ମହାରାଷ୍ଟ୍ରର ଏକ ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟି ୨୨ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଜଲନା ସହରର MIDC ଅଞ୍ଚଳରେ ଥିବା ଗଜ କେଶରୀ ଇସ୍ପାତ କାରଖାନାରେ ବଏଲର ବିସ୍ଫୋରଣ ଘଟି ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ବିସ୍ଫରଣ ପରେ ଲୁହା ତରଳି ଶ୍ରମିକଙ୍କ ଉପରେ ପଡିବାରୁ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।
ଖବର ପାଇ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨୨ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ଫ୍ୟାକ୍ଟ୍ରିରେ ମୋଟ କେତେ ଜଣ ଶ୍ରମିକ ଥିଲେ, ସେନେଇ ସ୍ପଷ୍ଟ ହୋଇନାହିଁ।
ଏସପି ଅଜୟ କୁମାର ବଂସଲ କହିଛନ୍ତି ଯେ, ଆହତ କର୍ମଚାରୀଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଛତ୍ରପତି ସମ୍ଭଜିନଗରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କମ୍ପାନୀ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।