ଦଶାହ କାର୍ଯ୍ୟକୁ ଯାଉଥିଲେ ଶ୍ୱଶୁର ଓ ଜ୍ୱାଇଁ; ମାଡ଼ିଗଲା ଟ୍ରକ୍

ଦୁଘର୍ଟଣା ପରେ ଡ୍ରାଇଭର ଓ ଟ୍ରକକୁ ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ପୁଲିସ

  • Published: Saturday, 16 December 2023
  • , Updated: 16 December 2023, 01:09 PM IST

ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯିବା ବେଳେ ଜ୍ୱାଇଁ ଓ ଶ୍ୱଶୁରଙ୍କ ଉପରେ ମାଡ଼ିଗଲା ଟ୍ରକ୍।  ନବରଙ୍ଗପୁର ଜିଲ୍ଲା ରାଇଘର ଡିଏନକେ ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଜ୍ୱାଇଁ ଲକ୍ଷଣ ଜାନୀ ଓ ଶ୍ୱଶୁର ବାଲି ଜାନୀ।

ରାଇଘର ବ୍ଲକ ଗୋନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମାଟିକରା ଗ୍ରାମର ଲକ୍ଷଣଙ୍କ ପିଉସୀଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଥିଲା। ଲକ୍ଷଣ ଗଞ୍ଜାପାରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାରଙ୍ଗପାଲି କଲୋନୀରେ ରହୁଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ ।

ଏହି ଖବର ପାଇ ଲକ୍ଷଣ ଶ୍ୱଶୁର ବାଲିଙ୍କୁ ସାଙ୍ଗରେ ନେଇ ଶୁଦ୍ଧିକ୍ରିୟା ପାଇଁ ନିଜ ଗ୍ରାମକୁ ଏକ ବାଇକ୍ ଯୋଗେ ବାହାରି ଥିଲେ। ରାଇଘର ମୁଖ୍ୟ ବଜାର ସ୍ଥିତ ଡିଏନକେ ଛକ ନିକଟରେ ବାଇକକୁ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶ୍ୱଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଘର୍ଟଣା ପରେ ଡ୍ରାଇଭର ଓ ଟ୍ରକକୁ ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି।

Related story