ଏବଂ ଅବଶିଷ୍ଟ

Short-Story

ସେଦିନ ସକାଳ ଥିଲା ସମସ୍ତଙ୍କୁ ଆଚମ୍ବିତ କଲାପରି। ସମସ୍ତେ ହାୟ ହାୟ କରୁଥିଲେ କମଳା ଘର ଧଡ଼ା ଆଗରେ। ତାଙ୍କ ଘର ଆଗରେ ଆଉ ସୋରିଷ ପକାଇବାକୁ ଜାଗା ନଥିଲା, ପାରାଧାଡ଼ି ପରି ଲୋକଙ୍କ ସୁଅ ଲମ୍ବୁଥିଲା। କ୍ରମଶଃ! କମଳା ବୋଉ ଭେଁ ଭେଁ କରି କାନ୍ଦି ପକାଉଥାଏ, ମଇଳା ଲୁଗାକାନି ଜାକି ଦେଇ ଆଖି ଉପରେ। ପୁଣି ପର‍କ୍ଷଣକୁ କମ୍ପୁଥାଏ ଅଦୃଷ୍ଟ ଈଶ୍ଵରଙ୍କ ଉଦ୍ଦେଶ୍ୟରେ। ଆଉ ମାନସିକ ପୁଳା ପୁଳା କରି ପକାଉଥାଏ ବିଭିନ୍ନ ଦେବୀ ଦେବତାଙ୍କ ପାଖରେ।

ତା’ର ଅଦେଖା ଈଶ୍ଵରମାନେ କିନ୍ତୁ ନିରବ ଓ ପଥର ହୋଇ ଯାଇଥିଲେ ସେଦିନର ସକାଳ ପାଇଁ । କିଛି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ । କମଳା ବାପା ଦୌଡ଼ି ଯାଇଥିଲେ ବାଇଆ ଗୁଣିଆକୁ ଡାକିବାକୁ । କମଳାର ସାନ ଭଉଣୀ ରୁନୁ ଓ ବିମଳା ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ଧରି କାନ୍ଦି ଉଠୁଥିଲେ ରାହା ଧରି । ଆଚମ୍ବିତ ହୋଇ ଦୁହିଁଙ୍କର କୋହ କ୍ରମଶଃ ବଢ଼ି ବଢ଼ି ଗୋଟେ କୁନ୍ଥେଇ ହେବା ପ୍ରକ୍ରିୟା ପାଖରେ ପହଞ୍ଚି ଯାଇଥିଲା। କମଳା ସକାଳୁ ସକାଳୁ ଆଜି ତା’ ବାପାକୁ ନିର୍ଘାତ ମାଡ଼ ମାରିଥିଲା। ତା’ ବାପାକୁ ଅସଭ୍ୟ ଗାଳିରେ ପୋତି ପାକାଥିଲା । ତାଙ୍କ ଚାରିପାଖରେ ସାତଘେରା ପବନ ପରି ଘୂରି ଦୁମ୍ ଦୁମ୍ ଭୁସ୍ ଭୁସ୍ କରି ଅତର୍କିତ ଆକ୍ରମଣ କରିଥିଲା ବିନା କାରଣରେ। ତା’ ବାପା ହତଚକିତ ହୋଇ ନିଜକୁ ର‍କ୍ଷା କରିବାକୁ ଯାଇ କମଳାକୁ ଠାଏ ଠାଏ କରି ଦି’ ଚଟକଣି ମଧ୍ୟ ପାକାଇଥିଲେ।

କମଳା କାନ୍ଦିଲା ନାହିଁ, ବରଂ ଠୋ ଠୋ ହସି ଗଡ଼ିଗଲା, ଆଉ ତାଙ୍କ ବାଡ଼ିର କଦଳୀ ଗଛମୂଳେ ବସିପଡ଼ି ଜୋର୍ ଜୋର୍‌ରେ ଜିଭ କାଢ଼ି ନାଳ ଗଡ଼ାଇଥିଲା। ଚିତ୍କାର କରି ମାଗିଥିଲା- ‘ମତେ ରକ୍ତ ଦିଅ!’

ତା’ ବୋଉ ହତଭମ୍ବ ଓ କ୍ରୋଧରେ ଖଣ୍ଡିଆ ଖଡ଼ିକା ଝାଡ଼ୁ ଧରି ଦୁଇଚାରି ପାହାର ପକାଇଥିଲା କମଳାର ପତଳା ହାଡ଼ୁଆ ପିଠିରେ। କମଳା ଗଲା ରାତିଠୁ କିଛି ଖାଇ ନଥିଲା, ଦୟା ଲାଗିଥିଲା ତାକୁ।

କମଳା କିନ୍ତୁ ପ୍ରତିଉତ୍ତରରେ ତା’ ମା’କୁ ମାରିନଥିଲା ଜମା। ବରଂ ସକେଇ ହୋଇ ମୁହଁକୁ ନିଜ ଆଣ୍ଠୁ ଭିତରେ ଗୁଞ୍ଜି କହିଥିଲା- ମୋତେ ହଳଦି ପାଣିରେ ଗାଧୋଇ ଦେ। ଏ ବାକ୍ୟରେ ଯେମିତି ଦୁନିଆ ଯାକର ବିକଳ ମାଗଣ ହିଁ ଥିଲା। ତା ବୋଉ ଓ ଆର୍ଦ୍ର କୋହରେ ଦୋହଲି ଗଲା। ସେ ବିକଳ ହୋଇ ଡାକ ପକାଇଥିଲା- ପାଖ ସାହି ପଡ଼ୋଶୀମାନଙ୍କୁ।

“ଧାଇଁ ଆସଗୋ… ଧାଇଁ ଆସ… ଦେଖି ତ କମଳାର କ’ଣ ହୋଇଛି… ମୋ ଧନଲୋ…” କହି ଛାତି ଫଟାଇ କାନ୍ଦି ଉଠିଲା।

କେଇ କ୍ଷଣ ଭିତରେ କମଳା ଘରେ ଲୋକ ଭର୍ତ୍ତି ହୋଇଗଲେ। ଦାଣ୍ଡରୁ ବାଡ଼ି ଯାଏ, କମଳା ଚାରିପାଖ ଯାଏ! ଏତେ ଗହଳି ଦେଖି କମଳା ଶିଙ୍କୁଡ଼ି ଗଲା, ଭୁଇଁରେ ଲୋଟିପଡ଼ି  ମିଶିଗଲା ମାଟି ସାଙ୍ଗରେ। କାହାକୁ ମୁହଁ ଉଠାଇ ଜମା ଆନାଇଲା ନାହିଁ।

