ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ତେବେ ବହୁ ସମୟ ଧରି ଦୁର୍ଘଟଣାସ ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଅଟୋରେ ଶବକୁ ମେଡିକାଲ ପଠାଗଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।
ମୃତ ବ୍ୟକ୍ତି ଜଣକ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ I ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଅଟୋରେ ଶବକୁ ମେଡିକାଲ ପଠାଗଲା। ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ବ୍ଲକରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏପରି ବିକଳ ଚିତ୍ର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି।
ମହାଜନ ଓ ନୀଳମଣି ଏକ ବାଇକ୍ରେ ଯାଉଥିବା ବେଳେ ଅପର ପାର୍ଶ୍ୱରୁ ଖୁଣ୍ଟପାଲି ଗାଁର ପିଣ୍ଟୁ କୁମ୍ଭାର ଓ ଦେବାଶିଷ ବାରିକ ଏକ ବାଇକ୍ରେ ଆସୁଥିଲେ। ଖୁଣ୍ଟପାଲି ଗାଁ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଘଟଣାସ୍ଥଳରେ ହିଁ ମହାଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଉଭୟ ବାଇକରେ ଥିବା ୩ ଜଣ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ଖବର ପାଇ ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।