Advertisment

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ଘଟଣା; ଦୁଇ ମୃତକ ଓଡ଼ିଶାର

ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ରାଉରକେଲାର ବୋଲି ଜଣାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Ajit & Train Accident Spot

Ajit & Train Accident Spot

ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ରାଉରକେଲାର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର ବୋଲି ଜଣାଯାଇଛି।

Advertisment

ମୃତକଦ୍ୱୟ ହେଲେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ରେଲୱେ କଲୋନୀର ବିକାଶ ରାଓ। ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ସେମାନେ ପୂର୍ବରୁ ପରସ୍ପରକୁ ଜାଣିଥିବା ସୂଚନା ମିଳିଛି। ଗତ ରାତିରେ ଉଭୟ ଟିକେଟ କାଟି ଜେନେରାଲ ବଗିରେ ଉଠିଥିଲେ। ମାତ୍ର ଭୋର ୩ଟା୪୫ରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି।

ଏହି ଖବର ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଉଭୟଙ୍କ ପରିବାର ସଦସ୍ୟ ଆଜି ଚକ୍ରଧରପୁର ଯିବେ ବୋଲି ଜଣାଯାଇଛି। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Advertisment

ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଆଜି ଭୋର୍ ୩ଟା ୪୫ମିନିଟରେ ଘଟିଥିଲା। ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା ।

ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଇଚ୍ୟତ ହେଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ଟ୍ରେନ୍ ମ୍ୟାନେଜର କହିଛନ୍ତି, ପୂର୍ବରୁ ସେହି ରୁଟରେ ଏକ  ମାଲଗାଡ଼ି ଲାଇନଚ୍ୟୁତ ହୋଇଥିଲା। ତା’ପରେ ଦୁର୍ଘଟଣାର ଶିକାର ହେଲା ହାୱଡା-ମୁମ୍ବାଇ ମେଲ୍।

ଦୁର୍ଘଟଣା ପରେ ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ  ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ହାୱଡ଼ା-ମୁମ୍ବାଇ ମେଲ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି। ଏଥିସହ ୪ଟି ଟ୍ରେନ୍ ସ୍ୱଳ୍ପ ବାତିଲ୍ ହୋଇଥିବା ବେଳେ ଓ ୧୭ଟି ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି। 

Rourkela Train Accident