Advertisment

ଅନ୍ୟ ଜାତିରେ ବାହା ହୋଇଥିଲା ଝିଅ, ମଲାପରେ ମା’ ପାଇଲା ଶାସ୍ତି

ଲକ୍ଷ୍ମୀଙ୍କ ମୃତଦେହ ନିକଟରେ ତାଙ୍କ ପୁଅ ହିଁ ବସି ରହିଥିଲା।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ଅନ୍ଧାରୀଗଳିରେ ବଞ୍ଚୁଛି ମଣିଷ।  ଆଜି ବି ଜାତିପ୍ରଥାକୁ ଜାବୁଡ଼ି ଧରିଛି। ଏହି ଜାତି ପ୍ରଥା ପାଇଁ କେତେ ଯେ ସଂସାର ଭାଙ୍ଗି ଯାଉଛି ତ ଆଉ କେତେ ଜଣଙ୍କୁ ମଲା ପରେ କାନ୍ଧ ଦେଉନାହାନ୍ତି ସମ୍ପର୍କୀୟ। ଏପରି ସମାନ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି ଗ୍ରାମବାସୀ। ୧୧ ଘଣ୍ଟା ମୃତଦେହ ପଡ଼ିରହିବା ପରେ ସମାଜସେବୀ ଯୁବକ ମାନଙ୍କ ସହାୟତାରେ ଶବ ସତ୍କାର କରାଯାଇଛି।

Advertisment

 ଖାତିଗୁଡା ଗ୍ରାମରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ରଙ୍କ ଝିଅ ଯମୁନା ପାତ୍ର ପାଇକ ଜାତିର ହୋଇଥିବା ବେଳେ ପ୍ରାୟ ପାଞ୍ଚବର୍ଷ ତଳେ ହରିଜନ ସମ୍ପ୍ରଦାୟର ପିତାମ୍ବର ହରିଜନକୁ ଭଲପାଇ ବିବାହ କରିଥିଲେ। ଯାହାକୁ ନିଜ ଜାତିର ଲୋକେ ବିରୋଧ କରୁଥିଲେ। ହଠାତ୍ ମାଆ ଲକ୍ଷ୍ମୀଙ୍କ ଦେହ ଅସୁସ୍ଥ ହେବାରୁ ଯମୁନା ଖବର ପାଇ ଘରକୁ ଦୌଡ଼ି ଆସିଥିଲେ। ନିଜ ଘରେ ରହି ମା’ର ସେବାଶୁଶ୍ରୁଷା କରି ଆସୁଥିଲେ। ବୁଧବାର ରାତିରେ ଲକ୍ଷ୍ମୀଙ୍କର ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଯମୁନା ଓ ତାଙ୍କ ଭାଇ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଯମୁନା ନିଜ ଘରକୁ ଆଣିଥିଲେ। ଅଜାତିରେ ବିବାହ କରିଥିବାରୁ ଶବ ଛୁଇଁଲେ କେହି ବିରୋଧ କରିବେ ଏହା ଜାଣି ସେଠାରୁ ଶ୍ୱଶୁର ଘରକୁ ଚାଲିଯାଇଥିଲେ।

ଲକ୍ଷ୍ମୀଙ୍କ ମୃତଦେହ ନିକଟରେ ତାଙ୍କ ପୁଅ ହିଁ ବସି ରହିଥିଲା। ମା’ର ମୃତଦେହ ନିକଟରେ ବସି କଇଁ କଇଁ ହୋଇ କାନ୍ଦୁଥିଲା। ହେଲେ କେହି ଗ୍ରାମବାସୀ ଲକ୍ଷ୍ମୀଙ୍କ ମୃତଦେହ ନିକଟକୁ ଆସିନଥିଲେ। ଝିଅ ହରିଜନ ଜାତିରେ ବାହା ହୋଇଥିବା ଓ ତା' ରନ୍ଧା ଖାଦ୍ୟ ମାଆ ଲକ୍ଷ୍ମୀ ଖାଉଥିଲା ବୋଲି ଜାତିପ୍ରଥା ଦେଖାଇ ସମ୍ପର୍କୀୟମାନେ ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ପ୍ରାୟ ୧୧ ଘଣ୍ଟା ଧରି ଶବ ପଡ଼ି ରହିଥିଲା। ଖବର ପାଇଁ ସ୍ଥାନୀୟ ସରପଞ୍ଚ ଓ ପୂର୍ବତନ ଜିଲ୍ଲା ପରିଷଦ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଗ୍ରାମବାସୀ ସେମାନଙ୍କ କଥା ଶୁଣି ନଥିଲେ। ଗ୍ରାମବାସୀ ମାନେ ଲକ୍ଷ୍ମୀଙ୍କ ଶବକୁ ଛୁଇଁବାକୁ ମନା କରିଦେଇଥିଲେ। ଶେଷରେ ସରପଞ୍ଚ ଓ ପୂର୍ବତନ ଜିଲ୍ଲା ପରିଷଦ କିଛି ସମାଜସେବୀ ଯୁବକଙ୍କୁ ଡାକିଥିଲେ। ତାଙ୍କ ସହାୟତାରେ ଲକ୍ଷ୍ମୀଙ୍କ ମୃତଦେହକୁ ନେଇ ଗାଁ ମଶାଣିରେ ଶବ ସତ୍କାର କରିଥିଲେ।

Advertisment
Deadbody Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe