ଦୃଶ୍ୟାନ୍ତର

Drusyantara-by-Rabi-Narayan-Dash

ଆଜ୍ଞା ଦିନରାତି ଘଷୁଛନ୍ତି। ସକାଳେ, ସଂଜେ ଘଷୁଛନ୍ତି। ଆଣ୍ଠେଇ ପେଟେଇ ଘଷୁଛନ୍ତି। କିଛି ହେଉନାହିଁ। ଥରେ ଆଜ୍ଞା ଏଇଠିକୁ ଆସନ୍ତୁ। ଆଜ୍ଞା ଗୋଟେ ଥର ଘଷି ଦେବି, ଆଜ୍ଞା ପୂରା ଧଳା ଫିଟେଇ ଦେବି।…ଆଜ୍ଞା।

ଝିଟିପିଟି, ଝିଟିପିଟି, ଝିଟିପିଟିରେ…ଏଏଏଏ… ଏୟେ, ଏୟେ, ଏୟେ… ଝିଟିପିଟି ଛକିଥିଲା… ଛକିଥିଲା… ଛକିଥିଲା… ଝିଟିପିଟି ଛକିଥିଲା କଙ୍କିକୁ… ଧୀରେ ଧୀରେ ଚଢୁଥିଲା… ଚଢୁଥିଲା… ଧୀରେ ଧୀରେ ଚଢୁଥିଲା କାନ୍ଥକୁ…

ଆଜ୍ଞା ମନ୍ଦାର ଫୁଲ ଆଣନ୍ତୁ, ମଲ୍ଲୀଫୁଲ ନେଇକି ଯାଆନ୍ତୁ

ଝିଟିପିଟି ଖସିପଡ଼ିଲା ମୋ କାନ ଉପରେ… ଆରେ ମୁଁ ଚମକି ଗଲି… ଇଇଇଇ

ଆଜ୍ଞା ମୁହଁ ଖୋଲି ହସିପାରୁନାହାନ୍ତି।ଏଇଠିକୁ ଆସନ୍ତୁ ଆଜ୍ଞା ପୂରା ୩୨ ପଦାରେ ପକେଇ ବୁଲିବେ।

ଆଜ୍ଞା ମନ୍ଦାର ଫୁଲ ଆଣନ୍ତୁ ମଲ୍ଲୀଫୁଲ ନେଇକି ଯାଆନ୍ତୁ।

ଝିଟିପିଟି… ଛାଟୁଥିଲା ଛାଟୁଥିଲା ଲାଞ୍ଜକୁ… ବାର୍ଲାଇଟ୍ ଦପ ଦପ ଦପ ଦପ ଦପ ଦପ…

ବାର୍ଲାଇଟ୍ ଦପ ଦପ ଦପ ଦପ ସଂଜକୁ…

ମଝିରେ ପୁଣି ଶୁଭି ଯାଉଥାଏ ସିଲେଷ୍ଟ୍ରି ଆଇସ୍କ୍ରିମ୍, ରାମ ସାହୁ ଠୁଙ୍କା ପୁରୀ, ହୋଣ୍ଡା ଗାଡ଼ିର ପ୍ରଚାର.. କାନ ଡେରିଲି… ଲହରେଇ ଲହରେଇ ଗୀତ ମଝିରେ ପୁଣି ସେହି ସ୍ୱର ଭାସି ଆସୁଥାଏ।

ଆଜ୍ଞା ଥରେ ମୋ ପାଖରେ ମେଲେଇ କି ଦେଖେଇ ଦିଅନ୍ତୁ। ଆଜ୍ଞା ଏକଦମ୍ ସଫା କରିଦେବି।

ପୁଣି ଥରେ ଶୁଭିଲା… ଝିଟିପିଟି, ଝିଟିପିଟି, ଝିଟିପିଟିରେ…ଏଏଏଏ…

ଘୋ ଘୋ ଡାକୁଛି ବାଲିଯାତ୍ରା ଉପର ପଡ଼ିଆ।

ମୁଁ ତଥାପି କାନ ଡେରିଲି..କିଏ ଇଏ..?

ଛତରାଟାଏ ମଁ। ଏମିତିଆ ଦ୍ୱିଅର୍ଥବୋଧକ ପ୍ରଚାର କରେ। ଦାନ୍ତଘଷା ପାଉଡ଼ର ବିକୁଛି।

ଶ୍ରୀଧର ଜାଣିପାରିଲା ମୁଁ ସେହି ସ୍ୱରକୁ କାନ ଡେରିଛି।

ଶ୍ରୀଧର କଥା ମୋ କାନରେ ବାଜିଲାନି।

ଶ୍ରୀଧର ଦୋହରାଇଲା। ଛତରାଟେ ମଁ। ଜାଣିଲେ ସାର୍, ଯିଏ ବାଲିଯାତ୍ରା ପଡ଼ିଆକୁ ଆସେ ୟା’ କଥା ଶୁଣି ନ ହସି ରହିପାରେନା। ଗୋଟେ ଅଲଗା ଷ୍ଟାଇଲରେ ୟାର ପ୍ରଚାର। ସେଇଥିପାଇଁ ତ ୟା ବେପାର ଅଲଗା ପ୍ରକାର। ଇଏ ବି କଟକ ବାଲିଯାତ୍ରାର ଗୋଟେ ବ୍ରାଣ୍ଡ୍ ପାଲଟି ଯାଇଛି।

୧୫ ବର୍ଷ ପରେ ମୁଁ ବାଲିଯାତ୍ରା ଆସିଛି। ଯଦିଓ କଟକ ବାଲିଯାତ୍ରା ସହ ମୋର ପୁରୁଣା ସଂପର୍କ। ରେଭେନ୍ସାରେ ପାଠପଢା, ଟ୍ୟୁସନ୍..। ସ୍ୱପ୍ନ, ସଂଘର୍ଷ ଓ ରୋମାଞ୍ଚର ୫/୭ ବର୍ଷ କଟକରେ କଟିଛି। କଟକରେ ଥିଲାବେଳେ ପ୍ରତିଦିନ ବାଲିଯାତ୍ରାକୁ ଆସୁଥିଲି। ସାଙ୍ଗ ମେଳରେ ଢେର ମସ୍ତି ହେଉଥିଲା। ଏଥିର ୧୫ ବର୍ଷ ପରେ ବାଲିଯାତ୍ରା ପଡ଼ିଆରେ ପାଦ ପଡ଼ିଲା। ଧରାଧରି କରି ଭୁବନେଶ୍ୱର ଆସିବାରୁ ଏଥର ବାଲିଯାତ୍ରା ଦେଖିବାର ସୁଯୋଗ ମିଳିଛି। ପୂର୍ବପେକ୍ଷା ବାଲିଯାତ୍ରାର କଳେବର ବଢ଼ିଛି। ଢାଞ୍ଚା କିନ୍ତୁ ସେଇଆ। ସେମିତି ଟ୍ରାଫିକ୍ ଜାମ୍। ସେମିତି ଧୂଳି। ସେମିତି ଅଣନିଃଶ୍ୱାସୀ ଭିଡ଼। ସତରେ କଟକ ବଦଳିନି କି ବଦଳି ପାରିବନି।

ମୁଁ ବି ବଦଳି ପାରିନି। ସେଇଥି ପାଇଁ ଏତେ ଭିଡ଼ ଭିତରେ ବି ସେ ସ୍ୱରଟା ମୋ କାନରେ ପିଟି ହେଇଯାଉଛି। କିଏ..ପ୍ରଶାନ୍ତ କି ଆଉ..?

ଉପର ପଡ଼ିଆ ଠିକ୍ ମଝାମଝି ମୁଁ ଆଉ ଶ୍ରୀଧର ଠିଆ ହେଇଥାଉ। ପିଲାମାନଙ୍କୁ ନ ଆଣି ମୁଁ ଆଜି ସଂଜବେଳେ ଅଚାନକ ମାଡ଼ି ଆସିଲି କଟକ, ବାଲିଯାତ୍ରା ଦେଖିବାକୁ। ଯୋଜନା ଅଛି ରବିବାର ଦିନ ପୂରା ପରିବାର ସହ ଆସିବାର। ଅଫିସ୍ ଷ୍ଟାଫ୍ ଶ୍ରୀଧର ଅଚାନକ ପ୍ରସ୍ତାବ ଦେଲା, ଆଜି ଆସନ୍ତୁ ବୁଲିଯିବେ। ଶ୍ରୀଧର କଟକରୁ ଭୁବନେଶ୍ୱର ଅପ୍ଡାଉନ୍ କରେ। ତା’ର କଟକରେ ଘର। ପୁରୁଣା କଟକିଆ। ଶ୍ରୀଧର ଷ୍ଟାଇଲ୍ କିନ୍ତୁ ଏକଦମ୍ ଅର୍ଖ ନୂଆ। ଖୁବ୍ କମ୍ ବୟସରେ ଚାକିରି ପାଇଯାଇଛି। ବାପା ଜଣେ ଅଧ୍ୟାପକ। ଘର ଶେଖବଜାର। ବାଲିଯାତ୍ରା ପଡ଼ିଆ, ବାରବାଟୀ ଷ୍ଟାଡ଼ିୟମ୍ ଉପରେ ଜାଣ ୟାଙ୍କର ହକ୍। କଲେଜ ପଢ଼ିଲା ବେଳଠାରୁ ଶେଖବଜାରର ଧାକ୍ ଥିଲା ବାଲିଯାତ୍ରା ପଡିଆରେ। ଏବେ ବି ଅଛି। ଶ୍ରୀଧରକୁ ଦେଖି ଜଣାପଡ଼ିଗଲା। ଶ୍ରୀଧରର ଭଲ ଫ୍ରେଣ୍ଡ ସର୍କଲ। ମାମଲତି ବି ଅଛି।

ମନ୍ଦାର ଫୁଲ ଆଣନ୍ତୁ, ମଲ୍ଲୀଫୁଲ ନେଇକି ଯାଆନ୍ତୁ ଆଜ୍ଞା।

ଲହରେଇ ଲହରେଇ ଗୀତ ମଝିରେ ସେହି ସ୍ୱର ଭାସି ଆସୁଛି। ମୁଁ ଆଉ ନିଜକୁ ସମ୍ଭାଳି ପାରୁନି। ଠିକ୍ ସେଇ ସ୍ୱର..ସେଇ ଷ୍ଟାଇଲ୍। ପ୍ରଶାନ୍ତ କି..?

