/odisha-reporter/media/post_attachments/uploadimage/library/16_9/16_9_0/lightning_1693750650.jpg)
lightning
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଏକ ଦମ୍ପତିଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣାଗୁଡ଼ିକ ଘଟିଛି। ଆଉ ଅଧିକାଂଶ ବିଲରେ କାମ କରୁଥିବା ବେଳେ ହିଁ ବିଜୁଳି ମାରିଛି।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ବିଲରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ। ସେମାନେ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିଥିଲା।
ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ସାହୁପଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମର ସେଠୀ (୨୯)। ସେହିଭଳି ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଚକ୍ରଧର ଦାସ (୫୮)। ଉଭୟରେ ବିଲରେ କାମ କରୁଥିବା ବେଳେ ବିଜୁଳି ମାରିଥିଲା।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁରେ ବଜ୍ରାଘାତରେ ହେମନ୍ତ ବାରିକଙ୍କ ମୃତ୍ୟୁ ଘଟିଥିବା ବେଳେ କାଣ୍ଡଗରଡ଼ି ପଞ୍ଚାୟତର ହିମାଂଶୁ ବାରିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
କେନ୍ଦ୍ରାପଡ଼ା ରାଜକନିକା ଥାନା ଗୁଆଳି ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ଥାନା ତୋଲଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧୁରୁଡ଼ିଆମ୍ବ ଗାଁରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀର ଜରିପଡ଼ା ପଞ୍ଚାୟତ ଟିକରା ଗାଁରେ ମଧ୍ୟ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି।
ବଜ୍ରପାତରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡ଼ିଶୋ ଗାଁରେ ହରି ବେହେରା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇର ଗୁଡ଼ିକଂସରେ ୨ ଜଣ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି।
ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଅସନଝର ପଞ୍ଚାୟତ ସୁନାଚରା ଗ୍ରାମରେ ଧାନ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁକାନ୍ତି ଯେନା।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମୁନୁପାଲି ଗାଁ ନିକଟ ମୁନୁବନ୍ଧରେ କୃଷି ଭିତ୍ତିକ ଉତ୍ସବ ପାଇଁ ପୂଜାର୍ଚ୍ଚନା ଚାଲିଥିଲା ବେଳେ ବିଜୁଳି ମାରିବାରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ବ୍ରଜପାତରେ ମୃତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୯ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହ ସେମାନଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
