ଡେକୋରେଟିଂ ପଥର ଶିଳ୍ପରେ ବାଧକ ସାଜିଛି ସରକାରୀ କଟକଣା

stone-2ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବଉଳଗଡ଼ିଆ ଅଞ୍ଚଳରେ କଳା ମୁଗୁନି ପଥର କାରିଗରମାନେ ୫୦୦ରୁ ଅଧିକ ବର୍ଷ ହେବ ବଂଶାନୁକ୍ରମେ ଏହାକୁ ବୃତ୍ତି ଭାବେ ଗ୍ରହଣ କରିଆସିଛନ୍ତି। ଏଥିରୁ ଯାହା ରୋଜଗାର କରୁଛନ୍ତି ସେଥିରେ ସେମାନଙ୍କର ତେଲ ଲୁଣର ସଂସାର ଚଳୁଛି। ହେଲେ ଏବେ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ସରକାରୀ କଟକଣା। ପଥର ଉପରେ ସରକାର କଟକଣା ଲଗାଇବା ପରେ ଏହାକୁ କୌଳିକ ବୃତ୍ତି କରିଥିବା ଏହି ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି କଟକଣା ପରେ ଆଗପରି ଆଉ ପଥର ମିଳୁନାହିଁ। ତଥାପି ସେମାନେ ହାର ମାନି ନାହାନ୍ତି। ନିଜସ୍ୱ ଉଦ୍ୟମରେ ନୀଳଗିରିର ବିଷ୍ଣୁପୁର, ମୟୂରଭଞ୍ଜର ଖିଚିଂ ଓ କେନ୍ଦୁଝର ଅଞ୍ଚଳରୁ ପଥର ସଂଗ୍ରହ କରି ନିଜ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି।

ଡେକୋରେଟିଂ ପଥରକୁ ମାଇନ୍ସ ଆକ୍ଟରେ ସାମିଲ ନ କରିବା ପାଇଁ କାରିଗରମାନେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପାଖରେ ବହୁବାର ଦାବି କରିଛନ୍ତି। ହେଲେ କେବଳ ପ୍ରତିଶ୍ରୁତି ମିଳୁଛି। ପରେ ସରକାର ଭୁଲି ଯାଉଛନ୍ତି ବୋଲି କାରିଗରମାନେ ଅଭିଯୋଗ କରନ୍ତି। ଏବେ ଶୁଣିବାକୁ ମିଳୁଛୁ ଉତ୍କଳିକା ମାଧ୍ୟମରେ ସରକାର କାରିଗରଙ୍କୁ ଡେକୋରେଟିଂ ପଥର ଯୋଗାଇବେ। ତେବେ ସମୟ କହିବ ସରକାରଙ୍କ ଏହି  ନିୟମ କେତେ ଦୂର କାର୍ଯ୍ୟକାରୀ ହେବ।

ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାଣ୍ୟର ପାଦଦେଶରେ ରହିଛି ବଉଳଗଡ଼ିଆ ଗ୍ରାମ। ଏଠାରେ ପ୍ରଚୁର ପରିମାଣରେ କଳା ମୁଗୁନି ପଥର ମିଳୁଥିବାରୁ ଲୋକେ ଏଥିରେ ବିଭିନ୍ନ ଜିନିଷ (ପେଶା, ଶିଳ, ଶିଳପୁଆ, ଥାଳି, ପ୍ଲେଟ୍‌, ଗଡ଼ୁ, ଗ୍ଲାସ୍‌, ପଥୁରୀ, ଗିନା, ଦୀପ, ଧୂପଦାନୀ) ତିଆରି କରିଥାନ୍ତି। ବଜାର ସୁବିଧା ନ ଥିବାରୁ କାରିଗରମାନେ ଭାରରେ ବୋହି ଗାଁ ଗାଁ ବୁଲି ଏହାକୁ ବିକ୍ରି କରୁଥିଲେ। ଏପରିକି ବିଭିନ୍ନ ମେଳା ଓ ମହୋତ୍ସବରେ ଏହି ପଥର ସାମଗ୍ରୀର ବହୁ ଚାହିଦା ରହୁଥିଲା। ପଥର ତିଆରି ସାମଗ୍ରୀର ଚାହିଦା ବୃଦ୍ଧିକୁ ଲକ୍ଷ୍ୟ କରି ୧୯୫୫ ମସିହାରେ କେତେକ କାରିଗର ଗଢ଼ିଥିଲେ ବଉଳଗଡିଆ ପ୍ରସ୍ତର ଶିଳ୍ପ ସମବାୟ ସମିତି। ଏହି ସମିତିରେ ୧୪୪ ଜଣ ସଦସ୍ୟ ଥିଲେ, ଏବେ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଏମାନଙ୍କ ଅଧୀନରେ ୨୦୦୦ରୁ ଊର୍ଦ୍ଧ୍ୱ କାରିଗର ରାଜ୍ୟ ତଥା ଦେଶ ବାହାରେ କାମ କରୁଛନ୍ତି। ଭଲ ରୋଜଗାର ମଧ୍ୟ କରୁଛନ୍ତି। ଏଠାରେ କାର୍ଯ୍ୟରତ ଜଣେ ଏ-ଗ୍ରେଡ୍‌ କାରିଗର ମାସିକ ୧୫,୦୦୦ରୁ ୨୦,୦୦୦ ଟଙ୍କା ଓ ସି-ଗ୍ରେଡ୍‌ର କାରିଗର ୮୦୦୦ରୁ ୯୦୦୦ ଟଙ୍କା ରୋଜଗାର କରୁଛନ୍ତି। ଏହାଛଡ଼ା କେତେକ ସଦସ୍ୟଙ୍କ ଅଧୀନରେ ବହୁ କାରିଗର କାମ କରି ପରିବାର ଚଳାଉଛନ୍ତି। ପ୍ରତିମାସ ବଉଳଗଡ଼ିଆରୁ ଲକ୍ଷାଧିକ ଟଙ୍କାର ପଥର ବାସନ୍‌ ଓ ମୂର୍ତ୍ତି ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଛି।