ଶ୍ରୀଧର ଜାଣି ପାରିଲା କି କ’ଣ। କହିଲା, ସାର ଯିବା କି ସେପଟକୁ।

ଉତ୍ତର ନଦେଇ ମୁଁ ଆଗକୁ ବଢ଼ିଲି।

ଡିଅରପାର୍କ ପଟୁ ଗଡ଼ି ଆସିଲା ବେଳକୁ ଗଡ଼ଖାଇ ପାଖ ରାସ୍ତାକଡ଼ରେ ଖୋଲିଛି ଦୋକାନ। ମହାବୀର ଦନ୍ତ ମଞ୍ଜନ। ମହାବୀର ଏଣ୍ଟରପ୍ରାଇଜର୍ସ। ପ୍ରୋପାଇଟର-ଭୋଳାନାଥ ସାହୁ। ଇରେ କି ଦୋକାନ, କି ଏଣ୍ଟରପ୍ରାଇର୍ଜସ। ଚାରି ଖଣ୍ଡ ବତାରେ ଓହଳିଛି ପଲିଥିନ। ତଳେ ମହାବୀର ଦନ୍ତ ମଞ୍ଜନର ଥାକ। ୫୦ଗ୍ରାମ, ୧୦୦ଗ୍ରାମ, ୨ଶହ ଗ୍ରାମ ଡବା। ପାଉଚ୍ ବି ଓହଳିଛି। ସାଇଡ୍ କୁ ମଶା ମରା, ମାଛି ମରା, ଉକୁଣି ମରା ଔଷଧ ବି ଥୁଆ ହୋଇଛି। ଜଣେ ପତଳା ନହକା ଟୋକାଟେ ଡେମୋ ଦେଖାଉଛି ମହାବୀର ଦନ୍ତମଞ୍ଜନର କମାଲ୍। ପାନଖିଆ ଲୋକେ ଦାନ୍ତ ଦେଖାଉଛନ୍ତି। ସେ ଟୋକାଟା ଟିପେ ମହାବୀର ଦନ୍ତ ମଞ୍ଜନ ଧରାଇ ଦେଉଛି ସେମାନଙ୍କ ହାତକୁ। କହୁଛି ଆଜ୍ଞା ଘଷି ଦିଅନ୍ତୁ। ତା’ରେ ଛୋଟ ଆଇନାଟେ ଧରାଇ ଦେଉଛି -ଏହି ଆଜ୍ଞା ଦେଖନ୍ତୁ ଆପଣଙ୍କ ଦାନ୍ତ। ଧୋତି, ସାର୍ଟ ପିନ୍ଧା ଜଣେ ମୋଟା ବୟସ୍କ ଲୋକ ବସିଛି ଟଙ୍କା ବାକ୍ସ ଧରି। ସାଇଡରେ ଚୁଙ୍ଗାଟେ। ବେଟିରିରେ ଚାଲିଛି। ଦିଟା ମାଙ୍ଗଡ଼ା ପଥର ଉପରେ ବସି ପ୍ରଚାରରେ ମାତିଛି ସେ ଲୋକଟା। କୁଆଡେ଼ ନିଘା ନାହିଁ ତା’ର। ସେ ପ୍ରଚାରରେ ବ୍ୟସ୍ତ। ମୁହଁଟା ସେପଟକୁ ବୁଲେଇ ପ୍ରଚାର ଚଳାଇଛି। ମୁଁ ଦୋକାନ ଭିତରକୁ ଉହୁଙ୍କି ତାକୁ ଦେଖିବାକୁ ଚେଷ୍ଟା କରୁଥିଲି।

୧୦/୧୨ଟା ଗରାଖ ବେଢିଛନ୍ତି ଦୋକାନକୁ। ଗରାଖ କହିଲେ ଭୁଲ ହେବ। ଦୁଇ ଚାରିଜଣଙ୍କୁ ଛାଡ଼ି ଦେଲେ ଅଧିକାଂଶ ପ୍ରାୟ ସେହି ପ୍ରଚାର ଶୁଣି କୌତୂହଳ ହେଇ ଆସିଛନ୍ତି। ଦି’ ଚାରିଟା ଚେଙ୍ଗେଡ଼ା ଟୋକା ବି ବୁଲୁଛନ୍ତି। ଝିଅମାନଙ୍କୁ ଦେଖି କମେଣ୍ଟ୍ ମାରୁଛନ୍ତି …ଦେ ଘଷି ଧଳା ଫିଟେଇ ଦେ।

ଆଜ୍ଞା ମନ୍ଦାର ଫୁଲ ଆଣନ୍ତୁ ମଲ୍ଲୀ ଫୁଲ ନେଇକି ଯାଆନ୍ତୁ।

ସାଧାରଣ ଲୋକେ ସହଜରେ ବୁଝିପାରିବେ ନାହିଁ ଏଇ କୋଉ ପ୍ରଡକ୍ଟର ପ୍ରଚାର। ଏହା ହିଁ ଏହି ପ୍ରଚାରର ଟେକ‌ନିକ୍। ମନ୍ଦାର ଫୁଲମାନେ ନାଲି କଟକଟ ପାନଖିଆ ଦାନ୍ତକୁ ମହାବୀର ଦନ୍ତ ମଞ୍ଜନ ଏକଦମ୍ ମଲ୍ଲୀ ଫୁଲ ପରି ଧଳା କରିଦେଉଛି। ଗୋଟେ ଲୋକ ଆସି ଡେମୋ ଦେଖାଉଥିବା ଟୋକାଟା ପାଖରେ ଦାନ୍ତ ନେଫେଡ଼େଇ ଦେଲା.. ଇଁ………..।

ପ୍ରଚାର କରୁଥିବା ଲୋକଟା ଏଥର ମୁହଁ ବୁଲାଇ ଦେଲା। ଆରେ ଏତିକି କ’ଣ ନାଲିଆ ଦାନ୍ତ ଆଣିଛ। ଆହୁରି ନାଲିଆ, କାଳିଆ କଟମଟ ଦାନ୍ତ ଆଣିକି ଆସ ପୂରା ଧଳା ପକେଇ ଦବୁ। ବିଚାର ଲୋକଟା ନିଜ ଦାନ୍ତ ଛାଡି ଆଉ କୋଉଠୁ ନାଲିଆ, କାଳିଆ କଟମଟ ଦାନ୍ତ ଆଣିବ। ତହୁଁ ସେ ଦାନ୍ତ ନେଫଡାଇ ହସିଲା…ହିଁ ହିଁ..।

ଏଥର ମୋ ସାମ୍ନା ପଟକୁ ଆସିଗଲା ପ୍ରଚାର କରୁଥିବା ସେ ଲୋକଟା।

କିରେ ପ୍ରଶାନ୍ତ ?

ଭିଡ଼ ଆଡେଇ ମୁଁ ଏକଦମ୍ ଦୋକାନ ଭିତରକୁ ପଶିଗଲି- କିରେ ପ୍ରଶାନ୍ତ ?

ନାଲି-ଢାଉ ମିଶା ରଂଗର କାଜୁଆଲ୍ ପ୍ୟାଣ୍ଟ। ଆଜିକାଲିଆ କଲେଜ ପିଲା ପିନ୍ଧୁଥିବା ପ୍ୟାଣ୍ଟ୍। ଉପରେ ବ୍ଲାକ୍ କଲରର ସଟ୍ କୁର୍ତ୍ତା। ଛାତି ବୋତାମ ଖୋଲା। ଛାତି ବାଳ ପୁଳାକ ପଦାକୁ ବାହାରିଛି। କୁର୍ତ୍ତାର ହାତ ଟେକା ହେଇଛି କହୁଣି ଯାଏ। ଡାହାଣ ହାତରେ ମେଞ୍ଚାଏ ନାଲି ସୂତା ଗୁଡ଼ା ହେଇଛି।

ହଁ ତ ପ୍ରଶାନ୍ତ। ପୂରା କନଫର୍ମ ହେଇଗଲି ମୁଁ। ଆଉ ଥରେ ଜୋର ଦେଇ ଡାକିଲି- କିରେ ପ୍ରଶାନ୍ତ ?

ପ୍ରଶାନ୍ତ ଥତମତ ହେଇ ମୋତେ ଅନେଇଲା। ହସିଲା..।

ମୁଁ ଜାଣିଲି ସେ ମୋତେ ଚିହ୍ନି ପାରୁନି। ତା’ ହସରେ ଅଚିହ୍ନାପଣ ବାରି ହେଇଯାଉଛି। ହଁ ସେ ବି ଚିହ୍ନନ୍ତା କେମିତି। ୧୫ ବର୍ଷ ଭିତରେ ମୋ ଚେହେରା ପୂରା ବଦଳି ଯାଇଛି। ଡେଙ୍ଗା, ନହକା, ପତଳା ଗୋରା ଚେହେରା ବଦଳରେ ଠିଆ ହେଇଛି ଗୋଲମୋଟଲ୍ ଲୋକଟା। ଆଖିରେ ଚଷମା। ସାମ୍ନା ପଟରୁ ଚୁଟି ପୁଳାଏ ଗଲାଣି।

କିରେ ପ୍ରଶାନ୍ତ! ଚିହ୍ନିପାରିଲୁନି କି। ମୁଁ ପରା ଶୁଭକାନ୍ତ।

ପ୍ରଶାନ୍ତ ତଥାପି ଥତମତ…।

ପ୍ରଚାର ବନ୍ଦ ହେଇ ଯିବାରୁ ଭିଡ଼ ବି ଟିକେ ବିଗିଡ଼ିଗଲା ଭଳି ଲାଗିଲା।

ପ୍ରଶାନ୍ତ ଏଥର ଝିଟିପିଟି ଗୀତଟାର ଭଲ୍ୟୁମ୍ ବଢାଇ ଦେଇ ପଦାକୁ ବାହାରି ଆସିଲା।

ମୁଁ ଦୋହରାଇଲି- କିରେ ପ୍ରଶାନ୍ତ ଚିହ୍ନିପାରୁନୁ। ମୁଁ ଶୁଭକାନ୍ତ। ରେଭେନ୍ସା କଲେଜ୍ ଓଡ଼ିଆ ପିଜି।

ବିନା ପ୍ରତିକ୍ରିୟାରେ ପ୍ରଶାନ୍ତ ମୋତେ କୁଣ୍ଢାଇ ପକାଇଲା। ଏଥର ଅସଲ ରଙ୍ଗକୁ ଆସିଲା-ଆରେ ଶଳା ଶୁଭ ତୁ…।

ପ୍ରଶାନ୍ତକୁ ଏମିତି ଏଇ ଭାବେ ଭେଟିବି ବୋଲି କେବେ କଳ୍ପନା କରି ନ ଥିଲି।

ଚେହେରାରେ ସାମାନ୍ୟ ଟିକେ ବଦଳିଛି ପ୍ରଶାନ୍ତ। ହାବଭାବରେ କିନ୍ତୁ ଆଦୌ ନୁହେଁ। ସେମିତି ଖାମଖିଆଲ୍, ବିନ୍ଦାସ, କବିକବି।

ଏମିତି ଥିଲା କଲେଜରେ ପଢ଼ିଲା ବେଳେ ବିନ୍ଦାସ, କବିକବି। ଆଦୌ ସିରିୟସ୍ ନୁହଁ। ସତେ ଯେମିତି କୋଉ ସ୍ୱପ୍ନ ରାଜ୍ୟରେ ଅଛି।