ଖବର ପାଇ ବଟଦାଦି ହାଜର। କମଳା ତାଙ୍କୁ ଭାରି ମାନେ। ଖୁବ୍  ସମ୍ମାନ କରେ। କମଳା ପାଇଁ ସେ ଅନେକ କରିଛନ୍ତି। ତାଙ୍କରି କୋଳରେ ଜାଣ ବଡ଼ ହୋଇଛି କମଳା। ଭଲ ଜିନିଷଟେ ହେଲେ ତାଙ୍କ ଘରୁ କମଳା ପାଇଁ ଲୁଚାଇ ଆଣନ୍ତି ବଡ଼କୁଟୁମ୍ଭୀ ଘରୁ, ଯେଉଁଠି ତାଙ୍କର ଆଠଟା ନାତିନାତୁଣୀ। କମଳା ପାଇଁ ପେନ୍‌ସନ ପାଇଲା ଦିନ ଆଣନ୍ତି ଛେନାପୋଡ଼। ରଜରେ କିଣନ୍ତି ଫ୍ରକ, ଚୁଡ଼ି। ତାଙ୍କ ବୋହୂମାନେ ଛିଗୁଲାନ୍ତୁ.. “ହଁ କୁନି କନିଆ ତ!  ସେଇ ଆଗ ଭାଗ ନେବନା।”

-“କମଳା… ଲୋ କମଳୀ… କ’ଣ  ହୋଇଚି ତୋର? ”

ବଟଦାଦି ତା’ ମୁଣ୍ଡକୁ ଆଉଁଶି ଦେଲେ। ଆଶା କମଳା କାଳେ କ’ଣ କହିବ!! ମାତ୍ର କମଳାର ପ୍ରତିକ୍ରିୟା ସମସ୍ତଙ୍କୁ ଆଚମ୍ବିତ କରିଦେଲା । ସେ ବଟଦାଦିଙ୍କ ହାତଟାକୁ ଟାଣି ଆଣି ଜୋର୍‌ରେ ଛାଟିଦେଲା। ବୁଢ଼ା ସମ୍ଭାଳି ନ ପାରି କଚାଡ଼ି ହୋଇ ପଡ଼ିଗଲେ ଆବୁଡ଼ା ଖାବୁଡ଼ା ଇଟା ନଳା ପାଖରେ।

“ବୋଉଲେ… ବାପାଲୋ… ସତ୍ୟାନାଶୀ ସବାଖାଇ ମାରି ପକାଇଲା ଲୋ…” କହି କାନ୍ଦି ଉଠିଲେ ବଟଦାଦି ହାତକୁ ଜାକି ଧରି। ତାଙ୍କ ହାତ ମକଚି ଉଠାଇ ତାଙ୍କ ଘରକୁ ନେଇଥିଲେ। ତାଙ୍କ ପୁଅମାନେ କମଳା ଘରକୁ ଆସି ତା’ ବୋଉକୁ ଗାଳି ଦେଇଥିଲେ, କମଳାକୁ ମାରିବା ପାଇଁ ଆଗେଇ ଯାଇଥିଲେ। ମାତ୍ର ସକାଳର ଘଟଣା ସବୁ ତାଙ୍କୁ ହାତ ଅଟାକାଇ ଦେଇଥିଲା ଗୋଟେ ଆଶଙ୍କିତ ଭୟରେ। କମଳା ବୋଉ ବିକଳ ହୋଇ ତାଙ୍କ ଗୋଡ଼ତଳେ ପଡ଼ି ଯାଇଥିଲା। ବିକଳ ହୋଇ କହି ଉଠିଥିଲା, ”ସେ କ’ଣ ଅଛି ହୋସ୍‌ରେ? ସକାଳଠୁ ପ୍ରେତ ଗ୍ରାସିଛି କି କ’ଣ ତା’ ବାପା ମାରିଛି। ଯାହାକୁ ପାରୁଛି ମାରୁଛି… ମୋର କପାଳ ତ ପୋଡ଼ା…!!” ଆଉଥରେ ମୁହଁରେ ଲୁଗାକାନି ଜାକି କମଳା ପାଖକୁ ଜାକି ହୋଇଗଲା ତା’ ବୋଉ।”

କମଳା ଦିନେ କାହାକୁ ମୁହଁ ଉଠାଇ ଟାଣ କଥା କହିନଥିଲା। ଏକଥା ସାରା ଗାଆଁ ଜାଣେ କମଳା ଶାନ୍ତଶିଷ୍ଟ ସୁଧାର ଝିଅଟେ। ରାସ୍ତାରେ ଗଲାବେଳେ କେବେ କେବେ ସିଧା ମୁହଁ କରି ବାଟ ଚାଲିନଥିଲା- ସବୁବେଳେ ମୁଣ୍ଡ ତଳକୁ; ସତେକି କିଏ ଭାଙ୍ଗି ଦେଇଥିଲା ତା’ର ବେକଟିକୁ।

ସ୍କୁଲ ଗଲାବେଳେ ଟ୍ୟୁସନ୍ ଗଲାବେଳେ, ଦୋକାନ ଗଲାବେଳେ ଅଥବା ପୂଜା ଯାତ୍ରାରେ କେବେ ମଧ୍ୟ ଗଲାବେଳେ ବେକଟି ତଳକୁ ପୋତି ହୋଇଥାଏ । ଲୋକ କୁହନ୍ତି ତା’ର ଉଦାହରଣ ଦେଇ ‘କମଳା ପରି ହୁଅ’। କମଳା ତା’ର ଗାଁ ପିଲାଙ୍କ ପାଇଁ ଉଦାହରଣ ହୋଇଥିଲା। ପାଠଠାରୁ ଶାଠ ଯାଏ ସବୁକଥାରେ କମଳାର ସମତୁଲ କେହି ନଥିଲେ।

