ନାଟକ ପାଇଁ ସମର୍ପିତ ସୁବାସ

subash

subashଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ସ୍କୁଲ୍ ଓ କଲେଜ୍‌ରେ ପଢ଼ିବା ବେଳେ ସେ ନାଟକରେ ଅଭିନୟ କରୁଥିଲେ। ପରେ ନାଟକ ମାଧ୍ୟମରେ ସମାଜସେବା କରିବା ପାଇଁ ସେ ନିଜକୁ ସମର୍ପିତ କରି ଦେଇଛନ୍ତି। ସେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଯୁବ ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନ। ସେ ନାଟକ ଲେଖନ୍ତି, ନିର୍ଦ୍ଦେଶନା ଦିଅନ୍ତି ଓ ଅଭିନୟ ବି କରନ୍ତି।

୧୯୯୩ରେ ବେଲପାହାଡ଼ର କିଛି ନାଟକ ପ୍ରେମୀ ଯୁବକ ଗଠନ କରିଥିଲେ ‘ମିରର ଥିଏଟର୍’। ସେମାନଙ୍କ ସହିତ ସୁବାସ ମଧ୍ୟ ସାମିଲ ହୋଇଥିଲେ। ସେବଠାରୁ ଏହି ଥିଏଟର ଗ୍ରୁପ୍‌ରେ କାମ କରି ଆସୁଛନ୍ତି ସେ। ସୁବାସ ନାଟକରେ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନାହାନ୍ତି। ତାଙ୍କ ପାଖରେ ଏନେଇ ଡିପ୍ଲୋମା ବା ଡିଗ୍ରୀ ସାର୍ଟିଫିକେଟ୍ ନାହିଁ। କିନ୍ତୁ ନାଟକ ସଂପର୍କିତ ଅନେକ କର୍ମଶାଳାରେ ଯୋଗ ଦେବାର ସୁଯୋଗ ପାଇଛନ୍ତି ସେ। ଥିଏଟରର ଅନେକ ଟେକ୍‌ନିକ୍ ସେ ଏହି କର୍ମଶାଳାଗୁଡ଼ିକରୁ ଶିଖିଛନ୍ତି। ୧୯୯୩ରେ ‘ମିରର ଥିଏଟର’ ଗଢ଼ିବା ପରେ ସେ ଯୋଡ଼ି ହୋଇଥିଲେ ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକଙ୍କ ‘ନାଟ୍ୟ ଚେତନା’ ସହିତ। ସୁବୋଧ ପଟ୍ଟନାୟକଙ୍କୁ ସେ ନିଜର ଗୁରୁ ଓ ଆଦର୍ଶ ମାନନ୍ତି। ତାଙ୍କଠାରୁ ସେ ନାଟକ ସଂପର୍କରେ ବହୁତ କିଛି ଶିଖି ପାରିଛନ୍ତି ବୋଲି କହନ୍ତି ସୁବାସ।

୧୯୭୩ରେ ବେଲପାହାଡ଼ରେ ଜନ୍ମ ହୋଇଥିବା ସୁବାସ ଏଯାବତ ୨୨ଟି ନାଟକ ଲେଖିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି। ଏଗୁଡ଼ିକ ସବୁ ରାଜ୍ୟ ଓ ରାଜ୍ୟ ବାହାରେ ମଞ୍ଚସ୍ଥ ହୋଇସାରିଛି। ୨୦ଟି ନାଟକରେ ସେ ନିଜେ ଅଭିନୟ ମଧ୍ୟ କରିଛନ୍ତି।

ସୁବାସଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଲାଲ ପାଏନ୍’, ‘ପାଚେନ୍’, ‘ବରଖା ଦଦା’, ‘ଦ୍ୱିତୀୟ ଗାନ୍ଧୀ’, ‘ଭାତ୍ ମୁଠେ’ ଓ ‘ଝାଏଁରେ’। ନାଟକ ପ୍ରେମୀଙ୍କ ମଧ୍ୟରେ ‘ଲାଲ ପାଏନ୍’ ଏକ ଜଣାଶୁଣା ନାଟକ। ସୁବାସଙ୍କ ଏହି ନାଟକଟି ବର୍ତ୍ତମାନ ସୁଦ୍ଧା ୯୩ ଥର ମଞ୍ଚସ୍ଥ ହୋଇସାରିଛି। ଦିଲ୍ଲୀ, ବନାରସ ସହିତ ରାଜ୍ୟ ବାହାରେ ବି ଏହି ନାଟକ ମଞ୍ଚସ୍ଥ ହୋଇଛି ଓ ଅନେକ ପ୍ରଶଂସା ଗୋଟାଇଛି। ଏହି ନାଟକର କାହାଣୀ ହୀରାକୁଦ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖଦୁର୍ଦ୍ଦଶାକୁ ନେଇ ଲେଖାଯାଇଛି।