ରେଭେନ‌ସାରେ ପିଜି କଲାବେଳେ ପ୍ରଶାନ୍ତ ସହିତ ପରିଚୟ।

ପ୍ରଥମ ଦେଖାରେ ସେ ଲାଗିଥିଲା ଟିକେ ଅଲଗା। ଥିଲାବାଲା ଘରର ପିଲା ନୁହେଁ। ବରଂ ଗରିବ ବୋଲି କୁହାଯାଇପାରେ। ପୋଷାକପତ୍ର ବି ଧରା ପକେଇ ଦଉଥିଲା ତା’ ଦୈନ୍ୟତା। କିନ୍ତୁ ପିନ୍ଧିବାର ଷ୍ଟାଇଲ୍ ଓ ଆଦବକାଇଦା ଟିକେ ହଟକେ ଥିଲା। ଛାତି ବଟମ‌ଖୋଲାଥିବ। ସାର୍ଟର ହାତ ଟେକା ହେଇଥିବ କହୁଣି ଯାଏ। ମଣିବନ୍ଧରେ ପୁଳାଏ ନାଲିସୂତା ଗୁଡାହେଇଥିବ। ମୁହଁଟା ଏକଦମ୍ ସ୍ମାଇଲିଂ। ସତେ ଯେମିତି ଲାଗେ ଦୁଃଖ ବାଟ ଭାଙ୍ଗି ଚାଲିଯାଇଛି ପ୍ରଶାନ୍ତ ପାଖରୁ। ପ୍ରଶାନ୍ତ ଯେ ଜଣେ କବି ଏ କଥା ସେ ପ୍ରଥମ ଦିନରୁ ହିଁ ଘୋଷଣା କରିଦେଇଥିଲା। ୱେଲ‌କମ୍ ମିଟିଂରେ ପ୍ରଶାନ୍ତ ପଢ଼ିଥିଲା ରୋମାଣ୍ଟିକ୍ କବିତା। ଯଦିଓ କବିତା ଏତେ ଉଚ୍ଚମାନର ନ ଥିଲା ତଥାପି ତାର କେଇଟା ଧାଡ଼ି ଟିକେ ହାର୍ଟ ଟଚିଂ ଥିଲା। ୱେଲେକମ ମିଟିଂରେ ମୁଁ ବି ଗୋଟେ ଭଲ ଭାଷଣ ଦେଇଥିଲି। ସ୍କୁଲ‌ରେ ପଢ଼ିଲା ବେଳଠାରୁ ମୁଁ ଭଲ ଡିବେଟ୍ ଦିଏ। ୱେଲ‌କମ୍ ମିଟିଂରେ ମୋ ତାତ୍ତ୍ୱିକ ଭାଷଣ ଭାରି ପ୍ରଭାବିତ କରିଥିଲା ଡିପାର୍ଟମେଣ୍ଟ ସାର୍ ମାନଙ୍କୁ। ବିଶେଷ କରି ଏଚ୍ଓଡି ହରିସାର୍ ମୋତେ ସାବାସି ଦେବା ପାଇଁ ଡାଏସରୁ ଉଠି ଆସିଥିଲେ। ତଥାପି ମୋତେ ଟିକେ କାଇଁ ଖଟ‌କା ଲାଗିଥିଲା। କାରଣ ପ୍ରଶାନ୍ତ କବିତା ପଢିଲା ବେଳେ ଯେଉଁ ଲହରଟା ଆମ ସାଙ୍ଗମାନଙ୍କ ଭିତରେ ଥିଲା ସେଇଟା କାଇଁକି ମୋ ଭାଷଣ ବେଳେ ଦେଖିବାକୁ ମିଳିଲା ନାହିଁ। ପ୍ରଥମ ଥର ପାଇଁ ମୋ ଭାଷଣ ମୋତେ ଟିକେ କାଇଁ ଊଣା ଊଣା ଲାଗିଲା, ଯଦିଓ ମିଟିଂରେ ଥିବା ସମସ୍ତେ ମୋତେ ମୋ ଭାଷଣ ପାଇଁ ତାରିଫ କରିଥିଲେ। କିନ୍ତୁ ସେହି ଦିନଠାରୁ ସେହି ଊଣାଊଣା ଭାବ ମୋ’ ମନରେ ରହିଲା ପ୍ରଶାନ୍ତ ପ୍ରତି।

ମୁଁ ଆରମ୍ଭରୁ ଟିପିକାଲ୍ ଓଡ଼ିଆ ଅନର୍ସ ପିଲା ନ ଥିଲି। ଏରିଥିମେଟିକ୍, ରିଜର୍ନିଂ, ଜିକେ ମୋର ଭଲ ହେଉଥିଲା। ଅନ୍ୟ ବିଷୟରେ ବି ମୋର ଭଲ ଦଖଲ ଥିଲା। କେବଳ ଲେଖାଲେଖିକୁ ଭଲ ପାଉଥିଲି ବୋଲି ଓଡ଼ିଆ ଅନର୍ସରେ ପଢ଼ିବାକୁ ଆଗ୍ରହ ହେଲା। ଓଡ଼ିଆ ଅଧ୍ୟାପକ ହେବାକୁ ମୋର ମନ ନ ଥିଲା। ପ୍ରଥମରୁ ହିଁ ମୁଁ ବ୍ୟାଙ୍କିଙ୍ଗ, କମ୍ପିଟେଟିଭ୍ ପାଇଁ ଲକ୍ଷ୍ୟ ସ୍ଥିର କରି ଦେଇଥିଲି। ଯେହେତୁ ମୋର ଅନ୍ୟ ସବୁ ବିଷୟରେ ଭଲ ହେଉଥିଲା ଓ ମୋର ଜିକେ ବହୁତ ଭଲ ହେଉଥିଲା ତେଣୁ ମୁଁ ସହଜରେ ବାରି ହେଇପଡୁଥିଲି ଅନ୍ୟମାନଙ୍କଠାରୁ। ପିଜି କଲା ବେଳକୁ ମୋର ଏକାଧିକ ଗପ ବାହାରି ସାରିଥିଲା ବିଭିନ୍ନ ପତ୍ର ପତ୍ରିକାରେ। କିଛି ଆର୍ଟିକିଲ୍ ବି ବାହାରିଥିଲା ବିଭିନ୍ନ ଖବରକାଗଜରେ। ମୋଟାମୋଟି ଛୋଟକାଟିଆ ସେଲିବ୍ରିଟି ଥିଲି କ୍ଲାସ୍ ରେ। ମୂଳରୁ କିଛିଅଂଶରେ ସିରିୟସ୍ ଓ ଡିସେଣ୍ଟ୍। ଯୁବସୁଲଭ ଚପଳତା ଟିକେ କମ୍ ଥିଲା। ସେଇଥିପାଇଁ ହୁଏତ ଡିପାର୍ଟମେଣ୍ଟରେ ସାର୍ ମାନଙ୍କର ବେଶି ପ୍ରିୟ ମୁଁ ଥିଲି। ସାଙ୍ଗମାନେ ବି ମୋତେ ଟିକେ ସମ୍ମାନ ଦେଉଥିଲେ। ଏମିତିଆ ଷ୍ଟାଟସ୍ ମୁଁ ଏଞ୍ଜୟ କରୁଥିଲି।

ପ୍ରଶାନ୍ତ କିନ୍ତୁ ଧୀରେ ଧୀରେ ମୋ ଧାରଣାକୁ ବଦଳାଇ ଦେଲା। ତାକୁ ଦେଖିଲେ ଲାଗୁଥିଲା ଯେମିତି ଜୀବନ ଜିଇଁବାର ଗୋଟେ ଅଲଗା ଷ୍ଟାଇଲ୍ ଅଛି। ପାଠପଢ଼ାରେ ଏତେ ସିରିୟସ୍ ନଥିଲା ସେ, ପରିଶ୍ରମ ମଧ୍ୟ କରୁନଥିଲା। ଯଦିଓ ତାର ଓଡ଼ିଆ ଭଲ ହେଉଥିଲା। ଚମତ୍କାର ଅକ୍ଷର ତା’ର। ଭଲ ଶବ୍ଦ ବସାଇ ପାରେ। ତା’ର ଏ ସବୁ କାରନାମା ସେ କବିତାରେ ଦେଖାଏ।

ନୋ ଡାଉଟ୍ ! ପ୍ରଶାନ୍ତ ଭଲ କବିତା ଲେଖେ। ଯଦିଓ କବିତାକୁ ନେଇ ସେ କେବେ ସିରିୟସ୍ ନ ଥାଏ। ଭଲ କବିତା ଲେଖିବା ସତ୍ତ୍ୱେ ତା’ର ଅଳ୍ପ କେଇଟା କବିତା କୋଉ ଗୋଟେ ଦି’ଟା ଅନାମେଧ୍ୟୟ ମାଗାଜିନ୍, ପନ୍ଦର ଦିନିଆ ପେପରରେ ବାହାରିଛି। ତାକୁ କାଟିକି ରଖି ପ୍ରଶାନ୍ତ ସମସ୍ତଙ୍କୁ ଦେଖାଏ। କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ବ୍ଲାକ‌ବୋର୍ଡରେ ଫି’ଦିନ ପ୍ରଶାନ୍ତ ଗୋଟେ କବିତା ଲେଖିଦିଏ। ସବୁତକ ରୋମାଣ୍ଟିକ କବିତା। କିଛି କବିତା ଭଲ,ଆଉ କିଛି ଆବୁରୁ ଜାବୁରୁ। ସବୁ କବିତା ପଛରେ କିଛିନାକିଛି ଉଦ୍ଦେଶ୍ୟ ଥାଏ। ବିଶେଷ କରି ଝିଅମାନଙ୍କୁ ପ୍ରଶଂସା କରିବା,ପଟେଇବା ପାଇଁ ପ୍ରଶାନ୍ତର ଏହା ଏକ ଚାଲ୍। ଏ କଥା ମୁଁ ଜାଣିଛି, ଅନ୍ୟମାନେ ବି ଜାଣନ୍ତି। ଏହା ସତ୍ତ୍ୱେ ପ୍ରଶାନ୍ତ ତାର କବିତାକୁ ବ୍ୟବହାର କରେ ଝିଅମାନଙ୍କୁ ଫସେଇବା ପାଇଁ, ସେଥିରେ ସଫଳ ବି ହୁଏ। ପ୍ରଶାନ୍ତର ଆଉ ଗୋଟେ ଗୁଣ ଥିଲା ସେ ଅନ୍ୟମାନଙ୍କ ପାଇଁ କବିତା ଲେଖିଦିଏ। କଲେଜ୍ ମାଗାଜିନ୍ ପାଇଁ ବିଭିନ୍ନ ପିଲାଙ୍କ ନାଁରେ ଲେଖା ଦିଏ। ଅଲଗା ମାଗାଜିନ୍ ରେ ବି ଅନ୍ୟମାନଙ୍କ ନାଁରେ ତା’ ଲେଖା ବାହାରେ। ସେ ଭଲ ଲଭ୍ ଲେଟର୍ ବି ଲେଖିଦିଏ। ସେଥିପାଇଁ ବିଭିନ୍ନ ଡିପାର୍ଟମେଣ୍ଟର ଟୋକାଙ୍କ ଭିଡ଼ ଜମେ ପ୍ରଶାନ୍ତ ପାଖରେ।

