Advertisment

ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ; ବାଣ ବିସ୍ଫୋରଣ ଘଟି ୩ ମୃତ, ୩୦ ଆହତ

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ଜଣେ ନାବାଳକର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Blast

Blast

ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଛି ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିବା ଜଣାଯାଇଛି। 

Advertisment

ଗତ ରାତିରେ ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲିଥିବା ସମୟରେ ନୀତି ଦେଖିବାପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ଏହି 
ସମୟରେ ଦେବୀଘାଟ ନିକଟ ଦସତୁଠ ନିକଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ନିଆଁ ହୁଳା ଉପସ୍ଥିତ ଲୋକଙ୍କ ଉପରେ ପଡ଼ିବାରୁ ସେମାନେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ପାଣିକୁ ମଧ୍ୟ ଡେଇଁ ପଡିଥିଲେ ।  ବାଣ ପଡ଼ି  ସେଠାରେ ଉପସ୍ଥିତ ପ୍ରାୟ ୩୦ ଜଣ ଆତହତ ହୋଇଛନ୍ତି।

ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ଏବଂ ଭୁବନେଶ୍ୱର ଓ କଟକର ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣ ଫୁଟି ପୋଡ଼ି ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଛୋଟ ପିଲା ମଧ୍ୟ ଅଛନ୍ତି। କଟକରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଦୁଇ ଜଣ ଆଖି ବୁଜିଛନ୍ତି। 

Advertisment

ଗତ ରାତିରେ ଏପରି  ଅଚାନକ ବାଣ ଫୁଟିବାରୁ ହସଖୁସିର ପରିବେଶ ହଠାତ୍‌ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସମ୍ପର୍କୀୟମାନେ ଆହତଙ୍କୁ ଧରି ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା।

ଏନେଇ ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି, ଚନ୍ଦନ ଯାତ୍ରା ବେଳେ ଏପରି ଅଘଟଣ ଘଟିଛି। ଗୁରୁତରଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରଥମ କର୍ତ୍ତବ୍ୟ । ଏହାପରେ ଘଟଣାର ତଦନ୍ତ କରାଯିବ ।

ପୁରୀ ବାଣ ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ ଦୁଃଖ ପ୍ରକାଶ କରିଛନ୍ତି ନବୀନ। ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୋଷ୍ଟ କରିଛନ୍ତି ।

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଭାବନୀୟ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଶୋକସନ୍ତପ୍ତ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

Puri Crackers Blast