ଦି’ ବର୍ଷ ତଳେ ତାଙ୍କ ଘରର ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛ ନଥିଲା। ମାଟ୍ରିକ ପାସ୍ କଲାବେଳେକୁ ବାପା ତା’ର ମନାକଲା ଆଉ ପାଠ ପଢ଼ାଇବାକୁ। ଯେତେ ପାଠ ପଢ଼ିବ, ସେତିକି ଉଚ୍ଚ ଘର ଖୋଜିବାକୁ ପଡ଼ିବ। ନେଇ ଦେଇ ପାରିଲେ ହେବନା। କମଳା ମନ ମାରିଦେଲା, ରାତିଦିନ କାନ୍ଦିଥିଲା ଦୋକଡ଼ିରେ ବସି। ଭରସି କିଛି ମଧ୍ୟ କହିଲା ନାହିଁ ତା’ ବାପାଙ୍କ ନିଷ୍ପତ୍ତି ଉପରେ। ସେ ବାଆସ୍ତରୀ ଶତକଡ଼ା ନମ୍ବର ରଖି ଫାଷ୍ଟ ଡିଭିଜନରେ ପାସ କରିଥିଲା। ତାଙ୍କର ବିଦ୍ୟାଳୟରୁ କୃତିଛାତ୍ରୀ ଭାବେ ଶ୍ରେଷ୍ଠ ପରୁସ୍କାର ପାଇଥିବା କପ୍‌ଟିକୁ ସେ ଟ୍ରଙ୍କରେ ଲୁଚାଇ ଦେଲା।

କମଳା କାନ୍ଦିଥିଲା ଗାଁଆ ଠାକୁରାଣୀ ମନ୍ଦିର ପାଖରେ। ସେଦିନ ଦଇତାରୀ ସାରଙ୍କ ନଜର ପଡ଼ିଥିଲା ତା’ ଉପରେ। ସେ ସାଇକେଲରୁ ଓହ୍ଲାଇ ପଡ଼ି ପଚାରିଥିଲେ, “ଆରେ କମଳା ତୁ କୋଉଠି ଫର୍ମ ସବୁ ପକେଇଲୁ? ଆଡମିଶନ କୋଉଥିରେ କରିବୁ ତୁ?? ସାଇନ୍‌ସରେ କରିବୁ– ତୁ ଭଲ ଷ୍ଟୁଡେଣ୍ଟ, ତୋର ମ୍ୟାଥ୍ ସାଇନ୍‌ସ ଖୁବ ଭଲ।”

ସାର୍‌ଙ୍କ କଥା ଶୁଣି କମଳା ଆହୁରି ଫୁଲି ଫୁଲି କାନ୍ଦିଥିଲା ଦୁଇ ପାପୁଲିରେ ମୁହଁ ଢାଙ୍କି। ଅନେକ ସମୟ ପରେ କମଳା କାନ୍ଦ କାନ୍ଦ ହୋଇ ପଡ଼ିଥିଲା। ଦଇତାରୀ ସାର୍ କମଳାକୁ ଖୁବ୍ ଶ୍ରଦ୍ଧା କରିନ୍ତି। ମେଧାବୀ ଛାତ୍ରୀଟିର ଏମିତି ଅବସ୍ଥା ଦେଖି ବିବ୍ରତ ହୋଇ ପଡ଼ିଥିଲେ ସେ। କମଳାଠାରୁ ସାରା ବୃତ୍ତାନ୍ତ ଶୁଣି କହିଲେ-“ଏଇଟା ଗୋଟେ କଥା, ପଇସା ଅଭାବ ପାଇଁ କ’ଣ ତୋ ପାଠ ପଢ଼ା ବନ୍ଦ ହେବ। ତୁ ଯା, କାନ୍ଦନା, କିଛି ଗୋଟେ ବ୍ୟବସ୍ଥା କରିବା। ତୁ ନିଶ୍ଚୟ ପଢ଼ିବୁ, ସେ ଦାୟିତ୍ଵ ତୋ ବାପାଙ୍କର ନୁହେଁ ମୋର।”

ମନେ ମନେ କମଳା ଭାବିଥିଲା- ଏମିତି କହିଦେବାକୁ କେତେ ସମୟ। ଆଉ କିଛି ଠିକ୍ ହେବନାହିଁ ତାଙ୍କ ଅଭାବୀ ସଂସାର ଭିତରେ। ତା’ ତଳେ ଆଉରି ଦି’ ଜଣ ଅଛନ୍ତି। ତାକୁ ଆଉ ବାପା ପଢ଼ାଇବେ ନାହିଁ! ସେ ଫେରିଥିଲା ଘରକୁ। ତା’ର ଦି’ଦିନ ପରେ ଦଇତାରୀ ସାର୍ କେଇଟା କଲେଜର ଫର୍ମ ଧରି ହାଜର ହୋଇଥିଲେ ତାଙ୍କ ଘରେ। ସେ ନିଜେ ଆଡମିସନ୍ ଖର୍ଚ୍ଚ ବହନ କରଥିଲେ। ସାର୍‌ମାନଙ୍କ ସହଯୋଗ କ୍ରମେ କମଳା ପାଇଁ ସାଇକେଲଟେ କିଣାଇ ଦେଇଥିଲେ। କିଛି ବହିପତ୍ର ବ୍ୟବସ୍ଥା ମଧ୍ୟ କରାଇଦେଲେ। କମଳା ସେଦିନ ସାର୍‌ଙ୍କ ହାତକୁ ମୁଠାଇ ଧରିଲା- ଗୋଟେ ଅଲୌକିକି ହାତକୁ ଛୁଇଁବା ପରି। ସାର୍ ତା’ର ଲୁହ ଛଳଛଳ ଆଖିକୁ ପୋଛି ଦେଇଥିଲେ। ତାକୁ ଆଶିର୍ବାଦ କରିଥିଲେ- “ତୁ ମୋ ଉଦ୍ୟମର ମାନ ରଖିବୁ । ଏଇ ଆଶା ତୋଠୁ ରଖୁଛି!!” କୃତକୃତ୍ୟ କମଳା ସାରଙ୍କ ପାଦଧୂଳି ନେଇଥିଲା। ସାର୍‌ଙ୍କ ପାଇଁ ନାଲି ଚା’ ବଦଳରେ ଅମୂଲ ଚା’ କରିଥିଲା। ତା’ର କୁମ୍ପି ଭାଙ୍ଗି ସାରଙ୍କ ପାଇଁ ମିକ୍ସଚର କିଣି ଆଣିଥିଲା। କମଳା କଲେଜ ଯାଇଥିଲା।

X            X            X

ଗୁଣିଆ ପହଞ୍ଚିଥିଲା ତା’ର ପେଟରା ଧରି। କମଳା ତାକୁ ଦେଖି ପକାଇ ଘୁଞ୍ଚି ଯାଇଥିଲା ତାଙ୍କ ସିଜୁବୁଦା କଞ୍ଚା ବଣବାଡ଼ ଆଡ଼କୁ। କାଦୁଅ ନସର ପସର ହୋଇଯାଇଥିଲା ତା’ ଦେହ। ଗୁଣିଆ ତାକୁ ଘୋଷାରି ଆଣିଲା- ଝାଡ଼ିଲା, କସି କସି ବେତରେ ଦି ଚାରି ପାହାର ପକାଇଲା। ରଡ଼ିକରି ଅତି କର୍କଶ କଣ୍ଠରେ ପଚାରିଲା,”ତୁ କିଏ? କୋଉଠୁ ଆସିଚୁ?”