ଡିପାର୍ଟମେଣ୍ଟର ସବୁଠୁ ମେଧାବୀ ଛାତ୍ର ମୁଁ। ଭଲ ଲେଖେ। ସବୁରି ଗହଣରେ ମୁଁ ଲୋକପ୍ରିୟ। ମୋତେ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସାହିତ୍ୟିକ ଭାବେ ମୋ ନାଁ ଯଥେଷ୍ଟ ଆଗରେ ଥାଏ ପ୍ରଶାନ୍ତଠୁ। ପୁଣି ଭାଷଣ ବି ଭଲ ଦିଏ। ଅବଶ୍ୟ ପ୍ରଶାନ୍ତ ବି ଭଲ ଭାଷଣ ଦିଏ। କିନ୍ତୁ ସେ ମୁଡି। ତା’ ଭାଷଣରେ ତଥ୍ୟ, ତତ୍ତ୍ୱ ନ ଥାଏ। ଥାଏ କେବଳ ଆବେଗପୂର୍ଣ୍ଣ ଶବ୍ଦ। ଇମୋସନାଲ୍ ଅପିଲ୍। ସେଥିପାଇଁ କଲେଜରେ ଯେତେ ଡିବେଟ୍ କମ୍ପିଟିସନ୍ ହୁଏ ମୁଁ ଫାଷ୍ଟ୍ ହୁଏ। ପ୍ରଶାନ୍ତ କେବେ ଥାର୍ଡ ହୁଏ ତ କେବେ କିଛି ହୁଏ ନାହିଁ। ସବୁଥିରେ ମୁଁ ଯଥେଷ୍ଟ ଆଗରେ ରହି ବି ମୁଁ ଧୀରେ ଧୀରେ କେମିତି ଅସୁରକ୍ଷିତ ଅନୁଭବ କରୁଥିଲି ପ୍ରଶାନ୍ତ ପାଇଁ। ଚିଡ଼ି ଉଠୁଥିଲି ତା’ର ଅଯଥା ଲୋକପ୍ରିୟତା ନେଇ। ସଚେତନ ଭାବେ ମୁଁ ମୋର ଭାବନା ଉପରେ ନିୟନ୍ତ୍ରଣ ଆଣିବାକୁ ଚାହୁଁଥିଲି। ଏହା ସତ୍ତ୍ୱେ ଅନୁଭବ କରୁଥିଲି ଯେ ପ୍ରଶାନ୍ତ ପ୍ରତି ମୁଁ ଅସହିଷ୍ଣୁ ହୋଇପଡୁଛି। ମୋର ଅସହିଷ୍ଣୁତାର ବି କାରଣ ଥିଲା। ଡିବେଟରେ ମୁଁ ଫାଷ୍ଟ୍ ହେଉଥିଲି, କିନ୍ତୁ ପ୍ରଶାନ୍ତ ପାଇଁ ବେଶି ତାଳମାଡ଼ ହେଉଥିଲା। ପ୍ରସଙ୍ଗ ବାହାରକୁ ଯାଇ ତାର ସେ ଅଯଥା ଇମୋସନାଲ୍ ଶବ୍ଦ ପାଇଁ ତାଳିମାଡ଼ ଶୁଣି ମୋ’ କାନ ଯେମିତି ଫାଟିପଡୁଥିଲା। କିଛି ଆବୁରୁଜାବୁରୁ ରୋମାଣ୍ଟିକ୍ କବିତା ପାଇଁ ତାକୁ ପ୍ରଶଂସା ମିଳିବା, ଝିଅମାନେ ତା’ ଗାଲକୁ ଚିପିଦେବା ଯେମିତି ମୋତେ ଅସହ୍ୟ ଲାଗୁଥିଲା।

ପ୍ରଶାନ୍ତର ଅବଶ୍ୟ କିଛି ଭାବାନ୍ତର ନଥିଲା। ସେ ଲାଗୁଥିଲା ଏକଦମ୍ ସ୍ୱାଭାବିକ ଓ ପୂର୍ବପରି ବିନ୍ଦାସ। ମୁଁ କିନ୍ତୁ ଭିତରେ ଭିତରେ ଅସ୍ୱସ୍ତି ଅନୁଭବ କରୁଥିଲି। ମୋର ଅସ୍ୱସ୍ତିର ସୀମା ସେତେବେଳେ ଟପିଗଲା ଯେତେବେଳେ ସୁଜାତା ସହଜ ହେଇ ପ୍ରଶାନ୍ତ ସହିତ ମିଶିବାକୁ ଆରମ୍ଭ କଲା। ୱାଃ ୱାଃ କରି  ତା’ କବିତାର ପ୍ରଶଂସା କରିବାକୁ ଲାଗିଲା।

ସୁଜାତା ମୋ ଗ୍ରାଜୁଏସନ୍ ବେଳର ସାଙ୍ଗ। ଗପ ଲେଖାରୁ ଉଭୟଙ୍କ ମଧ୍ୟରେ ଦୋସ୍ତି ଟିକେ ଅଧିକ। ସୁଜାତା ମୋ ଗପର ବଡ଼ ପ୍ରଶଂସକ। ଗପରେ ତ୍ରୁଟିବିଚ୍ୟୁତି ଥିଲେ ବି କହିଦିଏ। ସୁଜାତା ମୋ ଅଧିକାଂଶ ଲେଖାର ପ୍ରେରଣା। ତା ସହିତ ଧୀରେ ଧୀରେ ମୁଁ କେମିତି ଅନ୍ତରଙ୍ଗ ହୋଇଉଠିଲି ମୁଁ ଜାଣିନି। ସୁଜାତାର ଚୁଲବୁଲି ଗୁଣ, ତା ଖୋଲା ହସର ମୁଁ ଜଣେ ମୁଗ୍ଧ ଦର୍ଶକ। ଅନ୍ୟ ସାଧାରଣ ଝିଅଙ୍କ ପରି ସୁଜାତା ନାକକାନ୍ଦୁରୀ ନୁହେଁ କି ଅଯଥା ଇମୋସନାଲ୍ ନୁହେଁ। ଅନେକାଂଶରେ ପ୍ରାକ୍ଟିକାଲ୍। ସୁଜାତା ମୋ’ ଛାତିରେ ରହେ ସବୁବେଳେ। କିନ୍ତୁ ମୁଁ କେବେ ଭରସି ତାକୁ କହିପାରେ ନାହିଁ। ଡରଲାଗେ ସୁଜାତାର ହୋହୋ ଗୁଣକୁ। କାଳେ ଯଦି ହୋହୋ ହୋଇ ହସିଉଠିବ ମୋ ପାଗଳାମୀକୁ ନେଇ। କାଳେ କହିଦବ -ୱି ଆର୍ ଜଷ୍ଟ୍ ଫ୍ରେଣ୍ଡସ୍। ନଥିଙ୍ଗ୍ ମୋର୍, ନଥିଙ୍ଗ୍ ଲେସ୍..।

କିନ୍ତୁ ପ୍ରଶାନ୍ତ ସହିତ ଏମିତି ମିଶିବାଟା..। ମୋତେ କାହିଁକି କେମିତି ମାଡିମାଡ଼ି ପଡେ଼। ସୁଜାତା ଏବେ ଏବେ ପ୍ରଶାନ୍ତଙ୍କୁ ଡାକୁଛି ଡିଅର୍ କବି..। କ୍ଲାସ୍ ରୁମରେ ଠିଆ ହୋଇ ମୁଣ୍ଡ ଝୁକାଇ କହୁଛି ୱାଃ ୱାଃ …। ମୁଁ ଚାହିଁଲେ ବି ସୁଜାତାକୁ ଆକଟ କରିପାରୁ ନ ଥିଲି। କହିପାରୁ ନ ଥିଲି ପ୍ରଶାନ୍ତ ତା’ କବିତା-ଜାଲରେ ତୁମକୁ ଫସାଇ ଦେଉଛି। କହିପାରୁ ନ ଥିଲି; ସୁଜାତା, ତୁମେ ପ୍ରଶାନ୍ତର ଶିକାର ହେଇଯାଉଛି। ମୋତେ ଡରଲାଗୁଥିଲା କାଳେ ସୁଜାତା ଭାବିବ, ମୋ ମନ ଛୋଟ। ସୁଜାତା ଅନେକଥର କହିଛି ମୁଁ ଛୋଟ ବିଚାର ଓ ଦୁର୍ବଳ ହୃଦୟର ପୁଅଙ୍କୁ ଘୃଣା କରେ।

ମୁଁ ସୁଜାତାର ଘୃଣାର ପାତ୍ର ହେବାକୁ ଘୃଣା କରେ। କିନ୍ତୁ ଡରଲାଗୁଥିଲା, ସୁଜାତାକୁ ମୁଁ ହରେଇ ଦେବିନି। ପ୍ରଶାନ୍ତଠୁ ହାରିଯିବିନି ତ…!

ଆଜି ମୋ’ ଆଖିରେ ପ୍ରଶାନ୍ତ କିନ୍ତୁ ହାରିଗଲା ଭଳି ଦେଖାଯାଉଥିଲା। କବିତା ଲେଖି ଦିନେ କଲେଜରେ ଏତେ ଚର୍ଚ୍ଚା ସୃଷ୍ଟି କରିଥିବା ପ୍ରଶାନ୍ତ ଆଜି ଦନ୍ତମଞ୍ଜନର ପ୍ରଚାର କରୁଛି। ପ୍ରଶାନ୍ତକୁ ଦେଖିବା ପରେ ମୁଁ ଅନୁଭବ କରୁଥିଲି ଯେମିତି ଗୋଟେ ପିଶାଚ  ମୋ’ ଭିତରେ ଚକାପକାଇ ବସିଯାଇଥିଲା। ସଚେତନ ହେଇଗଲା ବେଳକୁ ମୋତେ ନିଜକୁ ଖରାପ ଲାଗିଲା। ୧୫ ବର୍ଷ ପରେ ବି ପ୍ରଶାନ୍ତ ପ୍ରତି ମୋର ଏମିତି ଗୋଟେ ଧାରଣା ରହିଯାଇଛି। ମୋତେ ନିଜକୁ ଖରାପ ଲାଗିଲା। ପ୍ରଶାନ୍ତ ମୁହଁକୁ ମୁଁ ଏଥର ସିଧାସଳଖ ଅନେଇଲି। ସେମିତି ବିନ୍ଦାସ ଭାବ, ସେମିତି ଖିଆଲି ମିଜାଜ୍।

-ଏମିତି କ’ଣ ଅନେଇଛୁ ? କିଛି ବି ବଦଳିନି ? ପ୍ରଶାନ୍ତ ମୋ ମନ କଥା ପଢି ଦେଲା କି କ’ଣ।

ମୁଁ ଟିକେ ହଡ଼ବଡେ଼ଇ ଗଲି।

ଥଣ୍ଡାଦିନେ ବିଅର୍ ଭଲ ଲାଗିବନି, ଟିକେ ହାର୍ଡ ମାରିବୁ ନା ସେମିତି ମାଇଚିଆଙ୍କ ଭଳିଆ ଖାଲି ବିଅର୍ ମାରୁଛୁ ?

