Advertisment

ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ

ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ

author-image
Hemant Lenka
Train

Train

ହସ ଖୁସିରେ ଟ୍ରେନରେ ଯାତ୍ରା କରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସମସ୍ତେ ଅପେକ୍ଷା କରି ରହିଥିଲେ। ହେଲେ ଅଧା ବାଟରେ ଘଟିଲା ଅଘଟଣ। ଟ୍ରେନରେ ନିଆଁ ଲାଗି ଯାଇଥିବା ଭାବି କିଛି ଲୋକ ଚେନ୍‌ ଭିଡ଼ି ଏହାକୁ ଅଟକାଇ ଦେଲେ। ବାସ୍‌ ଗୁଜବରେ ବିଶ୍ୱାସ କରି କିଛି ଲୋକ ଟ୍ରେନରୁ ତଳକୁ ଡେଇଁ ପଡ଼ିଲେ।

Advertisment

ଏତିକି ବେଳେ ବିପରୀତ ଦିଗରୁ ଆସୁଥିଲା ଆଉ ଏକ ଟ୍ରେନ। ନିଆଁ ଗୁଜବ କଥା ଶୁଣି ଟ୍ରାକକୁ ଡେଇଁ ପଡ଼ିଥିବା ଲୋକଙ୍କ ଉପରେ ଉକ୍ତ ଟ୍ରେନ ମାଡ଼ି ଗଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି।

ମହାରାଷ୍ଟ୍ରର ଜଲଗାଓଁରେ ଆଜି ଟ୍ରେନ ଦୁର୍ଘଟଣା ପଛରେ ଏମିତି କିଛି କାରଣ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକା ଏକ୍ସପ୍ରେସ ଟ୍ରାକରେ ଥିବା ଲୋକଙ୍କୁ ଧକ୍କା ଦେଇଛି।

Advertisment

ଜଣେ ରେଳ ଅଧିକାରୀ କହିଛନ୍ତି, ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା। ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍‌ ଭିଡ଼ି ଦେଇଥିଲେ। ଟ୍ରେନ ମଝି ଟ୍ରାକରେ ଅଟକି ଥିବା ବେଳେ କିଛି ଲୋକ ପାଖରେ ଥିବା ଟ୍ରାକକୁ ଡେଇଁ ପଡ଼ିଥିଲେ।

ଡେଇଁବା ବେଳେ ସେମାନଙ୍କୁ ଜଣା ନଥିଲା ଯେ ବିପରୀତ ଦିଗରୁ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା କର୍ଣ୍ଣାଟକା ଏକ୍ସପ୍ରେସ ଆସୁଛି। ସେମାନେ ଟ୍ରାକକୁ ଡେଇଁବା କ୍ଷଣି ସେମାନଙ୍କୁ କର୍ଣ୍ଣାଟକା ଏକ୍ସପ୍ରେସ ଧକ୍କା ଦେଇଥିଲା। ମୃତହାତଙ୍କ ସହାୟତା ପାଇଁ ସ୍ଥାନୀୟ ପୁଲିସ୍‌ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ଭୁସାବଲରୁ ଗୋଟିଏ ରିଲିଫ ଟ୍ରେନ ଘଟଣା ସ୍ଥଳରୁ ସହାୟତା ପାଇଁ ଯାଇଛି। ଘଟଣା ସ୍ଥଳରେ ହିଁ ମେଡିକାଲ ସହାୟତା ଯୋଗାଇ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳୁଛି ଯେ ମୃତାହତମାନେ ଟ୍ରାକରେ ପଡ଼ି ରହିଛନ୍ତି। ଜିନିଷପତ୍ର ସବୁ ଏଣେତେଣେ ପଡ଼ି ରହିଛି। କିଛି ଲୋକ ନିଜର ପ୍ରିୟଜନମାନଙ୍କୁ ହରାଇ କେବଳ ଚିତ୍କାର କରୁଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାରେ ଶୋକ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ସହ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ କହିଛନ୍ତି। ସେ କହିଛନ୍ତି, “ଜଲଗାଓଁ ଜିଲ୍ଲାର ପାଚୋରା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାରେ ଲୋକଙ୍କ ଜୀବନ ଯିବା ଅତ୍ୟନ୍ତ ବିଚଳିତ କରିଛି। ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ମୁଁ ଶୋକବ୍ୟକ୍ତ କରୁଛି। ମୋ ସହଯୋଗୀ, ମନ୍ତ୍ରୀ ଗିରଶ ମହାଜନ, ସ୍ଥାନୀୟ ଏସ୍‌ପି ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପୂରା ଜିଲ୍ଲା ପ୍ରଶାସନ ରେଳ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରୁଛି। ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଘଟଣା ସ୍ଥଳରୁ ୮ଟି ଆମ୍ବୁଲାନ୍ସ ପଠାଯାଇଛି। ସରକାରୀ ସହ ସ୍ଥାନୀୟ ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ କରି ରଖାଯାଇଛି। ଗ୍ଲାସ କଟର ଓ ଫ୍ଲଡ ଲାଇଟ ଭଳି ଜରୁରୀ ଉପକରଣକୁ ମଧ୍ୟ ଘଟଣା ସ୍ଥଳକୁ ପଠାଯାଇଛି। ଆମେ ପୂରା ସ୍ଥିତିକୁ ସମୀକ୍ଷା କରୁଛୁ। ଜିଲ୍ଲା ପ୍ରଶାସନ ସହ ମୁଁ ଯୋଗାଯୋଗରେ ରହିଛି।”

Maharashtra Govt Maharashtra Train Accident