କମଲା ଅଟ୍ଟହାସ୍ୟ କଲାପରି ହସିଲା ଠୋ ଠୋ କରି- ”ତୁ ଛାର କିଙ୍କର; ମୋର ଉପଚାର କରିବୁ? ତୁ ପଳା ଏଠୁ, ଯେତେ ଶୀଘ୍ର ପାରଚୁ ପଳା। ନଇଲେ ମୁଁ ତୋର ସବୁ ବିଦ୍ୟା ଚଳୁ କରିଦେବି।‘’ କମଳା ହା ହା ହୋଇ କହୁଥାଏ ପାଦ ହାତ ଛାଟି।

ବାଇଆ ଗୁଣିଆ ଘଣ୍ଟାଏ ଯାଏ ସବୁପ୍ରକାର ପ୍ରଚେଷ୍ଟା କଲା। ସେ ଉଦ୍‌ବେଗ ଓ କ୍ରୋଧ ସହ ସବୁ ଜ୍ଞାତ ମନ୍ତ୍ର ତନ୍ତ୍ରର ପ୍ରୟୋଗ କଲା କମଳା ଉପରେ। କମଳାଠାରେ କିଛି ପ୍ରୟୋଗ ବିଦ୍ୟା କାଟୁ କଲା ନାହିଁ ତା’ର। ବାଇଆ ଖୁବ୍ ଜୋର୍‌ରେ ଆଉ ଦି ପାହାର କସିଲା କମଳା ଜଙ୍ଘରେ। ଏଥର କମଳା ଅଣାୟତ୍ତ।

କମଳା ଘୋଷାରି ଆଣିଲା ବାଇଆ ଗୁଣିଆ ହାତରୁ ବେତ ଖଣ୍ଡକ ଝିଙ୍କି ନେଲାପରି। ଅଖି ପିଛୁଳାକେ ସେଇ ବେତରେ ବାଇଆକୁ ବାଡ଼େଇ ଚାଲିଲା ଦଶ କି ବାର ପାହାର। ବାଇଆ ବେହୋସ୍। କମଳା ଖପ୍ ଖପ୍ କରି ମାଙ୍କଡ଼ ଡେଇଁବା ପରି ଡେଇଁ ଡେଇଁ ପାର୍ ତାଙ୍କ ବାଡ଼। କାଦୁଅ ପଚପଚ ବାଡ଼ କଡ଼ର ବିଲ ଡେଇଁ କମଳା ଉଭାନ୍ ହୋଇଗଲା ‍‍କ୍ଷଣକ ଭିତରେ।

ତା’ ଘର ଲୋକ କାହାକୁ ସମ୍ଭାଳିବେ ଭାବି ପାରିଲେ ନାହିଁ । କାନ୍ଦ ବୋବାଳି ଭିତରେ କେଇଜଣ ବାଇଆ ଉପରେ ଦି’ ବାଲ୍‌ତି ପାଣି ଢାଳି ପକାଇଥିଲେ। ସାତ ଆଠଜଣ କମଳାକୁ ଖୋଜିବାକୁ ଗଲେ।

ବାଇଆ ଥୁରୁଥିଲା ଗୋଟାପଣେ। ଚାରି ଗ୍ଲାସ ପାଣି ପିଇଥିଲା ଢକ ଢକ କରି। ଅନେଥିଲା ଦଣ୍ଡେ କମଳା ଘର ଚାଳକୁ, ଆଉ ଦଣ୍ଡେ ତା’ର ଯିବା ରାସ୍ତାକୁ। ଅତି ଅସହାୟ ଭାବରେ କହିଥିଲା କମଳା ବାପାକୁ ହାତଯୋଡ଼ି.. ”ଦାଦା ମୁଁ କିଛି କରି ପାରିବିନି। ଏ ଗୋଟେ ଭୟଙ୍କର ଅପୂଜା ଦେବୀ କି କ’ଣ ! ତାକୁ ସାଧ୍ୟ କରିବାର କ୍ଷମତା ମୋ ପାଖରେ ନାହିଁ। ତମେ ଅନ୍ୟ କାହାକୁ ଡାକ, ବଡ଼ ଗୁଣିଆ ଦେଖ, ମତେ ଟିକେ ଛାଡ଼ିଦିଅ ଘରେ।”

ବରଡ଼ା ପତ୍ର ପରି ଥରୁଥିବା ବାଇଆକୁ ସାଇକେଲରେ ବସାଇ କମଳା ବାପା ଛାଡ଼ିଥିଲେ ତା’ ଘରେ। କମଳାକୁ ଢେର ଖୋଜା ପରେ ପ୍ରାୟ ସଞ୍ଜ ବେଳକୁ ତାକୁ ଠାକୁରାଣୀ ପଡ଼ିଆ ବଉଳ ଗଛ ଡାଳରେ ବସିଥିବାର ଦେଖାଗଲା। ତାକୁ ସାତ ଆଠ ଜଣ ଲୋକ ମଧ୍ୟ ସାଧ୍ୟ କରି ତଳକୁ ଆଣିବା କଷ୍ଟକର ହୋଇଥିଲା। ରଶିରେ ବାନ୍ଧି ଅଣା ହୋଇଥିଲା ଘରକୁ।

କମଳା ପୁଣି ଗୋଟେ ଉଦାହରଣ ପାଲିଟି ଗଲା- ଯାହାର ସାଧ୍ୟ କ୍ଷମତା ଆଜି ଆଖପାଖ ଗୁଣିଆମାନଙ୍କ ପାଖରେ ନଥିଲା। ଦି’ଟା ଦିନ ଭିତରେ ପ୍ରାୟ କୋଡ଼ିଏରୁ ଉର୍ଦ୍ଧ୍ଵ ଗୁଣିଆ ଆଖପାଖ କୋଡ଼ିଏ ଗାଆଁରୁ ଆସିଥିଲେ। ସମସ୍ତେ ଫେଲ୍। କମଳା ତିନିଦିନ ହୋଇଯିବ ଦାନା ମୁଠେ ନେଇ ନଥିଲା ପାଟିକୁ। କମଳା ଘରେ କେହି ମଧ୍ୟ ଖାଇ ନଥିଲେ। ଦି ଦିନ ହେବ ତାଙ୍କ ଘରେ ଚୁଲି ଲାଗିନଥିଲା। କମଳାର ଦେହକୁ ତା’ ବୋଉ ପୋଛି ଆଣିଲା କନାଟେ ଧରି। ବଦଳାଇ ଦେଇଥିଲା ତା ଡ୍ରେସ ଖଣ୍ଡକ।

