ଏମିତି ଆମ ଲୋକଚରିତ୍ର: ଆଜୀବନ ନିର୍ବିବାଦୀୟ ଥିବା ଡକ୍ଟର କଲାମଙ୍କୁ ମୃତ୍ୟୁ ପରେ ଟାଣି ଆଣିଲେ ବିବାଦ ଭିତରକୁ

abdulkalam

ପୂର୍ବତନ ଲୋକପ୍ରିୟ ରାଷ୍ଟ୍ରପତି ଡ. ଅବଦୁଲ କଲାମ ଜୀବନ ସାରା କୌଣସି ଅପ୍ରୀତିକର ବିବାଦରେ କେବେ ନଥିଲେ। କିନ୍ତୁ ଏବେ ମୃତ୍ୟୁ ପରେ ତାଙ୍କୁ ନେଇ ଏକ ବିବାଦ ଉଠିଛି।  ତାମିଲନାଡୁ ରାଜ୍ୟର ରାମେଶ୍ୱରମଠାରେ ତାଙ୍କ ଉପରେ ପ୍ରତିଷ୍ଠା ହୋଇଥିବା କଲାମ ମ୍ୟୁଜିୟମରୁ ହିଁ ସୃଷ୍ଟି ହୋଇଛି ବିବାଦ। ଏଠି ଥିବା ଡକ୍ଟର କଲାମଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ହିନ୍ଦୁ ଧର୍ମଗ୍ରନ୍ଥ ରଖାଯିବା ଓ ପରେ ଅନ୍ୟ ଧର୍ମର ପବିତ୍ର ଗ୍ରନ୍ଥ ରଖାଯିବା ଏବଂ ଶେଷରେ ସବୁକୁ ହଟେଇ ଦିଆଯିବା ପରି ନାଟକ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମ୍ୟୁଜିୟମର ଉଦଘାଟନ କରିବା ପୂର୍ବରୁ ଏମିତି ନାଟକ ସୃଷ୍ଟି ହୋଇଥିଲା। ତେଣୁ ତାମିଲନାଡୁର ବିରୋଧୀ ଦଳ ଏମଡିଏମକେ ଅଭିଯୋଗ କରିଛି ଏହା କେନ୍ଦ୍ର ବିଜେପି ସରକାରର ଏକ ଷଡ଼ଯନ୍ତ୍ର।

ଡକ୍ଟର କଲାମ୍ ଥିଲେ ଜଣେ ଧର୍ମ ନିରେପକ୍ଷ ବ୍ୟକ୍ତି। ସେ ସବୁ ଧର୍ମକୁ ସମାନ ଭାବରେ ମାନୁଥିଲେ ଓ ପାଳୁଥିଲେ। ସବୁ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ପଢୁଥିଲେ ଓ ଏଥିରୁ ମିଳୁଥିବା ଜ୍ଞାନକୁ ସେ ଜୀବନରେ ଲଗାଉଥିଲେ। ମ୍ୟୁଜିୟମରେ ତାଙ୍କ ପ୍ରତିମୂର୍ତ୍ତି ପାଖରେ ଆଦୌ କିଛି ନଥିଲା। କିନ୍ତୁ ଉଦଘାଟନ ପୂର୍ବରୁ ପ୍ରଥମେ ଏକ ହିନ୍ଦୁ ଧର୍ମଗ୍ରନ୍ଥ ରଖାଗଲା। ତା’ପରେ ତାଙ୍କର ଜଣେ ସଂପର୍କୀୟ ଅନ୍ୟ ଦୁଇ ଧର୍ମର ଦୁଇଟି ପବିତ୍ର ଧର୍ମଗ୍ରନ୍ଥ ଆଣି ରଖିଥିଲେ। କିନ୍ତୁ ଏହାକୁ ବିରୋଧ କରାଯିବାରୁ ପରେ ସବୁ ଧର୍ମଗ୍ରନ୍ଥକୁ ହଟାଇ ନିଆଯାଇଥିଲା।

