Advertisment

ଯାତ୍ରୀବାହୀ ଟ୍ରେନ୍‌ ଲାଇନଚ୍ୟୁତ୍‌, ଗଲାଣି ୨୨ ଜଣଙ୍କ ଜୀବନ

ଏବେ ବି ଲାଇନଚ୍ୟୁତ ହୋଇଥିବା ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Train

Train

ଓଡ଼ିଶାର ବାଲେଶ୍ୱର ଟ୍ରେନ ଟ୍ରାଜେଡି ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ପାକିସ୍ତାନରେ ସମାନ ଘଟଣା ଘଟିଛି। ଆଜି ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଏବେ ବି ଲାଇନଚ୍ୟୁତ ହୋଇଥିବା ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ହାଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଶାହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସାହାରା ରେଳ ଷ୍ଟେସନ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରେନଟି କରାଚିରୁ ଅବୋଟ୍ଟାବାଦ ଯାଉଥିଲା। ତେବେ ଅଧା ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାକିସ୍ତାନ ରେଞ୍ଜର୍ସଙ୍କ ଠାରୁ ଆରମ୍ଭ କରି ସେନା, ପୁଲିସ ଓ ବିଭିନ୍ନ ଉଦ୍ଧାରକାରୀର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଉଦ୍ଧାର କରି ନୱାବଶାହର ପିପୁଲ୍ସ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ହସ୍ପିଟାଲଗୁଡ଼ିକୁ ମଧ୍ୟ ହାଇଆଲର୍ଟରେ ରହିବାକୁ କୁହାଯାଇଛି।

Advertisment

ତେବେ କେଉଁ ପରିସ୍ଥିତିରେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହେଲା, ସେକଥା ଏଯାଏ ଜଣାପଡ଼ିନି। ଏହି ଯାତ୍ରୀବାହୀ ଟ୍ରେନରେ ମୋଟ ୧୭ଟି ବଗି ରହିଥିଲା। ଏହାର ଇକୋନୋମି କ୍ଲାସରେ ୯୫୦ ଜଣ ଓ ଏସି କୋଚ୍‌ରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ତେଣୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି।

୧୦ ଜଣ ଷ୍ଟେସନ ହାଉସ ଅଫିସର, ୪ ଜଣ ଡିଏସ୍‌ପି ଓ ୧୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।  

Pakistan Train Accident