କମଳା ନା ଖାଉଥିଲା, ନା ଶୋଉଥିଲା ଠିକ୍‌କରି। ସେ କାହା କଥା ଶୁଣୁ ନଥିଲା, କି କଥା କହୁ ମଧ୍ୟ ନଥିଲା। ତା’ ଆଖି ଉପରକୁ ଥିଲା, ଚାଳରେ ଖୋସି ହେଲାପରି। ଦାନ୍ତ କଡ଼ମଡ଼ କରୁଥିଲା। ନିଜ ଗାଲ ଓ ମୁହଁକୁ ରାମ୍ପୁଡ଼ି ପକାଉଥିଲା। କେତେବେଳେ କେତେବେଳେ ମୁର୍ଛା ଯାଉଥିଲା। ଶୋଇ ପଡିଲା ବୋଲି ସମସ୍ତେ ଭାବୁଥିଲେ। ମୁଣ୍ଡରେ ହାତ ଦେଇ ଦେଇଥିଲେ ସଭିଏଁ। କମଳା ପରି ଝିଅ- ଯେ ମାଛିକୁ ମ’ ବୋଲି କହେନା ତା’ର ଏ ଦଶା! ଧର୍ମ ସହିବନି ଠାକୁରେ। “କଳିକାଳ ଠାକୁର ପଥର ଗୋ…” କହି କମଳା ବୋଉ ସମ୍ପିବା ଆରମ୍ଭ କରିଦେଇଥିଲା ଠାକୁରମାନଙ୍କୁ। ସେ ଅର୍ଦ୍ଧ ପାଗଳୀ ଅବସ୍ଥାରେ ଥିଲା।

କମଳା ତା’ର ସାନ ଦି’ ଭଉଣୀ ଭାଇଙ୍କୁ ଅଧରାତିରେ ମାରିଥିଲା ଗୋଇଠା ବିଧା। ସେମାନେ ତା’ ଦେଇକି କୁଣ୍ଢେଇ ଧରି କାନ୍ଦି ଉଠିଥିଲେ, ଦେଇଲୋ ତୋର କ’ଣ ହୋଇଚି… କହି। କମଳା ଜମା ନ ଚିହ୍ନିଲା ପରି ହେଲା। ମୁହଁ ବୁଲାଇ ଗାରୁଗାରୁ ହୋଇ ଦାନ୍ତ କଡ଼ମଡ଼ କଲା। ଅଧ ରାତିରେ ତା’ର ସାନ ଭାଇଭଉଣୀ ଦିହେଁ ଯାଇ ଆଶ୍ରା ନେଲେ ପାଖପଡ଼ୋଶୀ ଦାଦିଙ୍କ ଘରେ।

କମଳା ପାଇଁ ଗାଆଁ ଠାକୁରାଣୀଙ୍କ ପାଖରେ ହୋମ କରାଯାଇଥିଲା। କମଳା ରାଉରାଉ ହୋଇ ବିକଳ ଭାବେ ଚିତ୍କାର କରୁଥିଲା- “ମୋ ଦେହ ହାତ ସବୁ ଜଳିଯାଉଛି.. ମୋତେ ହଳଦି ପାଣିରେ ଗାଧେଇ ଦିଅ.. ମୁଁ ଅପବିତ୍ର ଅଛି… ମୋତେ ଗାଧେଇ ଦିଅ.. ମୋତେ ପବିତ୍ର କରା…” କହି ହଠାତ୍ ଧାଇଁ ଧାଇଁ ପୋଖରୀ ଭିତରକୁ ଡେଇଁ ପଡିଲା କମଳା। ଦେହରେ ତା’ର ଶକ୍ତି କାହିଁ ? ଦୁର୍ବଳରେ ଆଉ ପାଣିରୁ ଉଠି ପାରିଲା ନାହିଁ। ତାକୁ ପାଣିରୁ ଛଣା ହୋଇ ଅଣାଗଲା।

କମଳା ଶେଥା ପଡ଼ି ଯାଇଥିଲା- ଶାନ୍ତ ଦିଶୁଥିଲା। ତା’ର ଓଦା ଦେହକୁ ପୋଛିଲା ବେଳେ କହିଥିଲା ଭଲ ମଣିଷ ପରି ତା’ ବୋଉକୁ.. “ମୁଁ ମୁଠେ ଭାତ ଖାଇବି, ଭାରି ଭୋକ ହଉଛି।” ତା ବୋଉ ମାଗି ଆଣିଥିଲା କଂସାଏ ପଖାଳ। ପୋଡ଼ା ଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି’ କୁଳା ଦେଇ। ଦେଇଥିଲା ସୋରିଷ ତେଲ ବେଶୀ କରି। ପଖାଳ ବଡ଼ିଚୁରା ଆଳୁ ପୋଡ଼ାର ଭର୍ତ୍ତା କମଳାର ପ୍ରିୟ। କମଳା ଖାଇଲା- ମାଗିଲା ଆହୁରି ଭାତ! ସତେକି ଅନାହାରରେ ଥିଲା ବର୍ଷ ବର୍ଷ! ! ଖାଇଲା ତିନି କଂସା ଭାତ- ଚାରିଟା ଆଳୁର ଭର୍ତ୍ତା ! ଆଉ ବିନା ହାତ ଧୁଆରେ ଟଳି ପଡ଼ିଲା ଅଇଁଠା କଂସା ପାଖରେ-“ମୋତେ ନିଦ ମାଡ଼ୁଛି” କହି । ତା’ ବୋଉ ଉଠାଇ ନେଇଥିଲା ଅଇଁଠା ବାସନତକ। ତା’ ହାତ ଧୁଆଇ ଦେଇଥିଲା। ପାରିଥିଲା ହେଂସ ଦାଣ୍ଡ ଦୁଆରେ।