ମୁଁ ହସିଲି, ବିଅର୍, ହାର୍ଡ କିଛି ଦରକାର ନାହିଁ। ଏତେ ଦିନ ପରେ ତତେ ଦେଖିଲି ମୋତେ ନିଶା ହେଇଗଲା ଭଳି ଲାଗୁଛି।

ପ୍ରଶାନ୍ତ ହୋ ହୋ ହେଇ ହସିଲା। ଆଜି ବି ସେମିତି ଷ୍ଟାଇଲ୍ ରେ କଥାବାର୍ତ୍ତା କରୁଛୁ ନା। ପୂରା ସିଚ୍ୟୁଏସନ୍ କୁ ଦେଖି ଡାଇଲଗ୍ ମାରୁଛୁ।

ପ୍ରଶାନ୍ତ ହଠାତ୍ ପ୍ରସ୍ତାବ ଦେଲା ଚାଲ୍, ମୋ’ ଘରଆଡେ଼ ବୁଲିଆସିବୁ।

ବାଲିଯାତ୍ରା ପଡ଼ିଆ ସେତେବେଳକୁ ଚାରିପଟୁ ଜାମ୍ ଧରି ଆସିଲାଣି। ପ୍ରଚାର ବନ୍ଦ୍ ହେଇଯିବାରୁ ମହାବୀର ଦନ୍ତମଞ୍ଜନ କାଉଣ୍ଟର୍ ପାଖରେ ଭିଡ଼ ପତଳା ପଡିଗଲାଣି। ଟଙ୍କାବାକ୍ସ ପାଖରେ ବସିଥିବା ସେହି ମୋଟା, ବୟସ୍କ ଲୋକଟା ବୋଧେ ପ୍ରୋପାଇଟର୍ ଭୋଳାନାଥ ସାହୁ। ସେ ମୋ’ ଆଡକୁ ବିରକ୍ତିରେ ଅନେଇଛି। ସତେଯେମିତି ଆଜି ମୁଁ ତା’ ବେପାର ମାନ୍ଦା କରିଦେଇଛି। ଶ୍ରୀଧର ମୁହଁରେ ଅନିଚ୍ଛାଭାବ।

ମୁଁ କିନ୍ତୁ ଭିତରେ କୁତୁକୁତୁ ଅନୁଭବ କରୁଥିଲି। କେମିତି ଚାଲିଥିବ ପ୍ରଶାନ୍ତର ସଂସାର। ବାର ଆଡେ ମୁହଁ ମାରୁଥିବା ପ୍ରଶାନ୍ତ, ଶେଷରେ କାହାର ହାତ ଧରିଲା। ବିଚାରୀ ସ୍ତ୍ରୀଲୋକଟି ପ୍ରଶାନ୍ତ ସହ ଆଡ‌ଜଷ୍ଟ୍ କରିପାରୁଛି ତ! ବଡ଼କଥା ହେଲା, ରାସ୍ତାକଡ଼ରେ ମାଇକ ଧରି ପ୍ରଚାର କରୁଥିବା ଲୋକଟା କେମିତି କଟକ ସହରରେ ନିଜ ପରିବାର ଚଳଉଛି! ମୋ’ ଭିତରେ ଥିବା ପିଶାଚଟା ପୁଣି ଥରେ ମୁରୁକି ମୁରୁକି ହସିବାକୁ ଲାଗିଲା। ମତେ ଯେମିତି ବାଧ୍ୟ କରୁଥିଲା, ଯାଉନୁ, ବୁଲିଆସିବୁ ପ୍ରଶାନ୍ତ ଘରଆଡେ଼।

ଶ୍ରୀଧରକୁ ଚମକାଇ ଦେଲାଭଳି ମୁଁ କହିଲି ପ୍ରଶାନ୍ତ ଚାଲ୍।

ଶ୍ରୀଧର ବାଧ୍ୟ ହୋଇ ମୁହଁ ଖୋଲିଲା। ତେବେ ସାର୍ ଆପଣ ଯାଆନ୍ତୁ, ମୁଁ ବାହାରି ଯାଉଛି। ଫୋନ୍ କଲେ ଆପଣଙ୍କୁ ନେଇଯିବି।

ପିଶାଚ ସେତେବେଳକୁ ଟିକେ ଘୁମେଇ ପଡିଥିଲା କି କ’ଣ? ମୋତେ ଭାରି ବିକଳ ଲାଗିଲା। ଏ ଭିଡ଼ ଭିତରୁ ପ୍ରଶାନ୍ତ ମୋତେ କୁଆଡେ ନେବ। ପୁଣି ତା’ ଘର ଅବସ୍ଥା କ’ଣ ହୋଇଥିବ! ମୋ’ ପାଇଁ ଅଯଥା ସମସ୍ୟାରେ ପଡ଼ିବ ତା’ ସ୍ତ୍ରୀ।

ପ୍ରଶାନ୍ତ ସବୁ ଜାଣିଲା ପରି କହିଲା- କିଛି ଚିନ୍ତା କରିବାର ନାହିଁ। ଏ ଭିଡ଼ କିଛି ନୁହଁ। ଅସଲ ଭିଡ଼ ରବିବାର ହେବ। କେତେ ବାଟ କି, ଏଇ ଝାଞ୍ଜିରିମଙ୍ଗଳା। ହେଇ ଯିବା, ଆଉ ଆସିବା।

ମହାବୀର ଏଣ୍ଟରପ୍ରାଇଜର୍ସ ପଛପଟୁ ପ୍ରଶାନ୍ତ ତା’ର ବଜାଜ୍ ପ୍ଲାଟିନା ଗାଡ଼ି ବାହାର କଲା। ପ୍ରୋପ୍ରାଇଟର୍ ଭୋଳାନାଥ ସାହୁଙ୍କୁ କହିଲା -ମଉସା ମୁଁ ଟିକେ ଆସେ।

ମୁଁ ଭାବୁଥିଲି ବୁଢା ବୋଧେ ବିଗିଡ଼ିବ। ବୁଢା କିନ୍ତୁ ପୁଷିବିଲେଇ ଭଳି ମୁଣ୍ଡ ହଲେଇଲା-ଆଜ୍ଞା ଆଜ୍ଞା। ବୁଡ଼ା ମୋତେ କିନ୍ତୁ ଟିକେ ଗାରେଡେ଼ଇ ଅନେଇଲା। ସତେଯେମିତି ସବୁ ନାଟର ଗୋବର୍ଦ୍ଧନ ମୁଁ।

ସୌଜନ୍ୟତା ଦୃଷ୍ଟିରୁ ମୋତେ ବି ଟିକେ ମାଡ଼ିମାଡ଼ି ପଡ଼ିଲା। ୟେ ସେ ମଉସା ଖରାପ ଭାବିବେନି ତ ? ଏମିତି ଅଧାରୁ ଉଠିଆସିଲୁ।

ଖରାପ କ’ଣ ଭାବିବ ? ବୁଢ଼ା ତ ମୋ ପାଇଁ କୃତ୍ୟକୃତ୍ୟ। ତୁ ଗାଡ଼ିରେ ବସ୍।

ପ୍ରଶାନ୍ତ ମୋତେ ଏକରକମ ଟାଣି ନେଇ ଗାଡ଼ିରେ ବସାଇଲା। ପୋଖତ ଡ୍ରାଇଭର ଭଳି ଭିଡ଼ କାଟି ବାହାରକୁ ନେଇଗଲା । ନଈ ବନ୍ଧେବନ୍ଧେ ପ୍ରଶାନ୍ତ ଗାଡ଼ିରେ ବସିଲା ବେଳେ ମୁଁ ଯେମିତି ମୋ କଲେଜ ଜୀବନକୁ ଫେରି ଯାଉଥିଲି। ପ୍ରଶାନ୍ତର ଦୟନୀୟ ସ୍ଥିତି ମୋତେ କେମିତି ଆହ୍ଲାଦିତ କରୁଥିଲା। ପିଶାଚ ଯେମିତି ମୋ’ ଭିତରେ ମୁଣ୍ଡ ଟେକି ଉଠିଥିଲା ।

ଚହଟା ପଟେ ହାଇକୋର୍ଟ ଦେଇ ପୂରା ନଈ ବନ୍ଧେବନ୍ଧେ ‘ଠ’ ହେଇ ଆସିବା ଭିତରେ ପ୍ରଶାନ୍ତ ମୋତେ ଚୁମ୍ୱକରେ ତା’ ବିଷୟରେ କହି ସାରିଥିଲା।

କଲେଜ୍ ପରୀକ୍ଷା ପରେ, ଫିଲ୍ମଗୀତ ଲେଖିବା ପାଇଁ ତା’ ମନରେ ପ୍ରବଳ ଆଗ୍ରହ ଦେଖାଦେଇଥିଲା । ସେଇ ନିଶାରେ ବମ୍ୱେ ବାହାରି ପଡିଲା।

ମୁଁ ଆଶ୍ଚର୍ଯ୍ୟ ହେଲି। ଆବେ ତୁ ହିନ୍ଦୀ ଫିଲ୍ମରେ ଗୀତ ଲେଖିବା କଥା କେମିତି ଚିନ୍ତା କଲୁ!

ପ୍ରଶାନ୍ତ ଦାନ୍ତ ନେଫେଡେ଼ଇ କହିଲା, ସେତେବେଳେ ବାଇଆପାଗଳା ଅବସ୍ଥା। ମୁଣ୍ଡରେ କ’ଣ ଗୋଟେ ପଶିଗଲା, ହିନ୍ଦୀରେ ଗୀତ ଲେଖିବି। ତା’ଛଡା ଗୀତର ଭାବ ଜାଣିଥିଲେ ଭାଷା ଗୋଟେ ବାଧା ହେବ ନାହିଁ ବୋଲି ମୋ’ ମନରେ ଗୋଟେ ବଦ୍ଧ ଧାରଣା ରହିଥିଲା।

ଲେଖି ପାରିଲୁ ?

ତୋତେ ଲାଗୁଛି ମୁଁ ହିନ୍ଦୀ ଫିଲ୍ମରେ ଗୀତ ଲେଖି ପାରିଥାନ୍ତି ! ଦିନାକେତେ ପାଗଳଙ୍କ ଭଳି ଏଠିସେଠି ବୁଲିଲି। ଗାଁ ସାଙ୍ଗଟା ଥିଲା, ତେଣୁ ରହିବା ଖାଇବାରେ କିଛି ପ୍ରୋବ୍ଲେମ୍ ନଥିଲା। ବମ୍ୱେ ରହଣି ଭିତରେ ବିସ୍କୁଟ୍ ଫ୍ୟାକ୍ଟ୍ରି, ଲୁଗା କଳ, ପ୍ରିଣ୍ଟିଂ ପ୍ରେସ୍, ଶେଷରେ ଡାଇମଣ୍ଡ କଟିଂ ଇଣ୍ଡଷ୍ଟ୍ରିରେ କାମ କଲି। ଏମିତି ଚାରି ବର୍ଷ ବିତିଗଲା । ଗୋଟେ ଗୀତ ବି ହେଲା ନାହିଁ। ଗଲୁ ମରିଗଲା ପରେ ଫେରିଆସିଲି।

ରମ୍ ଟିକେ ମାରିବୁ କି ? ଶୀତ ଲାଗିବଣି..। ସତୀଚଉରା ପାଖରେ ଗାଡ଼ି ଟିକେ ସ୍ଲୋ କରି ପ୍ରଶାନ୍ତ ପଚାରିଲା।

ମୁଁ ବିଗିଡ଼ିଗଲି-ଆରେ ନାଇଁ, ଘରକୁ ଚାଲ୍। ତା’ ଘର, ତା’ ସ୍ତ୍ରୀ, ତା’ ପରିବାର ଦେଖିବାକୁ ସେତେବେଳକୁ ପିଶାଚ ଅଥୟ ହେଲାଣି।

