ନୟମଗିରିରେ ବିଜୟ ଉତ୍ସବ ପାଳିଲେ ଡଙ୍ଗରିଆ କନ୍ଧ

nayamgiri

niyamgiri-2ଲାଞ୍ଜିଗଡ/କଲ୍ୟାଣସିଂହପୁର: ନିୟମଗିରିରେ ଖଣି ଖନନ ପାଇଁ ପୁଣିଥରେ ଗ୍ରାମସଭା କରାଇବାକୁ ଓଏମ୍‌ସିର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ନିୟମଗିରିରେ ବିଜୟ ଉତ୍ସବ ପାଳିଛନ୍ତି ଆଦିବାସୀ ଡଙ୍ଗରିଆ କନ୍ଧ। ଗାଁ ଦେବୀ ଧରନୀ ଖୁଟିରେ ପୂଜାର୍ଚ୍ଚନା ସହ ନାଚଗୀତରେ ମସଗୁଲ ହୋଇଯାଇଛନ୍ତି ଡଙ୍ଗରିଆ ଓ ଝରଣିଆ ପ୍ରଜାତିର ଆଦିବାସୀ। ଏହାସହ ଏ ବିଜୟ ନିୟମରାଜାର, ଏହି ବିଶ୍ୱାସ ନେଇ ଏବେ ସବୁ ଆଦିବାସୀ ଖୁସି ମନାଇଛନ୍ତି।

ଏନେଇ ନିୟମଗିରି ସୁରକ୍ଷା ସମିତି ସଭାପତି କୁମୁଟି ମାଝୀ କହିଛନ୍ତି, “ନିୟମଗିରିରେ ଖଣି ଖନନ ପାଇଁ ଗ୍ରାମସଭା କରେଇବା ନେଇ ଓଏମ୍‌ସିର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ନେଇ ରାତିରେ ଆମକୁ ଫୋନ୍‌ ଆସିଲା। ଏହାସହ ନିୟମରାଜା ମଧ୍ୟ ଆମକୁ ସ୍ୱପ୍ନ ଦେଲା। ଏହା ଆମ ପାଇଁ ଏକ ଖୁସିର କଥା।”

ସୂଚନାଯୋଗ୍ୟ,୨୦୧୩ରେ ନିୟମଗିରି ଅଞ୍ଚଳରେ ୧୨ଟି ଗ୍ରାମସଭା ହୋଇଥିଲା। ତେବେ ସବୁ ଗ୍ରାମସଭାରେ ନିୟମଗିରିରୁ ଖଣି ଖନନ ହେଲେ ସ୍ଥାନୀୟ ଆଦିବାସୀଙ୍କ ଧାର୍ମିକ ଭାବନା ଆଘାତ ହେବ ‍ବୋଲି ମତ ପ୍ରକାଶ ପାଇଥିଲା। ଏହାପରେ ନିୟମଗିରିରୁ ଖଣି ଖନନ ପାଇଁ ବେଦାନ୍ତକୁ ଅନୁମତି ଦେଇ ନ ଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ।

ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ବେଦାନ୍ତକୁ ବି ଝଟକା ଦେଇଛି। ତେବେ ଜିଲ୍ଲାରେ ଶିଳ୍ପାୟନ ପାଇଁ ବେଦାନ୍ତକୁ ବିକଳ୍ପ ଖଣି ଦେବା ପାଇଁ ଦାବି ହୋଇଛି।

ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ କହିଛନ୍ତି,“ଏନେଇ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବେ। ରାଜ୍ୟର ବହୁ ଜିଲ୍ଲାରେ ବହୁ ଖଣି ରହିଛି, ଯାହାର ସଦ୍‌ବିନିଯୋଗ କରାଯିବ। ଏହାଦ୍ୱାରା ଜନସାଧାରଣଙ୍କର ଉନ୍ନତି ହେବା ସହ ବେଦାନ୍ତ ମଧ୍ୟ ଉପକୃତ ହେବ।”

୨୦୧୩ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଗ୍ରାମସଭା ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଏମ୍‌ସି। ତେବେ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଉଥରେ ଗ୍ରାମ କରାଇବା ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

Previous ArticleNext Article

Send this to a friend