ସିରିଏଲ କିଲର ହାତୀକୁ ମାରି ଦେବାକୁ ନିଷ୍ପତ୍ତି; ଆସିଲେ ସାର୍ପ ସୁଟର

elephant

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ। ଯେଉଁ ପ୍ରାଣୀ ଉଦ୍ୟାନଗୁଡ଼ିକରେ ହାତୀ ଅଛନ୍ତି ସେଠାରେ ଏହାକୁ ଧୁମ୍‌ଧାମରେ ପାଳନ କରାଯାଉଛି। ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ଝାଡ଼ଖଣ୍ଡରେ ଗୋଟିଏ ହାତୀ ବନବିଭାଗ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ବନିଛି। ତାର ଆତଙ୍କ ଓ ଉପଦ୍ରବ ସବୁ ସୀମା ଟପି ଯାଇଛି।  ଆଉ ସେଥିପାଇଁ ସରକାର ହାତୀଟିକୁ ମାରିବା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ହାତୀକୁ କୁହାଯାଉଛି ସିରିଏଲ୍ କିଲର ହାତୀ। ଜଣେ କି ଦୁଇ ଜଣ ନୁହେଁ, ୧୫ ଜଣ ଲୋକଙ୍କୁ ମାରି ସାରିଲାଣି ସେ। ତଥାପି ସେ ବନବିଭାଗ ହାତରେ ଧରା ପଡ଼ୁନି। ଏଣୁ ତାକୁ ମାରିବାକୁ ସରକାର ଜଣେ ସାର୍ପ ସୁଟରଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କ ନାଁ ନୱାବ ଶଫତ ଅଲ୍ଲୀ ଖାନ। ସେ ହାଇଦ୍ରାବାଦରେ ରହନ୍ତି। ଖବର ପାଇ ସେ ଝାଡ଼ଖଣ୍ଡରେ ପହଞ୍ଚି ସାରିଛନ୍ତି।

ଏହି ହାତୀଟି ଗତ ମାର୍ଚ୍ଚ ମାସରେ ବିହାରରେ ଚାରି ଜଣ ଲୋକଙ୍କୁ ମାରିଥିଲା। ଏହା ପରେ ହାତୀଟି ଝାଡ଼ଖଣ୍ଡକୁ ପଳାଇ ଆସିଥିଲା। ଝାଡ଼ଖଣ୍ଡରେ ସେ ୧୧ ଜଣ ଲୋକଙ୍କୁ ମାରି ସାରିଲାଣି।

ଝାଡ଼ଖଣ୍ଡର ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ମୁଖ୍ୟ ଏଲ୍‌.ଆର ସିଂ କହିଛନ୍ତି ଯେ ହାତୀଟିକୁ ଧରିବା ପାଇଁ ଏକ ଟିମ୍‌କୁ ନିଯୁକ୍ତ କରାଯାଇଥିଲା। ତେବେ ସପ୍ତାହେ ଧରି ଉଦ୍ୟମ କରିବା ପରେ ମଧ୍ୟ ହାତୀଟି ଧରା ପଡ଼ି ନଥିଲା। ତେଣୁ ହାତୀଟିକୁ ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଏଥିପାଇଁ ଜଣେ ସାର୍ପସୁଟରଙ୍କୁ ନିଯୁକ୍ତ କରାଯାଇଛି।

ସେ ଆହୁରି କହିଛନ୍ତି ଯେ ହାତୀଟି ସାହିବଗଞ୍ଜ ଜିଲ୍ଲାର ଯେଉଁ ଜଙ୍ଗଲରେ ଅଛି ତାହା ଖୁବ୍ ଘଞ୍ଚ। ସେଠାରେ ମାତ୍ର ୧୫ ଫୁଟ୍ ପର୍ଯ୍ୟନ୍ତ ଦେଖାଯାଉଛି। ତେଣୁ ହାତୀକୁ ଟ୍ରାଙ୍କ୍ୟୁଲାଇଜ୍ କରିବା ମଧ୍ୟ ଅସମ୍ଭବ ହୋଇପଡୁଛି। ହାତୀଟି ବହୁତ ଲୋକଙ୍କୁ ମାରି ସାରିଲାଣି। ଗତ ଚାରି ଦିନରେ ଦୁଇ ଜଣଙ୍କୁ ମାରିଛି। ଦିନରାତି ଉଦ୍ୟମ କରିବା ସତ୍ତ୍ୱେ ବନବିଭାଗ ହାତୀଟିକୁ କାବୁ କରିବାକୁ ବିଫଳ ହୋଇଛି। ଏଣୁ ହାତୀଟିକୁ ମାରିବାକୁ ଜଣେ ସାର୍ପ ସୁଟରଙ୍କୁ ନିଯୁକ୍ତ କରିବା ଛଡ଼ା ଆମ ପାଖରେ ଆଉ କୌଣସି ବିକଳ୍ପ ନ ଥିଲା।

ଏହି ସିରିଏଲ କିଲର ହାତୀଟି ଏକ ହାତୀ ଦଳରୁ ଅଲଗା ହୋଇଯାଇଥିଲା। ତା’ପରେ ସାହିବଗଞ୍ଜ ଜିଲ୍ଲାର ପାହାଡ଼ି ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ପଶି ଲୋକଙ୍କୁ ମାରିବା ସହ ଉପଦ୍ରବ ଚଳାଇଛି।

୨୦୧୪ରେ ସାର୍ପ ସୁଟର ନୱାବ ଶଫତ ଅଲ୍ଲୀ ଖାନଙ୍କୁ ଉତ୍ତର ପ୍ରଦେଶ ସରକାର ଏକ ମଣିଷ ଖିଆ ବାଘକୁ ମାରିବାକୁ ଅନୁମତି ଦେଇଥିଲେ। ସେହି ବାଘଟି ଆଠ ଜଣ ଲୋକଙ୍କୁ ମାରି ଦେଇଥିଲା।

ସୌଜନ୍ୟ- ଏନ୍‌ଡିଟିଭି

Previous ArticleNext Article

Leave a Reply

Your email address will not be published. Required fields are marked *