ଘରେ ବନାନ୍ତୁ ଚିଲି କୋବି

kobi

ଶୀତଦିନରେ ପରିବାର ଦର ଅନ୍ୟ ଦିନ ଅପେକ୍ଷା କମ୍‌ ଥାଏ। ଏହି ଦିନରେ ପ୍ରାୟ ସବୁ ପରିବା ବଜାରରେ ଅଳ୍ପଦରରେ ମିଳିଥାଏ। ସେଥିପାଇଁ ଲୋକେ ଶୀତ ଦିନରେ ବିଭିନ୍ନ ପ୍ରକାର ଆଇଟମ୍‌ ତିଆରି କରି ଖାଇଥାନ୍ତି। ଶୀତଦିନରେ  ଗରମ ଗରମ ଚିଲି ଆଇଟମ୍ ଖାଇବାର ମଜା ଅଲଗା ହୋଇଥାଏ। ଆସନ୍ତୁ ଜାଣିବା କିପରି ତିଆରି ହୋଇଥାଏ ଚିଲି କୋବି।

ଆବଶ୍ୟକ ସାମଗ୍ରୀ- ଫୁଲକୋବି, ତେଲ, କନଫ୍ଲୋର ପାଉଡର, ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌, ଚାଇନିଜ୍‌ ସଲ୍ଟ, ଲୁଣ, ହଳଦୀ, ଲଙ୍କା, ଜିରା ଓ ଧନିଆ ପାଉଡର, ଅଦା, ରସୁଣ ଓ ପିଆଜ ପେଷ୍ଟ, କଞ୍ଚା ଲଙ୍କା, କ୍ୟାପସିକମ୍‌, କଲର ପାଉଡର, ଧନିଆ ପାଉଡର, ମସରୁମ୍ ମସଲା, କରି ପାଉଡର, ଗରମ ମସଲା, ପିଆଜ ଓ ରସୁଣ କଟ୍‌ପିସ୍‌।

ପ୍ରସ୍ତୁତି ପ୍ରଣାଳୀବଜାରରୁ ଗୋଟିଏ ଫୁଲକୋବି କିଣି ଆଣନ୍ତୁ। ତାକୁ ପାଖୁଡ଼ା ପାଖୁଡା କରି କାଟି ଦିଅନ୍ତୁ। ଏହା ପରେ ତାକୁ ହଳଦୀ ପାଣିରେ ଧୋଇ ପ୍ଲେଟ୍‌ରେ ରଖନ୍ତୁ। ଏକ ଗିନାରେ କନଫ୍ଲୋର ପାଉଡର ଆଣନ୍ତୁ। ସେଥିରେ ଅଦା,ରସୁଣ ଓ ପିଆଜର ପେଷ୍ଟ ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ।  ଲଙ୍କା, ଜିରା ଓ ଧନିଆ ପାଉଡର ପକାନ୍ତୁ। ଟମାଟୋ ସସ୍‌, ଚିଲି ସସ୍‌ ଓ ସୋୟା ସସ୍‌ ମଧ୍ୟ ପକାନ୍ତୁ। ପରେ ସେଥିରେ ଅଳ୍ପ ପାଣି  ଓ କଲର ପାଉଡର ପକାଇ ଭଲ ଭାବେ ଗୋଳାନ୍ତୁ। ଧ୍ୟାନ ଦେବେ ଏହି ମିଶ୍ରଣ ଯେପରି ପାଣିଆ ନ ହେବ। ପରେ ସେଥିରେ କିଛି ଚାଇନିଜ୍‌ ସଲ୍ଟ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ପେଷ୍ଟକୁ କିଛି ସମୟ ରଖି ଦିଅନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ। କନଫ୍ଲୋର ଗୋଳା ଫୁଲ କୋବି ପେଷ୍ଟକୁ ଛାଣନ୍ତୁ। ଲାଲ୍‌ ହୋଇଯିବା ପରେ ତାକୁ ଏକ ପ୍ଲେଟରେ କାଢ଼ି ଦିଅନ୍ତୁ।

ଏହି କାମଟି ସରିଯିବା ପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ସ୍ଲାଇଟ୍‌ ଚିନି ପକାନ୍ତୁ। ଚିନି ଲାଲ ହୋଇଆସିବା ବେଳକୁ ସେଥିରେ କଟା ହୋଇଥିବା ପିଆଜ ପକାନ୍ତୁ (ପିଆଜଗୁଡ଼ିକୁ ବଡ଼ ବଡ଼ କରି କାଟିବେ)। ପିଆଜକୁ ଲାଲ କରନ୍ତୁ ନାହିଁ। ଏହା ଟିକେ କଞ୍ଚା ରହିବ। ସେଥିରେ ଅଦା, ରସୁଣ ଓ ପିଆଜ ପେଷ୍ଟ ପକାନ୍ତୁ। ତାକୁ ଅଳ୍ପ ସମୟ ଚଲାନ୍ତୁ। ପରେ ସେଥିରେ ଛୋଟ ଛୋଟ ପିସ୍‌ ରସୁଣ ଓ ଲମ୍ବା ଲମ୍ବା ହୋଇ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ। କଟା ହୋଇଥିବା କ୍ୟାପ୍‌ସିକମ୍‌ ମଧ୍ୟ ପକାନ୍ତୁ। ତା’ପରେ ମସ୍‌ରୁମ୍‌ ପାଉଡର ଓ କରି ମସଲାକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ମନେ ରଖନ୍ତୁ ବେଶୀ ସମୟ ମସଲା କଷିବେ ନାହିଁ। ମସଲା ହୋଇ ଆସିବା ବେଳକୁ ଚାଇନିଜ ସଲ୍ଟ, ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍‌ ପକାନ୍ତୁ। ଧନିଆ ପାଉଡର, ଲଙ୍କା ପାଉଡର ଓ ଜିରା ପାଉଡର ପକାଇ ଭଲ ଭାବରେ ଗୋଳାନ୍ତୁ। ଅଳ୍ପ ଗରମ ମସଲା ମଧ୍ୟ ପକାନ୍ତୁ। ପରେ ଛଣା ଯାଇଥିବା କୋବିକୁ ସେଥିରେ ପକାଇ ଗୋଳାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ଅଳ୍ପ ସମୟ ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଚିଲି କୋବି ।

ଯଦି ଚିଲି କୋବି ପ୍ଲେଟ୍‌କୁ ଆପଣ ସଜାଇବାକୁ ଚାହୁଁଥିଲେ ଧନିଆ ପତ୍ର ଦେଇ ଚିଲି କୋବି ପ୍ଲେଟ୍‌କୁ ସଜାନ୍ତୁ।

 

 

 

 

 

Previous ArticleNext Article

Send this to a friend