ଭୁବନେଶ୍ୱର ସ୍ଥିତ ପାହାଳ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ କାର୍ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତାହତଙ୍କ ଘର ଯାଜପୁର ଓ ଭଦ୍ରକର ବୋଲି ଜଣାଯାଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ୩ଟା ସମୟରେ କାର୍ଟି କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହି ସମୟରେ ଟ୍ରକଟି ପାହାଳ ଛକ ନିକଟରେ ଥିବା ରାସ୍ତାକଡ଼ରେ ଠିଆ ହୋଇଥିଲା। କାରଟି ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କାର୍ରେ ଚାଳକ ସମେତ ୩ଜଣ ଥିଲେ। କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଲା ତାର କାରଣ ସ୍ପଷ୍ଟ ହୋଇନାହିଁ।
ଗତକାଲି ମଧ୍ୟ ସମାନ ଘଟଣା ଘଟିଥିଲା। କେନ୍ଦୁଝର ଜିଲ୍ଲା NH ୨୦ ବାଲିଯୋଡ଼ି ନିକଟରେ ଏକ ଭ୍ୟାନ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ଧକ୍କା ଦେବା ଫଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ରାସ୍ତାକଡ଼ରେ ଗାଡ଼ି ପାକିଂ କରିବା ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟୁଛି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।