stoneସମୟ ସହିତ ତାଳ ଦେଇ ପଥର କାରିଗରମାନେ ସେମାନଙ୍କ ନିର୍ମାଣ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। ଏବେ ପ୍ରଯୁକ୍ତିବିଦ୍ୟାକୁ ବିନିଯୋଗ କରି କାରିଗରମାନେ ମୂର୍ତ୍ତି ତିଆରି କରୁଛନ୍ତି। ପ୍ରଥମ କରି ଶରତ ଚନ୍ଦ୍ର ନାୟକ ଓ ସଦାଶିବ ମଢୁଆଳ ମୂର୍ତ୍ତି ତିଆରି ସମ୍ପର୍କରେ ତାଲିମ୍‌ ନେବା ପାଇଁ ଭୁବନେଶ୍ୱର ଯାଇଥିଲେ। ସେଠାରୁ ତାଲିମ୍‌ ନେଇ ସେମାନେ ବଉଳଗଡିଆ ଫେରି ଅନ୍ୟ କାରିଗରମାନଙ୍କୁ ଏ ନେଇ ତାଲିମ୍‌ ଦେଇଥିଲେ। ଅନ୍ୟ କାରିଗରମାନ ଅତି ଆଗ୍ରହର ସହ ତାଲିମ୍‌ ନେଇ ବଉଳଗଡ଼ିଆ ପାଇଁ ସୁନାମ ଆଣିଛନ୍ତି।

ପଥର ଶିଳ୍ପର ଚାହିଦାକୁ ଦେଖି ରାଜ୍ୟ ସରକାର ୧୯୭୮ ମସିହାରେ ବଉଳଗଡ଼ିଆ ପ୍ରସ୍ତର ଶିଳ୍ପ ତାଲିମ୍‌ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ମାଟ୍ରିକ୍‌ ପାସ୍‌ ଓ ଏହାଠାରୁ କମ ପଢିଥିବା ୧୦ ଜଣ ଛାତ୍ରଙ୍କୁ ମନୋନୀତ କରାଯାଇ ତାଲିମ୍‌ ଦିଆଯାଇଥାଏ।

ଏ ସମ୍ପର୍କରେ ବଉଳଗଡ଼ିଆ ପ୍ରସ୍ତର ଶିଳ୍ପ ସମବାୟ ସମିତି ସଭାପତି ଯୁଧିଷ୍ଠିର ପ୍ରଧାନ କୁହନ୍ତି,“ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଅଧିକ ପାଠ ପଢ଼ି ପାରିଲିନି। ସପ୍ତମ ପାସ୍‌ ପରେ ପଥର କାମ କରୁଥିଲି। ୧୯୭୮ ମସିହାରେ ମୁଁ ବଉଳଗଡ଼ିଆ ପସ୍ତର ଶିଳ୍ପ ତାଲିମ୍‌ କେନ୍ଦ୍ରରେ ତାଲିମ୍‌ ନେଇ ଆଜି ମୂର୍ତ୍ତି ତିଆରି କରୁଛି। ମୁଁ ଗୁଜରାଟର ଜୈନ ମନ୍ଦିର ସହ ବିଭିନ୍ନ ସ୍ଥାନରେ ଏକାଧିକ ମନ୍ଦିରରେ କାମ କରିଛି।”

ସେ ଆହୁରି କହିଛନ୍ତି,“ଆମ ସାମଗ୍ରୀର ୭୦% ଏଠାରେ ବିକ୍ରି ହୋଇଥାଏ। ଦୂରଦୂରାନ୍ତରୁ ଲୋକେ ଆସି ଏହି ସାମଗ୍ରୀ ନେଇଯାଉଛନ୍ତି। ଏଥିପାଇଁ କିଛି ଅସୁବିଧା ହେଉନି। ପଥର ମିଳିବା ଏବେ ସମସ୍ୟା ପାଲଟିଛି। ଆଗପରି ଆଉ ପଥର ମିଳୁନି। ବେଡ଼ି ଉପରେ କୋରାଡ଼ା ପରି ସରକାରଙ୍କ ପ୍ରତିବନ୍ଧକ ଆମ ହାତକୁ ବାନ୍ଧି ଦେଇଛି। ସରକାର ଯଦି ଡେକୋରେଟିଂ ପଥରକୁ ମାଇନ୍ସ ଆକ୍ଟରୁ ବାଦ ଦିଅନ୍ତେ ତାହା ହେଲେ ଆମର ଆର୍ଥିକ ସ୍ଥିତିର ଉନ୍ନତି ହୁଅନ୍ତା ଏବଂ ବହୁ କାରିଗର ସୃଷ୍ଟି ହୋଇପାରନ୍ତେ।”

Previous ArticleNext Article

Send this to a friend