ବିଜେଡିର ମାନବଶୃଙ୍ଖଳ କାର୍ଯ୍ୟକ୍ରମକୁ ବିଜେପିର ସମାଲୋଚନା

samer-mohanty

ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ବିଜୁ ଜନ୍ମ ଶତବାର୍ଷିକୀରେ ସମଗ୍ର ରାଜ୍ୟରେ ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏହି ଅବସରରେ ରାଜ୍ୟର ୩୦ ଜିଲ୍ଲାର ମୁଖ୍ୟାଳୟ, ୩୧୪ ବ୍ଲକ ଓ ଭୁବନେଶ୍ୱରରେ ବିଜେଡି ମାନବଶୃଙ୍ଖଳ କରିବ। ଭୁବନେଶ୍ୱରରେ ଧଉଳିରୁ ନନ୍ଦନକାନନ ପର୍ଯ୍ୟନ୍ତ ୩୫ କିମି ବ୍ୟାପୀ ଏହି ମାନବ ଶୃଙ୍ଖଳ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ଏହାକୁ ଉଦ୍‌ଘାଟନ କରିବେ। ବିଜେଡିର ଏପରି କାର୍ଯ୍ୟକ୍ରମକୁ ବିଜେପି ତାଚ୍ଛଲ୍ୟ କରିଛି। ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗର କର୍ମଚାରୀଙ୍କୁ ନିୟୋଜିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ଏ ସମ୍ପର୍କରେ ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି, “ବିଜୁ ଶତବାର୍ଷିକୀରେ ମାନବଶୃଙ୍ଖଳ କରିବ ବିଜେଡି। ଏଥିରେ ଅଙ୍ଗନୱାଡ଼ି କର୍ମୀ, ହେଲପର, ଆଶା କର୍ମୀ, ସମବାୟ ସମିତି ଦାୟିତ୍ୱରେ ଥିବା ଅଧିକାରୀମାନେ ସାମିଲ ହେବାକୁ ରାଜ୍ୟର ସବୁ ବ୍ଲକ ପାଖକୁ ଚିଠି ଆସିଛି। ଏହି ଚିଠି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପଠାଉଛି। ସରକାରଙ୍କ ଏପରି ନିର୍ଦ୍ଦେଶକୁ ଆମେ ବିରୋଧ କରୁଛୁ।”

ସେ ଆହୁରି କହିଛନ୍ତି,“ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ସ୍କୁଲର ରୌପ୍ୟ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର କାର୍ଯ୍ୟକ୍ରମ ହେବା ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାମାକ୍ଷାନଗରକୁ ବଦଳି କରାଗଲା। ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଅତିଥି ଚୟନ କରାଯାଇପାରିବ ନାହିଁ ବୋଲି ସ୍କୁଲ ଗୁଡ଼ିକୁ ଚିଠି ଗଲା। ଏହା ସ୍କୁଲ ପରମ୍ପରାକୁ ଭଙ୍ଗ କରୁଛି। ଢେଙ୍କାନାଳ ଜିଲ୍ଲାପାଳ ତୃତୀୟ ମହଲାର ନିର୍ଦ୍ଦେଶରେ ଏପରି କରିଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।”

Previous ArticleNext Article

Send this to a friend