/odisha-reporter/media/post_attachments/uploadimage/library/16_9/16_9_0/Accident_1730528991.jpg)
Accident
ଯୁବତୀଙ୍କ ଉପରେ ମାଡ଼ିଗଲା ‘ମୋ ବସ୍’। ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଯୁବତୀଙ୍କ ବାମ ହାତ ଛିଡ଼ିଯାଇଛି।
ଆଜି ସକାଳ ପ୍ରାୟ ୯ଟା ସମୟରେ ଯୁବତୀଙ୍କ ଜଣଙ୍କ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଯୁବତୀଙ୍କ ପଛରେ ଆସୁଥିବା ବାଇକ୍ ଆରୋହୀଙ୍କୁ ‘ମୋ ବସ୍’ ଟି ଧକ୍କା ଦେଇଥିଲା। ବାଇକ୍ ଆରୋହୀ ଜଣଙ୍କ ଭାରସାମ୍ୟ ହରାଇ ଯୁବତୀଙ୍କୁ ଧକ୍କା ଦେଇଥିଲା। ଯୁବତୀ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ମୋ ବସ୍’ଟି ଯୁବତୀଙ୍କୁ ହାତ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ଯୁବତୀଙ୍କ ହାତ କଟିଯାଇଥିଲା। ପରେ ‘ମୋ ବସ୍’ ଡ୍ରାଇଭର ଗାଡ଼ି ନେଇ ଚମ୍ପଟ ମାରିଥିଲା।
ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଯୁବତୀ ଓ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ନନ୍ଦନକାନନ-ଜୟଦେବବିହାର ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହି ରୁଟ୍ରେ ଆସୁଥିବା ‘ମୋ ବସ୍’କୁ ଛାଡୁ ନାହାନ୍ତି ଉତ୍ତ୍ୟକ୍ତ ଲୋକେ। ପଛକୁ ପଛ ପ୍ରାୟ ୧୫ଟି ‘ମୋ ବସ୍’ ରାସ୍ତାରେ ଅଟକି ରହିଛି। ବେପରୁଆ ଡ୍ରାଇଭ୍ ପାଇଁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