ପ୍ରଶାନ୍ତ ପୁଣି ଆରମ୍ଭ କଲା- ମୁମ୍ୱାଇରୁ ଫେରିଆସିବା ପରେ ଗୋଟେ ମାଗାଜିନ୍ ବାହାର କଲି। ଟେକ୍ସଟ୍ ବୁକ୍ ଛାପିଲି। ସେଇଟା ବି ଚାଲିଲାନି। ବେପାର ବୁଡ଼ିଗଲା। ପୁଣି ଗୀତ ଲେଖା ଭୂତ ପଶିଲା। ଯାହା ଲେଖିଲି ସେଇଟା କୁଆଡେ଼ ସିଚ୍ୟୁଏସନ୍ କୁ ମ୍ୟାଚ୍ କଲାନି। ଫିଲ୍ମବାଲା ନାକଟେକିଲେ। ତା’ପରେ ମେଡ଼ିସିନ୍ ବେପାର । ପୁଣି ନେଟ୍ ୱାକିଂର ବିଜିନେସ‌ ରେ ବି ହାତ ମାରିଲି। ଦିନାକେତେ ପାରାଦୀପରେ ୱସୱାଲ୍ କମ୍ପାନିରେ କାମ କଲି। ସେଇଟା ବି ବନ୍ଦ ହେଇଗଲା। ପରେ ଜାଣିଲି ମୁଁ କିଛି କାମ କରିବାକୁ ଜନ୍ମ ହେଇନି, କାମ ମୋ ପାଖକୁ ଆସିବ। ଏବେ ଯାହା କାମ ମୋ’ ପାଖକୁ ଆସୁଛି, କରୁଛି।

ଭୋଳାନାଥ ସାହୁଙ୍କ ପରି ଅନେକ ସଂସ୍ଥା ପାଇଁ ମୁଁ ପ୍ରଚାର କରେ। ତାଙ୍କ ପାଇଁ ଲିଫ‌ଲେଟ୍ ଲେଖେ। ବ୍ୟାନର ତିଆରି କରେ। ଦି’ ପଇସା ମିଳିଯାଏ। ଇଲେକ‌ସନ୍ ଆସିଲେ ଗୀତ ଲେଖିବା, ସ୍ଲୋଗାନ ଲେଖିବା, ଲିଫଲେଟ୍ ଲେଖିବା ପାଇଁ ମୋ ପାଖରେ ଭିଡ଼ ଜମେ। ସରସ୍ୱତୀ ଶିଶୁ ମନ୍ଦିର ଭଳି ସ୍କୁଲ୍ ର ଛୋଟପିଲାଙ୍କ ପାଇଁ ବହି ଲେଖେ । ପବ୍ଲିସର କିଛି ଅନୁବାଦ କାମ ଦିଅନ୍ତି । ଏମିତି ଚାଲିଛି।

ଆଉ କବିତା !

ସେଇଟା ତ ସବୁଦିନ। କବିତା ଲେଖୁଛି ବୋଲି ତ ଏତେ ସବୁ ବେପାର ଚାଲିଛି। ବାଟରେ ଘାଟରେ ଯାହାକୁ ଦେଖିଲି କବିତାଟେ ଗାଇଦେଲି। ସେଇ କବିତାକୁ ନେଇ କଟକରେ ମୋର ପରିଚୟ!

ମୋ’ ଭିତରେ ପିଶାଚଟା ଖୁଜ୍ ବୁଜ୍ ହେଉଥିଲା ନିଜ କଥା କହିବାକୁ। ଦେଖେଇବାକୁ ପ୍ରଶାନ୍ତକୁ, ମୁଁ ବ୍ୟାଙ୍କ ଚାକିରି କରିଛି। ଭୁବନେଶ୍ୱର, ପୁରୀରେ ଜାଗା ପକେଇଛି। ପ୍ରଶାନ୍ତ ବଡ଼ ଅଜବ ପିଲା। ମୋ’ ବିଷୟରେ ପଦୁଟିଏ ବି ପଚାରୁନି। ସତେ ଯେମିତି ମୋ ବିଷୟରେ ଜାଣିବା ପାଇଁ ତା’ର ଆଗ୍ରହ ନାହିଁ।

ଅଗତ୍ୟା ମୁଁ ପାଟି ଖୋଲିଲି। ଜାଣିଲୁ ପ୍ରଶାନ୍ତ, ମୁଁ ଏବେ..

ପ୍ରଶାନ୍ତ ଗାଡ଼ି ବ୍ରେକ୍ କସି ଦେଲା। ହେଇ ମୋ’ ଘର ହେଲା।

ମୋ ଅନୁମାନ ଅନେକାଂଶରେ ଭୁଲ ଥିଲା। ଦି ବଖରା ଭଲ ଛାତ ଘର ନେଇଛି ପ୍ରଶାନ୍ତ। ବାହାର ପଟକୁ ରୋଷେଇ ଘର। ଘର ଆଗରେ ଗାଡ଼ି ରଖିବାକୁ ଛୋଟିଆ ପୋର୍ଟିକୋ। ଘର ଭିତର, ବାହାର ବେଶ୍ ପରିଚ୍ଛନ୍ନ। ଅଳ୍ପ ଓଢ଼ଣା ଦେଇ କଅଁଳିଆ ସ୍ତ୍ରୀଲୋକଟିଏ ବାହାରି ଆସିଲା । ବୁଝିବାକୁ ବାକି ରହିଲା ନି – ୟେ ପ୍ରଶାନ୍ତର ସ୍ତ୍ରୀ।

ପ୍ରଶାନ୍ତ ଆଖିମିଟିକା ମାରିଲା- ମୋ ୱାଇଫ୍, ପ୍ରୀତି। କେମିତିକା ମାଲ୍ ହେଇଛି !

ମୋତେ ଲାଜ ମାଡିଲା। ପ୍ରଶାନ୍ତ କଥାରେ ବାଡ଼ବତା ନାହିଁ। ପ୍ରୀତି ବି ଟିକେ ହଡ଼ବଡେ଼ଇ ଗଲା। ଅବଶ୍ୟ ବେଶି ବିଚଳିତ ହେଲା ନାହିଁ। ବୋଧେ ପ୍ରଶାନ୍ତର ଏଭଳି ବ୍ୟବହାର ସହ ସେ ଅଭ୍ୟସ୍ତ ହୋଇଗଲାଣି। ଦୁଇ ବଖରା ଘରେ ବେଶ୍ ସଜାହୋଇ ଜିନିଷପତ୍ର ରହିଛି। ବେଡ୍ ରୁମ୍ ରେ ଥାକେ ବହି ପ୍ରଶାନ୍ତର ସଉକ ପୂରଣ କରୁଛନ୍ତି। ବୁଝିବାକୁ ବାକି ରହିଲା ନାହିଁ ଯେ ପ୍ରୀତି କେବଳ ଘର ସମ୍ଭାଳିନି, ପ୍ରଶାନ୍ତ ଭଳି ଗୋଟେ ପାଗଳକୁ ବି ସମ୍ଭାଳିଛି। ପ୍ରଶାନ୍ତ ଛତରାଙ୍କ ଭଳି ବାଲିଯାତ୍ରାରେ ପ୍ରଚାର କରୁଛି। ଆଜୁରୁବାଜୁରୁ ଧନ୍ଦା କରୁଛି ତଥାପି ତା ସ୍ତ୍ରୀ ମନରେ ଦୁଃଖ କି ଶୋଚନା ନାହିଁ। ଆଶ୍ଚର୍ଯ୍ୟ କଥା ! ପରିପୂର୍ଣ୍ଣ ସଂସାରଟେ ପ୍ରଶାନ୍ତର। ପୁଅଟେ ଚାରି ବର୍ଷର ହେବ ପ୍ରାୟ । ଶୋଇପଡ଼ିଥିଲା। ଝିଅଟି ବସି ପଢୁଥିଲା। ଠିକ୍ ତା’ ମା’ ଭଳି ହେଇଛି। ପ୍ରଶାନ୍ତ ବରାଦରେ ପ୍ରୀତି ଚା’ ବସେଇଲା। ମୁଁ ଗୋଟେ ଦୀର୍ଘଶ୍ୱାସ ଛାଡିଲି। ଯେତେ ଛତରଖିଆ, ବାନାଖାଉଡ଼ିଆ ଅଛନ୍ତି, ସମସ୍ତଙ୍କ ଭାଗ୍ୟରେ କ’ଣ ଭଲ ଝିଅ ପଡ଼ନ୍ତି। ଈଶ୍ୱରଙ୍କର ତ ଇଏ ବଡ଼ ବିଚିତ୍ର ବ୍ୟବସ୍ଥା। ମୁଁ ଭାବୁଥିଲି ପ୍ରଶାନ୍ତର ପାରିବାରିକ ଜୀବନ ଦୁର୍ବିସହ ହୋଇଥିବ। ତା’ର ଖାମଖିଆଲ ମନୋଭାବ, ବେହିସାବ ଚଳଣି ଆଉ ଅବାଧ ମଦପିଆ ଯୋଗୁଁ ସ୍ତ୍ରୀ ତା’ର ମୁଣ୍ଡ ପିଟୁଥିବ, ସମ୍ପାକଟା  କରୁଥିବ। ମାତ୍ର ସେମିତି କିଛି ଅନୁଭବ କଲିନାହିଁ ।

କଥାକଥାରେ ପ୍ରଶାନ୍ତ ସୂଚେଇ ଦେଲା- ପ୍ରୀତି ତା’ଠୁ ବାରବର୍ଷ ସାନ। ଲଭ୍ ମ୍ୟାରେଜ କରିଛନ୍ତି। ଶଶୁରଘର ଥିଲାବାଲା। ଛଅମାସେ ଶଶୁରଘରପଟୁ ଚଳିଯାଏ। ସେଇଠୁ ମୁଁ ଧରିନେଲି, ପ୍ରଶାନ୍ତର ଏଭଳି ଚଳଣିର ପ୍ରକୃତ କାରଣ। ମନେମନେ ହସିଲି-ମାନତେ ପଡ଼ିବ ତୋ ଭାଗ୍ୟକୁରେ ପ୍ରଶାନ୍ତ !

ମୁଁ ତରବର ହେଲି ବାହାରିବାକୁ।

ପ୍ରଶାନ୍ତ ଏକରକମ ବାଧ୍ୟ କରୁଥିଲା ଖାଇବା ପାଇଁ। ମୁଁ କିନ୍ତୁ ଆଉ ରହିବାକୁ ଚାହୁଁନଥିଲି। ପ୍ରଶାନ୍ତକୁ ନେଇ ଗୋଟିଏ କଥା ମୋତେ ଖାଇଗୋଡ଼ାଉଥିଲା ।  ତା’ର କ’ଣ କିଛି ଦୁଃଖ ନାହିଁ ? କଲେଜ ବେଳଠୁ ଆଜିଯାଏଁ ଏମିତି ବାନା ବାତରା ହେଇ ବୁଲୁଛି ଅଥଚ କିଛି ବି ସମସ୍ୟା ନାହିଁ ?