କମଳା ଶୋଇଲା। ଉଠିଲା ନାହିଁ ଢେର ରାତିଯାଏ। ଶୋଇପଡ଼ୁ- କାଳେ ମନ ଶାନ୍ତ ହୋଇଯିବ। ଗୋଟେ ଆଶାର କ୍ଷୀଣ ଆଶା ଯେମିତି ମନରେ ତିଆରି ହେଉଥିଲା।

ଭଲ ପିଲାଟା- କଲେଜ ଯାଇଥିଲା, ସେଦିନ ଫେରି ଗୋଡ଼ ଧୋଇଲା। ଆଖୁ ଫୁଲି ନାଲି ପଡ଼ିଥିଲା। କମଳା ବୋଉ ପଚାରିଥିଲା-“କ’ଣ ହୋଇଚି ? ତୋ ଆଖି କାହିଁକି ଲାଲ ପଡ଼ିଚି ? ”

କମଳା ଉତ୍ତର ଫେରାଇ ନଥିଲା। ସବୁଦିନେ ତ ସେ ଏମିତି। କଷ୍ଟ ପାଇଲେ ବି ଚାପି ଦେବ ତା’ ଛାତି ତଳେ। ଝରୁଥିବ ରକ୍ତ, ନିଜେ ବାନ୍ଧି ପକାଇବ ପଟି କେହି ଜାଣିବେନି, କେହି ଦେଖିବେନି। ଜ୍ୱର ହୋଇଥିବ କାମ କରୁଥିବ, ପଥର କରିଦେବ ମନ!

କମଳାକୁ ସେଇଦିନ ରାତିରେ ହିଁ ଜ୍ୱର ହେଲା। ଭୀଷଣ ଜ୍ୱର। ସେ ଜ୍ୱର ଭିତରେ ବି ଦି’ଥର ଦେହ ଜଳି ଯାଉଛି କହି ଦେହରେ ପାଣି ଢାଳି ହୋଇ ପଡ଼ିଲା। ତା’ ବୋଉ ତା’ର ଖଇଫୁଟା ଜ୍ୱର ଦେହରେ ହାତ ବୁଲାଇ ଆଣି ପଚାରିଥିଲା- “କଣ ହୋଇଚି ତୋର ଲୋ ମା’… ମୋତେ କହ ! କି ଦୁଃଖ ଅଛଇ ତୋ ମନରେ… !” କମଳା କିଛି କହିଲା ନାହିଁ। କଳା ପଡ଼ିଯାଇଥିଲା ମୁହଁଟିକୁ ଅଧା ଉଠାଇ ଅନାଇଲା ତା’ ବୋଉକୁ। ହସିଲା ଗୋଟେ ଦୟନୀୟ ଶୁଷ୍କ ରୋଗଣା ହସ। କହିଲା ନୀଚା କଣ୍ଠରେ- “ମୋର କ’ଣ ହେବ ! ମୁଁ ତ ଠାକୁରାଣୀ ଦୁର୍ଗା… ମୋତେ କିଏ ନଷ୍ଟ କରିବ! ! ମୁଁ ଧ୍ୱଂସ କରିଦେବି ସବୁ ପାପ। ମୁଁ ପାପନାଶିନୀ ମା’ ଦୁର୍ଗା। ମୁଁ ପୂଜା ପାଇନି। ମୋତେ ପୂଜାକର! ! ମୋତେ କଷ୍ଟ ହଉଚି! ମୋତେ ଶୋଇବାକୁ ଦେ!” ଧଇଁସଇଁ ହୋଇ ଶୋଇପଡ଼ିଲା ପୁଣି ହେଂସରେ କମଳା।

ଏଇ ଘଟଣା ଢେର ଆଲୋଡ଼ନ ସୃଷ୍ଟି କଲା ଗାଆଁ ଗାଆଁରେ। ଗାଆଁରୁ ଖବରକାଗଜ ଯାଏ ବ୍ୟାପ୍ତ ହେଲା ଖବର। କେଇଦିନ ଚର୍ଚ୍ଚାରେ ଚର୍ଚ୍ଚାରେ ଲୋକ ଧାଉଁଥିଲେ କମଳାକୁ ଦେଖିବାକୁ। ଏଇ ଘଟଣା ନିତିଦିନିଆ ହୋଇଗଲା। ମାସେରୁ ଉର୍ଦ୍ଧ୍ୱ ହୋଇଯାଇଥିଲା। କାମଳାର କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ। ତା’ ବୋଉ ତା’ ନାଁରେ ପାଣି ଛଡ଼ାଇ ଦେଲା ମହାଦେବ ମନ୍ଦିରରେ। ଯାହା ତା’ ଭାଗ୍ୟରେ ଥିବ।

ଅଜିକାଲି କମଳା ଘର ଆଡ଼େ କେହି ମଧ୍ୟ ଯିବାକୁ ଡରନ୍ତି। ପୁରୁଷ ଲୋକଙ୍କୁ ଦେଖିଲେ କମଳା ମାରି ଗୋଡ଼ାଏ। କାହା ସହ କଥା ହୁଏନି, କାହା ଘରକୁ ଯାଏନି। ଗୋଟିଏ କୋଣରେ ପଡ଼ିରହେ ଜାକିଜୁକି ହୋଇ, ମେଞ୍ଚାଏ ମାଟିଗଦା ପରି। ତା’ ବାପା ତାକୁ ଆଡ଼ ଆଡ଼ ହୋଇ ରହନ୍ତି।

ଗୋଟେଦିନ ସକାଳୁ ସକାଳୁ ପିନୁ ପହଞ୍ଚିଥିଲା କମଳା ପାଖରେ। କମଳାର ପ୍ରିୟ ସାଙ୍ଗ- ଖରାଛୁଟିରେ ସେ ଯାଇଥିଲା ତା’ ମାମୁଘର। କମଳା ବୋଉ ଗୋବର ଘସି ପାରୁଥିଲା ତାଙ୍କ ବାଡ଼କଡ଼ରେ। କମଳା ବସିଥିଲା ଦାଣ୍ଡ ଦୁଆରେ- ପିନୁ ଧାଇଁ ଯାଇ ତାକୁ କୁଣ୍ଡାଇ ପକାଇଥିଲା! କମଳା ଅଚିହ୍ନା ପରି ବାରି ହୋଇ ଆଡ଼େଇଦେଲା ପିନୁକୁ। ପିନୁ କାନ୍ଦି ଉଠିଲା ଭେଁ ଭେଁ କରି। କ’ଣ ଚିନ୍ତା କଲା ପରି କମଳାକୁ ଦେଖି ତା’ ବୋଉ ପାଖରେ ଠିଆହେଲା ପିନୁ- କିଛି କହିବା ପାଇଁ।

