନ୍ତି। ଭିଡିଓଟା ପା ମୁଁ ନିଜେ ଦେଖିଛି, ସେଇଟା କ’ଣ ମିଛ!’ ମନ୍ତ୍ରୀଙ୍କ ପାଟିରୁ କଥା ଛଡେଇ ନେଇ କହିଲେ ସାମ୍ୱାଦିକ।

ଉଁ ଚୁଁ ହେଲେନି ମନ୍ତ୍ରୀ। ଲାଗୁଥିଲା ସେ କିଛିଗୋଟେ ଘୋରିପାଞ୍ଚି ହେଉଥିଲେ।

‘ଠିକ୍‌‍ ଅଛି। ଭିଡିଓଟା ବାଜିଯାଉ। ସେଇଟା ମିଛ ବୋଲି ଆପଣ ବାଇଟ୍‌‍ ଦେବେ।’ ଉଠି ଯାଉଥିଲେ ସାମ୍ୱାଦିକ। ବାଟ ଓଗାଳିଲେ ମନ୍ତ୍ରୀ। ବଢାଇ ଦେଲେ ମେଞ୍ଚାଏ ଗୋଲାପୀ ଗୋଲାପୀ ଖଡଖଡିଆ କାଗଜ। କେତେ ଥିଲା କେଜୋଣି? ଅବଶ୍ୟ ଲାଗୁଥିଲା ୟାକୁ ସେ ଆଗରୁ ସଜାଡି ରଖିଥିଲେ।

‘ସେ ଭିଡିଓଟା ଡିଲିଟ୍‌‍ କରିଦେ। କଥାଟା ତୋ ମୋ ଛଡା କେହି ଜାଣିବେନି ଯେମିତି।’

ସାମ୍ୱାଦିକ କାହାକୁ ଫୋନ୍‌‍ କଲେ ଆଉ ଝଡ ପରି ପଦାକୁ ବାହାରିଗଲେ। ମନ୍ତ୍ରୀଙ୍କ ମଉଳା ମୁହଁଟା ସାମାନ୍ୟ ସତେଜ ଦିଶିଲା। ହେଲେ ମଉଳି ଗଲା ଛାଇର ସତେଜ ମୁହଁ।

ସୁଇଚ୍‌‍ ଅଫ୍‌‍ ଥିବା ମୋବାଇଲ୍‌‍ରେ କିଏ କେମିତି କାହାକୁ କଲ୍‌ କରିବ? ସାମ୍ୱାଦିକଙ୍କ ଦାମୀ ମୋବାଇଲ୍‌‍ଟା ତ ଏଯାଏ ସୁଇଚ୍‌ ଅଫ ଅଛି! ସତ ବାଣ୍ଟୁଥିବା ଲୋକ ପୁଣି ଜିଭ ଅଗରେ ଏମିତି ରଙ୍ଗୀନ ମିଛଟେ କହିପାରିଲା! ପିଛା କଲା ଛାଇ, ସାମ୍ୱାଦିକଙ୍କଠୁ ସତ ଶୁଣିବ ବୋଲି।

ଫେରି ଚାହିଁଲେ ସାମ୍ୱାଦିକ। ସେଇ ହସ ହସ ମୁହଁ। ଫି ଦିନ, ରାତି ପାହିଲେ ଟିଭି ସାମ୍ନାରେ ସତ୍ୟର ପସରା ସହ ଯାହା ଝଲସି ଉଠେ।

‘ଆରେ ବାବୁ! ସବୁ ଖବର ସତ ନୁହେଁ କି ସବୁ ସତ ବି ଖବର ନୁହେଁ। ଆଉ ଏଇଟା ହିଁ ଆଜିଦିନର ଖବର।’ ଛାଇର ମନ କଥା ପଢିପାରିଲେ ବୋଧେ ସମ୍ୱାଦିକ।

