ହାତୀ ପାଦ ତଳେ ପରିବାର ଛାରଖାର; ମା’ ସହ ଦୁଇ ଛୁଆ ମୃତ, ୩ ଗୁରୁତର

ରାତି ଅଧରେ ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ହାତୀ ହାବୁଡ଼ର ପଡ଼ିଗଲେ ୬ ପରିବାର ସଦସ୍ୟ। ହାତୀ ୩ ଜଣଙ୍କୁ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଆଉ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଘର ବାହାରେ ଶୋକାକୂଳ ପରିବାର ।

  • Published: Tuesday, 18 June 2024
  • , Updated: 18 June 2024, 09:39 AM IST

ହାତୀ ପାଦ ତଳେ ଛାରଖାର ହୋଇଗଲା ପରିବାର। ରାତି ଅଧରେ ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ହାତୀ ହାବୁଡ଼ର ପଡ଼ିଗଲେ ୬ ପରିବାର ସଦସ୍ୟ। ହାତୀ ୩ ଜଣଙ୍କୁ ଦଳି ଦେଇଥିବା ବେଳେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି। ଆଉ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଏପରି ଏକ ସାଂଘାତିକ ଘଟଣା ବରଗଡ଼ ଜିଲ୍ଲା ପାଇକମାଲ ରେଞ୍ଜ ସଲଡିହି ଗାଁରେ ଘଟିଛି । ହାତୀଙ୍କ ପାଦତଳେ ପଡ଼ି ସିଲଡିହି ଗ୍ରାମର ବିପିନ ବରିହାଙ୍କ ପରିବାର ଛାରଖାର ହୋଇ ଯାଇଛି। ମୃତକଙ୍କ ମଧ୍ୟରେ ବିପିନଙ୍କ ପତ୍ନୀ ପାନ ବରିହା, ତାଙ୍କ ୧୦ ବର୍ଷୀୟା ଝିଅ ସୁନନ୍ଦା ବରିହା ଓ ୩ ବର୍ଷର ପୁଅ ଆଦିତ୍ୟ ବରିହାରହିଛି। ଏହି ଆକ୍ରମଣରେ ବିପିନ, ତାଙ୍କ ୭ ବର୍ଷର ପୁଅ ମଣ୍ଟୁ ବରିହା ଓ ବୃଦ୍ଧ ପିତା ଜଟିଆ ବରିହା ଗୁରୁତର ହୋଇଛନ୍ତି।

ଅସହ୍ୟ ଗରମ ହେତୁ ବିପିନ ବରିହା ଓ ତାଙ୍କ ପରିବାର ଗତ ରାତିରେ ଘର ପଛପଟେ ଶୋଇଥିଲେ। ଉକ୍ତ ସମୟରେ ତିନିଗୋଟି ହାତୀ ଗୋଠଛଡା ହୋଇ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଥିଲେ। ରାତିର ଅନ୍ଧକାରରେ ସେମାନେ ସମସ୍ତଙ୍କୁ ପାଦରେ ଦଳି ଦେଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ହାତୀ ଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇ ନ ଥିବା ଅଭିଯୋଗ ହୋଇଛି।

Related story