“କ’ଣ କହିବୁ ପିନୁ। ଦେଖୁଚୁ ତ ତା’ ହାଲ୍।”

ପିନୁ କହିଲା ଗଲା କିଛିଦିନ ତଳେ ଘଟିଥିବା ସାରା ବୃତ୍ତାନ୍ତ ।

“କମଳାକୁ ର।ଜୀବ କଲେଜର ପ୍ରଥମ ଦିନରୁ ହିଁ ହଇରାଣ କରୁଥିଲା। ସେ ତାଙ୍କ କଲେଜରେ ଶେଷବର୍ଷ ଛାତ୍ର। ତା’ର ସାଇକେଲରୁ ଥରେ ପମ୍ପ କାଢ଼ି ଦେଇଥିଲା। ଥରେ କମନ ରୁମ୍‌ରେ ଚ୍ୟାଲେଞ୍ଜ କରି ଗେଲ ମଧ୍ୟ କରିଥିଲା। କମଳା ରାଗରେ ତାକୁ ଜୋତା ଫୋପାଡ଼ିଥିଲା। କ’ଣ କିଛି ମଧ୍ୟ କହିନି କମଳା?” ପଚାରିଥିଲା ପିନୁ !

କମଳା ବୋଉ ଚକିତ ହୋଇଥିଲା- କାଇଁ କିଛି ତ କହିନି !” ମୁଣ୍ଡରେ ହାତ ଦେଲେ ସେ!

“ଅନେକ କଥା ଲୁଚେଇ ରଖିଛି। କମଳାକୁ ଗଲା ସପ୍ତାହରେ ବହୁତ ଖରାପ ବ୍ୟବହାର କରିଥିଲା, ମଦ ପିଇ ସେ ଟୋକା। ତାକୁ ଛୁରାମାଡ଼ କରିଛି। ସେ ଡାକ୍ତରଖାନାରେ ଗଲା ମାସେ ହେଲା ପଡ଼ିଛି ବୋଲି ଶୁଣିଲି। ଏଇ କମଳା ତୁ କ’ଣ ସତରେ ତାକୁ ଛୁରା ମାରିଥିଲୁ?”

କମଳା ବୋଉ ବିଶ୍ୱାସ କରିପାରୁ ନ ଥିଲା, ଏ ସବୁ କମଳା କରିଥିବ ବୋଲି। ପ୍ରଥମ କରି ତାଙ୍କୁ ଭୟ ଲାଗିଲା- କମଳାର ଭବିଷ୍ୟତ ନେଇ। କ’ଣ ହେବ ତା’ ଜୀବନ ଏବେ। ପିନୁ ଅନେକ ସମୟ ଯାଏ ବସିଲା କମଳା ପାଖରେ। କମଳା କୌଣସି କଥାବର୍ତ୍ତା କଲାନାହିଁ। ପିନୁକୁ କମଳାବୋଉ ରାଣ ନିୟମ ଦେଲେ ଏସବୁ କଥା ଯେମିତି ତାଙ୍କ କଲେଜରେ ନ ଜାଣନ୍ତି କି କେଉଁଠି ସେ ଆଉ ନକୁହେ। ପିନୁ ଅସହାୟ ଭାବେ ହସି କହିଥିଲା…”ତା’ ପାଇଁ ମୁଁ ପାଠ ପଢ଼ୁଛି.. ମୋ ଉପରେ ବିଶ୍ୱାସ ରଖ ମାଉସୀ।” ପିନୁ ଚାଲି ଯାଇଥିଲା।

କମଳାକୁ ନେଇ ତା’ ବୋଉର ସ୍ୟସ୍ତତା ଖୁବ ବଢ଼ି ଯାଇଥିଲା। ତାକୁ ଭଲ କରିବା ଆଶାରେ ଗଦାଗଦା ଡେଉଁରିଆ ତାବିଜ ବନ୍ଧା ହୋଇ ରହିଲା କମଳାର ହାତରେ। କମଳା ପାଖରେ ଖାଲି ରହିଯାଇଥିଲା ତା’ର ଡର। କମଳା କେବେ ଅତ୍ୟଧିକ ଡରକୁଳା ହୋଇ ରହୁଥିଲା ତ, କେବେ ଭୟଙ୍କର କ୍ରୋଧରେ କରୁଥିଲା ତାଣ୍ଡବ। ଲୋକଙ୍କୁ ଦେଖିଲେ ଯାଇ ଲୁଚି ଯାଉଥିଲା ତାଙ୍କ ସିନ୍ଧୁକ ଭିତରେ ନଇଲେ କବାଟ କୋଣ ଅବା ଖଟ ତଳରେ।

କମଳା ପାଇଁ ଲୋକ ମୁଖରେ ଗୋଟେ ‘ଚୁ’ ଶବ୍ଦଟେ ହିଁ ରହି ଯାଇଥିଲା। ଦଇତାରୀ ସାର୍‌ଙ୍କ ଟ୍ରାନ୍ସଫର ପ୍ରାୟ ବର୍ଷେ ହେବ ହୋଇ ଯାଇଥିଲା ବଂଇଶୀପାଳ। ସେ କେମିତି ଖବର ପାଇଥିଲେ କେଜାଣି ଆସି ହାଜର। ତାଙ୍କର ଝିଅଟେ ଥିଲା- ବଞ୍ଚିଥିଲେ ହୋଇଥାନ୍ତା ଅବା କମଳା ବୟସର। କମଳା ପ୍ରତି କେମିତି ଗୋଟେ ବାତ୍ସଲ୍ୟ ମମତା ପଣ। ତାଙ୍କର ଛାତି ଫଟାଇ ଦେଉଥିଲା କମଳାକୁ ଦେଖିବା ପରେ।

ବଡ଼ ହୀନିମାନିଆ ଦିଶୁଥିଲା ତାଙ୍କ ପ୍ରିୟଛାତ୍ରୀ। ଅଲରା କହରା ମୁଣ୍ଡରୁ ଉଲୁରଇ ପଡ଼ିଛି ବାଳ ମୁହଁ ଉପରକୁ। ସେ ଜମା ଆସିଲାନି ପାଖକୁ। ଜାକିଜୁକି ହୋଇ ବସିଲା କବାଟ ସନ୍ଧିରେ। ଅନାଇଲା ଡବଡବ କରି, ଚିହ୍ନିବାକୁ ଚେଷ୍ଟାକଲା।