ହସହସ ମୁହଁରୁ ବାହାରୁଥିବା ସଂଳାପଟି ଅଧାରେ ଅଟକିଗଲା। ଆଗରେ ଥିଲା ଆଉ ଏକ ଭୟଙ୍କର ଛାଇ…। ଗୋଟେ ପରିତ୍ୟକ୍ତ, ପ୍ରତ୍ୟାଖ୍ୟାତ ମଣିଷର ଛାଇ। ଅଟକିଗଲେ ସାମ୍ୱାଦିକ, ଚମକି ପଡିଲା ଛାଇ।

ଆରେ ଇଏତ ସେଇ… ଯିଏ କେଇଘଣ୍ଟା ତଳେ ନିଜ ରୋଗିଣା ସ୍ତ୍ରୀ ପାଇଁ ରତନା ମଳିକଠୁ ଫଳ କିଣିନେଲା, ଯାହାକୁ ରତନା ବିନଦାସ ଠକିଦେଲା! ‘ସତରେ ତୋ ପୁଅକୁ ତୁ ବିକି ଦେଇଚୁ?’ ସାମ୍ୱାଦିକଙ୍କ ପ୍ରଶ୍ନରେ ଭରି ରହିଥିଲା ଉତ୍କଣ୍ଠା। ‘ଆଖି ଛୁଉଁଚି ଆଜ୍ଞା, ବିକି ଦେଇଛି।’ ଦୁଇ ଆଖିକୁ ଦଳିମକଚି ପକାଇଲା ଲୋକଟା। ‘ସତ କହ, କାହିଁକି ବିକିଲୁ?’ ଆହୁରି ଉତ୍କଣ୍ଠିତ ଲାଗିଲେ ସାମ୍ୱାଦିକ।

‘ଭୋକ ଆଜ୍ଞା… ଘରେ ରୋଗିଣା ସ୍ତ୍ରୀ, ମୁଁ ନିଜେ ବି ରୋଗିଣା। ଖଟିବାକୁ ବଳ ଜୁଟୁନି। ଦିନ ଦିନ ପେଟରେ ଓଦାକନା ଦେଇ ପଡି ରହିଚୁ। ପୁଅଟାକୁ ପୋଷିଥାନ୍ତି କେମିତି?’

ଲୋକଟା ଆଉ କ’ଣ କହିଥାନ୍ତା। ହାତକୁ ତା’ର ଜାବୁଡି ଧରିଲେ ସାମ୍ୱାଦିକ। ବହି ଆସୁଥିବା ଲୁହ ଅଟକିଗଲା।

‘ତୁ ବ୍ୟସ୍ତ ହୁଅନା। କାଲି ଆମ ଟିଭିରେ ଏ ଖବର ବାଜିବ। ଆଉ ରାଜ୍ୟଟା ହୁଲୁସ୍ତୁଲୁ ହବ।’ ଗାଡି ଷ୍ଟାର୍ଟ କଲେ ସାମ୍ୱାଦିକ। ବିକଳ ହେଇ ଚାହିଁ ରହିଥିଲା ଲୋକଟା। ଲାଗୁଥିଲା ଆଉ କିଛି କଥା ବୋଧେ ରହିଗଲା ଅବ୍ୟକ୍ତ।

ଗାଡିର ଷ୍ଟାର୍ଟ ବନ୍ଦ କରି ଲେଉଟି ଆସିଲେ ସାମ୍ୱାଦିକ। ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ଛାଇ। ଆଉ କିଛି କଥା ରହିଗଲା କି?

‘ଲାଗୁଛି ତୁ ବୋଧେ କିଛି ଖାଇନୁ। ରଖ ଏ ଟଙ୍କା। ଆଗ ପେଟ ଭର୍ତ୍ତି ଖାଆ। ହଁ ଶୁଣୁ…। ଏକଥା ଆଉ କାହାକୁ କହିବୁନି।’

ପକେଟରୁ ଖଣ୍ଡିଏ ଗୋଲିପୀ କାଗାଜ ଲୋକଟାର ହାତରେ ଗୁଞ୍ଜିଦେଇ ଉଭାନ ହେଇଗଲେ ସାମ୍ୱାଦିକ, ଯାହା ସେ ଏବେ ଏବେ ମନ୍ତ୍ରୀଙ୍କ ହାତରୁ ଝାମ୍ପି ଆଣିଥିଲେ।

ଲୋକଟା ବୋଧହୁଏ କୋହ ସମ୍ଭାଳି ନେଇଥିଲା। ହେଲେ ଛାଇ ଛାତିରେ ଢେଉ ଭାଙ୍ଗୁଥିଲା କୋହ। ଭୋକ ପାଇଁ ବାପ ତା’ ପିଲା ବିକିଦେଲା..? କେମିତି ସହିବ ସେଇ ଜନ୍ମକଲା ମା’ର ଛାତି?

