/odisha-reporter/media/media_files/2025/10/28/bus-2025-10-28-14-16-59.jpg)
ବସ୍
ରାଜସ୍ଥାନ(Rajasthan)ର ଜୟପୁରରେ ପୁଣି ଗୋଟିଏ ବସ ଦୁର୍ଘଟଣା(Bus Accident)। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ରେ ଲାଗି ଯାଇଛି ନିଆଁ। ଏଥିଯୋଗୁ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ରାଜସ୍ଥାନର ଟୋଡିରେ ଥିବା ଗୋଟିଏ ଇଟା ଭାଟିରେ କାମ କରିବାକୁ ଉତ୍ତର ପ୍ରଦେଶୀ ବରେଲୀରୁ ଆସିଥିବା ଶ୍ରମିକଙ୍କୁ ଧରି ବସ୍ଟି ଯାଉଥିଲା। କିନ୍ତୁ ହଠାତ୍ ୧୧,୦୦୦ କେଭି ବିଦ୍ୟୁତ ତାର ଛିଣ୍ଡି ସିଧା ବସ ଉପରେ ପଡ଼ିଥିଲା। ତାର ସଂସ୍ପର୍ଶରେ ଆସିବା କ୍ଷଣି ବସ୍ରେ ନିଆଁ ଲାଗି ଯାଇଥିଲା। ଅଧିକାଂଶ ଶ୍ରମିକ ଏଥିରୁ ବର୍ତ୍ତି ଯାଇଥିଲେ ହେଁ ୨ ଜଣ ଜୀବନ୍ତ ପୋଡ଼ି ଯାଇ ପ୍ରାଣ ହରାଇଛନ୍ତି।
ସେହିପରି ଆଉ ୫ ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଜୟପୁରର ସୱାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମାନ୍ୟ ଆହତ ହୋଇଥିବା ଆଉ ୪ ଜଣ ଶ୍ରମିକଙ୍କ ଚିକିତ୍ସା ଶାହପୁରା ସବ ଜିଲ୍ଲା ହସ୍ପିଟାଲରେ ଚାଲିଛି।
ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ବେଳକୁ ବସ୍ଟି ପ୍ରାୟତଃ ପୋଡ଼ି ସାରିଥିଲା। ପୁଲିସ୍ ଏବେ ଘଟଣାର ତଦନ୍ତ କରୁଥିବା ବେଳେ ନିଆଁରେ ନଷ୍ଟ ହୋଇ ସାରିଥିବା ଲୋକଙ୍କ ପରିଚୟପତ୍ରରୁ ସେମାନଙ୍କୁ ଚିହ୍ନଟ କରାଯାଉଛି।
ପୁଲିସ କହିଛି ଯେ ଦୁଇ ମୃତକ ହେଲେ ନଶୀମ(୫୦) ଓ ତାଙ୍କ ୨୦ ବର୍ଷୀୟ ଝିଅ ସହିନାମ। ଉଭୟଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି। ୩ ମହିଳାଙ୍କ ସମେତ ୫ ଜଣ ଜୟପୁର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଉଥିବା ୫ ଜଣଙ୍କ ମଧ୍ୟରେ ଥିବା ୩ ମହିଳା ହେଲେ- ନଜମା, ସୀତାରା ଓ ନହୀମ। ଆଜାର ଓ ଅଲତାଫଙ୍କ ଚିକିତ୍ସା ମଧ୍ୟ ସେଠାରେ ଚାଲିଛି।
ସ୍ଥାନୀୟ ଏସ୍ଡିଏମ କହିଛନ୍ତି ଯେ ବସ୍ ଓଭରଲୋଡ ରହିଥିଲେ। ବସ୍ର ଛାତରେ ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ଜିନିଷପତ୍ର ରହିଥିଲା। ଜିନିଷପତ୍ର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଛିଡ଼ି ଯାଇଥିଲା। ତେଣୁ ବସ୍ରେ ନିଆଁ ଲାଗିଯାଇଥିଲା ବୋଲି ସେ କହିଛନ୍ତି।
କିନ୍ତୁ ଗାଁ ଲୋକଙ୍କ କହିବା କଥା ଯେ ବିଦ୍ୟୁତ ତାର ଝୁଲନ୍ତା ଅବସ୍ଥାରେ ଦୀର୍ଘ ଦିନ ହେଲା ରହିଥିଲା। ସେମାନେ ଏନେଇ ବିଜୁଳି ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଏହାର ମରାମତି ପାଇଁ ଦାବି କରାଯାଉଥିଲେ ହେଁ ବିଭାଗ ଏହାକୁ ଅଣଦେଖା କରି ଚାଲିଥିଲା।
ଅଗ୍ନିଶମ ବିଭାଗର କହିବା କଥା ଯେ ବସରେ ଲୋକଙ୍କ ସହ ୧୫ଟି ଏଲପିଜି ସିଲିଣ୍ଡର ମଧ୍ୟ ରହିଥିଲା। ଅଗ୍ନିକାଣ୍ଡ ଯୋଗୁ ୨ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ବସ୍ରେ କେତେ ଲୋକ ଥିଲେ, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ ଅଗ୍ନିଶମ କର୍ମଚାରୀ ୨୫ ଜଣଙ୍କ ଜୀବନ ବଞ୍ଚାଇଥିବା କହିଛନ୍ତି। ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ଅକ୍ଟୋବର ୧୫ରେ ଜୈସାଲମେରରୁ ଯୋଧପୁର ଯାଉଥିବା ବସ୍ରେ ନିଆଁ ଲାଗି ଯିବାରୁ ୨୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଜୈସାଲମେର-ଯୋଧପୁର ଜାତୀୟ ରାଜପଥରେ ଦିନ ୩ଟାରେ ଏପରି ଘଟଣା ଘଟିଥିଲା। ବସ୍ରେ ମୋଟ ୫୭ ଜଣ ଯାତ୍ରୀ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