ସୁବାସଙ୍କ ନାଟକରେ ସମ୍ବଲପୁରୀ ଲୋକକଳା ଓ ଲୋକସଂସ୍କୃତି ଦେଖିବାକୁ ମିଳେ। ବିଶେଷ କରି ପଶ୍ଚିମ ଓଡ଼ିଶା ଲୋକଙ୍କ ସମସ୍ୟା ଉପରେ ତାଙ୍କ ନାଟକ ପର୍ଯ୍ୟବସିତ। କେବଳ ଲୋକଙ୍କ ସମସ୍ୟାକୁ ନେଇ ସେ ନାଟକ ଲେଖନ୍ତି ନାହିଁ, ସମସ୍ୟାର ସମାଧାନ କରିବାକୁ ଓ ନିଜର ହକ୍ ପାଇଁ ଲଢ଼ିବାକୁ ଲୋକଙ୍କୁ ଉତ୍ସାହିତ କରିବା ଭଳି ନାଟକ ବି ସେ ଲେଖନ୍ତି। ସେମିତି ଏକ ନାଟକ ହେଉଛି ‘ପାଚେନ୍’। ‘ପାଚେନ୍’ର ଅର୍ଥ ହେଉଛି ପାଞ୍ଚଣ। ଏହି ନାଟକଟି ନିକଟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା। ଏଥିରେ ସୁବାସ ଚାଷୀମାନଙ୍କୁ ଆତ୍ମହତ୍ୟା ନ କରି ନିଜ ହକ୍ ପାଇଁ ଲଢ଼ିବାକୁ ବାର୍ତ୍ତା ଦେଇଛନ୍ତି। ସେ କହନ୍ତି,“ଯଦି ଡାକ୍ତରମାନେ ନିଜର ହକ୍ ପାଇଁ ସମୂହ ଛୁଟିରେ ଯାଇ ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ପକାଇ ପାରୁଛନ୍ତି ତା’ହେଲେ କୃଷକମାନେ କାହିଁକି ସେମାନଙ୍କର ହକ୍ ପାଇଁ ଏକାଠି ହୋଇ ସରକାରଙ୍କ ଉପରେ ଚାପ ପକାଇ ପାରିବେ ନାହିଁ। କେହି ସେମାନଙ୍କ କଥା ନ ଶୁଣିଲେ ସେମାନେ ଅମଳ କରୁଥିବା ଶସ୍ୟରୁ କାଣିଚାଏ ବି ବିକ୍ରି କରିବେନି। ହୁଏତ ଏଥିଯୋଗୁଁ କାହାର ଝିଅ ବାହାଘର କରିବାରେ ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଇପାରେ। କିନ୍ତୁ ତାହା ଅସ୍ଥାୟୀ ସମସ୍ୟା। ଚାଷୀମାନେ ସାମୂହିକ ଭାବେ ଏଭଳି ଉଦ୍ୟମ କଲେ ସେମାନଙ୍କ କଥା ସରକାରଙ୍କ ପାଖରେ ପହଞ୍ଚି ପାରିବ। ଚାଷୀମାନେ ଆମର ଅନ୍ନଦାତା। ସେମାନେ କାହିଁକି ଆତ୍ମହତ୍ୟା କରିବେ?”

ନିଜ ନାଟ୍ୟକାର ଜୀବନକୁ ନେଇ ଖୁସି ଅଛନ୍ତି ସୁବାସ। ନାଟକ ତାଙ୍କର ନିଶା ଓ ପେଶା। ସେ ଏଥିରୁ ଚଳନ୍ତି। ତାଙ୍କ ଥିଏଟର ଗ୍ରୁପ୍ ବର୍ଷରେ ପ୍ରାୟ ୩୦ରୁ୪୦ଟି ନାଟକ ମହୋତ୍ସବରେ ଭାଗ ନେଉଛି। ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ହେଉଥିବା ନାଟକ ମହୋତ୍ସବଗୁଡ଼ିକରେ ତାଙ୍କ ଗ୍ରୁପ୍ ଭାଗ ନେଉଛି।

ବର୍ତ୍ତମାନ ନାଟକର ସ୍ଥିତି ସଂପର୍କରେ ମତାମତ ଦେଇ ସେ କହନ୍ତି,“ପଶ୍ଚିମ ଓଡ଼ିଶାରେ ନାଟକର ସ୍ଥିତି ସୁଦୃଢ଼। ରାଉରକେଲା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡି ସମେତ ପୂରା ପଶ୍ଚିମ ଓଡ଼ିଶାରେ ୧୦ଟି ଜିଲ୍ଲାରେ ବର୍ଷକୁ ଅନେକ ନାଟକ ମହୋତ୍ସବ ଆୟୋଜିତ ହେଉଛି। କେବଳ ରାଉରକେଲାରେ ସାତ ଆଠଟି ନାଟକ ମହୋତ୍ସବ ଅନୁଷ୍ଠିତ ହେଉଛି। ଏହା ଆମକୁ ଖୁବ୍ ଉତ୍ସାହିତ କରୁଛି।”

୧୯୯୩ରୁ ନାଟକ କରି ଆସୁଥିଲେ ହେଁ ନାଟକକୁ ନେଇ ସ୍ୱପ୍ନ ଦେଖିବା ବନ୍ଦ ହୋଇନାହିଁ ସୁବାସଙ୍କର। ନାଟକ ମାଧ୍ୟମରେ ସେ ସମାଜର ସେବା କରି ଚାଲିବେ ବୋଲି କହିଛନ୍ତି।

Previous ArticleNext Article

1 Comment

Send this to a friend