ଲୋକଟା ଧାଇଲା… ଧାଉଁଲା ବି ଛାଇ…

ଝାଟିମାଟିର କବାଟ ଖୋଲି ଲୋକଟା ଧାଉଁକିନା ପଶିଗଲା ଝମ୍ପୁଡି ଘରେ। ଭେଁ ଭେଁ ହେଇ କାନ୍ଦି ଉଠିଲା ସ୍ତ୍ରୀ ଲୋକଟେ। ବୋଧହୁଏ ଏଇ ଲୋକର ସ୍ତ୍ରୀ। ବୋଧହୁଏ ସେଇ ପୁଅର ମା, ଯିଏ ବିକ୍ରି ହେଇଗଲା।

‘ମୋ ଧନରେ…ମୋ ଥାଳରେ… ତତେ ଛାଡି କେମିତି ବଞ୍ଚିବି…

ମୁଁ ପୋଡାମୁହିଁ ମରିଗଲିନି କାଇଁକି…

ପେଟରେ କି କାଳ ପଶିଲା ଯେ ତତେ ବିକିଦେଲିରେ ଧନ…

ମୋ ଧନରେ… ମୋ ଥାଳରେ…।’

‘ଥାଉ ଥାଉ ସେତିକି ଥାଉ। ମୁଁ ଏକଲା ଆଇଚି ବା! ସାମ୍ୱାଦିକ କାଲିକି ଆଇବ।’

ଲୋକଟାର କଥାରେ କି କିମିଆ ଥିଲା କେଜାଣି ସ୍ତ୍ରୀ ଲୋକଟାର କାନ୍ଦ ଥପ୍‌‍କିନା ବନ୍ଦ ହେଇଗଲା, ଆଉ ଲମ୍ୱା ଲମ୍ୱା ଦାନ୍ତକୁ ନେଫିଡି ଖିଁ ଖିଁ ହେଇ ହସି ଉଠିଲା।

କାନ୍ଦୁରା ମା’ଟା ଖିଲି ଖିଲି ହସୁଚି..ପାଗଳୀ ହେଇଗଲା ନା କ’ଣ..! ବେଳକୁ ବେଳ ଭାଙ୍ଗି ପଡୁଥିଲା ଛାଇ।

‘ହଇହୋ, କେମିତି ଲାଗିଲା?’

‘କିମିତି ମାନେ! ଖଣ୍ଡଗିରି ନାଟର ଆଚ୍ଛା ଆଚ୍ଛା ହିରୋଇନ ଫିକା ପଡିଯିବେ। ସତସତିକା କାନ୍ଦରେ ଖାଲି ସକସକ ହଉ, ମିଛିମିଛିକା କାନ୍ଦରେ ତ ମେଦିନୀ ଫଟେଇଦେଲୁ..।’

ମିଛିମିଛିକା କାନ୍ଦ! ପୁଅକୁ ହରେଇ କାନ୍ଦୁଛି ମା!…

ସେଇଟା ମିଛିମିଛିକା କାନ୍ଦ! ଆଶ୍ଚର୍ଯ୍ୟ ହେଲା ଛାଇ।

ସ୍ୱାମୀ-ସ୍ତ୍ରୀ ଥିଲେ ଆଲିଙ୍ଗନବଦ୍ଧ। ଅନିଚ୍ଛା ସତ୍ତ୍ୱେ କାନେଇଲା ଛାଇ…

କଥାଟା ଲାଗୁଥିଲା ଭାରି କିଟିମିଟିଆ। ଅଛିଣ୍ଡା ଅଙ୍କଟିଏ ପରି!