ମୋ’ ଭିତରର ପିଶାଚଟା ତଥାପି ଖୁଜୁବୁଜୁ ହେଉଥାଏ, ପ୍ରଶାନ୍ତକୁ ଥରେ ହାରିଗଲା ଭଳି ଦେଖିବା ପାଇଁ । ତା’ ଅନ୍ତର୍ମନରେ ଥିବା ବେଦନାକୁ ଆବିଷ୍କାର କରିବା ପାଇଁ ।

ପିଶାଚ ପଚାରିଲା, ତୋ’ର କେବେ ମନ ଦୁଃଖ ହୁଏନି ? ଜୀବନରେ ଏତେ ଭୁଲ୍  ଡିସିସନ୍ ନେଇଛୁ, କେବେ ଅବସୋସ ହୁଏନି ?

ବାଲିଯାତ୍ରା ପଡ଼ିଆ ପାଖ ହେଇ ଆସିଥିଲା। ପ୍ରଶାନ୍ତ ହଠାତ୍ ଜୋର‌ରେ ବ୍ରେକ୍ ମାଇଲା। କଁ କିନା ଶବ୍ଦ କରି ପ୍ଳାଟିନା ଯେମିତି ଘୋଷାରି ହେଇଗଲା କିଛି ବାଟ।

ପିଶାଚ ଟିକେ ହସିଲା। ତୀର ଏବେ ବାଜିଲା ସହି ନିଶାନେ ପେ…।

ପ୍ରଶାନ୍ତ ଗୋଟେ ବଡ଼ ଦୀର୍ଘଶ୍ୱାସ ମାରିଲା। ଗୋଟେ ଡିସିସନ୍ ପାଇଁ ଦୁଃଖ ହୁଏ, ଆଜି ବି ମନ ଘାଣ୍ଟି ଚକଟି ହେଇଯାଏ। ମାଲ୍ ଟିକେ ପିଇବା ପାଇଁ ତଣ୍ଟି ଅଠା ଅଠା ହେଇଯାଏ, ଶୁଭ!

ମୁଁ ହଠାତ୍ ସଚେତନ ହେଇଉଠିଲି। ମନ ମୋର ବି ଟିକେ ଦୁଃଖ ହେଲା ଏମିତି ଖୋଳିଖାଳି ପଚାରିବା ପାଇଁ। ମୁଁ ପିଶାଚକୁ ହୁରୁଡେ଼ଇବାକୁ ଚେଷ୍ଟା କରୁଥାଏ-ହୁସ୍।

ସେ କିନ୍ତୁ ନଛୋଡ଼ବନ୍ଧା। ଏତେ ବଡ଼ ସୁଯୋଗଟାକୁ ହାତଛଡା କରିବାକୁ ଚାହୁଁ ନଥିଲା ପିଶାଚ। ପଚାରିଲା -କୋଉ ଡିସିସନ୍।

ସୁଜାତା…….!!! ଗୋଟେ ଦୀର୍ଘଶ୍ୱାସ ମାରି କହିଲା ପ୍ରଶାନ୍ତ।

ପିଶାଚ ହୁସ୍ କିନା ମୋ’ ଛାତି ଫଟେଇ ବାହାରି ପଳେଇଗଲା।

ମୁଁ ଏକୁଟିଆ ହେଇଗଲି। ମୋ ଛାତି ଥରୁଥାଏ ଧଡ‌ଧଡ୍ ହେଇ। ପାଦ ତଳ ମାଟି ଯେମିତି ବାଲି ଭଳି ଧସିପଡ଼ୁଥିଲା। ବାଲିଯାତ୍ରା ପଡ଼ିଆର ସବୁତକ ଘୋଘୋ ମୋ’ ଏପଟ କାନ ଦେଇ ସେପଟେ ବାହାରି ପଡୁଥାଏ।

ମୁଁ ବିକଳରେ ପ୍ରଶାନ୍ତ ପାଟିରେ ହାତ ଦେବାକୁ ଚେଷ୍ଟା କରୁଥାଏ-ଚୁପ୍ ! ଚୁପ୍ ! ଚୁପ୍ !

ମୋ ହାତ ବୋଲ ମାନିବା ଅବସ୍ଥାରେ ନଥିଲେ।

ପ୍ରଶାନ୍ତ କହି ଚାଲିଥାଏ। ଆଜି ବି ଛାତିର ଅଜଣା ଜାଗାରେ ସୁଜାତା ଅଛି। ସୁଜାତାର ଭଲ ପାଇବାକୁ ଖାମଖିଆଲ ଢଙ୍ଗରେ ଏଡେ଼ଇ ଯିବା ମୋର ସବୁଠୁ ବଡ଼ ଭୁଲ୍ ଥିଲା। ପରେ ଯେବେ ନିଜ ଭୁଲ ବୁଝିପାରିଲି, ଯେବେ ଅନୁଭବ କଲି ସତରେ ସୁଜାତା ମୋ ମନ ଭିତରେ ଅଛି, ସେତେବେଳକୁ ଡେରି ହେଇ ସାରିଥିଲା..।

ମୋର ପୂରା ଭାଙ୍ଗିଯିବା ଅବସ୍ଥା। ଖଣ୍ଡ ଖଣ୍ଡ ହେଇ ଫିଟିପଡିବା ଅବସ୍ଥା। ମୁଁ ଯେମିତି ଅନୁନୟ ହେଇଥାଏ। ରେ ଚଣ୍ଡାଳ ! ସୁଜାତା ବିଷୟରେ ଆଉ କିଛି କହନା। ସେ ମୋ ସ୍ତ୍ରୀ…।

ପାଟି କିନ୍ତୁ ବୋଲ ମାନୁ ନଥାଏ।

ଝରଣା ମୁହଁର ପଥର କାଢି ଦେଇ ପିଶାଚ ଗାଏବ ହେଇସାରିଥିଲା। ଗୁରୁଗର୍ଜନ କରି ମାଡ଼ି ଆସୁଥାଏ ପାଣି।

ପ୍ରଶାନ୍ତ କଳକଳ ନାଦ କରି ବହିସାରିଥିଲା। ମୋତେ ବୁଡେଇ ସାରିଥିଲା। ପ୍ରଶାନ୍ତ ଆଉ ଅଟକିବା ଅବସ୍ଥାରେ ନଥିଲା।

ଜାଣିଲୁ ଶୁଭ ! ଭଲ ପାଇବାର ସ୍ୱୀକାରୋକ୍ତି ଭାବେ ସୁଜାତା ମୋତେ ଦେଇଥିଲା ତା ପେନ୍। ସେହି ଖଇରିଆ ରଙ୍ଗର ପେନ୍। ଯାହାକୁ ପାଟିରେ ପୂରାଇ ସୁଜାତା ସବୁବେଳେ କାମୁଡୁ ଥାଏ। ଯାହାକୁ ଗାଲରେ ଘଷୁଥାଏ। ସେହି ପେନ୍…।

ସୁଜାତା ତତେ ସେ ପେନ୍ ଦେଇଥିଲା!!!

ଆଃ..ଗୋଟେ କିଏ ନିଃଶବ୍ଦ ଆର୍ତ୍ତନାଦ କଲା ମୋ ଭିତରେ। ଝଣାସ୍ କରି ଗୁଡ଼ାଏ କ’ଣ ଭାଙ୍ଗିଗଲା ବିନା ଆୱାଜ୍ ରେ। ମୁଁ ସ୍ଥିର। ପ୍ରତିକ୍ରିୟାହୀନ। ଚଣ୍ଡାଳ ପ୍ରଶାନ୍ତ କିଛି ବି ଲକ୍ଷ୍ୟ କରିପାରୁନଥାଏ। ନିଶାଗ୍ରସ୍ତ ଭଳି ସେ ଗପି ଚାଲିଥାଏ ତା ପ୍ରେମର କଥା। ସୁଜାତାର କଥା।

ତୁ ତ ଜାଣିଛୁ ଶୁଭ! ପାଗଳୀଙ୍କ ଭଳି ଦିନେ କ୍ଲାସରେ କେମିତି ସୁଜାତା ଘୋଷଣା କରିଥିଲା- ଯାହାକୁ ସେ ଭଲ ପାଇବ ତାକୁ ସେ ଅତି ଆପଣାର ପେନକୁ ଦେଇଦେବ। ସେହି ପେନ୍ ରେ ତା’ପ୍ରେମିକ ଲେଖିବ ଗପ/କବିତା। ପିଜି ଶେଷ ପରୀକ୍ଷା ଦିନ ସୁଜାତା ଆସିଥିଲା ମୋ ପାଖକୁ। ମୋ ହାତକୁ ତା ନରମ ପାପୁଲିରେ ଜାବୁଡି ଧରିଲା କିଛି ସମୟ। ମୋ ହାତରେ ଧରାଇ ଦେଇଥିଲା ତା ପ୍ରିୟ ପେନ୍ କୁ। ମୁଁ ଯେମିତି ହତବାକ୍ ହୋଇଯାଇଥିଲି। ତୁ ତ ଜାଣିଛୁ ସୁଜାତା ଏକଦମମ୍ ଓପନ୍ ମାଇଣ୍ଡ୍ ପିଲା। ଖୋଲାଖୋଲି କହିଥିଲା ତମର ସେ ବିନ୍ଦାସ ପଣିଆ, ଖିଆଲି ଜୀବନ ମୋତେ ଭଲ ଲାଗେ। ତେଣୁ ସିଧାସଳଖ ମୁଁ ନିଜ ଆଡୁ ପ୍ରପୋଜ୍ କରୁଛି। ମୋତେ ଜବାବ ଦରକାର କିନ୍ତୁ କବିତାରେ। କବିତା ଭଲ ନ ଲାଗିଲେ ପ୍ରପୋଜାଲ୍ ୱାପସ୍ କରିନେବି ଜାଣିଥାଅ। କୃତ୍ରିମ ରାଗ ଦେଖାଇ ସୁଜାତା ମୋ ପାଖରୁ ଫେରି ଆସିଥିଲା।