ଏମଡିଏମକେର ମୁଖ୍ୟ ଭାଇକୋ କହିଛନ୍ତି, ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି ନହେଉ ଯେ, ଡକ୍ଟର କଲାମ କେବଳ ଗୀତା ପଢ଼ିବାକୁ ହିଁ ଭଲ ପାଉଥିଲେ। ‘ଥିରୁକରାଜଃ’ ନାମକ ଏକ ତାମିଲି ଗ୍ରନ୍ଥ ଅଛି, ଯାହାକୁ ଭଗବତ ଗୀତାର ବିକଳ୍ପ ବୋଲି ଲୋକେ ବିବେଚନା କରନ୍ତି। କଲାମ ନିଜ ଭାଷଣରେ ଏଥିରୁ ଅନେକ ଶ୍ଳୋକ ବ୍ୟବହାର କରିଛନ୍ତି। ତେଣୁ ତାଙ୍କ ପ୍ରତିମୂର୍ତ୍ତି ପାଖରେ ଥିରୁକରାଜ ସ୍ଥାପନ କରାଗଲେ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ। ସାମୂହିକ ଭାବେ ଏହା ଗ୍ରହଣୀୟ ମଧ୍ୟ ହେବ।

ତେବେ କେବଳ ଭଗବତ ଗୀତା ଥୁଆଯିବା ପରେ ବିବାଦ ହେବାରୁ, ଆଜି କଲାମଙ୍କ ସଂପର୍କୀୟମାନେ ଗୀତା ପାର୍ଶ୍ୱରେ କଲାମ ପଢୁଥିବା ବାଇବେଲ୍ ଓ କୋରାନ୍ ପବିତ୍ର ଧର୍ମଗ୍ରନ୍ଥକୁ ବି ରଖିଥିଲେ। ହେଲେ ପୁଣି କିଛି ଲୋକ ବିରୋଧ କରିବାରୁ, ପଛରେ ରଖାଯାଇଥିବା ଦୁଇ ଧର୍ମଗ୍ରନ୍ଥକୁ ହଟାଇ ଦିଆଯାଇଥିଲା।

ଡିଆରଡିଓ ଅଧିକାରୀ କହିଛନ୍ତି, ଆମକୁ ଦିଆଯାଇଥିବା ଯୋଜନା ଅନୁଯାୟୀ ଆମେ ବ୍ୟବସ୍ଥା କରିଛୁ। ବିବାଦ ସଂପର୍କରେ ଆମେ କିଛି କହିପାରିବୁ ନାହିଁ। କଲାମଙ୍କ ପ୍ରତିମା ନିକଟରେ ବାଇବେଲ ଓ କୋରାନକୁ ପଛରେ ଆଣି ରଖିଲୁ, କିନ୍ତୁ ବିବାଦ ପରେ ସେ ଦୁଇଟିକୁ ଆମେ କଲାମଙ୍କ ବାକ୍ସରେ ରଖିଦେଇଛୁ। ପ୍ରତିମୂର୍ତ୍ତି ପାଖରେ ଏବେ କେବଳ ଭଗବତ ଗୀତା ହିଁ ରହିଛି।

ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପୋନ୍ ରାଧାକୃଷ୍ଣ କହିଛନ୍ତି, ‘କଲାମ ସବୁ ଧର୍ମକୁ ଭଲ ପାଉଥିଲେ। ହେଲେ ମୁଁ ବୁଝିପାରୁନି, ଏମାନେ କାହିଁକି ତାଙ୍କୁ ବିତର୍କ ଭିତରକୁ ଟାଣି ନେଉଛନ୍ତି।’

ତାମିଲନାଡୁ ଅର୍ଥମନ୍ତ୍ରୀ ଡକ୍ଟର ଜୟକୁମାର କହିଛନ୍ତି, ଦରକାର ପଡିଲେ ସେ ଏହି ଘଟଣାକୁ କେନ୍ଦ୍ରରେ ଉଠାଇବେ।

 

 

Previous ArticleNext Article

Send this to a friend