‘ହେଇଟି ମୋ ପୁଅ ଭଲ ଅଛିଟି?’

‘ଭଲ ମାନେ? ଏକଦମ୍‌ ମସ୍ତ। ଯୋଉ ଲୋକଟା ପାଖରେ ତାକୁ ଛାଡିଚି, ସିଏ ତାକୁ ଖୋଇପେଇ ଚାଙ୍ଗା କରି ରଖିଛି। ଦିନଟେ ସବର କରିଯା। କାଲି ସେ ସାମ୍ୱାଦିକଟା ଆସୁ। ଖାଲି ଥରଟେ ଟିଭିରେ ବାଜିଯାଉ ‘ଭୋକ ପାଇଁ ପିଲା ବିକିଲା ମା’

‘ବାସ୍‌ କାମ ଫତେ। ଏତେ ମିଳିବ… ଏତେ ମିଳିବ… ରଖିବାକୁ ଯାଗା ପାଇବୁନି।’

ସ୍ତ୍ରୀ ଲୋକଟାର ଦାନ୍ତ ଆହୁରି ପଦାକୁ ବାହାରି ଆସିଲା। ଖୁସିରେ ଆତ୍ମବିଭୋରର ପରିପ୍ରକାଶ ବୋଧେ…।

‘ହେଇଟି ଶୁଣୁ! ତୋ ରୋଲ୍‌ଟା ମସ୍ତ ହବା ଦରକାର। କେହି ଯେମିତି ଗନ୍ଧବାତ୍ସା ନ ପଆନ୍ତି। କିମିତି କାନ୍ଦିବୁ ଆଉଟିକେ କାନ୍ଦିଲୁ କାନ୍ଦିଲୁ…?’

ଇରେ ମୋ ଧନରେ… ଇରେ ମୋ ଥାଳରେ… ଇରେ ମୋ ଗଳାମାଳିରେ….!!!

କାନ୍ଦ ଆଉ କାନ୍ଦ… କରୁଣ କାନ୍ଦ… ମମତାମୟୀ ମା’ର କାନ୍ଦ… ପୁତ୍ରହରା ମା’ର କାନ୍ଦ… ଛଳନାର କାନ୍ଦ… ପ୍ରତାରଣାର କାନ୍ଦ… ବିଶ୍ୱାସଘାତକତାର କାନ୍ଦ… ଠକ୍‌ ଠକ୍‌ ବେଧଡକ ଠକିବାର କାନ୍ଦ… ମିଛ କାନ୍ଦ!!!

ଛାଇ କାନରେ ଧସେଇ ପଶୁଥିଲା ଅବିରତ କାନ୍ଦଣାର କରୁଣ ସ୍ୱର… ଝାଟିମାଟି ଘେରା ସେଇ ଝୁମ୍ପୁଡି ଘରୁ… ତା ମୁଣ୍ଡ ଉପର ଆକାଶରୁ…ପାଣିରୁ …ପବନରୁ…ଆଉ?

ବୋଧହୁଏ ନିଜ ହୃଦୟ ଭିତରୁ…।

ବାହୁନି ବୁଲୁଥିଲା ଛାଇ…

କାହାର ହବ ସେ ଛାଇ…?

ସେଇ କିଟମିଟ ଅନ୍ଧାରର, ଯେଉଁଠି ନିଜକୁ ନିଜେ ସେ ଖୋଜି ପାଏନା

ନା ଏଇ ସଫେଦ୍‌ ସଫେଦ୍‌ ଚିକ୍‌‍ମିକ୍‌‍ ଆଲୁଅର…

ଯେଉଁଠି ସମସ୍ତେ ସମସ୍ତଙ୍କ ପାଇଁ ଅଦୃଶ୍ୟ!!!

 

କଳମଡା ଶାସନ, ଆଳି, କେନ୍ଦ୍ରାପଡା

ଫୋନ ୯୪୩୮୦୩୬୭୩୦

Previous ArticleNext Article

Send this to a friend