/odisha-reporter/media/post_attachments/uploadimage/library/16_9/16_9_0/IMAGE_1700019094.jpg)
Road accident
ବିଶାଖାପାଟଣା ବୁଲିବାକୁ ହସଖୁସିରେ ଘରୁ ବାହାରିଥିଲେ ପୂରା ପରିବାର। ହେଲେ ସେମାନଙ୍କ ଖୁସି କ୍ଷଣକ ମଧ୍ୟରେ ଉଭେଇ ଯାଇଥିଲେ। ହଠାତ୍ ଯେମିତି ଦୁଃଖର କଳା ବାଦଲ ସେମାନଙ୍କ ପରିବାର ଉପରକୁ ମାଡ଼ି ଆସିଥିଲା। ବିଶାଖାପାଟଣା ଯିବାବେଳେ କାର୍ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା।
ମର୍ମନ୍ତୁଦ ଦୁର୍ଘଟଣାରେ ବାପା,ମା’ ଓ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ ଝିଅ। ଏପରି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡ଼ିମାଦେଲି ଘାଟିରେ। ଆହତ ମହିଳାଙ୍କୁ କୋରାପୁଟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କ ଘର ଛତିଶଗଡ଼ ରାଜଗାଓଁରେ ବୋଲି ଜଣାପଡ଼ିଛି।
ଶାଶୁ, ଶ୍ୱଶୁର ଝିଅ ଓ ଜ୍ୱାଇଁ ଏକ କାର୍ ଯୋଗେ ଛତିଶଗଡ଼ ରାଜଗାଓଁ ରୁ ବିଶାଖାପାଟଣା ବୁଲିବାକୁ ବାହାରିଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଯୋଡିମାଡ଼ିଲି ନିକଟ ଘାଟିରେ କାର୍ଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଶାଶୁ, ଶ୍ୱଶୁର ଓ ଜ୍ୱାଇଁଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତତ ଆହତ ହୋଇଥିଲେ ଝିଅ। ସ୍ଥାନୀୟ ଲୋକେ ଓ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଗାଡ଼ି ଚଲାଇବା ବେଳେ ଆଖି ଲାଗି ଯିବା ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହୁଥିବା ସୂଚନା ରହିଛି। ଦୁର୍ଘଟଣାରେ ଗାଡ଼ି ଭାଙ୍ଗିରୁଜି ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