କମଳାବୋଉ ମନରେ ସମାନ୍ୟ ଭୟ ମଧ୍ୟ ଥିଲା। ସେ କହିଲା ସବୁକଥା, କହୁ କହୁ କାନ୍ଦିଉଠିଲା। କମଳାର ମୁହଁ ରକ୍ତ ନଥିଲା ପରି ଶିଠୁଆ ଦିଶୁଥିଲା। ଗୋଟେ କରୁଣ କଦାକାର ଅସହାୟତା ତାକୁ ଯେମିତି କୋଳାଗ୍ରତ କରିଥିଲା। ଦଇତାରୀ ସାର୍ କମଳାବୋଉର ସବୁ ସତର୍କବାଣୀକୁ ଉପେକ୍ଷା କରି କମଳାର ସିଠୁଆ ହାତକୁ ଧରିଲେ ନିଜ ପାପୁଲି ଭିତରେ- “ମା’….ମା’ରେ…ଆ’ ପଦାକୁ ଆ’!” ଆସ୍ତେ କରି ଅତି ସନ୍ତର୍ପଣରେ ଆଣିଲେ କମଳାକୁ ପଦାକୁ।

ଆନ୍ଧାରରୁ ଆଲୁଅକୁ ଆସିବାବେଳେ ଯେମିତି ଜାଲୁଜାଇ ହୋଇଯାଏ- କମଳା ସେମିତି ଜାକିଜୁକି ହେଲା ।

ଦଇତାରୀ ସାର୍ କହିଲେ, ”ଅନା ଆକାଶକୁ… ଅନା ଗଛମାନଙ୍କୁ… କହ କିମିତି ଲାଗୁଛି ଏ ଦୁନିଆ !” କମଳା ଅନାଇଲା ଆକାଶକୁ, ଅନେଇଲା ଗଛମାନଙ୍କୁ, ଆଉ ଚାରିଆଡ଼କୁ ନିରିଖେଇ ନିରିଖେଇ ସତେକି ପ୍ରଥମକରି ଦୁନିଆକୁ ଦେଖୁଛି। ନିଜେ ନିଜେ କହି ଉଠିଲା- “ଆକାଶ ନୀଳ? ଗଛ ସବୁଜ… ସବୁ ସୁନ୍ଦର… ତା’ ପରେ” ଠୋ’ ଠୋ’ ହସ କ୍ରମଶଃ ବିବର୍ତ୍ତିତ ହେଲା ଗୋଟେ କାନ୍ଦଣାକୁ।

କମଳାକୁ ମାନାଇ ପାରିଥିଲେ ଦଇତାରୀ ସାର୍। ତାକୁ ତାଙ୍କ ଘରକୁ ବୁଲାଇ ନେବାକୁ କହି ଡାକ୍ତରଖାନା ପାଇଁ ପ୍ରସ୍ତୁତ କରାଇଥିଲେ। କମଳା ବିନା ଦ୍ୱିଧାରେ ବାହାରିଥିଲା ତା’ର ପସନ୍ଦ ଚୁଡ଼ିଦାର ପିନ୍ଧି। ପଛେ ପଛେ ତା’ ବୋଉ।

ଢେର କେଇଦିନ ମାନସିକ ରୋଗ ୱାର୍ଡରେ କମଳାର ଚିକିତ୍ସା ହେଲା। ସେଇ ଦିନମାନଙ୍କରେ ଦଇତାରୀ ସାର୍ ଛୁଟିରେ ରହିଲେ। ତା’ ବୋଉ ଆଜିକାଲି କାନ୍ଦୁଥିଲା। ଗୋଟେ ଆଶାର ଅପେ‍କ୍ଷାର ଥିଲା ତା’ ଆଖି।

ଦଇତାରୀ ସାର୍ ଅନେଇଲେ କମଳା ୱାର୍ଡରେ ଥିବା କୃଷ୍ଣଚୁଡ଼ା ଗଛକୁ। ଫୁଲରେ ଭର୍ତ୍ତି ହୋଇଯାଇଛି ଗଛ। କେତେ ଚଢ଼େଇ କିଚିରି ମିଚିରି ଶବ୍ଦ କରୁଥିଲେ। ତାଙ୍କ ମନରେ ଗୋଟେ ପ୍ରତ୍ୟୟ ତିଆରି କରୁଥିଲେ- କମଳା ଶୀଘ୍ର ଭଲ ହୋଇଯିବ। ସେ ମଧ୍ୟ ଏମିତି କିଚିରିମିଚିରି ଶବ୍ଦକାରୀ ଗୋଟେ ଚଢ଼େଇ ପରି ପୁଣି ନାଚିଖେଳି କୁଦିବ। ସାଧାରଣ ମଣିଷ ପରି-ପୂର୍ବପରି ଗୋଟେ ଉଦାହରଣଟେ ହୋଇ ରହିବ।

କମଳା ତା’ ବିଛଣାରୁ ଉଠି ପଦାକୁ ଆସିଲା। ଅନେକ ଦିନ ପରେ ଗୋଟେ ମୁଗ୍ଧ ହସଟେ ହସିଲା, ଆକାଶକୁ ଅନେଇ, ମେଘକୁ, ଗଛଙ୍କୁ। କହି ଉଠିଲା ତାଳିମାରି। ସବୁ ସୁନ୍ଦର-ଏ ପୃଥିବୀ, ଏ ମେଘ, ଏ ଗଛ…ସବୁ ସୁନ୍ଦର ନୁହେଁ ସାର୍ ??”

ଦଇତାରୀ ସାରଙ୍କ ଆଖିରୁ ଦୁଇଧାର ଲୁହ ଝରି ପଡ଼ିଲା। ସେ ସମ୍ମତି ପ୍ରକାଶ କରି କହିଲେ- “ହଁରେ ମା’, ପୃଥିବୀ ନିଶ୍ଚୟ ସୁନ୍ଦର। ଯେଉଁଠି କମଳା ଅଛି କେମିତି ସେ ପୃଥିବୀ ସୁନ୍ଦର ହବନି। ସୁନ୍ଦର ହବାକୁ ବାଧ୍ୟ।” ତାଙ୍କର କଣ୍ଠରୁଦ୍ଧ ହୋଇଗଲା ଗୋଟେ ଆକୁଳ ଆବେଗରେ।

Previous ArticleNext Article

Send this to a friend