ଜେଲ୍‌ରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ କୋର୍ଟରେ ସୁଶାନ୍ତ ଧଳସାମନ୍ତଙ୍କ ଅଭିଯୋଗ

sushanta-dhalasamanta

sushanta-dhalasamantaକଟକ: ଜେଲ୍‌ରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଆଜି କଟକ ଏସ୍‌ଡିଜେଏମ୍ କୋର୍ଟରେ ଅଭିଯୋଗ କରିଛନ୍ତି ସୁଶାନ୍ତ ଧଳସାମନ୍ତ। ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ଏକ ରୁମ୍‌ରେ ବନ୍ଦ କରି ରଖାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ତେବେ ଲିଖିତ ଭାବେ ଅଭିଯୋଗ କରିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁଶାନ୍ତ ଧଳସାମନ୍ତ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗ ଆଧାରରେ ଷ୍ଟାଟସ୍ ରିପୋର୍ଟ ଦେବାକୁ କୋର୍ଟ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଥିବା ସୁଶାନ୍ତ ଧଳସାମନ୍ତଙ୍କୁ ଆଜି ଭିଡିଓ କନ୍‌ଫରେନ୍ସ ଯୋଗେ କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ସମ୍ଭବ ନ ହେବାରୁ ତାଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର କରାଯାଇଥିଲା। ଦୀପୁ ଓ ଓମ୍ ହତ୍ୟାକାଣ୍ଡ ସମେତ ୧୧ଟି ମାମଲାରେ ପୂର୍ବରୁ ସୁଶାନ୍ତ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଆଜି ଆଉ ୭ଟି ମାମଲାରେ ହାଜର କରାଯାଇଥିଲା। ମେ’ ୨୭ ତାରିଖରେ ତାଙ୍କୁ ପୁଣି ହାଜର କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁଶାନ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି,“ଆଜି ୭ଟି ମାମଲାରେ ସୁଶାନ୍ତ ଧଳସାମନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମେ’ ୨୭ ତାରିଖରେ ପୁଣି ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ଗୋଟିଏ ମାମଲାକୁ ଛାଡ଼ି ଦେଲେ ଅନ୍ୟ କୌଣସି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇନାହିଁ। ତେବେ ଆଜି ସୁଶାନ୍ତ କୋର୍ଟରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜେଲ୍‌ରେ ମାନସିକ ନିର୍ଯାତନା ଦିଆଯାଉଛି। ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜେଲ୍‌ରେ ଗୋଟିଏ ରୁମ୍‌ରେ ଚାବି ପକାଇ ରଖାଯାଉଛି। ଏହା ଶୁଣିବା ପରେ ଲିଖିତ ଭାବେ ଅଭିଯୋଗ କରିବାକୁ କୋର୍ଟ କହିଥିଲେ।”

ସେ କହିଛନ୍ତି,“ଜଣେ ମଣିଷ ସୁସ୍ଥ ଭାବେ ବଞ୍ଚିବା ପାଇଁ ଏକ ମୁକ୍ତ ବାତାବରଣର ଆବଶ୍ୟକତା ରହିଛି। ସୁଶାନ୍ତ ଧଳସାମନ୍ତ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନାହିଁ। ତେଣୁ ତାଙ୍କୁ ନିବୁଜ କଠୋରୀ ମଧ୍ୟରେ ରଖିବା ଯୁକ୍ତିଯୁକ୍ତ ନୁହେଁ।”

ସୁଶାନ୍ତଙ୍କ ସାନ ଭାଇ ସୁଶୀଲ ଧଳସାମନ୍ତଙ୍କୁ ଆଜି ଭିଡିଓ କନ୍‌ଫରେନ୍ସ ଜରିଆରେ କଟକ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ବାଲେଶ୍ୱର ଜେଲ୍‌ରେ ରଖାଯାଇଛି।

Previous ArticleNext Article

Send this to a friend