ସେତେବେଳେ କି ଭୂତ ମୋ ମୁଣ୍ଡରେ ପଶିଲା କେଜାଣି। ସୁଜାତାଠୁ ଦୂରେଇ ଯିବାକୁ ମନ କହିଲା। ଯଜମାନିଆ ବ୍ରାହ୍ମଣର ପୁଅ ମୁଁ। ଘରେ ଖୁଦ ପୋଷେ ପାଇଁ ସଂଘର୍ଷ କରିବାକୁ ପଡେ଼। ବାଡ଼ିରେ ଗୋବେ ଜମି ନାହିଁ। ମୁଣ୍ଡ ଗୁଂଜିବାକୁ ଭଲ ଘରଟେ ନାହିଁ। କେମିତି ସୁଜାତା ଭଳି ଝିଅର ଭଲ ପାଇବାକୁ ନିଜ ଛାତିରେ ରଖିବି। ପ୍ରଥମ ଥର ପାଇଁ ଜୀବନରେ ମୁଁ ଟିକେ ସିରିୟସ୍ ହୋଇଗଲି। ସେଇଟା ମୋର ଭୁଲ୍ ଥିଲା। ସିରିୟସ୍ ହେବା ମୋ’ ସ୍ୱଭାବ ନଥିଲା। ଈଶ୍ୱର ସେମିତି ଚାହିଁ ନଥିଲେ ବୋଧେ। ଯେଉଁଥିପାଇଁ ମୋତେ ଏତେ ବଡ଼ ଦଣ୍ଡ ଦେଲେ। ପାଗଳ ଭଳି ମୁଁ ବମ୍ୱେ ପଳେଇ ଗଲି କେବଳ ସୁଜାତାଠୁ ନିଜକୁ ଦୂରେଇ ରଖିବା ପାଇଁ। ଯେତେବେଳେ ମୋ ହୋସ୍ ଫେରିଲା ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା। ସେତେବେଳେ ତ ଏମିତିରେ ମୋବାଇଲ୍ ନଥିଲା, ତେଣୁ ଯୋଗଯୋଗର ପ୍ରଶ୍ନ ନାହିଁ। ପରେ ଶୁଣିଲି କୁଆଡେ଼ ସୁଜାତା ବାହା ହେଇ ଯାଇଛି। ଇଚ୍ଛା କରି ତା ବିଷୟରେ ମୁଁ ଆଉ ବୁଝିବାକୁ ଚାହିଁଲିନି। ସୁଜାତା ଯେଉଁଠି ଥିବ ନିଶ୍ଚୟ ଭଲରେ ଥିବ। ତାକୁ ଯେ ବାହା ହୋଇଥିବ  ସେ ତ ଧନ୍ୟ ହୋଇଯାଇଥିବ।

ଏତେ ପରିପୂର୍ଣ୍ଣ ସଂସାର। ପ୍ରୀତି ଭଳି ସ୍ତ୍ରୀ ଥାଇ ବି ବେଳେବେଳେ ସୁଜାତା ମୋ ମନ ଭିତରକୁ ପଶି ଆସେ। ମୋତେ ଭାରି କାନ୍ଦ ମାଡେ଼। ମୁଁ ମଦ ପିଇବାକୁ ଦୌଡେ଼। ତୁ ସେ ପୁରୁଣା ଘା’କୁ ଆଜି ଉଖୁରାଇ ଦେଲୁ ସାଙ୍ଗ। ଚାଲ୍ ଟିକେ ମାଲ୍ ପିଇବା…।

ମୁଁ ତା ହାତ ଛାଟି ଦେଇ ଭିଡ଼ ଭିତରକୁ ଦୌଡ଼ିବାକୁ ଲାଗିଲି। ମୋର ଏଭଳି ପ୍ରତିକ୍ରିୟା ଦେଖି ପ୍ରଶାନ୍ତ କ’ଣ ଭାବିଥିବ ମୁଁ ଜାଣିନି। ମୁଁ ଆତ୍ମଗୋପନ ପାଇଁ ଜାଗା ଖୋଜୁଥିଲି। ଏତେ ବଡ଼ ବାଲିଯାତ୍ରା ପଡିଆ, ସୁଅମୁହଁରେ ଲୋକ। ମୋତେ ଲୁଚିବା ପାଇଁ ଜାଗା ବା କେମିତି ମିଳନ୍ତା। ଉଜ୍ଜ୍ୱଳ ଆଲୁଅ ଭିତରେ ମୁଁ ଯେମିତି ଦଳି ଚକଟି ହେଇଯାଉଥିଲି। ସବୁ ମୁହଁ ମୋତେ ସୁଜାତାର ମୁହଁ ଭଳି ଲାଗୁଥିଲା।

ଫ୍ଲାସ୍ ବ୍ୟାକରେ ମୁଁ ଦେଖୁଥିଲି-କଲେଜ୍ ଜୀବନର ସେହି ଦିନକୁ।

ମୁଁ ସୁଜାତାର ଘୃଣାର ପାତ୍ର ହେବାକୁ ଘୃଣା କରେ। କିନ୍ତୁ ଡର ଲାଗୁଥିଲା-ସୁଜାତାକୁ ମୁଁ ହରେଇ ଦେବିନି ତ ! ପ୍ରଶାନ୍ତଠୁ ହାରି ଯିବିନି ତ…।

ମୁଁ ଆଉ ରିକ୍ସ ନେବାକୁ ଚାହୁଁନଥିଲି। ପରୀକ୍ଷା ସରିବାର ଦୁଇ ଦିନ ପରେ ମୁଁ ହଷ୍ଟେଲ୍ କୁ ଯାଇ ସିଧାସଳଖ ସୁଜାତାକୁ ଭେଟିଲି। ସୁଜାତା ଅଳ୍ପ ଦିନ ପାଇଁ ହଷ୍ଟେଲରେ ରହିବ ବୋଲି ମୁଁ ଜାଣିସାରିଥିଲି। ମୁଁ ମନ ସ୍ଥିର କରିନେଇଥିଲି। ମୋ ଭିତରେ କିଏ ଯେମିତି ସବାର ହୋଇଥିଲା। ସିଧା ମୁହଁ ଟେକି ସୁଜତାକୁ କହିଲି-ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ। ମରିବା ବରଂ ସହଜ ହେବ। ତୁମ ବିନା ମୋ କଲମ ଚାଲିବନି। ମୋ ମନରେ କେବଳ ତମେ ହିଁ ଅଛ। ତମେ ସ୍ଥିର କରିବ ମୋ କଲମରୁ ଲେଖା ବାହାରିବ କି ନା !  ତମେ ନିର୍ଦ୍ଧାରଣ କରିବ ମୋ ଭବିଷ୍ୟତ…।

ହଷ୍ଟେଲ୍ ଛାଡ଼ିବା ପୂର୍ବରୁ ସୁଜାତା ମୋ ଭବିଷ୍ୟତ ସ୍ଥିର କରିଦେଲେ ମୋ ହାତରେ ତାଙ୍କର ପ୍ରିୟ ଖଇରିଆ କଲମଟକୋକୁ ଦେଇ। ସେଦିନ ସେ କଲମକୁ ଧରି ମୁଁ ପ୍ରଶାନ୍ତକୁ ଢେର ଖୋଜିଲି। ତା ମେସ୍ କୁ ବି ଗଲି। ସେତେବେଳକୁ ପ୍ରଶାନ୍ତ ମେସ୍ ଛାଡ଼ି ଦେଇ ଗାଁକୁ ପଳାଇଥିବା ଶୁଣିଲି। ରେଭେନ୍ସା ପଡ଼ିଆରେ ଠିଆ ହେଇ ମୁଁ ଶୂନ୍ୟକୁ ମୁଥ ମାରିଲି ଉନ୍ମାଦ ଭାବେ। ବିଜୟର ଖୁସିରେ, ପ୍ରଶାନ୍ତକୁ ହରାଇ ଦେଇଥିବା ଆନନ୍ଦରେ…। ସେ ଆନନ୍ଦ ଆଜିଯାଏଁ ଥିଲା। ତାରି ଭିତରେ ଥିଲା ସୁଜାତାକୁ ଆପଣାର କରିବା। ସୁଜାତା ସହ ଗୋଟେ ପରିପୂର୍ଣ୍ଣ ସଂସାର ଜିଇଁବା। ଲେଖକ ଭାବେ ନାଁ କମେଇବା। ଦୁଇଟା ମେଧାବୀ ପିଲାଙ୍କ ବାପା ହେବା…ସବୁ କିଛି। ଆଜିଯାଏଁ ସବୁ କିଛି ଠିକ୍ ଥିଲା।

ଉପର ପଡ଼ିଆ ମଝାମଝି ମୁଁ ଠିଆ ହୋଇଥାଏ। ଯେଉଁଠୁ କେଇଘଣ୍ଟା ଆଗରୁ ମୁଁ ଆବିଷ୍କାର କରିଥିଲି ପ୍ରଶାନ୍ତକୁ। ତା’ସହ ଆରମ୍ଭ ହୋଇଥିଲା ଏକ ଅନାବିଷ୍କୃତ ଅତୀତର ପିଛା। ଏତେ ଭୟାନକ ହେଲା ତା’ ପରିଣାମ!

ମୁଁ ବିକଳ ହେଇ ଉପରକୁ ଚାହିଁଥିଲି। କେବେ ଦେଖିନଥିବା ଦୃଶ୍ୟ ସବୁ ମୋ ଆଖିରେ ନାଚୁଥିଲା। ସେ ସବୁ ଦୃଶ୍ୟରେ ମୁଁ ଆପଣାଛାଏଁ ଅଲଗା ହେଇଯାଉଥିଲି ସୁଜାତାଠାରୁ। ଏତେ ସୁନ୍ଦର ସଂସାର ଭିତରେ ମୁଁ ସୁଜାତା ସହ ନାହିଁ ଯେମିତି…। ମୁଁ ନିଜକୁ ନିଜେ ପ୍ରଶ୍ନ କରୁଥିଲି..କେମିତି ଏତେ ଦିନ ମୋ ସହ କାଟୁଛି ସୁଜାତା? କେମିତି ପ୍ରତି ଲେଖାରେ ମୋତେ ସେ ଉତ୍ସାହିତ କରିପାରୁଛି? କେମିତି ସେ ଆଉ ଗୋଟେ କଲମ ଆଣି ଧରାଇ ପାରିଲା ମୋ ହାତରେ? ସୁଜାତା ମୋ ସହ ଏତେ ଛଳନା କରିପାରିଲା କେମିତି ?

ମୋ ଭିତରୁ ଆଉ କିଏ ଯେମିତି କହୁଥାଏ-ଛଳନା କରିବା ପାଇଁ ତୁ ତ ବାଧ୍ୟ କରୁଥିଲୁ ସୁଜାତାକୁ, ଜୀବନ ମରଣର ଦ୍ୱାହି ଦେଇ। ତୁ ଭୁଲିଯାଇଥିଲୁ ସବୁ ପ୍ରତିଯୋଗିତାରେ ତୁ ବିଜୟୀ ହେଉ, ତାଳି କିନ୍ତୁ ପ୍ରଶାନ୍ତ ପାଇଁ ବାଜେ।

ମୁଁ ମୋବାଇଲରୁ ଅଣ୍ଡାଳୁଥିଲି ଶ୍ରୀଧରର ନମ୍ୱର। ଜାଲଜାଲୁଆ ଆଖିରେ ମୋତେ ମୋବାଇଲ୍ ସ୍କ୍ରିନରେ କିଛି ଦିଶୁ ନଥିଲା।

ଝିଟିପିଟି..ଝିଟିପିଟି..ଝିଟିପିଟିରେ..ଏଏଏଏ

ମୋ କାନରେ ଖୁବ୍ ଜୋରରେ ବାଜିଲା ପୁଣି ଥରେ ଝିଟିପିଟି ଗୀତ। ପ୍ରଶାନ୍ତ ତା’ ପ୍ରଚାର ଆରମ୍ଭ କରିସାରିଥିଲା

ଆଜ୍ଞା ମନ୍ଦାରଫୁଲ ଆଣନ୍ତୁ, ମଲ୍ଲୀଫୁଲ ନେଇ ଯାଆନ୍ତୁ…।

 

ରବିନାରାୟଣ ଦାଶ, ଇଦ୍ରାକ୍ଷପୁର, ଗୋପାଳପୁର, ନାଲିବର, ଜଗତସିଂହପୁର

ମୋ-୯୪୩୭୦୯୧୬୩୭

Previous ArticleNext Article

Send this to a friend